ଜାପାନର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫର୍ମେସନ୍ ଆଣ୍ଡ୍ କମ୍ୟୁନିକେସନ୍ ଟେକ୍ନୋଲୋଜି (ଏନ୍‌ଆଇସିଟି) ଇଣ୍ଟର୍‌ନେଟ୍ ବେଗର ଏକ ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛି। ଏନ୍‌ଆଇସିଟିର ଫଟୋନିକ୍ ନେଟୱାର୍କ ଲାବୋରେଟୋରି ଦ୍ୱାରା ସୁମିତୋମୋ ଇଲେକ୍ଟ୍ରିକ୍ ଏବଂ ୟୁରୋପର ଗବେଷକଙ୍କ ସହଭାଗିତାରେ ହାସଲ କରାଯାଇଥିବା ଏହି ବେଗ ପ୍ରତି ସେକେଣ୍ଡରେ ୧.୦୨ ପେଟାବିଟ୍‌ସରେ ପହଞ୍ଚିଛି। ଏହା କେବଳ ଗୋଟିଏ ସେକେଣ୍ଡ୍‌ରେ ସମଗ୍ର ନେଟ୍‌ଫ୍ଲିକ୍ସ ଲାଇବ୍ରେରି କିମ୍ବା ୱିକିପିଡିଆର ଇଂରେଜୀ ସଂସ୍କରଣକୁ ହଜାର ହଜାର ଥର ଡାଉନଲୋଡ୍ କରିବା ପାଇଁ ସକ୍ଷମ। ଭାରତର ହାରାହାରି ଇଣ୍ଟରନେଟ୍ ସ୍ପିଡ୍ ସେକେଣ୍ଡକୁ ପ୍ରାୟ ୬୩.୫୫ ମେଗାବିଟ୍‌ସ ଥିବାବେଳେ ଜାପାନ୍‌ର ଏହି ନୂତନ ଇଣ୍ଟରନେଟ୍‌ ବେଗ ହେଉଛି ତାହା ଅପେକ୍ଷା ୧୬ ନିୟୁତ ଗୁଣ ଏବଂ ଆମେରିକାର ହାରାହାରି ଇଣ୍ଟରନେଟ୍ ବେଗ ଅପେକ୍ଷା ୩.୫ ନିୟୁତ ଗୁଣ ଅଧିକ। 

Advertisment

ଜାପାନୀ ଗବେଷକମାନେ ୧୯ କୋରର ଏକ ସ୍ୱତନ୍ତ୍ର ଅପ୍ଟିକାଲ୍ ଫାଇବର କେବୁଲ୍ ବ୍ୟବହାର କରି ୧,୮୦୮ କିଲୋମିଟର ପର୍ଯ୍ୟନ୍ତ ଡାଟା ପଠାଇବାରେ ସଫଳ ହୋଇଛନ୍ତି। ପରୀକ୍ଷଣରେ ଗବେଷକମାନେ ୮୬.୧ କିଲୋମିଟର ପରିମିତ ୧୯ଟି ଲୁପ୍ ମାଧ୍ୟମରେ ସଂକେତ ପଠାଇଥିଲେ। ସିଗନାଲଗୁଡ଼ିକ ୧,୮୦୮ କିଲୋମିଟର ଯାତ୍ରା କରିଥିଲା ଏବଂ ୧୮୦ଟି ପୃଥକ ଡାଟା ଷ୍ଟ୍ରିମ୍ ବହନ କରିଥିଲା। ପ୍ରତି କିଲୋମିଟରରେ ପ୍ରତି ସେକେଣ୍ଡରେ ସ୍ଥାନାନ୍ତରିତ ଡାଟାର ମୋଟ ପରିମାଣ ୧.୮୬ ଏକ୍ସାବିଟ୍‌ସରେ ପହଞ୍ଚିଥିଲା, ଯାହା ଏପର୍ଯ୍ୟନ୍ତ ରେକର୍ଡ ହୋଇଥିବା ସର୍ବାଧିକ ମୂଲ୍ୟ। ଏହି ସଫଳତା ସାରା ବିଶ୍ୱରେ ହାଇ-ସ୍ପିଡ୍ ଇଣ୍ଟରନେଟ୍‌ର ବର୍ଦ୍ଧିତ ଚାହିଦା ପୂରଣ କରିବାରେ ସମର୍ଥ ହେବ। ଅଧିକ ଲୋକ ଭିଡିଓ ଷ୍ଟ୍ରିମିଂ, କ୍ଲାଉଡ୍ ଷ୍ଟୋରେଜ୍ ଓ କୃତ୍ରିମ ବୁଦ୍ଧିମତ୍ତା ଭଳି ଆପ୍ଲିକେସନ୍ ବ୍ୟବହାର କରୁଥିବାରୁ ସେମାନଙ୍କ ପାଇଁ ଏହା ବରଦାନ ସଦୃଶ ହେବ ବୋଲି ଆଶା କରାଯାଉଛି।