ସ୍ବାଧୀନତା ପରବର୍ତ୍ତୀ ରାଜନୈତିକ ଅସ୍ଥିରତା ମଧ୍ୟରେ ଏକ ସ୍ଥିର ଓ ଦୀର୍ଘକାଳୀନ ସରକାରର ନେତୃତ୍ବ ନେଇଥିବା ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରକୃତ‌େର ଥିଲେ ଓଡ଼ିଶାର ସୁବର୍ଣ୍ଣ ଯୁଗର ପ୍ରବର୍ତ୍ତକ। ଏକାଧାରରେ ସୁସାହିତ୍ୟିକ, ପଣ୍ଡିତ, ବାଗ୍ମୀ ଓ ରାଜନୈତିକ ବିଚକ୍ଷଣତାର ମୂର୍ତ୍ତିମନ୍ତ ସ୍ବରୂପ ଏହି ମହାନ ଜନନେତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସ୍ବରୂପ ‘ସମ୍ବାଦ’ର ଏହି ବିଶେଷ ଉପସ୍ଥାପନା

Advertisment

ଅସୀମ ଧୈର୍ଯ୍ୟର ପ୍ରତୀକ
ବସନ୍ତ ଦାସ

ସୁସାହିତ୍ୟିକ, ପ୍ରବୀଣ ସାମ୍ବାଦିକ, ବାଗ୍ମୀ ଓ ବିଶିଷ୍ଟ ଜନନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଥିଲେ ସାାମ୍ବାଦିକତା କ୍ଷେତ୍ରରେ ମୋର ପ୍ରଥମ ଗୁରୁ। ମୁଁ ସେତେବେଳେ ଦୈନିକ ଇରେଜୀ ‘ଇଷ୍ଟର୍ଣ୍ଣ ଟାଇମ୍‌ସ’ର ସାମୟିକ ପ୍ରତିନିଧି ଭାବରେ ସାମ୍ବାଦିକ ଜୀବନ ଆରମ୍ଭ କରିଥିଲି। ଏହା ହେଉଛି ୧୯୬୫ ମସିହାର କଥା। ସେତେବେଳେ ଜାନକୀ ବାବୁ ‘ପ୍ରଜାତନ୍ତ୍ର’ ଓ ‘ଇଷ୍ଟର୍ଣ୍ଣ ଟାଇମସ୍‌’ର ସ˚ପାଦକ ଥିଲେ। ଆଲୋଚନା ପ୍ରସଙ୍ଗରେ ଦିନେ ସେ ମୋତେ କହିଥିଲେ, ‘ଯଦି ଜୀବନରେ ସାମ୍ବାଦିକତାକୁ ପେସା କରିବୁ, ତେବେ ଗୋଟିଏ କଥା ମନେ ରଖିବୁ, କାହାରି ଚରିତ୍ର ସ˚ହାର ନ କରି କିମ୍ବା ପଦଲେହନ ନ କରି ଜଣେ ସଫଳ ସାମ୍ବାଦିକ ହୋଇପାରିବୁ।

ଜୀବନରେ ସେ କେତେ କ୍ଷମାଶୀଳ ଥିଲେ ଗୋଟିଏ ଘଟଣାରୁ ତା’ର ସୂଚନା ମିଳେ। ଦୀର୍ଘ କାଳର ସାମ୍ବାଦିକ ଜୀବନ କାଳ ମଧୢରେ କର୍ତ୍ତବ୍ୟ ଅନୁରୋଧରେ ମୁଁ ତାଙ୍କ ସମ୍ପର୍କରେ ବହୁ କଟୁ ଲେଖା ଲେଖିଛି। ତାଙ୍କର ନିର୍ଦ୍ଦୟ ସମାଲୋଚନା କରିଛି। ମାତ୍ର ଜାନକୀ ବାବୁ ମୋ ବିରୋଧରେ ପ୍ରତିହି˚ସାତ୍ମକ ପଦକ୍ଷେପ ନେବା ପରିବର୍ତ୍ତେ ମତେ ଆପଣେଇ ନେଇଥିଲେ। ୨୦୦୯ ମସିହା ମେ ମାସର ଘଟଣା। ହଠାତ୍‌ ଦିନେ ସକାଳେ ମୋ ମୋବାଇଲ ବାଜିଲା। ମୁଁ କିଛି କହିବା ପୂର୍ବରୁ ସେ ପଟୁ ଶୁଣାଗଲା, ‘ଆପଣ ବସନ୍ତ ଦାସ କହୁଛନ୍ତି? ସାର‌୍‌ ଆପଣଙ୍କ ସାଙ୍ଗରେ କଥା ହେବେ।’ ମୁଁ ପ୍ରଥମେ କିଛି ବୁଝିପାରିଲି ନାହିଁ। ଏ ସାର‌୍‌ କିଏ ହୋଇପାରନ୍ତି? ଏହି ସମୟରେ ସେ ପାଖରୁ ଶୁଣାଗଲା, ‘ବସନ୍ତ, କ’ଣ କରୁଚୁ? ଟିକିଏ ଇଆଡ଼େ ଆସନ୍ତୁ ନାହିଁ!’

