ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ଆମ ପିଢ଼ିର ବ୍ୟକ୍ତିମାନେ ହୃଦୟଙ୍ଗମ କରୁଛୁ ତାଙ୍କ ଭଳି ସର୍ବଗୁଣଧାରୀ ବିବିଧବର୍ଣ୍ଣା ବ୍ୟକ୍ତିତ୍ବ ଓଡ଼ିଶାରେ ଆଉ ନାହାନ୍ତି। ରାଜନୀତିରେ ଏକ ମହାଦ୍ରୁମ, ସାହିତ୍ୟ, କଳା, ସ˚ସ୍କୃତି ଓ ଇତିହାସରେ ଜଣେ ପ୍ରଜ୍ଞା ପୁରୁଷ, ଅପରିସୀମ ଜ୍ଞାନର ଅଧିକାରୀ ଜାନକୀ ବାବୁ ଥିଲେ ଏକ ଜାଜ୍ବଲ୍ୟମାନ ଅନୁଷ୍ଠାନ।
Sambad is now on WhatsApp
Join and get latest news updates delivered to you via WhatsApp
ମୁଁ ୧୯୫୮ରୁ ୧୯୬୨ ଯାଏ ରେଭେନ୍ସା କଲେଜ ଛାତ୍ର ଥିଲା ବେଳେ ଜାନକୀ ବାବୁ ‘ପ୍ରଜାତନ୍ତ୍ର’ ଖବରକାଗଜରେ ଥିଲେ। ୧୯୭୦ ମଧୢ ଭାଗରେ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିମଣ୍ତଳରେ ପ୍ରତିରକ୍ଷା ବିଭାଗ ରାଷ୍ଟ୍ରମନ୍ତ୍ରୀ ଥିଲା ବେଳେ ଆନୁଷ୍ଠାନିକ ଭାବେ ତାଙ୍କ ସଙ୍ଗେ ପରିଚୟ ହେଲା। ୧୯୮୦ରେ ଇନ୍ଦିରା ଗାନ୍ଧୀ ବିପୁଳ ବିଜୟ ସହ କ୍ଷମତାକୁ ଫେରିଲେ ଓ ଜାନକୀ ବାବୁ ବେସାମରିକ ବିମାନ ଚଳାଚଳ କ୍ୟାବିନେଟ୍ ମନ୍ତ୍ରୀ ହେବା ସହ ଭୁବନେଶ୍ବର ଓ ଦିଲ୍ଲୀ ମଧୢରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେଲା। ସେତେବେଳେ ମୁଁ ଦିଲ୍ଲୀର ଗୃହ ମନ୍ତ୍ରଣାଳୟରେ ଥିଲି। ତାଙ୍କ ସହ ଅଧିକ ଭାବ ଆଦାନ ପ୍ରଦାନର ସୁଯୋଗ ସେଠି ପାଇଲି। ସେ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ହେଲେ। ମୁଁ ୧୯୮୩ରେ ଓଡ଼ିଶା ଫେରି କାରାଗାର ବିଭାଗ ଆଇଜି ହେଲି। ସେ ପର୍ଯ୍ୟନ୍ତ ଏ ପଦରେ ଜଣେ ଡାକ୍ତର ରହୁଥିଲେ। ଜେଲ୍ ବିଭାଗ କର୍ମଚାରୀ ଓ କିଛି ସାମାଜିକ ଅନୁଷ୍ଠାନ ଜଣେ ଆଇପିଏସ୍ ଅଫିସରଙ୍କୁ ଜେଲ୍ ବିଭାଗର ଆଇଜି ରୂପେ ନିଯୁକ୍ତିର ଘୋର ବିରୋଧ କଲେ ଓ ହାଇକୋର୍ଟରେ ମାମଲା ମଧୢ ଦାୟର ହେଲା। କିନ୍ତୁ ଜାନକୀ ବାବୁ ତାଙ୍କ ସିଦ୍ଧାନ୍ତରେ ଅଟଳ ରହିଲେ। ଦୀର୍ଘ ୪ ବର୍ଷ ଏ ବିଭାଗରେ ରହି ଯେତେବେଳେ ମୋର ବଦଳି ହେଲା, ସେହି ଜେଲ୍ ବିଭାଗର କର୍ମଚାରୀମାନେ ମୋର ବଦଳି ରଦ୍ଦ ପାଇଁ ସରକାରଙ୍କୁ ନିବେଦନ କରି ସ˚କଳ୍ପ ପାରିତ କଲେ।
