ଆଦର୍ଶସ୍ଥାନୀୟ ନେତ୍ରୀ, ସମାଜସେବୀ, ନାରୀବାଦୀ ଲେଖିକା ଓ ସଂପାଦିକା ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କର ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀ। ସେ ଥିଲେ ସରଳତା ଓ ଉଦାରତାର ଚଳନ୍ତି ପ୍ରତିମା। ୧୯୮୧ରେ ସେ ଓଡ଼ିଶାର ପ୍ରଥମ ମହିଳା ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେହିପରି ସେ ମଧ୍ୟ ଜାତୀୟ ମହିଳା କମିସନ୍ର ପ୍ରଥମ ଅଧ୍ୟକ୍ଷା ହୋଇଥିଲେ। ‘ପୌରୁଷ’ ପତ୍ରିକାର ସଂପାଦନା ତଥା କେ.ଏମ୍. ମୁନ୍ସୀଙ୍କ ‘କୃଷ୍ଣାବତାର’ର ଓଡ଼ିଆ ଅନୁବାଦ ତାଙ୍କୁ ସାହିତ୍ୟ ଜଗତରେ ପ୍ରତିଷ୍ଠିତ କରିଥିଲା। ଏଭଳି ଜଣେ ଅବିସ୍ମରଣୀୟ ନେତ୍ରୀଙ୍କ ଜୀବନ ଓ ବିଚାରକୁ ନେଇ ଏହି ସ୍ବତନ୍ତ୍ର ଉପସ୍ଥାପନା
ଦେଶପ୍ରେମ, ସେବା ଓ ସଂଗ୍ରାମର ପୃଷ୍ଠଭୂମିରୁ ଜୟନ୍ତୀ ପଟ୍ଟନାୟକଙ୍କ ଜନ୍ମ। ନୀତି ଓ ଆଦର୍ଶର ପରିମଣ୍ଡଳ ଓ ପରିଚର୍ଯ୍ୟାରେ ତାଙ୍କ ଜୀବନର ଆରମ୍ଭ, ଆରୋହଣ ଓ ଉତ୍ତରଣ। ପିତା ନିରଞ୍ଜନ ପଟ୍ଟନାୟକ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ବିଶିଷ୍ଟ ରଥୀ। ନିରଞ୍ଜନ ମାନ୍ଦ୍ରାଜ ବିଶ୍ବବିଦ୍ୟାଳୟରୁ ବି.ଏ. ଓ କଲିକତା ବିଶ୍ବବିଦ୍ୟାଳୟରୁ ଆଇନ ଶାସ୍ତ୍ରରେ ଡିଗ୍ରୀ ଅର୍ଜନ କରିଥିଲେ। ନିଜ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିଲା; ହେଲେ ଅର୍ଥ ଉପାର୍ଜନରେ ଅଭିଳାଷୀ ନ ହୋଇ ସେ ଭାରତର ମୁକ୍ତି ସଂଗ୍ରାମରେ ସାମିଲ ହୋଇଥିଲେ। ନିଜ ଜନ୍ମଭୂମି ଓଡ଼ିଶାର ଖଣ୍ଡବିଖଣ୍ଡିତ ରୂପ ଇତିହାସର ଛାତ୍ର ନିରଞ୍ଜନଙ୍କ ଯୁବପ୍ରାଣକୁ ବ୍ୟଥିତ କରିଥିଲା। ଓଡ଼ିଶାର ବିଭିନ୍ନ ଅଂଶ ସେତେବେଳେ ବଙ୍ଗ, ବିହାର, ଆନ୍ଧ୍ର ଓ ମଧ୍ୟପ୍ରଦେଶ ଅଧୀନରେ ଥିଲା। ତାଙ୍କ ନିଜ ଜନ୍ମସ୍ଥାନ ଗଞ୍ଜାମ ଏକରକମ ତେଲୁଗୁମାନଙ୍କର ଶାସନାଧୀନ ଥାଏ। ଓଡ଼ିଶାର ଗୌରବାବହ ଐତିହ୍ୟ ଓ ସମୃଦ୍ଧ ଇତିହାସ ସଂପର୍କରେ ଜାତୀୟ ମୁକ୍ତି ସଂଗ୍ରାମର ଯୋଦ୍ଧାମାନଙ୍କୁ ଓ ଇଂରେଜୀ ଶାସକଙ୍କୁ ଠିକଣା ଭାବରେ ଅବଗତ କରାଇବା ଲକ୍ଷ୍ୟରେ ଇତିହାସର ଛାତ୍ର ନିରଞ୍ଜନ ଏକ ଇଂରୋଜୀ ଗ୍ରନ୍ଥ ରଚନା କରିଥିଲେ; ‘ଦ ଓଡ଼ିଆ ମୁଭ୍ମେଣ୍ଟ୍’। ପୁସ୍ତକର କଥନୀ ଥିଲା ‘ଠିକ୍ ତାହା ନୁହେଁ, ଏହା ହିଁ ଓଡ଼ିଶା’ (Odisha is these and excatly not these)।
ପୁସ୍ତକର ପାଣ୍ଡୁଲିପି ପଢ଼ି ଉତ୍କଳ ଗୌରବ ମଧୁସୂଦନ ପ୍ରୀତ ହୋଇଥିଲେ ଓ ତାଙ୍କ ପୃଷ୍ଠପୋଷକତାରେ ୧୯୧୯ ମସିହାରେ ପୁସ୍ତକଟି ପ୍ରକାଶ ପାଇଥିଲା ଏବଂ ସେତେବେଳେ ନିରଞ୍ଜନ ମାତ୍ର ୨୩ ବର୍ଷର ଯୁବକ। ସେହି ପୁସ୍ତକ ଅଧ୍ୟୟନ କରି ଗାନ୍ଧୀଜୀ ଓଡ଼ିଶାର ସମସ୍ୟା ଓ ଦାବି ସଂପର୍କରେ ଅବଗତ ହୋଇଥିଲେ ଓ ନିରଞ୍ଜନଙ୍କ ପ୍ରତି ଖୁବ୍ ଶ୍ରଦ୍ଧା ଓ ଆସ୍ଥା ପ୍ରକଟ କରିଥିଲେ। ୧୯୨୭ ମସିହାରେ ଗାନ୍ଧିଜୀଙ୍କ ତୃତୀୟ ଦଫାରେ ଓଡ଼ିଶା ଆଗମନ କାଳରେ ନିରଞ୍ଜନ ଗାନ୍ଧୀଜୀଙ୍କ ଗସ୍ତ କାର୍ଯ୍ୟକ୍ରମର ଚିଠା ପ୍ରସ୍ତୁତ କରିଥିଲେ ଏବଂ ତାଙ୍କୁ ଓଡ଼ିଶା ପକ୍ଷରୁ ସ୍ବାଗତ ଜଣାଇବା ପାଇଁ ନିଜ ସଂପାଦନାରେ ‘ଗାନ୍ଧୀ ସମାଚାର’ ଶୀର୍ଷକରେ ଏକ ସମ୍ବାଦପତ୍ର ପ୍ରକାଶ କରିଥିଲେ। ସେହି ସମ୍ବାଦପତ୍ରଟି ୧ ବର୍ଷରୁ ଊର୍ଦ୍ଧ୍ବ କାଳ ଧରି ନିରବଚ୍ଛିନ୍ନ ଭାବରେ ପ୍ରକାଶ ପାଇଥିଲା ଏବଂ ଗାନ୍ଧୀବାର୍ତ୍ତା, ଓଡ଼ିଶାର ବିଭିନ୍ନ ସମସ୍ୟା ଓ ମୁକ୍ତି ସଂଗ୍ରାମର ବିବରଣ ସେଥିରେ ସ୍ଥାନ ପାଉଥିଲା। ନିରଞ୍ଜନ ଅନେକ ବର୍ଷ ଧରି ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଦାୟିତ୍ବ ନିର୍ବାହ କରିଥିଲେ। ସେ ଓଡ଼ିଶାରୁ ନିଖିଳ ଭାରତ କଂଗ୍ରେସ କମିଟିର ସଦସ୍ୟ ଭାବରେ ମନୋନୀତ ହୋଇଥିଲେ। ସେ ପ୍ରଚଣ୍ଡ ସ୍ବାଭିମାନୀ ଥିଲେ ଏବଂ ଗାନ୍ଧୀଜୀ, ମୋତିଲାଲ ନେହେରୁ ଓ ସୁଭାଷ ଚନ୍ଦ୍ର ବୋଷ ପ୍ରଭୃତିଙ୍କ ସହିତ ଖୁବ୍ ଘନିଷ୍ଠ ଥିଲେ। ନିରଞ୍ଜନ ବହୁବାର କାରାବରଣ କରିଛନ୍ତି। କେବଳ ପିତା ନିରଞ୍ଜନ ନୁହନ୍ତି; ଜୟନ୍ତୀଙ୍କ ମା’ କିେଶାରୀମଣି, ପିଉସୀ ରୁକ୍ମିଣୀ ଦେବୀ ମଧ୍ୟ ସ୍ବାଧୀନତା ସଂଗ୍ରାମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସ୍ବାଧୀନତା ପୂର୍ବରୁ ମାତ୍ର ୪୭ ବର୍ଷ ବୟସରେ ୧୯୪୩ ମସିହାରେ ନିରଞ୍ଜନଙ୍କ ଦେହାନ୍ତ ହୋଇଥିଲା। ସେତେବେଳେ ଜୟନ୍ତୀ ମାତ୍ର ୧୧ ବର୍ଷର ଅବୋଧ ବାଳିକା; ୧୯୩୨ ମସିହା ଏପ୍ରିଲ ୭ ତାରିଖରେ ତାଙ୍କର ଜନ୍ମ।
ଶୈଳବାଳା ମହିଳା କଲେଜରୁ ବି.ଏ. ପାସ୍ କଲାପରେ ୧୯୫୩ ମସିହାରେ ଜୟନ୍ତୀଙ୍କର ଯୁଗ୍ମଜୀବନର ଶୁଭାରମ୍ଭ। ସାଧାରଣ ଜୀବନରେ କାମ କରିବାର ବ୍ରତରେ ପ୍ରତିବଦ୍ଧ ସ୍ବାମୀ ଜାନକୀ ବଲ୍ଲଭ ସେତେବେଳେ ଡକ୍ଟର ମହତାବଙ୍କ ପ୍ରତିଷ୍ଠିତ ଦୈନିକ ‘ପ୍ରଜାତନ୍ତ୍ର’ ଓ ଇଂରେଜୀ ଦୈନିକ ‘ଇଷ୍ଟର୍ଣ୍ଣ ଟାଇମ୍ସ’ର ସଂପାଦକ। ଏହି ବିବାହରେ କନ୍ୟା ପକ୍ଷରୁ ସୂତ୍ରଧର ଥିଲେ ଜୟନ୍ତୀଙ୍କ ମଉସା ଓଡ଼ିଶା ହାଇକୋର୍ଟର ବିଚାରପତି ରାଜକିଶୋର ଦାସ ଓ ବର ପକ୍ଷରୁ ଓଡ଼ିଶାର ଅବିସମ୍ବାଦିତ ଜନନେତା ଡକ୍ଟର ହରେକୃଷ୍ଣ ମହତାବ। ବିବାହ ସଂପନ୍ନ ହୋଇଥିଲା ଜଷ୍ଟିସ୍ ଦାସଙ୍କ କଟକ ଡଗରପଡ଼ାସ୍ଥ ବାସଭବନରେ ଓ ପ୍ରଜାତନ୍ତ୍ର ପରିସରରୁ ବାହାରି ବରଯାତ୍ରୀ ଦଳ ପ୍ରମୁଖ ଭାଗରେ ଥିଲେ ଡକ୍ଟର ମହତାବ, ନବକୃଷ୍ଣ ଚୌଧୁରୀ, ବୀରେନ୍ ମିତ୍ର, ସୁରେନ୍ଦ୍ର ନାଥ ଦ୍ବିବେଦୀ, ବନମାଳି ପଟ୍ଟନାୟକ, ସୁରେନ୍ଦ୍ର ନାଥ ପଟ୍ଟନାୟକ ପ୍ରଭୃତି ପ୍ରବୀଣ ରାଜନେତାଙ୍କ ସମେତ ରାଜ୍ୟର ଅନେକ ପ୍ରସିଦ୍ଧ ସାହିତ୍ୟିକ ଓ ସାମ୍ବାଦିକ। ଏହି ଶୁଭ ବିବାହ ଅବସରରେ ଡକ୍ଟର ମହତାବ ‘ଫାର୍ସିଚାନ୍ଦର ଅଭିନନ୍ଦନ’ ଶିରୋନାମାରେ ପ୍ରୀତି କବିତାଟିଏ ଲେଖିଥିଲେ। ଏବଂ କବିତାଟି ସେହି ଦିନର (୨୦, ଜୁଲାଇ) ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା। ସେଥିରୁ ଦୁଇ ତିନିପଦ-