ସେ ସେତେବେଳେ ରାଜଧାନୀର ଛଅ ନମ୍ବର ୟୁନିଟରେ ଏକ ସରକାରୀ କ୍ବାର୍ଟର୍ସରେ ରହୁଥିଲେ। ମୁଁ ପରଦିନ ତାଙ୍କ ପାଖରେ ପହଞ୍ଚିଲି। ଅଭ୍ୟାସବଶତଃ ସାଙ୍ଗରେ ନୋଟଖାତା ଓ କଲମ ନେଇଥିଲି। ଖରା ଦିନ। ପହଞ୍ଚିଲା ମାତ୍ରେ ମତେ ଆମ୍ବ ସର୍ବତ ଓ ତିରୁପତିରୁ ଆସିଥିବା ଲଡୁ ଭୋଗ ଦେଲେ। ମୋତେ ଟିକିଏ ମାଡ଼ି ମାଡ଼ି ପଡୁଥାଏ। ମନେ ମନେ ଭାବୁଥାଏ, ଏ କ’ଣ ସେଇ ଜାନକୀ ବାବୁ ଯାହାଙ୍କ ସମ୍ପର୍କରେ ମୁଁ କେତେ କଥା ନ ଲେଖିଛି! କଥା ପ୍ରସଙ୍ଗରେ ସେ ମୋତେ ପଚାରିଲେ, ଆରେ ତମେ ସବୁ ତ ମୋ ବିଷୟରେ ଅନେକ କଥା ଲେଖିଛ। ଆମ ସରକାରର କଟୁ ସମାଲୋଚନା କରିଛ। ଆମ ସମୟରେ କ’ଣ କିଛି ଭଲ କାମ ହୋଇନାହିଁ? କାହିଁ ତ କେହି ସେ ସମ୍ପର୍କରେ କିଛି ଲେଖିଲ ନାହିଁ?
