ସେ ଜଗନ୍ନାଥ, ଜଗତର ନାଥ! ସଂସାରରେ ବିରାଜିତ ସର୍ବଜୀବର ବି ସେ ନାଥ। ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କର ନାଥ। କୌଣସି ସଂପ୍ରଦାୟରେ ସେ ସୀମିତ ନୁହନ୍ତି, ଜଗନ୍ନାଥ ସର୍ବଜନ ପୂଜିତ। ପୁଣି ଭକ୍ତର ଭାବକୁ ଗ୍ରହଣ କରୁଥିବା ହେତୁ ସେ ଭାବଗ୍ରାହୀ। ଜଣେ ହିନ୍ଦୁ ହେଉ କି ମୁସଲମାନ୍‌, ବୌଦ୍ଧ ହେଉ କି ଖ୍ରୀଷ୍ଟିଆନ୍; ତା’ର ଜାତି କି ଧର୍ମକୁ ଦେଖନ୍ତି ନାହିଁ ସେ, କେବଳ ହୃଦୟର ଭାବକୁ ହିଁ ଗ୍ରହଣ କରନ୍ତି। ତାଙ୍କର ହାତ ନାହିଁ କି ଗୋଡ଼ ନାହିଁ, ତେଣୁ ଭକ୍ତର ଭାବବନ୍ଧନରୁ ସେ ନିଜକୁ ମୁକୁଳାଇପାରନ୍ତି ନାହିଁ। ସେଇଥିପାଇଁ କେବେ ସାଲବେଗ ତ କେବେ ଯବନ ହରିଦାସ, ପୁଣି କେବେ କବୀରଙ୍କ ଭକ୍ତିରେ ବନ୍ଧା ପଡ଼ିଛନ୍ତି ସେ। ଆଜି ବି ଜଗନ୍ନାଥ ସେମିତି ବନ୍ଧା ପଡୁଛନ୍ତି ଭିନ୍ନ ସଂପ୍ରଦାୟର ଭକ୍ତଙ୍କ କବିତାର ଛନ୍ଦରେ, ସ୍ବରର ଝଙ୍କାରରେ ଆଉ ଅର୍ଚ୍ଚନାର ଆବେଗରେ...। 
ଉପସ୍ଥାପନା: ପ୍ରଜ୍ଞା ନିବେଦିତା ନାୟକ

Advertisment

ହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଯଦି କିଏ ନିଜର ଆବେଗମୟ ଅଭିବ୍ୟକ୍ତିରେ ଅଦ୍ବିତୀୟ ଈଶ୍ବର ଭାବେ ଅଭିଷିକ୍ତ କରିଛନ୍ତି, ସେ ହେଉଛନ୍ତି ନିଜକୁ ହୀନ ଯବନ ବୋଲି ଅଭିହିତ କରିଥିବା ଭକ୍ତ ସାଲବେଗ। ଜୀବନର ପରମ ଆରାଧ୍ୟ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସାଲବେଗ ଲେଖିଥିବା କବିତା ‘ଆ‌େହ ନୀଳଶୈଳ ପ୍ରବଳ ମତ୍ତ ବାରଣ...’ ଶହ ଶହ ବର୍ଷ ଧରି ପିଢ଼ି ପରେ ପିଢ଼ି ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ଗାଇ ଚାଲିଛନ୍ତି।  

କହେ ସାଲବେଗ ହୀନ...
