ଜନତା କର୍ଫ୍ୟୁକୁ ମିଳିଲା ଅକୁଣ୍ଠ ସମର୍ଥନ : ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନ କମ୍ପିଲା ଶଙ୍ଖ, ଘଣ୍ଟ ଧ୍ବନିରେ 

ଭୁବନେଶ୍ବର : ସଞ୍ଜ ନଇଁନଥିଲା। ମନ୍ଦିର ଖୋଲା ନଥିଲା। ଅଥଚ ଶଙ୍ଖ ଓ ଘଣ୍ଟର ମାଙ୍ଗଳିକ ଧ୍ବନିରେ ସମଗ୍ର ପରିବେଶ ଉଛୁଳି ଉଠୁଥିଲା। ଏ ଧ୍ବନି ନଥିଲା ମନ୍ଦିର ଗର୍ଭଗୃହରେ ବସିଥିବା କୋଉ ଦେବଦେବୀଙ୍କ ପାଇଁ। ବରଂ ଏହା ଥିଲା ହସ୍ପିଟାଲରେ ରୋଗୀଙ୍କ ସେବାରେ ନିରନ୍ତର ଲାଗିଥିବା ଭଗବାନ ରୂପୀ ଡାକ୍ତରଙ୍କ ପାଇଁ। ସେବା ଯୋଗାଇ ଦେଉଥିବା ସେବିକାଙ୍କ ପାଇଁ। ସାରା ଦେଶ ଘରେ ଜନତା କର୍ଫ୍ୟୁ ପାଳନ କରୁଥିବା ବେଳେ ଦେଶର ସୁରକ୍ଷା ନିମନ୍ତେ ମୁତୟନ ହୋଇଥିବା ପୁଲିସମାନଙ୍କ ପାଇଁ। ସୀମାରେ ଛିଡ଼ା ହୋଇ ଦେଶର ସୁରକ୍ଷାରେ ନିୟୋଜିତ ସେନାନୀମାନଙ୍କ ପାଇଁ। ଏ ଜରୁରିକାଳୀନ ପରିସ୍ଥିତିରେ ରବିବାରିଆ ଛୁଟିଦିନର ଉପଭୋଗ୍ୟ ଅବସରକୁ ଛାଡ଼ି କର୍ମରେ ନିୟୋଜିତ ହୋଇଥିବା ନିଃସ୍ବାର୍ଥପର ସରକାରୀ କର୍ମଚାରୀଙ୍କ ପାଇଁ୫ ମିନିଟ ପାଇଁ ହେଉ ପଛେ, ଆଜି ଯେମିତି ମାଙ୍ଗଳିକ ଧ୍ବନି ମାଧ୍ୟମରେ କୃତଜ୍ଞତାର ଭାଷା ବଖାଣୁଥିଲେ ଜନତା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକୁ ସାକାର ରୂପ ଦେବା ପାଇଁ ଦାଣ୍ଡ ଦୁଆରେ, ବାଲକୋନିରେ ଓ ଛାତ ଉପରେ ଆଜି ଏକାଠି ହୋଇଥିଲେ ରାଜଧାନୀ ସମେତ ରାଜ୍ୟର ଲକ୍ଷ ଲକ୍ଷ ଜନସାଧାରଣ। ୫ଟା ବାଜିବା ପରେ ରାଜ୍ୟର କୋଣ ଅନୁକୋଣରେ ଦେଖିବାକୁ ମିଳିଥିଲା ଏଭଳି ଚିତ୍ର।

ସକାଳୁ ସମଗ୍ର ପରିବେଶରେ ଖେଳି ଯାଇଥିଲା ଏକ ଅପ୍ରତ୍ୟାଶିତ ନିରବତା। ଜନତା କର୍ଫ୍ୟୁକୁ ମିଳିଥିଲା ଅକୁଣ୍ଠ ସମର୍ଥନ। କିଏ ଶଙ୍ଖ ଫୁଙ୍କୁଥିଲା ତ ଆଉ କିଏ ଘଣ୍ଟ ଓ ଘଣ୍ଟି ବଜାଉଥିଲା। କିଏ ତାଳି ମାରୁଥିଲା ତ କିଏ ନିଜ ଘରୁ ଥାଳି ଓ କଂସା ଆଣି ସେଇଥିରେ ଧ୍ବନିକୁ ସେବକମାନଙ୍କ ଉଦ୍ଦେଶ୍ୟରେ ଭେଟି ଦେଉଥିଲା। ମୁଖ୍ୟମନ୍ତ୍ରୀଙ୍କଠୁ ନେଇ ମନ୍ତ୍ରୀ, ବିଧାୟକ, ନେତା, ପ୍ରଶାସକ, କର୍ମଚାରୀ ସଭିଏଁ ଏହି ଧାରାରେ ସାମିଲ ହୋଇଥିଲେ।

କିଛି ଆପାର୍ଟମେଣ୍ଟରେ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା। ସଂଧ୍ୟା ୫ଟା ବାଜିବା ମାତ୍ରେ ଆରମ୍ଭ ହୋଇଯାଇଥିଲା ନିଆରା ଉତ୍ସବ। ବିପତ୍ତି ବେଳେ ମଣିଷ ଯେ ଏକାଠି ‌ସ୍ବର ମିଶାଇ ପାରେ ଏହାକୁ ପ୍ରମାଣିତ କରିଥିଲେ ଜନତା ଜନାର୍ଦନ।

ସମ୍ବନ୍ଧିତ ଖବର