ମା’ କ୍ଷୀରରେ ଅଳଙ୍କାର, ଅନନ୍ୟ ଅନୁଭୂତିର ନିଆରା ସ୍ମାରକୀ

ପ୍ରତ୍ୟେକ ବାପମାଆ ନିଜ ଶିଶୁର ଶୈଶବାବସ୍ଥାକୁ ମନେ ପକାଇବା ପାଇଁ ସାଧାରଣତଃ ପିଲାବେଳର ଫଟୋ, ସେ ବ୍ୟବହାର କରୁଥିବା ପୋଷାକପତ୍ର, ଖେଳନା ଓ ଅନ୍ୟାନ୍ୟ ସାମଗ୍ରୀକୁ ସାଇତି ରଖିଥା’ନ୍ତି। ସମ୍ପ୍ରତି ଡିଜିଟାଲ ଯୁଗରେ ସୁନ୍ଦର ସୁନ୍ଦର ଫଟୋଫ୍ରେମ୍‌ରେ ଶିଶୁଙ୍କର କୌତୁକିଆ ଫଟୋ ଘରକାନ୍ଥରେ ଶୋଭା ପାଇବା ଏକ ସାଧାରଣ କଥା ହୋଇଗଲାଣି। ତେବେ ସେହି ସ୍ମୃତିକୁ ଅଧିକ ଅନ୍ତରଙ୍ଗ କରିବାର ଏକ ନୂଆ ପ୍ରକ୍ରିୟା ଏବେ ଦେଖିବାକୁ ମିଳିଛି। ଗୁଜରାଟ ଅନ୍ତର୍ଗତ ସୁରଟର ଆଦିତି ନାମ୍ନୀ ଜଣେ କଳାପ୍ରେମୀ ଦନ୍ତଚିକିତ୍ସିକା ଏ ଦିଗରେ ଆଉ ପାଦେ ଆଗେଇ ଯାଇ ଶିଶୁଟିଏ ପାନ କରୁଥିବା ଅମୂଲ୍ୟ ମା’କ୍ଷୀରକୁ ସାଇତି ରଖିବା ଲାଗି ତାହାକୁ ଗହଣାରେ ରୂପାନ୍ତରିତ କରିବାର ଅଭିନବ କୌଶଳ ବାହାର କରିଛନ୍ତି।

ସେ ପ୍ରଥମେ ନିଜ କ୍ଷୀରକୁ ପଥର (କଠିନ)ରେ ପରିଣତ କରି ତାହାକୁ ଗହଣା ଆକାରରେ ସାଇତିବା କଥା ପ୍ରଚାର କଲା ପରେ ଏବେ ବିଦେଶରୁ ମଧ୍ୟ ଅନୁରୂପ ବରାଦମାନ ଆସିବାରେ ଲାଗିଛି। ଏପରିକି, ଶିଶୁଟିର କଟାଯାଇଥିବା ନାଭି (ଅମ୍ବିଲିକାଲ୍‌ କର୍ଡ), କଟାଯାଇଥିବା ପ୍ରଥମ ଚୁଟି ଓ ଝଡ଼ିଯାଇଥିବା ଦାନ୍ତ ଆଦିକୁ ମଧ୍ୟ ବ୍ରେସଲେଟ, ଲକେଟ ପରି ଅଳଙ୍କାର ରୂପରେ ସାଇତି ରଖାଯାଇପାରୁଛି। ତାଙ୍କର ଏହି ଅଭିନବ କଳା ଏବେ ନିଆରା ସ୍ମାରକୀ ପାଲଟିଛି। ଏହି ପ୍ରକ୍ରିୟା ପାଇଁ ପନ୍ଦର ଦିନର ସମୟ ଲାଗୁଥିବା ବେଳେ ଆଗ୍ରହୀ ବ୍ୟକ୍ତିବିଶେଷ କୋରିଅର ଯୋଗେ ତାଙ୍କ ପାଖକୁ ମା’କ୍ଷୀର ଓ ଅନ୍ୟାନ୍ୟ ସାମଗ୍ରୀମାନ ପଠାଉଛନ୍ତି। ଭବିଷ୍ୟତରେ ଏହି ଗହଣାରୂପୀ ସ୍ମାରକୀକୁ ମାଆମାନେ ଦେଖିଲେ ଅତୀତର ବାତ୍ସଲ୍ୟ ମମତା ମନେ ପକାଇ ଉଲ୍ଲସିତ ହେବେ ବୋଲି ଆଦିତି କୁହନ୍ତି।

ସମ୍ବନ୍ଧିତ ଖବର