ରମ୍ୟକ ଓ ରମଣକ ଆଦି ନାମରେ ପ୍ରସିଦ୍ଧ ଏକ ଦ୍ୱୀପରେ ନାଗ ଓ ଗରୁଡ଼ ଉଭୟଙ୍କର ପରିବାର ବସବାସ କରନ୍ତି। ‘ମହାଭାରତ’, ‘ଭାଗବତ’ ଓ ‘ବ୍ରହ୍ମବୈବର୍ତ୍ତ’ ଆଦି ପୁରାଣରେ ଏହି ଦ୍ୱୀପର ସୁଦୀର୍ଘ ବର୍ଣ୍ଣନା ମିଳେ। ଆପାତତଃ ଏହା ନାଗମାନଙ୍କର ଆଦି ବାସସ୍ଥାନ ଭାବରେ ଚିହ୍ନିତ। ‘ବ୍ରହ୍ମବୈବର୍ତ୍ତ ପୁରାଣ’ର ବର୍ଣ୍ଣନା ଅନୁସାରେ, ଏହି ସ୍ଥାନ ଇନ୍ଦ୍ରଙ୍କର ଅମରାବତୀଠାରୁ ମଧ୍ୟ ଅଧିକ ସୁନ୍ଦର। ଏହି ଦ୍ୱୀପର ଚତୁଃପାର୍ଶ୍ବକୁ ଘେରି ରହିଛି ବିସ୍ତୃତ ସମୁଦ୍ର। ଅନେକ ନଦୀ, ବନ, ଗିରି ଓ ଝରଣା ଦ୍ୱାରା ଏହି ଦ୍ୱୀପ ସୁଶୋଭିତ। ଏହାର ଚତୁର୍ଦ୍ଦିଗ ସବୁଜିମାରେ ପରିପୂର୍ଣ୍ଣ। ବିଭିନ୍ନ ପ୍ରକାର ପୁଷ୍ପର ସୁଗନ୍ଧରେ ସମଗ୍ର ଦ୍ୱୀପାଞ୍ଚଳଟି ସୁରଭିତ। ବହୁ ସୁକଣ୍ଠୀ ପକ୍ଷୀ ଫଳ ପୁଷ୍ପ ଶୋଭିତ ଲତା ଗହଳରେ ବସି କୂଜନ କରୁଥାଆନ୍ତି।

Advertisment

ପୁରାଣର ବର୍ଣ୍ଣନା ଅନୁସାରେ ନାଗମାତା କଦ୍ରୁ ଏବଂ ଅରୁଣ ଓ ଗରୁଡ଼ଙ୍କ ମାତା ବିନତା ମହର୍ଷି କାଶ୍ୟପଙ୍କର ଦୁଇ ପତ୍ନୀ। ଦୁର୍ଭାଗ୍ୟକୁ କଦ୍ରୁ ଛଳନା କରି ଏକ ସର୍ତ୍ତରେ ବିନତାଙ୍କୁ ହରାଇ ନିଜର ଦାସୀ କରିଥିଲେ। ତେଣୁ ଗରୁଡ଼ଙ୍କୁ ମଧ୍ୟ ନାଗମାନେ ଦାସ ଭାବରେ ବ୍ୟବହାର କରୁଥିଲେ।