ବାପା ଲାଲବେଗ ମୁସଲମାନ୍‌ ଓ ମାଆ ଲଳିତା ବ୍ରାହ୍ମଣ। ପୁରୀ ଦାଣ୍ଡମୁକୁନ୍ଦପୁର ତାଙ୍କ ମାମୁଘର ବୋଲି ଜନଶ୍ରୁତି ରହିଛି। ମୁସଲମାନ୍‌ ହେଲେ ବି ଜଗନ୍ନାଥଙ୍କ ପ୍ରତି ତାଙ୍କର ଭକ୍ତି ଅକାଟ୍ୟ ଥିଲା। ତେଣୁ ସ୍ବଧର୍ମୀୟ ସମାଜ ତାଙ୍କୁ ବର୍ଜନ କରିଥିଲା। ସେ ଜୀବନରେ ଅନ୍ତତଃ ଥରଟିଏ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ମନ ବଳାଇଥିଲେ। ଯେହେତୁ ମନ୍ଦିର ପ୍ରବେଶ ବାରଣ ଥିଲା, ରଥାରୁଢ଼ ଜଗନ୍ନାଥଙ୍କୁ ଦେଖିବାକୁ ସେ ଚାଲି ଚାଲି ସୁଦୂର ବଙ୍ଗପ୍ରଦେଶରୁ ଶ୍ରୀକ୍ଷେତ୍ର ଆସୁଥିଲେ। ଯାତ୍ରା ପଥ ସରୁ ନ ଥିଲା। କାଳେ ଯାତ୍ରା ସାରି ପ୍ରଭୁ ବାହୁଡ଼ି ଯିବେ, ଏଇ ଆଶଙ୍କାରେ ସେ ଜଗନ୍ନାଥଙ୍କୁ ଘଡ଼ିଏ ଅଟକି ରହିବା ପାଇଁ ମିନତି କରି ଗାଇଥିଲେ, ‘‘ଜଗବନ୍ଧୁ ହେ ଗୋସାଇଁ! ସାତଶ ପଞ୍ଚାଶ କୋଶ ଚାଲି ନପାରଇ, ମୋ ଯିବା ଯାଏଁ ପ୍ରଭୁ ନନ୍ଦିଘୋଷେ ଥିବ ରହି।’’ ତାଙ୍କ ବ୍ୟାକୁଳ ପ୍ରାର୍ଥନାରେ ମହାପ୍ରଭୁ ଅଟକି ଯାଇଥିଲେ। ନନ୍ଦିଘୋଷ ଆଗକୁ ଗଡ଼ିଲା ନାହିଁ। ସାଲବେଗ ରଥରେ ଠାକୁରଙ୍କୁ ଦର୍ଶନ କରିବା ପରେ ଯାଇ ରଥ ଗଡ଼ିଥିଲା। ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅନେକ ଭଜନ ଜଣାଣ ଲେଖିଯାଇଛନ୍ତି ସାଲବେଗ, ଯାହା ଆଜି ବି ଲୋକମୁଖରେ ମୁଖରିତ ହେଉଛି।

ବ୍ରାହ୍ମଣ ଘରେ ଜନ୍ମ, ପାଳିଲେ ମୁସଲମାନ୍‌
ମହାପ୍ରଭୁଙ୍କର ଆଉ ଜଣେ ଯବନ ଭକ୍ତଙ୍କ କାହାଣୀ ବି ବେଶ୍‌ ଆବେଗମୟ। ସେ ହେଲେ ହରି ଦାସ। ମୂଳତଃ ତାଙ୍କ ଜନ୍ମ ବ୍ରାହ୍ମଣ ପରିବାରରେ। କିନ୍ତୁ ଦୁର୍ଭାଗ୍ୟକୁ ଜନ୍ମର ମାତ୍ର ବର୍ଷକ ମଧ୍ୟରେ ହଇଜାରେ ତାଙ୍କର ପିତୃମାତୃଙ୍କ ବିୟୋଗ ହେଲା। ଶିଶୁଟିକୁ ଏଭଳି ଦୁସ୍ଥିତିରୁ ବଞ୍ଚାଇବା ପାଇଁ ପୋଷ୍ୟ ଭାବେ ଗ୍ରହଣ କଲେ ଜଣେ ମୁସଲମାନ୍‌ କାଜି। ନୈ‌ଷ୍ଠିକ ବ୍ରାହ୍ମଣରୁ ଶିଶୁଟି ପାଲଟିଗଲା ଯବନ ସନ୍ତାନ। ମୁସଲମାନ୍‌ ପରିବାରର ପିଲା ଭାବେ ନିୟମିତ ନମାଜ୍‌ କରିବା ଓ କୋରାନ୍‌ ପଢ଼ିବା ଶିଖିଲେ ସେ। ହେତୁ ପାଇବା ପରେ ଥରେ ଏକ ପିତ୍ତଳ ଜଗନ୍ନାଥ ମୂର୍ତ୍ତି ଦେଖି ତାହା କ’ଣ ବୋଲି ଜାଣିବାକୁ ସେ ଉତ୍କଣ୍ଠିତ ହେଲେ। ଏହି ସମୟରେ ଜଣେ ମୂର୍ତ୍ତିବିକାଳିଙ୍କ ଠାରୁ ଜଗନ୍ନାଥଙ୍କ ମହିମା ବିଷୟରେ ଶୁଣି ସେ ଉଦ୍‌ବୁଦ୍ଧ ହୋଇ ମହାପ୍ରଭୁଙ୍କ ନାମଜପ କରିବାକୁ ଲାଗିଲେ। ଏହା ଜାଣିପାରି ତାଙ୍କ ସଂପ୍ରଦାୟର କେତେକ ନାନା ଅତ୍ୟାଚାର କଲେ। ଏସବୁ ଅସହ୍ୟ ‌େହବାରୁ ସେ ଗାଁ ଛାଡ଼ି ଜଗନ୍ନାଥଙ୍କ ଅନ୍ବେଷଣରେ ବାହାରି ଆସିଲେ। ୧୫୧୩ ଖ୍ରୀଷ୍ଟାବ୍ଦରେ ସେ ଶ୍ରୀକ୍ଷେତ୍ରରେ ପଦାର୍ପଣ କରି ଶ୍ରୀଜଗନ୍ନାଥଙ୍କ ଶରଣରେ ରହିଲେ। ସେ ସମୟାନ୍ତରରେ ଭକ୍ତ ଯବନ ହରିଦାସ ଭାବେ ଖ୍ୟାତ ହେଲେ।

କହତ କବୀରା ଶୁନୋ ଭାଇ ସାଧୋ!
ଜଗନ୍ନାଥଙ୍କ ବହିରାଗତ ଯବନ ଭକ୍ତଙ୍କ ମଧ୍ୟରେ ଅନ୍ୟତମ ସନ୍ଥ କବୀର। ୧୫୧୨ ଖ୍ରୀଷ୍ଟାବ୍ଦରେ ସେ ଶ୍ରୀକ୍ଷେତ୍ର ଆସିଥିବାର ସୂଚନା ରହିଛି। କାଶୀନିବାସୀ କବୀର ଦାସ ଥିଲେ ଗରିବ ବୁଣାକାର। କିନ୍ତୁ ମନରେ ଥିଲା ଜଗନ୍ନାଥଙ୍କ ପ୍ରତି ଅଚଳା ଭକ୍ତି। କିଂବଦନ୍ତି କହେ, ଦିନେ ସ୍ବୟଂ ଜଗନ୍ନାଥ ତାଙ୍କୁ ପରୀକ୍ଷା କରିବା ପାଇଁ ବ୍ରାହ୍ମଣ ବେଶରେ ଆସିଲେ। ସେ ବିକ୍ରି ଲାଗି ନେଉଥିବା ଲୁଗା ଖଣ୍ଡେ ମାଗିଲେ। ବହୁକଷ୍ଟରେ ବୁଣିଥିବା ଗୋଟିଏ ମାତ୍ର ଲୁଗାକୁ କବୀର କିଛି ଚିନ୍ତା ନକରି ବ୍ରାହ୍ମଣଙ୍କୁ ଦାନକଲେ। ଏଥିରେ ସନ୍ତୁଷ୍ଟ ହୋଇ ଜଗନ୍ନାଥ ଜଣେ ଗୋପାଳ ବେଶରେ କବୀରଙ୍କ ଘରକୁ ଗଲେ ଏବଂ ପୁଅ ପଠାଇଛି କହି ତାଙ୍କ ମା’ଙ୍କୁ ନାନା ପ୍ରକାର ଦ୍ରବ୍ୟ ଦେଇଆସିଲେ। ଏହା ଜାଣିପାରି କବୀର ଲେଖିଲେ, ‘‘ଆନର ନୋହେ ଏ ଚରିତ, ନିଶ୍ଚେ ସେ ପ୍ରଭୁ ଜଗନ୍ନାଥ।’’ ଥରେ ପୁରୀରେ କବୀର ଅଶାନ୍ତ ସମୁଦ୍ରକୁ ଖଣ୍ଡେ ଆଶାବାଡ଼ି ପୋତି ନିଜସ୍ଥାନକୁ ଫେରାଇ ଦେଇଥିଲେ। ଏହା ତାଙ୍କ ଆଧ୍ୟାତ୍ମିକ ଶକ୍ତିର ପରିଚୟ ଦିଏ। ଏହାର ପ୍ରମାଣସ୍ବରୂପ ସ୍ବର୍ଗଦ୍ବାର ସନ୍ନିକଟ କବୀର ଚୌରା ମଠରେ ଗୋଟିଏ ଆଶାବାଡ଼ି ଓ ହଳେ କଠଉ ଏବେ ବି ସାଇତା ହୋଇରହିଛି। ସନ୍ଥ କବୀର ଜଗନ୍ନାଥଙ୍କ ମହିମା ଆଧାରିତ ବହୁ ଭଜନ ରଚନା କରିଯାଇଛନ୍ତି।

ଗୀତ-ସଂଗୀତରେ ଯବନ ଭକ୍ତ
ସାଲବେଗ, ହରିଦାସ ଓ କବୀରଙ୍କ ଭଳି ଭକ୍ତଙ୍କ କାହାଣୀ ଯୁଗେ ଯୁଗେ ଜଗନ୍ନାଥପ୍ରେମୀଙ୍କୁ ଅନୁପ୍ରାଣିତ କରିଆସିଛି। ଆଜି ବି ଆମ ଗହଣରେ ମୁସଲମାନ୍‌ ସଂପ୍ରଦାୟର ଏପରି ଅନେକ କଳାକାର ଅଛନ୍ତି, ଯେଉଁମାନେ ଶ୍ରୀଜଗନ୍ନାଥଙ୍କ ମହିମା ବର୍ଣ୍ଣିତ ଭଜନ ରଚନା କରିବା, ତାକୁ ସ୍ବରାରୋପିତ କରିବା ଏବଂ ତାକୁ ଗାନ କରି ଆତ୍ମସନ୍ତୋଷ ପାଉଛନ୍ତି। କେବଳ ସେତିକି ନୁହେଁ, ସେମାନଙ୍କର ଗୀତଗୁଡ଼ିକ ମନରେ ଭକ୍ତିଭାବ ସଞ୍ଚାର କରୁଛି। ଏହି କ୍ରମରେ ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ସିକନ୍ଦର ଆଲାମ୍‌ ଆଦ୍ୟ ସ୍ମରଣୀୟ। ଦିବଂଗତ ଆଲାମ୍‌ଙ୍କୁ ଆଧୁନିକ ଯୁଗର ସାଲବେଗ ଆଖ୍ୟା ଦିଆଯାଏ। ବହୁ ଲୋକପ୍ରିୟ ଜଗନ୍ନାଥ ଭଜନ ଗାଇଥିବା ସିକନ୍ଦର ଆଲାମ୍‌ଙ୍କ ଝିଅ ନାଜିଆ ମଧ୍ୟ ବାପାଙ୍କ ସୃଷ୍ଟ ପରମ୍ପରା ଅନୁସରଣ କରୁଛନ୍ତି।

‘ଆରତ ସୁରେ ବାରେ..’ରୁ ‘ସୁନ୍ଦର ଦିଶେ ମୋ କାଳିଆ ହାତୀ..’