ସେଦିନ ତାଙ୍କ ପ୍ରଶ୍ନର ଉତ୍ତର ମୋ ପାଖରେ ନ ଥିଲା। ଆତ୍ମଗ୍ଳାନିରେ ମୋ ମୁଣ୍ତ ତଳକୁ ହୋଇଗଲା। ମୁଁ ନିଜକୁ ସମ୍ଭାଳି ନେଇ କହିଲି, ‘ରାଜ୍ୟବାସୀଙ୍କୁ ଆପଣଙ୍କର ସବୁଠାରୁ ବଡ଼ ଦାନ ହେଉଛି ସ୍ଥିର ସରକାର। ସ୍ବାଧୀନତା ପରଠାରୁ ୧୯୮୦ ମସିହା ପର୍ଯ୍ୟନ୍ତ ରାଜନୈତିକ ଅସ୍ଥିରତା ଯୋଗୁ କୌଣସି ମୁଖ୍ୟମନ୍ତ୍ରୀ ପାଞ୍ଚ ବର୍ଷ କ୍ଷମତାରେ ରହିପାରି ନ ଥିଲେ। ପ୍ରଥମ ଥର ପାଇଁ ଆପଣଙ୍କ ନେତୃତ୍ବରେ ୧୯୮୦ ମସିହାରେ ଏକ ଦୃଢ଼ ଓ ସ୍ଥିର ସରକାର ପ୍ରତିଷ୍ଠିତ ହେଲା ଓ ସେ ଧାରା ଏ ପର୍ଯ୍ୟନ୍ତ ବଳବତ୍ତର ରହିଛି।’ ତାଙ୍କରି ପରାମର୍ଶକ୍ରମେ ଓଡ଼ିଶାରେ ସ୍ଥିର ସରକାର ସମ୍ପର୍କରେ ଗୋଟିଏ ଲେଖା ତାଙ୍କୁ ଦେଲି ଓ ତାହା ଓଡ଼ିଶା ଶାସନର ସୁବର୍ଣ୍ଣ ଯୁଗ ପୁସ୍ତକରେ ସ୍ଥାନିତ ହୋଇଥିଲା।
ସେ ଆସାମର ରାଜ୍ୟପାଳ ଥିବା ସମୟରେ ମୋର ଆତ୍ମଜୀବନୀ ଲେଖିବା ପାଇଁ ମତେ ଉତ୍ସାହିତ କରିବା ସହିତ ‘ଆମ ଓଡ଼ିଶା’ ପକ୍ଷରୁ ତା’ର ପ୍ରକାଶନର ବ୍ୟବସ୍ଥା କରି ଏକ ସ୍ବତନ୍ତ୍ର ଉତ୍ସବରେ ‘ବସନ୍ତ ପଞ୍ଚସପ୍ତତି’ ପୁସ୍ତକଟିର ଲୋକାର୍ପଣ କରିଥିଲେ। ଏହା ତାଙ୍କର ମହାନୁଭବତାର ପରିଚୟ। ଆଜି ତାଙ୍କର ପୁଣ୍ୟତିଥିରେ ମୁଁ ସେହି ମହାନ୍‌ ଆତ୍ମା ପାଖରେ ଭକ୍ତିପୂର୍ଣ୍ଣ ଅର୍ଘ୍ୟ ଅର୍ପଣ କରୁଛି।

ମୋ: ୯୪୩୭୩୮୬୮୭୦

ରାଜନୀତି ଓ ସାହିତ୍ୟ: ଜାନକୀବଲ୍ଲଭଙ୍କ ଉଭୟଚର ଜୀବନ

ଦେବଦାସ ଛୋଟରାୟ

ରାଜନୀତି ଯେତେବେଳେ ସାହିତ୍ୟର ଅନୁବର୍ତ୍ତୀ ହୁଏ, ସେତେବେଳେ ତାର କଠୋର ଖୋଳପା ତଳେ ଏକ ମୂଲାୟମ୍‌ ଆସ୍ତରଣ ଆପଣା ମନକୁ ତିଆରି ହୁଏ। ସେ ଆସ୍ତରଣ ଅନୁରାଗର, ଅବବୋଧର ଓ ଏକ ସ୍ଥିତିବାଦୀ ରୋମାଞ୍ଚର। ସଁବାଳୁଆ ପରି କଣ୍ଟକଣ୍ଟ ଧୂସର ଟ୍ୱିଡ୍‌ କୋଟ୍‌ ଭିତରେ ଯେମିତି ସିଲେଇ ହୋଇଯାଏ ଏକ ନରମ ସାଟିନ୍‌ କନାର ଅସ୍ତର। ଯଦି ରାଜନୀତିର ଏଇ ସାଂସ୍କୃତିକ ବୟଃପ୍ରାପ୍ତି ନହୁଏ, ତା’ହେଲେ ତା’ ପାଲଟିଯାଏ, ଯାହା ଜର୍ଜ ବର୍ଣ୍ଣାଡ୍‌ ସ କୁହନ୍ତି, ‘The last refuge for the scoundrel’। ଅବଶ୍ୟ ସବୁ ରାଜନୀତିଜ୍ଞ ରାଷ୍ଟ୍ରନେତାଙ୍କ ପାଇଁ ସାହିତ୍ୟ ସୃଜନ ଏକ ଅନିବାର୍ଯ୍ୟ ଗୁଣନୀୟକ ହେବ, ଏପରି ଦାବି ଅଯୌକ୍ତିକ। ପ୍ଲାଟୋଙ୍କ ୟୁଟୋପିଆରେ କଳ୍ପିତ Philosopher Kingଙ୍କର ଗୁଣାବଳୀ ଭିତରେ ନୀତି, ବୁଦ୍ଧି ଓ ସୃଜନ କ୍ରିୟାର ସମ୍ମିଶ୍ରଣ ରହିଚି। କିନ୍ତୁ ଏହାର ପରିପୂରଣ ଏକ ରାଷ୍ଟ୍ରମୁଖ୍ୟ ପ୍ରତିସ୍ଥାନିକ ଢଙ୍ଗରେ ମଧ୍ୟ କରି ଥାଇପାରନ୍ତି। ଯେମିତି ଫ୍ରାନ୍‌ସର ମହାନାୟକ ପ୍ରେସିଡେଣ୍ଟ୍‌ ଡିଗଲ୍‌ଙ୍କ ପରିପୂରକ ଥିଲେ ତାଙ୍କର ସଂସ୍କୃତି ମନ୍ତ୍ରୀ, ବହୁଚର୍ଚ୍ଚିତ ‘ଆଣ୍ଟ ମେମୋୟର୍ସ’ (Anti Memoirs) ପୁସ୍ତକର ଲେଖକ ଆନ୍ଦ୍ରେ ମାର୍ଲକ(Andre Malrux)।

ଭାରତୀୟ ଗଣତନ୍ତ୍ରରେ, ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ଅଧିକ କ୍ଷମତାଶାଳୀ ପ୍ରଶାସନିକ ପଦରେ ଆଉ ହୁଏତ କେହି ନାହାନ୍ତି। ସେଇଥିପାଇଁ ଗୋବିନ୍ଦ ନିହାଲାନୀଙ୍କ ‘ଅର୍ଦ୍ଧ ସତ୍ୟ’ ସିନେମାରେ ଖଳନାୟକ ସଦାଶିବ ଅମରାପୁରକର ତାର ସଂଳାପରେ କହିଥିଲା, ‘ଆଉ କେହି ନାହିଁ, କେବଳ ଉପରେ ଇଶ୍ୱର ଆଉ ତଳେ ଚିଫ୍‌ ମିନିଷ୍ଟର।’ ସ୍ୱାଧୀନତା ପରବର୍ତ୍ତୀ ଭାରତରେ ଆମେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କର ବ୍ୟକ୍ତିତ୍ୱ ଓ ଉପଲବ୍‌ଧିର ବିହଙ୍ଗାବଲୋକନ କଲେ ଦେଖିବାକୁପାଉ, ଚଉଦ ଜଣ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଯେଉଁ ତିନି ଜଣ ସାହିତ୍ୟ କୃତିରେ ଅଗ୍ରଣୀ, ସେମାନେ ହେଲେ ହରେକୃଷ୍ଣ ମହତାବ, ନନ୍ଦିନୀ ଶତପଥୀ ଏବଂ ଜାନକୀବଲ୍ଲଭ ପଟ୍ଟନାୟକ। ଡକ୍ଟର ମହତାବଙ୍କର ଉପନ୍ୟାସ ମାନଙ୍କରେ ଉତ୍ତୀର୍ଣ୍ଣତା ହୁଏତ ଚର୍ଚ୍ଚାର ବିଷୟ ହୋଇପାରେ, କିନ୍ତୁ ତାଙ୍କର ସାହିତ୍ୟ ଗୋଷ୍ଠୀର ପୃଷ୍ଠପୋଷକତା ଓ ସାମ୍ବାଦିକତା ସହିତ ସୃଜନଶୀଳ ସାହିତ୍ୟର ମିଶ୍ରଣର ଗଭୀର ଛାପ, ତାଙ୍କର ଏକ ସମୟର ସମଧର୍ମୀ, ସହ-ଉପାସକ ଜାନକୀବଲ୍ଲଭଙ୍କ ଉପରେ ପଡ଼ିଚି, ଏଥିରେ ସନ୍ଦେହ ନାହିଁ। ନନ୍ଦିନୀ ଶତପଥୀଙ୍କ ସାହିତ୍ୟରେ ତାଙ୍କର ବଂଶଗତ ପ୍ରଗତିଶୀଳ ଆଧୁନିକତା ସୁସ୍ପଷ୍ଟ, ଏବଂ କଲିକତାରୁ ପ୍ରକାଶିତ ‘କଳନା’ ପତ୍ରିକାର ସମ୍ପାଦିକା ହିସାବରେ ସେ ତାଙ୍କର ସ୍ୱାକ୍ଷର ଲିପିବଦ୍ଧ କରିଛନ୍ତି। କିନ୍ତୁ ଯେଉଁ ବିପୁଳତା ଓ ସାର୍ଥକତାର ସହିତ ଜାନକୀବଲ୍ଲଭ ତାଙ୍କର ପ୍ରାୟ ଶତାୟୁ ବ୍ୟାପୀ ଦୀର୍ଘ ଜୀବନରେ ସାମ୍ବାଦିକତା ଓ ସାହିତ୍ୟର ମିଶ୍ର ରାଗ ସୃଷ୍ଟିକରିଚନ୍ତି, ତାହା ତାଙ୍କୁ ମୁଖ୍ୟମନ୍ତ୍ରୀମାନଙ୍କ ତାଲିକାରେ ଅନନ୍ୟ କରି ରଖିବ।

ସାମ୍ବାଦିକତା ଥିଲା ତାଙ୍କର କିଶୋର ବୟସର ଅଭିଳାଷ। ସ୍କୁଲ ପ୍ରଧାନଶିକ୍ଷକଙ୍କୁ ସେ ନିଜ ଉଚ୍ଚାଶା ସମ୍ପର୍କରେ ଜଣାଇବାକୁ ଯାଇ କହିଥିଲେ, ‘ବଡ଼ ହେଲେ ମୁଁ ଜଣେ ସାମ୍ବାଦିକ ହେବି’। ସାମ୍ବାଦିକତାରୁ ସାହିତ୍ୟକୁ ଯାତ୍ରା, କୈଶୋରର ସ୍ନେହ ଯୌବନର ପ୍ରେମରେ ପରିବର୍ତ୍ତିତ ହେଲା ପରି, କୌଣସି ଅନତିକ୍ରମ୍ୟ ଦୂରତ୍ୱ ନୁହେଁ। ଗାର୍ସିଆ ମାର୍କ୍ୱେଜ୍‌ଙ୍କ ଜୀବନ ସାରା ଆମେ ଏ ଦୁଇଟି ଦୂର ଗାମୀ ରେଖାର ସମାନ୍ତର ଯାତ୍ରା ଦେଖିବାକୁ ପାଉ। ଜାନକୀବଲ୍ଲଭଙ୍କ ସାହିତ୍ୟ ଓ ସାମ୍ବାଦିକତାରେ ମଧ୍ୟାନ୍ତର, ଓ ସାମୟିକ ବିରତି, ଆଣି ଦେଇଥିଲା ତାଙ୍କର ରାଜନୀତି ଓ କ୍ଷମତାର ପରିଚାଳନା। କ୍ଷମତାରେ ରାଜନୀତି ଆସିଲା ସତୁରି ଦଶକରେ। କିନ୍ତୁ ତାର ବହୁ ପୂର୍ବରୁ, ୧୯୫୬ ମସିହାରେ ପ୍ରକାଶିତ ପୁସ୍ତକ ‘ଗୌତମବୁଦ୍ଧ’ ତାଙ୍କର ଲେଖକୀୟ ଅସ୍ମିତାକୁ ପ୍ରଥମେ ଜାହିର କରିଥିଲା। ପରବର୍ତ୍ତୀ ନିରନ୍ତର ସାହିତ୍ୟ ସାଧନା, ସବୁ ପ୍ରଶଂସା ପୁରସ୍କାର ପାଠକୀୟ ସ୍ୱୀକୃତି ବ୍ୟତିରେକ, ଯେଉଁ ବିଷୟବସ୍ତୁ ଉପରେ ଆଧାରିତ, ସେଥିରୁ ଜଣେ ରାଜନୀତି ସକ୍ରିୟ ବ୍ୟକ୍ତିତ୍ୱର ସାହିତ୍ୟ ସଂଯୋଗର ଅର୍ଥ ବୁଝିହୁଏ।
ସେମାନେ ମୁଖ୍ୟତଃ ହେଲେ ମହାଗ୍ରନ୍ଥମାନଙ୍କର ଓଡ଼ିଆ ଗଦ୍ୟାନୁବାଦ।

ଯେମିତିକି ରାମାୟଣ, ମହାଭାରତ, ଆଉ ଶ୍ରୀମଦ୍‌ ଭଗବତ୍‌ ଗୀତା, ଓ ସପ୍ତମ ଶତାବ୍ଦୀର ସଂସ୍କୃତବିଦ୍‌ ଭର୍ତ୍ତୃହରିଙ୍କ ଶତକତ୍ରୟ, ଅର୍ଥାତ୍‌ ନୀତି ଶତକ, ଶୃଙ୍ଗାର ଶତକ ଓ ବୈରାଗ୍ୟ ଶତକ। ଏ ସୃଜନ କ୍ରିୟା ଏକ ସାର୍ଥକ ରାଜନୀତି ଅଭ୍ୟାସକାରୀର, ପରମ୍ପରା ଭିତରେ ସମକାଳୀନତାର ଅର୍ଥ ଖୋଜିବାର ପ୍ରଚେଷ୍ଟା। ଯେମିତି ବହୁ ଅଭ୍ୟସ୍ତ ସମ୍ବାଦପତ୍ରମାନଙ୍କ ସହିତ ସମ୍ପର୍କ ବିଚ୍ଛିନ୍ନ ହେଲା ପରେ ଆରମ୍ଭ ହେଲା ୧୯୬୭ ମସିହାରେ ‘ପୌରୂଷ’ ଭିତରେ ପୁରୁଷାକାର ପ୍ରତି ଆହ୍ୱାନ। ପୁନଶ୍ଚ ଶବ୍ଦ, ଅର୍ଥ ଓ ରସବୋଧ ପ୍ରତି ଅନୁପ୍ରାଣିତା ପ୍ରକାଶ ପାଏ ବଙ୍କିମ୍‌ ଉପନ୍ୟାସମାଳାର ଅନୁବାଦରୁ, ‘ରାମକୃଷ୍ଣ କଥାମୃତ’ର ପୁନର୍କଥନରୁ, ‘ସିନ୍ଧୂ ଉପତ୍ୟକା’ କବିତାଗୁଚ୍ଛରୁ ଓ ‘ସ୍ୱପ୍ନ ଓ ସଂକଳ୍ପ’ ନିବନ୍ଧ ସଂଗ୍ରହରୁ। ଏ ସବୁଥିରେ ରହିଚି ଏକ ମହାନୁଭବତା ପ୍ରତି ଉଚ୍ଚାଟତା ଓ ତାକୁ ଛୁଇଁବାର ପ୍ରଚେଷ୍ଟା।
