ଆମେରିକାର ଘରୋଇ ମହାକାଶ କମ୍ପାନି ‘ଫାୟାରଫ୍ଲାଇ ଏରୋସ୍ପେସ’ ଦ୍ବାରା ପ୍ରେରିତ ମହାକାଶଯାନ ‘ବ୍ଲ୍ୟୁ ଘୋଷ୍ଟ’ ଗତ ରବିବାର ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିଛି। କୌଣସି ଘରୋଇ କମ୍ପାନି ଦ୍ବାରା ଚନ୍ଦ୍ରପୃଷ୍ଠରେ ନିର୍ଭୁଲ ଭାବେ ଓହ୍ଲାଇବାରେ ଏହା ହେଉଛି ପ୍ରଥମ ମହାକାଶଯାନ। ଗତବର୍ଷ ଫେବ୍ରୁଆରିରେ ହଷ୍ଟନ୍‌ ସ୍ଥିତ ଅନ୍ୟତମ ଘରୋଇ ମହାକାଶ କମ୍ପାନି ‘ଇନ୍‌ସୁଇଟିଭ୍‌ ମେସିନ୍‌ସ’ ଦ୍ବାରା ଚନ୍ଦ୍ର ଅଭିମୁଖେ ପ୍ରେରିତ ମହାକାଶଯାନ ‘ଓଡିସିଅସ’ ଯଦିଓ ଚନ୍ଦ୍ରରେ ଅବତରଣ କରିବାରେ ପ୍ରଥମ ଘରୋଇ ମହାକାଶଯାନର କୀର୍ତ୍ତିମାନ ହାସଲ କରିଥିଲା, ତେବେ ଅବତରଣ ବେଳେ ତାହାର ଗୋଡ଼ ଦୁଇଟି ଭାଙ୍ଗିଯାଇଥିଲା। ‘ବ୍ଲ୍ୟୁ ଘୋଷ୍ଟ’ ମହାକାଶଯାନଟି ଚନ୍ଦ୍ର ବିଷୁବରେଖାର ୨୦ ଡିଗ୍ରି ଉତ୍ତରକୁ ସଫଳତାର ସହ ଅବତରଣ କରିଥିଲା। ଅବତରଣ ସ୍ଥଳରେ ପ୍ରାୟ ୩୦୦ କୋଟି ବର୍ଷ ତଳେ ଏକ ଗ୍ରହାଣୁପିଣ୍ଡ ଧକ୍କା ଖାଇଥିବାରୁ ତାହା ଗୁରୁତ୍ବ ବହନ କରୁଛି। ‘ବ୍ଲ୍ୟୁ ଘୋଷ୍ଟ୍‌’ରେ ଚନ୍ଦ୍ରପୃଷ୍ଠରେ ଚାଲିବା ପାଇଁ କୌଣସି ରୋଭର ପଠାଯାଇନାହିଁ। ସୁତରାଂ ତାହା ଅବତରଣ ସ୍ଥଳରେ ହିଁ ସ୍ଥିର ରହି ଯାହା କିଛି ପରୀକ୍ଷାନିରୀକ୍ଷା ଚଳାଇବ। 

Advertisment

ପ୍ରଥମ ଘରୋଇ ମହାକାଶ କମ୍ପାନି ଭାବେ ‘ଫାୟାରଫ୍ଲାଇ ଏରୋସ୍ପେସ’ର ‘ବ୍ଲ୍ୟୁ ଘୋଷ୍ଟ’ ମହାକାଶଯାନ ଗତ ରବିବାର ଚନ୍ଦ୍ରପୃଷ୍ଠରେ ନିଖୁଣ ଅବତରଣ କରିଛି।
ଏ ବର୍ଷ ଏମିତି ଆଉ ପାଞ୍ଚଟି ଘରୋଇ କମ୍ପାନି ଚନ୍ଦ୍ରରେ ଅବତରଣ କରିବାର ଲକ୍ଷ୍ୟ ରଖିଛନ୍ତି

