ଓମାନ୍ର ରାଜଧାନୀ ମସ୍କଟ୍ ସହରରେ ବି ରହିଛି କରୋନାର ଭୟ। ଏଠାରେ ବର୍ତ୍ତମାନ ସୁଦ୍ଧା ୫୯୯ ରୋଗୀ ଚିହ୍ନଟ ହୋଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଯାହାକୁ ନେଇ ପୂରା ଦେଶକୁ ଲକ୍ଡାଉନ୍ ଘୋଷଣା କରିଛନ୍ତି ସରକାର।
କରୋନା ଭୟରେ ମସ୍କଟ ସହର ବି ଲକ୍ଡାଉନ୍ରେ ରହିଛି। ମସ୍କଟକୁ ଭାରତ,ପାକିସ୍ତାନ ପରି ବିଭିନ୍ନ ଦେଶରୁ ଲୋକେ ଚାକିରି ପାଇଁ ଆସିଥା'ନ୍ତି। କିନ୍ତୁ ସବୁବେଳେ ଚଳଚଞ୍ଚଳ ରହୁଥିବା ମସ୍କଟ ସହ ଏବେ ଖାଁ ଖାଁ ହୋଇଯାଇଛି। ଗାଡ଼ି ମଟର ଚଳାଚଳ ବାରଣ କରାଯାଇଛି। କୌଣସି ଲୋକ ଗାଡ଼ି ନେଇ ବାହାରକୁ ଆସିଲେ ପୁଲିସକୁ ପ୍ରମାଣପତ୍ର ଦେଖାଇବାକୁ ପଡୁଛି। ସୀମିତ କର୍ମଚାରୀଙ୍କୁ ନେଇ ଅଫିସ ଖୋଲା ରହୁଛି। ସାଧାରଣ ଲୋକ ଘରୁ ବାହାରିବା ଏବଂ ଏଣେତେଣେ ବୁଲିବା ଉପରେ କଟକଣା ରହିଛି। ହୋଟେଲ, ରେଷ୍ଟୁରାଣ୍ଟ, କଫି ସପ୍ ଖୋଲା ରହୁଛି କିନ୍ତୁ ବସିକି ଖାଇବାକୁ ସୁଯୋଗ ମିଳୁନି। ରୋଗୀ ସଂଖ୍ୟା ଅନୁପାତରେ ମସ୍କଟ ଆଗରେ ରହିଛି। ସହରର ୭/୮ଟି ସ୍ଥାନକୁ ହଟସ୍ପଟ୍ ଭାବେ ଚିହ୍ନଟ କରାଯାଇ ସଂପୂର୍ଣ୍ଣ ସିଲ କରାଯାଇଛି।
ଏହା କହିଛନ୍ତି ମସ୍କଟ ସହରରେ ଏକ ଘରୋଇ କମ୍ପାନିରେ ଫାଇନାସ୍ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଜନ୍ମେଜୟ କର। ଶ୍ରୀକରଙ୍କ ଘର ହେଉଛି ଯାଜପୁରର ପଣସା ଅଞ୍ଚଳ। ଦେଶ ଠାରୁ ଦୂରରେ ରହି ମଧ୍ୟ ନିଜ ରାଜ୍ୟ ଓଡିଶାର ଖବର ଉପରେ ନଜର ରଖୁଛନ୍ତି। ଭାରତରେ କରୋନା ମାଡ଼ି ଚାଲିଥିବାବେଳେ ଓଡିଶା ସରକାର କରୋନା ମୁକାବିଲା ପାଇଁ ନେଇଥିବା ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି।
(ମସ୍କଟ ସହରର ଜନ୍ମେଜୟ କରଙ୍କ ସହ ଆଲୋଚନା କରିଥିଲେ ଯାଜପୁର ସହରପ୍ରତିନିଧି ଅନୀଲ କୁମାର ପଣ୍ଡା)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/odia-7.jpg)