ସାହିତ୍ୟ ନହେଲେ ବି ସିନେମାକୁ ଉପଜୀବ୍ୟ କରି ରାଜନୀତିରେ ଜନପ୍ରିୟତା ହାସଲ୍‌ କରିବାର ଚେଷ୍ଟା ଦକ୍ଷିଣ ଭାରତରେ ଏମ୍‌ଜିଆର୍‌ ଓ ଏନ୍‌ଟିଆର୍‌ଙ୍କ ଆବେଗମୟ ସମୟରୁ ଆରମ୍ଭ କରି, ଜୟଲଳିତାଙ୍କ ‘ରିଏଲ୍‌ ପଲିଟିକ୍‌’ର କଳାକୌଶଳ ଭିତରେ ସାମିଲ ହୋଇଯାଇଚି। ଯଦିଓ ଭାରତୀୟ ସିନେମାର ଏନ୍ତୁଡ଼ିଶାଳ ହେଲା କଲିକତା ଓ ବମ୍ବେ ତାର ପ୍ରାଚୁର୍ଯ୍ୟର ପ୍ରାଣକେନ୍ଦ୍ର, କିନ୍ତୁ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରୁ କୌଣସି ଅଭିନେତା, ଏପରିକି ଅମିତାଭ୍‌ ବଚ୍ଚନ୍‌ଙ୍କ ପର୍ଯ୍ୟନ୍ତ, ରାଜନୀତିର ବଳୟ ଭିତରେ ପ୍ରବେଶ କରିପାରିନାହାନ୍ତି। ଓଡ଼ିଶାରେ କେବଳ ପ୍ରଶାନ୍ତ ନନ୍ଦଙ୍କ ବ୍ୟତୀତ ଅନ୍ୟ କୌଣସି ସିନେମା ବ୍ୟକ୍ତିତ୍ୱ କ୍ଷମତାସୀନ ରାଜନୀତିର ଅଂଶ ହୋଇପାରିନାହାନ୍ତି। ବଙ୍ଗଳା ସିନେମାର ମହାନାୟକ ଉତ୍ତମ କୁମାର ହୁଏତ ଆଉ ତିରିଶ ବର୍ଷର ରୂପେଲି ପର୍ଦ୍ଦାରେ ନାୟକତ୍ୱ କରିଥିଲେ ଲୋକେ ଅରାଜି ହୋଇନଥାନ୍ତେ। କିନ୍ତୁ ସିଦ୍ଧାର୍ଥ ଶଙ୍କର ରାୟ ଓ ଜ୍ୟୋତି ବସୁଙ୍କ ବେଙ୍ଗଲରେ ତାଙ୍କୁ କେହି ମୁଖ୍ୟମନ୍ତ୍ରୀଙ୍କ ଭୂମିକାରେ କଳ୍ପନା କରିନଥାନ୍ତେ। ଏପରି ରାଜନୈତିକ ଲାଳସା ଦେଖି, କଲିକତାର ସାଧାରଣ ଦର୍ଶକ ନିସ୍ପୃହ ହୋଇ କହିଥାନ୍ତେ, ‘ଦାଦା ଏଟା କି ହୋଚ୍ଚେ?’। କେବଳ ପଶ୍ଚିମବଙ୍ଗର, ଏ ପର୍ଯ୍ୟନ୍ତ ଅନ୍ତିମ ବାମପନ୍ଥୀ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ଯିଏ ନିଜର ଏଗାର ବର୍ଷର ମୁଖ୍ୟମନ୍ତ୍ରିତ୍ୱ ଭିତରେ ସଂସ୍କୃତି ବିଭାଗର ପ୍ରଭାରୀ ମଧ୍ୟ ଥିଲେ, ସେ ତାଙ୍କ ସାରା ଦିନର କାମ ସରିଲାପରେ, ମୁଁ ଶୁଣିଚି, କଲିକତାର ସରକାରୀ ସଂସ୍କୃତି ମଞ୍ଚ ‘ନନ୍ଦନ’ର ଗୋଟିଏ ପ୍ରୋଜେକ୍ସନ୍‌ ରୁମ୍‌ରେ ଏକୁଟିଆ ବସି ବିଦେଶୀ ସିନେମା ଦେଖୁଥିଲେ। ଏବଂ ନିଜେ ମଧ୍ୟ ଥିଏଟର୍‌ ପାଇଁ ଫ୍ରାନ୍‌ଜ କାଫ୍‌କାଙ୍କ ପ୍ରଖ୍ୟାତ ଗଳ୍ପ ‘ମେଟାମର୍ଫସିସ୍’ (Metamorphosis)ର ବଙ୍ଗଳା ନାଟ୍ୟରୂପ ଦେଇଥିଲେ।