ଲାଗିଲାରେ ଲାବଣ୍ୟନିଧିକି ପ୍ରେମଲଟ
ସଂପାଦକ ତେଣୁ ହ’ନ୍ତି ଛଟପଟ
କାହିଁ ରାମେଶ୍ବର କାହିଁ ଆସିକା ମୁଲକ
ପଞ୍ଚଶରେ ମାଡ଼ ଖାଇ ମିଳିଲେ କଟକ
x x x x
ଜାନକୀ ବଲ୍ଲଭ ଆଜି ଜୟନ୍ତୀ ପାଲରେ
ପ୍ରଜାତନ୍ତ୍ର ଲୋଟିଯାଏ ମିଥୁନ ପାଦରେ।
୧୯୮୧ରେ ଜୟନ୍ତୀ ପଟ୍ଟନାୟକ ପ୍ରତ୍ୟକ୍ଷ ରାଜନୀତିକୁ ଆସିଥିଲେ। ୧୯୮୧ ଓ ୧୯୮୪ରେ ଦୁଇଥର ସେ ନିଜର କର୍ମଭୂମି କଟକ ଆସନରୁ ଓ ୧୯୯୮ରେ ନିଜ ଜନ୍ମଭୂମି ବ୍ରହ୍ମପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଲୋକସଭାରେ ଦକ୍ଷତା ପ୍ରଦର୍ଶନ କରି ସେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କର ବିଶ୍ବାସଭାଜନ ହୋଇପାରିଥିଲେ। ରାଜୀବ ଜୟନ୍ତୀଙ୍କ ପାରଦର୍ଶିତାକୁ ସ୍ବୀକୃତି ପ୍ରଦାନ କରି ତାଙ୍କୁ ଜାତୀୟ ମହିଳା କଂଗ୍ରେସର ସଭାନେତ୍ରୀ ଭାବରେ ମନୋନୀତ କରିଥିଲେ। ପି. ଭି. ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ମହିଳାମାନଙ୍କର ସର୍ବବିଧ ବିକାଶକୁ ନଜରରେ ରଖି ଦେଶରେ ପ୍ରଥମ କରି ୧୯୯୨ ମସିହାରେ ଜାତୀୟ ମହିଳା କମିସନ ଗଠନ କରାଯାଇଥିଲା ଏବଂ ଜୟନ୍ତୀ ହୋଇଥିଲେ ଜାତୀୟ ମହିଳା କମିସନର ପ୍ରଥମ ଅଧ୍ୟକ୍ଷା। ଜୟନ୍ତୀ ପଟ୍ଟନାୟକ ହେଉଛନ୍ତି ଲୋକସଭା ସଦସ୍ୟା ଭାବରେ ଓଡ଼ିଶାରୁ ପ୍ରଥମ ମହିଳା। ଜାତୀୟ ମହିଳା କଂଗ୍ରେସର ସଭାନେତ୍ରୀ ଓ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ଭାବରେ ଓଡ଼ିଶାରୁ ଅଦ୍ୟାବଧି ସେ ହିଁ ପ୍ରଥମା ଏବଂ ଏହି ଦାୟିତ୍ବଗୁଡ଼ିକ ସୁଚାରୁ ରୂପେ ନିର୍ବାହ କରି ଜାତୀୟ ରାଜନୀତିରେ ସେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ପ୍ରତିଷ୍ଠା କରିଛନ୍ତି।