ମୁଁ ଗୃହ ମନ୍ତ୍ରଣାଳୟରେ ଥିବା ବେଳେ ଦେଶରେ କମ୍ପ୍ୟୁଟରକରଣ ଉପରେ ମୁଁ ଆହରଣ କରିଥିବା ଜ୍ଞାନ ଓ ଅଭିଜ୍ଞତା ଭିତ୍ତିରେ ଓଡ଼ିଶା କମ୍ପ୍ୟୁଟର ଏପ୍ଲିକେସନ ସେଣ୍ଟର ଆରମ୍ଭ ହେଲା। ଜାନକୀ ବାବୁଙ୍କ ନିର୍ଦ୍ଦେଶରେ ସେକ୍ରେଟାରିଏଟ୍ ତୃତୀୟ ମହଲରେ ଏକ ସଭା ହେଲା। ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ତଳର ସମସ୍ତ ସଭ୍ୟ, ସଚିବ ଓ ବରିଷ୍ଠ ଅଫିସରମାନେ ପ୍ରଯୁକ୍ତି ବିଦ୍ୟାରେ ମୋର ଓ ଦିଲ୍ଲୀରୁ ଆସିଥିବା ବିଶେଷଜ୍ଞ ଶେଷଗିରିଙ୍କ ଭାଷଣ ଦୀର୍ଘ ୨ ଘଣ୍ଟା ଧରି ଶୁଣିଲେ। ଜ୍ଞାନ ଲିପ୍ସୁ ଜାନକୀ ବାବୁ ନେତା ଓ ମୁଖ୍ୟମନ୍ତ୍ରୀ ଭାବେ ଏ କ୍ଷେତ୍ର କିପରି ବ୍ୟାପକ ରୂପେ ପ୍ରସାରିତ ହୋଇ କର୍ମଯୋଗାଣ ସୃଷ୍ଟି କରିବ, ସେ ନେଇ ଉତ୍ସାହିତ ଥିଲେ।
ରେଭେନ୍ସା କଲେଜ ନବମ ଦଶକରେ ଅତି ଶୋଚନୀୟ ଅବସ୍ଥାରେ ପହଞ୍ଚିଥିଲା। ସରକାର ଏହାକୁ ଅନ୍ୟ ଏକ ସରକାରୀ କଲେଜ ରୂପେ ବିଚାରି ତାହାର ସ୍ବାତନ୍ତ୍ର୍ୟ ରକ୍ଷା ଦିଗରେ ଧୢାନ ଦେଉନଥିଲେ। ଆମେ କେତେଜଣ ପୁରାତନ ଛାତ୍ର ୧୯୯୪ରେ ଏକ ଟ୍ରଷ୍ଟ ଗଠନ କରି ରେଭେନ୍ସାର ବିକାଶ ଦିଗରେ ଉଦ୍ୟମ କଲୁ। ଆମର ଲକ୍ଷ୍ୟ ଥିଲା ବିଶ୍ବବିଦ୍ୟାଳୟ ମାନ୍ୟତା ହାସଲ। ମୁଁ ଟ୍ରଷ୍ଟ୍ର ଅଧୢକ୍ଷ ଥିଲି। ୧୯୯୫ରେ ମୁଁ ମୁଖ୍ୟମନ୍ତ୍ରୀ ଜାନକୀ ବାବୁଙ୍କୁ ଆମନ୍ତ୍ରଣ କଲି ଟ୍ରଷ୍ଟ୍ର ସଭ୍ୟ ଓ ବୁଦ୍ଧିଜୀବୀମାନଙ୍କ ସହିତ ଆଲୋଚନା ପାଇଁ। ସେ ରାଜି ହେଲେ ଓ କଟକ ସର୍କିଟ୍ ହାଉସ୍ରେ ସଭାରେ ଆଲୋଚନା ବେଳେ ଘୋଷଣା କଲେ ରେଭେନ୍ସାକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦିଆଯିବ। ପରେ ୟୁଜିସିର ପରାମର୍ଶ କ୍ରମେ ଆମେ ଏକକ ବିଶ୍ବବିଦ୍ୟାଳୟ ପାଇଁ ପ୍ରସ୍ତାବ ଦେଲୁ, ଯାହା ୨୦୦୫ରେ ଫଳପ୍ରଦ ହେଲା।