କିନ୍ତୁ ସାହିତ୍ୟ ଓ ରାଜନୀତି ସହିତ ସମାନ ପରିମାଣରେ ଘନିଷ୍ଠ ହୋଇ ଜାନକୀବଲ୍ଲଭ ଯେପରି ଏକ ଉଭୟଚର ଜୀବନ ସାର୍ଥକତାର ସହିତ ନିର୍ବାହ କରିଥଲେ, ତାର ତୁଳନା ନିଜ କିମ୍ବା ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ଭିତରେ ପରିଦୃଷ୍ଟ ହେବା କଷ୍ଟକର। ତାଙ୍କ ରାଜନୀତିର ଉତ୍ସ ଥିଲା ସେ ସମୟର ସ୍ୱାଧୀନତା ଆନ୍ଦୋଳନର ସକ୍ରିୟତା, ରେଭେନ୍‌ସା କଲେଜ୍‌ ଛାତରୁ ‘ୟୁନିୟନ୍‌ ଜ୍ୟାକ୍‌’କୁ ଉତାରି େଵଷ୍ଟ୍‌ ହଷ୍ଟେଲ୍‌କୁ ‘ରିପବ୍ଲିକ୍‌’ କରିବାର ଘୋଷଣା, ନିର୍ଭୀକ ସାମ୍ବାଦିକତା, ଓ ତାରୁଣ୍ୟର ଉଦ୍ଦୀପନା ଭିତରେ ବନାରସରେ ରାଜନୀତି ବିଜ୍ଞାନରେ ସ୍ୱର୍ଣ୍ଣ ପଦକ ସହିତ ସ୍ନାତକତ୍ତୋର ଡିଗ୍ରୀ ଲାଭ। ଅନ୍ୟ ପଟେ ତାଙ୍କର ସାହିତ୍ୟର ଉତ୍ସ ହେଲା ସଂସ୍କୃତ ଶିକ୍ଷା ଓ ଶାସ୍ତ୍ରୀୟତା। ଭକ୍ତି ସାହିତ୍ୟରେ ଉଦ୍‌ବୁଦ୍ଧ ମାନସହଂସର ଅଧିକାରୀ ଜାନକୀବଲ୍ଲଭଙ୍କର ଦିନ ଆରମ୍ଭ ହେଉଥିଲା ବିଷ୍ଣୁ ସହସ୍ରନାମରେ, ଏବଂ ସରୁଥିଲା ମଧ୍ୟ ସେହି ନାମୋଚ୍ଚାରଣାରେ। ତାଙ୍କର ଅନ୍ତିମ ଦିନର ସଂଧ୍ୟାରେ ମଧ୍ୟ ସେ ତିରୁପତିରେ ବିଷ୍ଣୁ ସହସ୍ରାନାମ ଗାଇ ବାଲାଜୀଙ୍କ ଦର୍ଶନ କରିଥିଲେ, ଆଉ ଏପଟେ ନିଜ ଭୁବନେଶ୍ୱର ଘରେ ତାଙ୍କ ପ୍ରିୟତମ ବହିମାନଙ୍କର ଲାଇବ୍ରେରୀର ନବ କଳେବର ଚାଲିଥିଲା। ଏକା ବର୍ଷରେ ଜନ୍ମ, ଏକା ସ୍କୁଲ୍‌ରେ ପାଠ ପଢୁଥିବା ସାହିତ୍ୟ ଓ ରାଜନୀତିରେ ଏକା ପରି ଅନୁବ୍ରତୀ କିନ୍ତୁ ଆଜୀବନ ବୋହେମିଆନ୍‌, ଅଖିଳମୋହନ ପଟ୍ଟନାୟକ କେତେ ଥର କଥା ଛଳରେ କହୁଥିଲେ, ‘ସବୁ ହେଲା ଯେ, ହେଲେ ଜାନକୀଟାକୁ ପାରି ହେଲାନି’।