୧୯୬୭ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକ ମାସିକ ‘ପୌରୁଷ’ ପତ୍ରିକାର ସଂପାଦନା ଆରମ୍ଭ କରିଥିଲେ ଏବଂ ୫୭ ବର୍ଷ ଧରି ତାହା ଏକ ସଂଭ୍ରାନ୍ତ ପତ୍ରିକା ଭାବରେ ଓଡ଼ିଆ ପାଠକ ମହଲରେ ସ୍ବୀୟ ଅଖଣ୍ଡ ଦୀପ୍ତି ବଜାୟ ରଖିଛି। ଏହି ପତ୍ରିକାର ସଂପାଦନା ସହିତ ଜୟନ୍ତୀ ଆରମ୍ଭରୁ ତାଙ୍କ ଶେଷ ଜୀବନ ପର୍ଯ୍ୟନ୍ତ ନିବିଡ଼ ଭାବରେ ଜଡ଼ିତ ଥିଲେ। ବିଶିଷ୍ଟ ଲେଖକ କେ.ଏମ୍. ମୁନ୍ସୀଙ୍କ ଇଂରେଜୀ ଭାଷାରେ ରଚିତ ‘କୃଷ୍ଣାବତାର’ର ତାଙ୍କ କୃତ ଓଡ଼ିଆ ଅନୁବାଦ ଧାରାବାହିକ ଭାବରେ ପୌରୁଷରେ ପ୍ରକାଶ ପାଉଥିଲା ଏବଂ ୨୦୧୪ ମସିହାରେ ସେଗୁଡ଼ିକ ‘ଆମ ଓଡ଼ିଶା’ ପ୍ରକାଶନୀ ପକ୍ଷରୁ ୭ ଖଣ୍ଡରେ ଗ୍ରନ୍ଥ ଆକାରରେ ପ୍ରକାଶ ପାଇଛି। ସାହିତ୍ୟିକା, ଅନୁବାଦିକା ଓ ଜଣେ ସାହିତ୍ୟ ସଂଗଠିକା ଭାବରେ ଓଡ଼ିଶାର ଜନମାନସରେ ଜୟନ୍ତୀ ଏକ ଉଜ୍ଜ୍ବଳ ପରିଚୟ। ସ୍ବାମୀଙ୍କର ରାଜନୀତି ପତିଆରା ଓ ପ୍ରତିଷ୍ଠା ତାଙ୍କୁ ପ୍ରତ୍ୟକ୍ଷ ରାଜନୀତିକୁ ଆଣିଚି ସତ, ହେଲେ ସଂଗ୍ରାମ ଓ ସ୍ବାଭିମାନର ଔରସରୁ ସଂଜାତ ଜୟନ୍ତୀଙ୍କ ପ୍ରତିଭା ଓ ପାରଦର୍ଶିତା ଭାରତବର୍ଷର ରାଜନୀତିରେ ତାଙ୍କୁ ସ୍ବତନ୍ତ୍ର ସ୍ଥାନ ପ୍ରଦାନ କରିଚି। ୧୯୮୧ରୁ ୨୦୦୨ ୪୦ ବର୍ଷରୁ ଊର୍ଦ୍ଧ୍ବ କାଳ ଧରି ମାତୃତୁଲ୍ୟା ଜୟନ୍ତୀ ପଟ୍ଟନାୟକଙ୍କୁ ମୁଁ ବେଶ୍ ପାଖରୁ ଜାଣିଚି। ତାଙ୍କ ପରି ଶିଷ୍ଟ, ସରଳ ଓ ପ୍ରଶସ୍ତମନା ମଣିଷ ଆଜିକାଲିକା ରାଜନୀତିରେ ଯେ ଉପଲବ୍ଧ; ତାହା ମୋତେ ଆଚମ୍ବିତ ଓ ଆହ୍ଲାଦିତ କରିଚି। ଆଜି ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସରେ ତାଙ୍କ ପାଇଁ ସଶ୍ରଦ୍ଧ ପ୍ରଣାମ।
-ଗୋବିନ୍ଦ ଭୂୟାଁ,
‘ଶକୁନ୍ତଳା’, ମହାନଦୀ ବିହାର, କଟକ
ମୋ: ୯୪୩୮୨୭୫୦୯୧