ହୋଟେଲର ସମ୍ଭାର ଜୟଦେବ ବିହାର

ରାଜଧାନୀକୁ କୌଣସି କାର୍ଯ୍ୟରେ ଆସିଲେ ରହିବା ପାଇଁ ସର୍କିଟ୍‌ ହାଉସ୍ ନଚେତ୍‌ ସରକାରୀ ବଙ୍ଗଳା ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଲୋକଙ୍କ ଚାହିଦା ଦେଖି ରାଜଧାନୀରେ ଖୋଲିଥିଲା ରାଜମହଲ ହୋଟେଲ୍‌। ଯାହାର ନାମ ଅନୁସାରେ ଆଜି ରାଜମହଲ ଛକ ହୋଇଛି। ରାଜଧାନୀରେ ଖାଇବା ପାଇଁ ଯଦିଓ କିଛି ଚାଳିଆ ହୋଟେଲ ସମେତ କିଛି ପକ୍କା ହୋଟେଲ ଥିଲା କିନ୍ତୁ ରହିବା ପାଇଁ ରାଜମହଲ ‌ହୋଟେଲ ପ୍ରଥମ କରି ଖୋଲିଥିଲା। ଭୁବନେଶ୍ବର ରେଳଷ୍ଟେସନ ଓ ବିଜୁ ପଟ୍ଟନାୟକ ବିମାନବନ୍ଦର ନିକଟବର୍ତୀ ଅଞ୍ଚଳ ହୋଇଥିବାରୁ ବହୁ କମ୍‌ ସମୟ ମଧ୍ୟରେ ଏହା ବେଶ୍‌ ପ୍ରସିଦ୍ଧି ଲାଭ କରିଥିଲା। ପରବର୍ତୀ ସମୟରେ ମାଷ୍ଟରକ୍ୟାଣ୍ଟିନ୍‌, କଳ୍ପନା ଛକ, କଟକ ରୋଡ୍‌ ପ୍ରଭୃତି ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ହୋଟେଲ ଗଢ଼ି ଉଠିଥିଲା। ତେବେ ସ୍ଥାନ ଅଭାବ ସାଙ୍ଗକୁ ରାସ୍ତା ସମସ୍ୟା ଏହି ଅଞ୍ଚଳରେ ହୋଟେଲ ସ˚ସ୍କୃତି ବେଶ ଆଗକୁ ବଢ଼ିପାରିଲା ନାହିଁ। ହୋଟେଲ ଶିଳ୍ପ ପାଇଁ ଜୟଦେବ ବିହାର ନୂଆ ପରିଚୟ ପାଇଲା। ଏଠାରେ ଗୋଟିଏ ପରେ ଗୋଟିଏ ତାରକା ହୋଟେଲ ଖୋଲିଲା। ସହରର କଳେବର ବଢ଼ିବା, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ଦେଶ ତଥା ରାଜ୍ୟର ନାମକରା ହୋଟେଲ ସ˚ସ୍ଥା ଓ ବ୍ୟକ୍ତବିଶେଷ ଏଠାରେ ହୋଟେଲ ଖୋଲି ଚାଲିଲେ। ସ୍ଥିତି ଏମିତି ହେଲା ଯେ, ଯିଏ ହୋଟେଲ ଖୋଲିବାକୁ ଜମି ଖୋଜିଲେ ସରକାର ଏହି ଅଞ୍ଚଳରେ ସୁବିଧାରେ ଜମି ଯୋଗାଇଦେଲେ। ଏବେ ତ ଏଠାରେ ଦୁଇ ତାରକାରୁ ଆରମ୍ଭ କରି ପଞ୍ଚତାରକା ହୋଟେଲ ଛତୁ ଫୁଟିଲା ପରି ଖୋଲିଯାଇଛି।

‘ହୋଟେଲ୍‌ ଟ୍ରାଇଡେଣ୍ଟ’, ‘ମେ ଫେୟାର’ ପଞ୍ଚତାରକା ହୋଟେଲରୁ ଆରମ୍ଭ କରି ସ୍ବସ୍ତି ପ୍ରିମିୟମ ଭଳି ଚାରି ତାରକା ହୋଟେଲ ଏହି ଅଞ୍ଚଳର ନୂଆ ପରିଚୟ ସୃଷ୍ଟି କରିଛି। ସେହିପରି ହୋଟେଲ ଜିଞ୍ଜର, ପାଲ୍‌ ହାଇଟ୍ସ, ହୋଟେଲ କ୍ରାଉନ୍‌, ସ୍ୟାଣ୍ଡିଜ୍‌ ଟାଵାର, ହୋଟେଲ ସୂର୍ଯ୍ୟାଂଶ, ଗୋଲଡେନ ଅର୍କିଡ୍‌, ହୋଟେଲ ଜେଡ୍‌ ଇଣ୍ଟରନ୍ୟାସନାଲ, ହୋଟେଲ ସିଦ୍ଧାର୍ଥ ପରି ତାରକା ହୋଟେଲ ପର୍ଯ୍ୟଟକଙ୍କୁ ଆତିଥ୍ୟ ଦେଉଛନ୍ତି। କଳିଙ୍ଗ ଷ୍ଟାଡିୟମ୍‌ରେ ବିଶ୍ବକପ୍‌ ହକି ଆୟୋଜିତ ହେବା ପରେ ଏହି ଅଞ୍ଚଳରେ ହୋଟେଲ ପ୍ରତିଷ୍ଠା କରିବାକୁ ଅନେକ ସ˚ସ୍ଥା ଆଗ୍ରହ ପ୍ରକାଶ କରିଛନ୍ତି। ଗମନାଗମନ ଦୃଷ୍ଟିରୁ ଏହି ଅଞ୍ଚଳ ବହୁତ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। କଟକ-ଭୁବନେଶ୍ବର ଦ୍ବୈତ ନଗରୀକୁ ଏହି ରାସ୍ତା ସ˚ଯୋଗ କରୁଛି। ରେଳଷ୍ଟେସନ ଓ ବିମାନବନ୍ଦରକୁ ଚକାଚକ୍ ରାସ୍ତା ବି ହୋଇଛି। କେଏଫ୍‌ସି, ସିସିଡି, ଡୋମିନସ୍‌ ପିଜା, ଖାନ୍ନା ଖଜାନା, ମାମ୍ମା ମିଆଁ, ଲେମନ୍‌ ଗ୍ରାସ୍‌, ଗ୍ରିନ୍‌ ଚିଲି, ସ୍ପାଇସି, ଆଙ୍ଗନ୍‌ ପରି ବଡ଼ ବଡ଼ ରେଷ୍ଟୁରାଣ୍ଟ ଜୟଦେବ ବିହାର ଅଞ୍ଚଳରେ ଲୋକଙ୍କୁ ସୁସ୍ବାଦୁ ଭୋଜନ ଭେଟି ଦେଉଛନ୍ତି।

ସମ୍ବନ୍ଧିତ ଖବର