ଭୁବନେଶ୍ବର : କୃଷିଠାରୁ ଆରମ୍ଭ କରି ବିଦ୍ୟୁତୀକରଣ, ଜଳ ଓ ପରିମଳ, ବନୀକରଣ ଆଦି କ୍ଷେତ୍ରର ବିକାଶ ପାଇଁ ଜାପାନ ପକ୍ଷରୁ ଓଡ଼ିଶାକୁ ୯୬୦୦ କୋଟି ଟଙ୍କା( ୧୬୦ ବିଲିୟନ ୟେନ୍) ଯୋଗାଇ ଦିଆଯାଇଛି। ମୋଟ ୧୩ଟି ପ୍ରକଳ୍ପ ପାଇଁ ଏହି ଋଣ ସହାୟତା ଦିଆଯାଇଛି। ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି, କୃଷକମାନଙ୍କ ଆୟରେ ଉନ୍ନତି ଆଣିବା ସମେତ ରେଙ୍ଗାଲି ଜଳସେଚନ ପ୍ରକଳ୍ପ ଆଦି ପାଇଁ ଜାପାନ ଏହିସବୁ ଋଣ ସହାୟତା ଯୋଗାଇ ଦେଇଛି ବୋଲି ଜାପାନ ଅନ୍ତର୍ଜାତୀୟ ସହଯୋଗ ଏଜେନ୍ସି (ଜାଇକା)ର ବରିଷ୍ଠ ପ୍ରତିନିଧି ୟୋଶିଓମି ୟୋସିନୋ ଆଜି ଏଠାରେ ସୂଚନା ଦେଇଛନ୍ତି। ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮ର ଦ୍ବିତୀୟ ଦିନର ଅନ୍ୟତମ ପ୍ରମୁଖ କାର୍ଯ୍ୟକ୍ରମ ଥିଲା ‌ଜାପାନ ସେମିନାର। ଏହି ସେମିନାରେ ଯୋଗଦେଇ ଶ୍ରୀ ୟୋଶିଓମି ଉକ୍ତ ସୂଚନା ଦେଇଛନ୍ତି।

Advertisment

ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀ ବାଲକ୍ରିଷ୍ଣନ୍ ସମ୍ମିଳନୀରେ ଯୋଗଦେଇଥିବା ଜାପାନୀ ପ୍ରତିନିଧିମାନଙ୍କୁ ସ୍ବାଗତ କରିଥିଲେ। ସେ କହିଥିଲେ ଜାପାନ ଯେଭଳି ପୂର୍ବ ଏସିଆର ଦ୍ବାରଦେଶ ଓଡ଼ିଶା ମଧ୍ୟ ସେହିଭଳି ପୂର୍ବ ଭାରତର ଦ୍ବାରଦେଶ। ଜାପାନୀ କମ୍ପାନିଙ୍କୁ କାରଖାନା ସ୍ଥାପନ ସୁଯୋଗ ଦେବାପାଇଁ  ୬୬୫ ଏକର ଜାଗା ଚିହ୍ନଟ କରାଯାଇଛି। ଭୁବନେଶ୍ବରଠାରୁ ଏହି ସ୍ଥାନ ମାତ୍ର ୨୦ କିମି ଦୂର ବୋଲି ସେ କହିଥିଲେ। ଜାପାନ ସହିତ କାର୍ଯ୍ୟକରିବା ପାଇଁ ଓଡ଼ିଶା ଦେଖାଇଥିବା ଆଗ୍ରହକୁ ଜାପାନ ରାଷ୍ଟ୍ରଦୂତ ଶ୍ରୀ ହିରାମାତ୍‌ସୁ ତାଙ୍କ ବକ୍ତବ୍ୟରେ ପ୍ରଶଂସା କରିଥିଲେ। ଓଡ଼ିଶାକୁ ଜାପାନ ତାହାର ସହଯୋଗ ବଢ଼ାଇବାକୁ ଆଗ୍ରହୀ ଅଛି। ଓଡ଼ିଶା ମଧ୍ୟ ଅଧିକରୁ ଅଧିକ ଚିଙ୍ଗୁଡ଼ି ରପ୍ତାନି କରି ଜାପାନର ଅଭାବକୁ କିଭଳି ପୂରଣ କରିପାରିବ ତାହା ଉପରେ ଗୁରୁତ୍ବ ଦେବାକୁ ସେ ମତ ଦେଇଥିଲେ। ଏହି ସେମିନାରରେ ଦୁଇଟି ପ୍ୟାନେଲ ଆଲୋଚନା ହୋଇଥିଲା।

ଜାପାନ ଓ ଓଡ଼ିଶା ମଧ୍ୟରେ ଅର୍ଥନୈତିକ ସମ୍ପର୍କ ସୁଦୃଢ଼ ହେବ ‌ ବୋଲି ପ୍ୟାନେଲ ଆଲୋଚନାରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ କେଞ୍ଜି ହିରାମାତ୍‌ସୁ, ଜାପାନ ଫା‌ଉଣ୍ଡେସନର ମହାନିର୍ଦ୍ଦେଶକ କା‌ଓରୁ ମିୟାମୋଟୋ, ଆସମାକାସର ବିଜନେସ ହେଡ ଡାପାନ ନାତସୁକି ମୋରିକୁବୋ, ଇଣ୍ଡୋ ନିସିନ ଫୁଡ୍ସ ଇଣ୍ଡିଆ ଲିମିଟେଡର ଏମଡି ଗୌତମ ଶର୍ମା, ମିତ୍‌ସୁବିଶି ହେଭି ଇଣ୍ଡଷ୍ଟ୍ରିଜର ପ୍ରାଇଭେଟ ଲିମିଟେଡର ବରିଷ୍ଠ ଉପସଭାପତି (ବିଜନେସ ଡେଭଲପମେଣ୍ଟ) ସଂଜୟ ମୁଣ୍ଡଲେ, ଏନ୍ୟୁ ହୋଲଡିଙ୍ଗ୍ସର ଗବେଷଣା ଓ ବିକାଶ ବିଭାଗ ମୁଖ୍ୟ ସିହୋ ସାକାଗୁଚି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସୁଚନାଯୋଗ୍ୟ ଯେ, ମେକ୍ ଇନ୍ ଓଡ଼ିଶା କନକ୍ଲେଭର କଣ୍ଟ୍ରି ପାର୍ଟନର ଜାପାନ ରହିଛି।