ଏହା ଗୋଟିଏ ଚନ୍ଦ୍ର ଦିବସ ବା ପୃଥିବୀର ଦୁଇ ସପ୍ତାହ ସମୟ ପାଇଁ ସକ୍ରିୟ ରହିବ। ଆସନ୍ତା ୧୪ ତାରିଖରେ ଏହା ଚନ୍ଦ୍ରପୃଷ୍ଠରେ ପରିଲକ୍ଷିତ ହେବାକୁ ଥିବା ସୂର୍ଯ୍ୟୋପରାଗର ଅତି ସୂକ୍ଷ୍ମ ଚିତ୍ରୋତ୍ତୋଳନ କରିବାର ଲକ୍ଷ୍ୟ ରହିଛି। ‘ବ୍ଲ୍ୟୁ ଘୋଷ୍ଟ’ ବ୍ୟତୀତ ଚଳିତବର୍ଷ ବିଭିନ୍ନ ଘରୋଇ ମହାକାଶ କମ୍ପାନି ଅତି କମ୍‌ରେ ପାଞ୍ଚଟି ମହାକାଶଯାନ ଜହ୍ନରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହି ସବୁ କମ୍ପାନି ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ର ସାହାଯ୍ୟ ନେଉଛନ୍ତି। ଆଗାମୀ ଦିନରେ ଚନ୍ଦ୍ରପୃଷ୍ଠକୁ ନିୟମିତ ଓ ବାରମ୍ବାର ମନୁଷ୍ୟ ସମେତ ଅନ୍ୟାନ୍ୟ ସାମଗ୍ରୀ ପ୍ରେରଣ ପାଇଁ କମର୍ସିଆଲ୍‌ ଲୁନାର ପେଲୋଡ୍‌ ସର୍ଭିସେସ୍‌ (ସିଏଲ୍‌ପିଏସ୍‌) ନାମକ ଏକ ବିମାନ ପରିବହନ ପ୍ରଣାଳୀ ସୃଷ୍ଟି ଉଦ୍ଦେଶ୍ୟରେ ‘ନାସା’ ଘରୋଇ ବିମାନ କମ୍ପାନିମାନଙ୍କୁ ପ୍ରୋତ୍ସାହିତ କରିଚାଲିଛି। ‘ସିଏଲ୍‌ପିଏସ୍‌’ର ପ୍ରଥମ ଘରୋଇ ମହାକାଶଯାନ ଭାବେ ଗତବର୍ଷ ଜାନୁଆରିରେ  ଆଷ୍ଟ୍ରୋବୋଟିକ୍‌ ଟେକ୍ନୋଲୋଜିଜ୍‌ ଦ୍ବାରା ‘ପେରିଗ୍ରିନ୍‌’ ନାମକ ଯାନ ଉତ୍‌କ୍ଷେପିତ ହୋଇଥିଲା, ଯାହା ଅସଫଳ ରହିଥିଲା। ଗତବର୍ଷ ଫେବ୍ରୁଆରି ୨୬ରେ  ପ୍ରେରିତ ‘ଇନ୍‌ସୁଇଟିଭ୍‌ ମେସିନ୍‌ସ’ କମ୍ପାନିର ଦ୍ବିତୀୟ ମହାକାଶଯାନ ‘ଏଥେନା’ ଆଜି (ମାର୍ଚ୍ଚ ୬) ଚନ୍ଦ୍ରପୃଷ୍ଠ ଛୁଇଁବ ବୋଲି ଆକଳନ କରାଯାଇଛି। ସେହିପରି ଜାପାନୀ କମ୍ପାନି ‘ହାକୁଟୋ-ଆର୍‌’ର ଚନ୍ଦ୍ରଯାନ ‘ମିସନ୍‌-୨’ ଆଗାମୀ ମେ’ କି ଜୁନ୍‌ ମାସରେ ଚନ୍ଦ୍ରରେ ପହଞ୍ଚିବ।