ପୁରାଣରେ ସପ୍ତସିନ୍ଧୁର ଯେଉଁ ବର୍ଣ୍ଣନା ଅଛି, ତନ୍ମଧ୍ୟରୁ କାବେରୀ ନଦୀ ଅନ୍ୟତମ। ଦକ୍ଷିଣ ଭାରତର ଏହି ନଦୀ କାବେରୀ ଆମା ଭାବରେ ପ୍ରସିଦ୍ଧ। କା-ବେରୀ, ଅର୍ଥାତ୍ ଯେ ଶସ୍ୟ ଓ ଜଙ୍ଗଲ ପରିବର୍ଦ୍ଧନକାରୀ। ‘କା’ ଅର୍ଥ ମଧ୍ୟ ଜଳ- ‘ବେରୀ’ ଅର୍ଥାତ୍ ଯାହାଙ୍କର ଶରୀର ଜଳରେ ନିର୍ମିତ। ଏହାର ଅନ୍ୟନାମ ମରୁଦ୍‌ବିଧା- ଅର୍ଥାତ୍ ମରୁତ୍‌ପ୍ରିୟା। ପଶ୍ଚିମଘାଟ ପର୍ବତର ବ୍ରହ୍ମଗିରି ପର୍ବତଶ୍ରେଣୀ କାବେରୀର ଉଦ୍‌ଗମ ସ୍ଥଳ ହୋଇଥିଲେ ମଧ୍ୟ, ଏହା ଆରବ ସାଗରରେ ନପଡ଼ି ପୂର୍ବାଭିମୁଖୀ ହୋଇ ବଙ୍ଗୋପସାଗରରେ ସାଗର ସଂଗମ କରିଛି। ଏହି ନଦୀର ବୈଶିଷ୍ଟ୍ୟ ହେଉଛି, ଏହା ସଂପର୍କରେ ‘ମହାଭାରତ’ର ‘ବନପର୍ବ’ରେ ଅଛି- “ତତୋଗଚ୍ଛେତ୍ କାବେରୀ ବୃତ୍ତାମପ୍ସରାସା ଗଣୈଃ
ତତ୍ର ସ୍ନାତ୍ୱା ନରୋ ରାଜନ୍ ଗୋସହସ୍ରଫଳଂ ଲଭେତ୍।”

Advertisment

ଅର୍ଥାତ୍‌, ଅପ୍‌ସରା ସେବିତ କାବେରୀ ନଦୀରେ ସ୍ନାନ କଲେ ସହସ୍ର ଗୋ-ଦାନର ଫଳ ମିଳିଥାଏ। ଏହି ନଦୀରେ ଅସଂଖ୍ୟ ଉପନଦୀ ମିଳିତ ହୋଇ ତ୍ରିବେଣୀ ଘାଟ ରଚନା କରିଛନ୍ତି। ଶ୍ରୀରଙ୍ଗ ପଟ୍ଟନମ୍‌, ଶିବସମୁଦ୍ର, ଧର୍ମପୁରା ଆଦି ଅନେକ ସଂଗମ ସ୍ଥଳ ଏହି ନଦୀରେ ରହିଛି। ଏଣୁ, ଏହି ନଦୀତୀରରେ ଅସଂଖ୍ୟ ଶିବମନ୍ଦିର, ରଙ୍ଗନାଥସ୍ୱାମୀ ମନ୍ଦିର, ଗଣପତି ମନ୍ଦିର ଆଦି ଦୃଷ୍ଟି ଗୋଚର ହୁଏ। ବହୁ ଶ୍ରଦ୍ଧାଳୁ ଏହି ପୌରାଣିକ ଓ ଐତିହାସିକ ନଦୀକୁ ଦର୍ଶନ କରିବାକୁ ଯାଇଥାନ୍ତି। କର୍ଣ୍ଣାଟକ ଓ ତାମିଲନାଡ଼ୁର ଦୀର୍ଘ ଶସ୍ୟ କ୍ଷେତ୍ରକୁ ଏହି ନଦୀ ଓ ଏହାର ଉପନଦୀମାନେ ଜଳ ସେଚିତ କରିଥିବାରୁ ଏହାକୁ କାବେରୀ ଆମା ଭାବରେ ସମ୍ବୋଧନ କରାଯାଇଥାଏ। ଏହା ଅନ୍ୟ ନଦୀମାନଙ୍କ ପରି ଦିବ୍ୟଜନ୍ମା ନହେଲେ ମଧ୍ୟ, ଅସଂଖ୍ୟ ସଂଗମ ସ୍ଥଳକୁ ଧାରଣ କରି ଏହା ଦିବ୍ୟ ପାଲଟି ଯାଇଛି।

ସବୁଠାରୁ ବଡ଼ କଥା ହେଲା, ଏହି ନଦୀରେ ରହିଛି କ୍ରିଷ୍ଣ ରାଜ ସାଗର ବନ୍ଧ। ଏହା କର୍ଣ୍ଣାଟକ ପ୍ରଦେଶର ବହୁ ଅଞ୍ଚଳକୁ ଜଳସେଚିତ କରେ। ଏହି ନଦୀବନ୍ଧର ଏକ ପାଶ୍ୱର୍ରେ ମଧ୍ୟ ରହିଛି ପୃଥିବୀ ବିଖ୍ୟାତ ବୃନ୍ଦାବନ ଗାର୍ଡ଼େନ। ଏହାର ନୈସର୍ଗିକ ଶୋଭା ବହୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ।
-ଡକ୍ଟର ତୁଳସୀ ଓଝା