୧୯୩୯ ମସିହାରେ କଟକଜିଲ୍ଲା ବୟାଳିଶି ମୌଜା ଅନ୍ତର୍ଗତ ରାଉତରାପୁର ଗ୍ରାମରେ ଜନ୍ମିତ ସିକନ୍ଦର ବାପା ଓ ବଡ଼ଭାଇଙ୍କଠାରୁ ପ୍ରେରଣା ପାଇ ସଂଗୀତ ପ୍ରତି ମନବଳାଇଥିଲେ। ସେ ଗୁରୁ ଗୋବିନ୍ଦ ଚନ୍ଦ୍ର ପଲୁସ୍କର ଓ ଓସ୍ତାତ କୁଣ୍ଡଳ ଆଦିନାରାୟଣ ରାଓଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ଶିକ୍ଷା କରିଥିଲେ। ସେ ୧୯୫୭ ମସିହାରେ ମାତ୍ର ୧୮ ବର୍ଷ ବୟସରୁ ଆକାଶବାଣୀ କଟକରେ ଗୀତ ଗାଇବା ଆରମ୍ଭ କରିଥିଲେ। ୧୯୬୨ ମସିହାର ଚଳଚ୍ଚିତ୍ର ‘ଲକ୍ଷ୍ମୀ’ରେ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ନିର୍ଦ୍ଦେଶନାରେ ଜଗନ୍ନାଥ ଜଣାଣ ‘ଆରତ ସୁରେ ବାରେ କରେ ମିନତିରେ...’ରେ କଣ୍ଠଦାନ କରି ଘରେ ଘରେ ଲୋକପ୍ରିୟ ହୋଇଥିଲେ। ଏହାପରେ ତାଙ୍କର ବହୁ ଜଗନ୍ନାଥ ଭଜନ ଜନାଦୃତ ହେବା ସହ ସେ ଆଧୁନିକ ଓଡ଼ିଶାର ସାଲବେଗ ଭ‌ାବେ ପରିଚିତି ପାଇଥିଲେ। ତାଙ୍କ ଝିଅ ନାଜିଆ ଆଲମ୍‌ ମଧ୍ୟ ବାପାଙ୍କ ପଦାଙ୍କ ଅନୁସରଣ କରି ଜଗନ୍ନାଥ ଭଜନ ଗାଇବା ପରମ୍ପରାକୁ ବଜାୟ ରଖିଛନ୍ତି। ନାଜିଆ କହନ୍ତି,‘‘ଓଡ଼ିଶାରେ ଜନ୍ମିତ ପ୍ରତି ଓଡ଼ିଆଙ୍କ ଆତ୍ମା ହେଉଛନ୍ତି ଜଗନ୍ନାଥ। ତାଙ୍କ ସହିତ ମୋର ସଂଯୋଗ ସ୍ବତଃପ୍ରବୃତ୍ତ। ପିଲାଟି ଦିନରୁ ବାପାଙ୍କୁ ଦେଖି ଜଗନ୍ନାଙ୍କ ପ୍ରତି ଢଳିଛି। ମୋ ସଂଗୀତ ଜୀବନର ଯାତ୍ରା ମଧ୍ୟ ଆରମ୍ଭ ଜଗନ୍ନାଥ ଭଜନ ‘ସୁନ୍ଦର ଦିଶେ କାଳିଆ ହାତୀ’ରୁ। ଏହି ଭଜନଟି ପ୍ରଥମେ ବାପାଙ୍କଠାରୁ ଶିଖିଥିଲି। ମାତ୍ର ୧୦ ବର୍ଷ ବୟସରେ ଏହି ଗୀତରୁ ହିଁ ମୋର ମଞ୍ଚପ୍ରବେଶ ହୋଇଥିଲା। ପୁରୀରେ କାର୍ତ୍ତିକ ପୂର୍ଣ୍ଣମୀ ଦିନ ମଦନମୋହନଙ୍କ ବିଜେ ସମୟରେ ମୁଁ ଗୀତଟିକୁ ଗାଇଥିଲି। ମହାପ୍ରସାଦ ମୋର ଓ ମୋ ପରିବା‌ରର ପ୍ରିୟ ଖାଦ୍ୟ। ଏପରିକି ପୁରୀରୁ ରାତି ଅଧରେ କୌଣସି ପ୍ରୋଗ୍ରାମ୍‌ ସାରି ଫେରିଲେ ସମସ୍ତେ ଜଗିଥାନ୍ତି ମହାପ୍ରସାଦ ଖାଇବାକୁ। ‌େକବେ ଶ୍ରୀମନ୍ଦିର ଯିବାକୁ ଇଚ୍ଛା କରନ୍ତିନି ପ୍ରଶ୍ନରେ ସେ ଉତ୍ତର ଦିଅନ୍ତି, ମୁଁ କେବେ ଏକଥା ଭାବିନି। ଜନ୍ମ ତାଙ୍କ ହାତରେ। କିଏ ହିନ୍ଦୁ କି ଅନ୍ୟ ଜାତିରେ ଜନ୍ମ ହେବ ସେସବୁ ‌େସ ହିଁ ବିଚାର କରନ୍ତି। ତେବେ ତାଙ୍କୁ ଖାଲି କ’ଣ ମନ୍ଦିରରେ ଦେଖିଲେ ହେବ ନା ମନ୍ଦିର ‌ଗଲେ ହିଁ ଭଗବାନ ମିଳିବେ! ଏଥିପାଇଁ ମନରେ ଭକ୍ତି ଓ ଶ୍ରଦ୍ଧା ଥିବା ଜରୁରି। ସେ ତ ଆମ ପାଇଁ ବର୍ଷକୁ ଥରେ ବାହାରକୁ ଆସୁଛନ୍ତି। ଯେତେବେଳେ ତାଙ୍କୁ ସ୍ମରଣ କରି ମୁଁ ଭଜନ ଜଣାଣ ଗାଏ ମୋତେ ଲାଗେ ସେ ମୋ ପାଖେ ପାଖେ ଅଛନ୍ତି।’’

ଜଗନ୍ନାଥଙ୍କ ପାଇଁ ଯୁଗଳବନ୍ଦୀ
ଓଡ଼ିଶା‌ର ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ମହମ୍ମଦ ମୁସୀର୍‌ ଓ ଗୀତିକାର ନିଜାମ୍‌ଙ୍କୁ ଆମେ ଏହି ବର୍ଗରେ ସାମିଲ୍‌ କରିପାରିବା। ମୁସୀର୍‌ଙ୍କ କାଳଜୟୀ ସ୍ବର ଓ ନିଜାମ୍‌ଙ୍କ ମନଜିଣା ଶବ୍ଦ ସଂଯୋଜନାରୁ ଜନ୍ମିତ ‘ହୃଦୟର ଏହି ଶୂନ୍ୟତାକୁ..’ ଗୀତ ଦୁହିଁଙ୍କୁ ଶ୍ରୋତାମାନସରେ ଚିରସ୍ମରଣୀୟ କରି ରଖିଛି। ଜଗନ୍ନାଥଙ୍କ ଭଜନ ସ୍ବର କରିବା ଓ ଗାଇବା ପ୍ରସଙ୍ଗରେ ସେ କହନ୍ତି,‘‘ଜଣେ ସଂଗୀତ ନିର୍ଦ୍ଦେଶକ ଭାବେ ମୁଁ ବହୁ ଜଗନ୍ନାଥ ଭଜନ ସ୍ବର କରିଛି। ଏବେ ବି କରୁଛି। ନିକଟରେ ମୋର ଏକ ହିନ୍ଦୀ ଜଗନ୍ନାଥ ଭଜନ ବି ପ୍ରକାଶ ପାଇଛି। ଏବେ ନୂଆ ଗୀତ ରେକର୍ଡିଂ ଚାଲିଛି, ରଥଯାତ୍ରାରେ ରିଲିଜ୍‌ ହେବ। ମୁଁ ଯେବେ ବି ଜଗନ୍ନାଥଙ୍କ ଭଜନ ରେକର୍ଡ କ‌େର ସେଦିନ ସଂପୂର୍ଣ୍ଣ ଆମିଷ ବର୍ଜନ କରିଥାଏ। ଏହ‌ାକୁ ଆପଣ ଜଗନ୍ନାଥଙ୍କ ପ୍ରତି ମୋର ଭକ୍ତି କିମ୍ବା ଭଲପାଇବାର ନାଁ ଦେଇପା‌ରନ୍ତି। ଯଦିଓ ରେକର୍ଡ ଯୁଗରେ ‌‌ମୋତେ ସୁଯୋଗ ମିଳି