ରମ୍ୟକ ଦ୍ୱୀପର ସୌନ୍ଦର୍ଯ୍ୟ ସଂପର୍କରେ ଶୁଣି କଦ୍ରୁ ସେଠାକୁ ଯିବାକୁ ଇଚ୍ଛା କରିବାରୁ, ବିନତା କଦ୍ରୁଙ୍କୁ ଓ ଗରୁଡ଼ ନାଗମାନଙ୍କୁ ପିଠିରେ ବହନ କରିନେଇ ସେହି ଦ୍ୱୀପରେ ପହଞ୍ଚାଇଲେ। ସେଠାର ଅନୁକୂଳ ବାତାବରଣରେ ନାଗମାନେ ଆନନ୍ଦରେ ବିଚରଣ କଲେ। ଗରୁଡ ନାଗମାନଙ୍କୁ ପଚାରିଲେ, ଆଉ କ’ଣ କଲେ ତାଙ୍କୁ ଓ ତାଙ୍କ ମାତାଙ୍କୁ ଦାସତ୍ୱରୁ ମୁକ୍ତ କରିବେ? ନାଗମାନେ ଗରୁଡ଼ଙ୍କୁ ସ୍ୱର୍ଗରୁ ଅମୃତ ଆଣିବାକୁ ପ୍ରସ୍ତାବ ଦେଲେ। ସେଥିରେ ସମ୍ମତ ହୋଇ ଗରୁଡ଼ ଅମୃତ ଆଣିବାକୁ ସ୍ୱର୍ଗକୁ ଗଲେ ଏବଂ ଅମୃତରକ୍ଷକ ଇନ୍ଦ୍ରଙ୍କୁ ଯୁଦ୍ଧରେ ପରାଜିତ କଲେ। ପରାଜିତ ଇନ୍ଦ୍ର ଗରୁଡ଼ଙ୍କ ସହିତ ମିତ୍ରତା କଲେ ଏବଂ ନାଗମାନେ ଗରୁଡ଼ଙ୍କର ଆହାର ହେବେ ବୋଲି ଗରୁଡ଼ଙ୍କୁ ବର ଦେଲେ। ନାଗମାନେ ଅମୃତ ପାନ କରିପାରିଲେ ନାହିଁ। କିନ୍ତୁ ରମ୍ୟକ ଦ୍ୱୀପ ଅମୃତର ସ୍ପର୍ଶ ପାଇଥିବାରୁ ଚିର ରମଣୀୟ ହୋଇ ରହିଲା। ଗରୁଡ଼ ମଧ୍ୟ ନାଗମାନଙ୍କୁ ନିର୍ବିଘ୍ନରେ ଆହାର କରି ସ୍ୱେଚ୍ଛାରେ ବିଚରଣ କଲେ। ଏକଦା ଗରୁଡ଼ଙ୍କ ସହିତ କାଳୀୟନାଗର ଦ୍ୱନ୍ଦ୍ୱ ହେବାରୁ କାଳୀୟ ଆସି ଯମୁନାରେ ଆଶ୍ରୟ ନେଲା। କିନ୍ତୁ ଯମୁନାରେ ରହି ସେ ଗୋପ, ଗୋପୀ ଓ ଗୋବତ୍ସାମାନଙ୍କର କ୍ଷତି କରିବାରୁ, ଶ୍ରୀକୃଷ୍ଣ କାଳୀୟକୁ ମର୍ଦ୍ଦନ କରି ପୁନଶ୍ଚ ତାକୁ ରମ୍ୟକ ଦ୍ୱୀପକୁ ପ୍ରତ୍ୟାବର୍ତ୍ତନ କରିବାକୁ ଆଦେଶ ଦେଲେ।

ଆଜି ମଧ୍ୟ ରମ୍ୟକ ଦ୍ୱୀପର ବିଭିନ୍ନ ସ୍ଥାନରେ କାଳୀୟ ଦଳନ ମୂର୍ତ୍ତି ଦେଖାଯାଏ। ସଂପ୍ରତି ଏହି ଦ୍ୱୀପ ସଂପର୍କରେ ଏକ ତଥ୍ୟ ଲୋକ ଲୋଚନକୁ ଆସିଛିି, ଯେ ଏହି ଦ୍ୱୀପ ହେଉଛି ଆଜିର ‘ଫିଜି ଆଇଲାଣ୍ଡ’। ୧୮୭୯ରୁ ୧୯୧୬ ମଧ୍ୟରେ ପ୍ରାୟ ଷାଠିଏ ହଜାର ଭାରତୀୟ ଏଠାକୁ ଆସି ଆଖୁ ଇତ୍ୟାଦି ଚାଷ କରିଥିଲେ। ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଅନ୍ୟ ଦେଶମାନେ ଏଠାକୁ ଆସିଥିଲେ। ସବୁଠାରୁ ବଡ଼ କଥା ହେଲା, ଫିଜି ଦ୍ୱୀପର ଜାତୀୟ ଭାଷା ହିନ୍ଦୀ। ଏଠାରେ ଅନେକ ଶିବ ମନ୍ଦିର ଓ ନାଗଦେବତାଙ୍କ ମନ୍ଦିର ରହିଛି।

-ଡକ୍ଟର ତୁଳସୀ ଓଝା