ତିନି ରଥରେ ଯାତ୍ରା କରି ଶ୍ରୀଜଗନ୍ନାଥାଦି ଦେବତା ଯେଉଁଠାରେ ସାତଦିନ ଅବସ୍ଥାନ କରନ୍ତି, ତାହା ଶ୍ରୀଗୁଣ୍ଡିଚା ମନ୍ଦିର। ତେଣୁ ଏହି ରଥଯାତ୍ରାର ଅନ୍ୟ ନାମ ଶ୍ରୀଗୁଣ୍ଡିଚା ଯାତ୍ରା। ଏହାର ଅନେକ ନାମ, ନାମାନ୍ତର ରହିଛି। ସେଥିରୁ ଗୋଟିଏ ନାମ ‘ଆଡ଼ପ ମଣ୍ଡପ’। ସପ୍ତଦଶ ଶତାବ୍ଦୀର କବି ଲୋକନାଥ ବିଦ୍ୟାଧର ତାଙ୍କ ‘ନୀଳାଦ୍ରି ମହୋତ୍ସବ’ କାବ୍ୟରେ ଏହାକୁ କହିଛନ୍ତି ‘ଆଡମ୍ବର ମଣ୍ଡପ’।
କିନ୍ତୁ ଏହାର ଆଉ ଦୁଇଟି ନାମ ହେଉଛି- ‘ଗୁଣ୍ଡିଚା ମନ୍ଦିର’ ଓ ‘ଗୁଣ୍ଡିଚା ମଣ୍ଡପ’। ଏ ନାମକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ମତ ରହିଛି। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଗୁଣ୍ଡିଚାଙ୍କ ନାମାନୁସାରେ ଏହା ନାମିତ ବୋଲି ଗୋଟିଏ ଲୋକପ୍ରିୟ ମତ ଥିବା ବେଳେ, ଚୋଡ଼ଗଙ୍ଗଦେବଙ୍କ ରାଣୀ ଗୁଣ୍ଡି-ଚୋଡ଼ିଙ୍କ ନାମାନୁସାରେ ଏହି ନାମ ହୋଇଛି ବୋଲି ମଧ୍ୟ ମତ ରହିଛି।
‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟ’ ଅନୁସାରେ, ଏହା ଏକ ‘ମହାଯାତ୍ରା’ ଏବଂ ଏହାର ନାମ ‘ଗୁଣ୍ଡିଚା’। ଏହି ପ୍ରସଙ୍ଗରେ ଗୁଣ୍ଡିଚାମନ୍ଦିରକୁ ‘ଗୁଣ୍ଡିଚାଳୟ’ ଓ ‘ଗୁଣ୍ଡିଚାମଣ୍ଡପ’ ନାମରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏହାର କିନ୍ତୁ ସବୁଠୁ ବେଶୀ ଗୁରୁତ୍ୱ ହେଉଛି- ଏହା ଶ୍ରୀଜଗନ୍ନାଥାଦି ଚତୁର୍ଦ୍ଧାମୂର୍ତ୍ତିଙ୍କର ‘ଜନ୍ମବେଦୀ’। ଏହା ମଧ୍ୟ, ତାଙ୍କର ଆବିର୍ଭାବ ନିମନ୍ତେ ରାଜା ଇନ୍ଦ୍ରଦ୍ୟୁମ୍ନ କରିଥିବା ଯଜ୍ଞର ‘ଯଜ୍ଞବେଦୀ’। ରାଜା ଇନ୍ଦ୍ରଦ୍ୟୁମ୍ନ କରିଥିବା ସହସ୍ର ଅଶ୍ୱମେଧ ଯଜ୍ଞ ଫଳରୁ ମହୋଦଧିରେ ଯେଉଁ ଦିବ୍ୟଦାରୁ ଆବିର୍ଭୂତ ହୋଇଥିଲେ, ସେହି ଦିବ୍ୟଦାରୁଙ୍କ ଦ୍ୱାରା ଗୋପନରେ ଏହିଠାରେ ଦାରୁବ୍ରହ୍ମଙ୍କର ପ୍ରଥମ ବିଗ୍ରହ ନିର୍ମିତ ହୋଇଥିଲେ।
କୃଷ୍ଣ ଦାସଙ୍କ ରଚିତ ‘ଦେଉଳତୋଳା’ରେ ଏ ସଂପର୍କରେ ଗୋଟିଏ ସୁନ୍ଦର ବର୍ଣ୍ଣନା ଅଛି। ତାହା ହେଉଛି- ଭଗବାନ ନିଜେ ଦାରୁରୂପରେ ମହୋଦଧିରେ ଆବିର୍ଭୂତ ହେବେ ବୋଲି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ୱପ୍ନାଦେଶ ଦେଇଥିଲେ। ତାହା ଅନୁସାରେ, ମହୋଦଧିର ଚକ୍ରତୀର୍ଥଠାରେ ସେ ଦିବ୍ୟଦାରୁଙ୍କର ଦର୍ଶନ ପାଇଥିଲେ। ସେତେବେଳେ ତାଙ୍କ ସାଙ୍ଗରେ ଥିଲେ ବସୁ ଶବର (ବିଶ୍ୱାବସୁ)। ଦୁହେଁ ମିଶି ସୁନା ଶଗଡ଼ରେ ସେହି ଦାରୁଙ୍କୁ ନେଇ ଆଡ଼ପମଣ୍ଡପରେ ବିଜେ କରାଇଥିଲେ ଏବଂ ସେହିଠାରେ ଦାରୁବିଗ୍ରହଙ୍କର ଆବିର୍ଭାବ ଘଟିଥିଲା। ଏହି ଦୃଷ୍ଟିରୁ ଶ୍ରୀଜଗନ୍ନାଥାଦି ଦେବତା ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ଏହି ଯଜ୍ଞବେଦୀ ଓ ଜନ୍ମବେଦୀକୁ ଆସି ସାତଦିନ ଅବସ୍ଥାନ କରିଥାଆନ୍ତି।