ନଥିଲା, ଏଣୁ କ୍ୟାସେଟ୍‌ ଜମାନାରୁ ମୁଁ ‌େମା କ୍ୟାରିୟର୍‌ ଆରମ୍ଭ କରିଥିଲି। ମୋର ପ୍ରଥମ କ୍ୟାସେଟ୍‌ ‘ପ୍ରଭୁପାଦ’ ହିଁ ମହାପ୍ରଭୁଙ୍କୁ ମୋର ନୈବେଦ୍ୟ ଥିଲା। ସୁବାସ ଦାସ ଓ ତୃପ୍ତି ଦାସଙ୍କ କଣ୍ଠରେ ଥିବା ଏହାର ଗୀତଗୁଡ଼ିକ ଖୁବ୍‌ ଲୋକପ୍ରିୟ ହୋଇଥିଲା। ସବୁ ତାଙ୍କରି ଇଚ୍ଛା। ତାଙ୍କ ଇଚ୍ଛା ବିନା ମୋର ସବୁ କାମ ଅସଂପୂର୍ଣ୍ଣ।’’

ଜଣାଶୁଣା ଗୀତିକାର ନିଜାମ୍‌ ମଧ୍ୟ ଅନେକ ଲୋକପ୍ରିୟ ଜଗନ୍ନାଥ ଭଜନ ରଚନା କରିଛନ୍ତି। ସେ ମଧ୍ୟରୁ କେତେକ ସିନେମାରେ ସ୍ଥାନିତ ହୋଇଥିବା ବେଳେ ଆଉ କେତେକ କ୍ୟାସେଟ୍‌ ଓ ଆଲ୍‌ବମ୍‌ରେ ରହିଛି। ନିଜାମ୍‌ଙ୍କ ସ୍ମୃତିଚାରଣ କରି ମୁସୀର୍‌ କହନ୍ତି,‘‘ଆମେ ଏକାଠି ଜଗନ୍ନାଥଙ୍କ ଭଜନ କରିଛୁ। ଯଦିଓ ଆମ ସମୟରେ ସିନେମାରେ ଭଜନ ଏତେଟା କରାଯାଉ ନଥିଲା, ତଥାପି ଗୋଟେ ଯୋଡ଼େ ରହୁଥିଲା। ନିଜାମ୍‌ଙ୍କ ସହିତ ମୁଁ କରିଥିବା ପ୍ରଥମ ସିନେମା ଭଜନ ଥିଲା ‘ହିସାବ କରିବ କାଳିଆ’ର ଟାଇଟଲ୍‌ ଗୀତ। ଏହାବାଦ୍‌ ‘ଧର୍ମଦାଣ୍ଡେ ଅଧର୍ମର ଲାଗିଛି ନିଆଁ, ନ୍ୟାୟ ଅନ୍ୟାୟ ସବୁ ଦେଖୁଛି କାଳିଆ...’ ଗୀତଟି ବେଶ୍‌ ହିଟ୍‌ ହୋଇଥିଲା। ଏହିପରି ଅନେକ ଗୀତ ରହିଛି। ତେବେ ନିଜାମ୍‌ଙ୍କର ଜଗନ୍ନାଥଙ୍କ ପ୍ରତି ଗଭୀର ଅନୁରକ୍ତି ଥିଲା। ଯେହେତୁ ଆମେ କଳାଜଗତର ଲୋକ, ଜଣେ କଳାକାରର ଜଗନ୍ନାଥ ସବୁବେଳେ ଆରାଧ୍ୟ ଏବଂ ଜଗନ୍ନାଥଙ୍କ ପ୍ରତି ଜଣେ କଳାକାରର ଗଭୀର ଭକ୍ତି ରହିଥାଏ।’’ କେବଳ ସିକନ୍ଦର ଆଲାମ୍‌, ନିଜାମ୍‌, ମୁସୀର୍‌ କି ନାଜିଆ ନୁହନ୍ତି, ଆହୁରି ଅନେକ କଳାକାର ଅଛନ୍ତି; ଯେଉଁମାନେ ଅଣହିନ୍ଦୁ ହୋଇ ବି ଜଗନ୍ନାଥ ଭଜନ ଗାନ କରିଥାଆନ୍ତି। ଏହି କ୍ରମରେ ଆମେ ଭିକାରି ଅହମ୍ମଦ, ମହମ୍ମଦ ସାଜିଦ୍‌ ଓ ବଲିଉଡ୍‌ ଗାୟକ ମହମ୍ମଦ ଅଜିଜ୍‌ଙ୍କୁ ସାମିଲ କରିପାରିବା।