ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟର ଚାହିଦା ସାରା ବିଶ୍ବରେ ରହିଛି ବୋଲି ଆମେ ସମସ୍ତେ ଜାଣନ୍ତି। ଆମ ଦେଶର ଖଟା, ମିଠା ସ୍ବାଦର ଖାଦ୍ୟକୁ ବିଭିନ୍ନ ଦେଶର ଲୋକ ପସନ୍ଦ କରିଥାନ୍ତି। ପୂର୍ବରୁ ଅନେକ ବିଦେଶୀ ଭାରତୀୟ ଖାଦ୍ୟକୁ ପସନ୍ଦ କରିଥିବା ବେଳେ ନିକଟରେ ଜାପାନୀ ରାଷ୍ଟ୍ରଦୂତଙ୍କୁ ରାସ୍ତା କଡ଼ରେ ଛିଡ଼ା ହୋଇ ‘ପାଓ ଭାଜି’ ଖାଉଥିବାର ଦେଖିବାକୁ ମିଳିଛି।
ସେହି ମୁହୂର୍ତ୍ତର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଭାରତରେ ଜାପାନୀ ରାଷ୍ଟ୍ରଦୂତ ହିରୋସି ସୁଜୁକି ଆଜିକାଲି ରାସ୍ତାକଡ଼ର ଖାଦ୍ୟ ବୁଲି ବୁଲି ଚାଖୁଛନ୍ତି। ଭାରତୀୟ ଖାଦ୍ୟ ସବୁ ଚାଖିବା ସହ ତାହାକୁ ନେଇ ନିଜର ମତ ବି ରଖୁଛନ୍ତି।
ସେ ନିକଟରେ ପୁଣେରେ ‘ବଡ଼ା ପାଓ’ ଖାଇଥିବା ବେଳେ ସେ ସମୟର ଏକ ମଜାଦାର ଭିଡିଓ ବି ସେୟାର୍ କରିଛନ୍ତି। ‘ବଡ଼ା ପାଓ’ ତାଙ୍କୁ ବହୁତ ରାଗ ଲାଗୁଛି ବୋଲି ସେ କହୁଛନ୍ତି। ସେ ଏକ ପୋଷ୍ଟ୍ରେ ଲେଖିଛନ୍ତି, ‘ମୋତେ ଭାରତର ଷ୍ଟ୍ରିଟ୍ ଫୁଡ୍ ପସନ୍ଦ। କିନ୍ତୁ ଦୟାକରି ଟିକେ ରାଗ କମ୍ କରନ୍ତୁ।’
ତାଙ୍କର ଏହି ପୋଷ୍ଟ୍ରେ ଖୁବ୍ ମଜାଦାର କମେଣ୍ଟ୍ ସବୁ ଦେଖିବାକୁ ମିଳୁଛି। ଜଣେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ଯଦି ଆପଣ ଏହାକୁ ରାଗ କହୁଛନ୍ତି ତେବେ ଆମ ଭାରତୀୟଙ୍କ ଲଙ୍କା ପକୋଡ଼ା ଟିକେ ଖାଆନ୍ତୁ’। ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ‘ଆପଣଙ୍କୁ ଆମ ଦେଶର ଗୁପ୍ଚୁପ୍ ଖାଇବା ଦରକାର’।
କିଛିଦିନ ତଳେ ହିରୋସି ସୁଜୁକି ଏକ ବନାରସୀ ଥାଳି ଖାଇ ତାହାର ସ୍ବାଦକୁ ନେଇ ଏକ ପୋଷ୍ଟ୍ ସୋସିଆଲ୍ ମିଡିଆରେ ଦେଇଥିଲେ।