ଜାନକୀ ବାବୁ କ୍ଷମତାରେ ନ ଥିଲେ ମଧୢ ମୋ ସଙ୍ଗେ ଦେଖା ହେଲେ ତାଙ୍କ ପ୍ରଥମ ପ୍ରଶ୍ନ ଥାଏ ରେଭେନ୍ସା ବିଷୟରେ। ୧୯୯୦ ମସିହାରେ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ହେବା ପରେ ଦୁର୍ନୀତି ଉତ୍ପାଟନ ପାଇଁ ଯେଉଁ ପଦକ୍ଷେପ ନେଲେ, ସେଥିରେ କ˚ଗ୍ରେସ ନେତାମାନଙ୍କ ବିରୋଧରେ ମାମଲା ଦାୟର ପାଇଁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ସେ ଲେଖିଥିବା ଚିଠି ବିବାଦୀୟ ହୋଇ ସମାଲୋଚନାର ଶରବ୍ୟ ହେଲା। କାରଣ ପ୍ରାଥମିକ ତଦନ୍ତ ପରେ ସାକ୍ଷ୍ୟ ପ୍ରମାଣ ଥିଲେ ଯାଇ ଭିଜିଲାନ୍ସ ବିଭାଗ ମାମଲା ଦାୟର କରେ। ବି˚ଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଓଡ଼ିଶା ରାଜନୀତିରେ ଏକ ପରମ୍ପରା ଥିଲା ଯେ ନୂତନ ସରକାର ଆସିଲେ ପୁରୁଣା ନେତାମାନଙ୍କ ବିରୋଧରେ ମାମଲା ଦାୟର କରାଯିବ। ବିଜୁ ବାବୁଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ମୁଁ ଭିଜିଲାନ୍ସ ଡିଜି ହେଲି। ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ହେଲା ପରେ ମୁଁ ସେହି ପଦରେ ରହିଲି ଓ ୧୯୯୦ ମସିହା ଭଳି ପରିସ୍ଥିତି ଯେପରି ନ ହୁଏ, ସେ ଦିଗରେ ସଜାଗ ରହିଲି। ଏ ବିଷୟରେ ଆଲୋଚନା ବେଳେ ମୁଁ ଏକ ସେଲ୍ ଗଠନ ପାଇଁ ପ୍ରସ୍ତାବ ଦେଲି, ଯାହା ସଚିବାଳୟରେ ରହିବ ଓ ସନ୍ଦିଗ୍ଧ ମନ୍ତ୍ରୀ ଓ ଅଫିସରମାନଙ୍କ ଉପରେ ଥିବା ଫାଇଲ ତଦାରଖ କରି ରିପୋର୍ଟ୍ ଦେବ, ଜାନକୀ ବାବୁ ସଙ୍ଗେ ସଙ୍ଗେ ରାଜି ହୋଇଗଲେ।
ଜାନକୀ ବାବୁଙ୍କ ଘନିଷ୍ଠ ବନ୍ଧୁ ପ୍ରଧାନମନ୍ତ୍ରୀ ନରସି˚ହ ରାଓ ଓଡ଼ିଶା ଆସିଲେ, ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲା ପରିଦର୍ଶନରେ। ଜାନକୀ ବାବୁ ଓ ମୁଁ ରାଜ୍ୟ ସରକାରଙ୍କ ବିମାନରେ ରାୟଗଡ଼ା ଗଲୁ ବ୍ୟବସ୍ଥା ତଦାରଖ କରିବାକୁ। ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଜିଲ୍ଲାପାଳ ସୁସ୍ବାଦୁ ଜଳପାନ ବ୍ୟବସ୍ଥା କରିଥିଲେ। ତାହା ଦେଖି ଜାନକୀ ବାବୁ ମୁହଁ ଆଡ଼ କରିବାର କାରଣ ମୁଁ ଜାଣିପାରିଲି। ଜିଲ୍ଲାପାଳଙ୍କୁ ବାହାରକୁ ଡାକି ଜଲଦି ବରା ଆଣିବାକୁ କହିଲି। ବରା ଆସିଲା ଓ ଆଲୋଚନା ଚାଲିଲା। ବରା ଜାନକୀ ବାବୁଙ୍କ ବଡ଼ ପ୍ରିୟ ଥିଲା।
ଅନୁଭୂତି ଅସରନ୍ତି। ପୁଣି ଦୋହରାଇବି, ତାଙ୍କ ଅବର୍ତ୍ତମାନରେ ଆମେ ଦରିଦ୍ର ହୋଇଯାଇଛୁ।
ପୂର୍ବତନ ଡିଜିପି, ଓଡ଼ିଶା