କାର୍ହି କେଉଁ ପ୍ରାଚୀନ କାଳରୁ ଗହଣା ପ୍ରତି ନାରୀମାନଙ୍କର ଅହେତୁକ ଆକର୍ଷଣ ରହିଆସିଛି। ତେବେ ସମୟ ସହ ତାଳ ଦେଇ ପସନ୍ଦର ପରିଭାଷା ବଦଳିଛି। ପଥର, କାଠ, ଜୀବଜନ୍ତୁ, ମାଛର ହାଡ଼, ବିଭିନ୍ନ ଫୁଲ, ଫଳ, ମଞ୍ଜିଠୁ ଆରମ୍ଭ କରି ସୁନା, ରୁପା ଓ ଅନ୍ୟାନ୍ୟ ମୂଲ୍ୟବାନ ଧାତୁରେ ତିଆରି ଗହଣା ସହ ରହିଛି ରତ୍ନ ପଥରର ଚାହିଦା। ହୀରା, ନୀଳା, ମୋତି, ମାଣିକ, ପାନ୍ନା, ପ୍ରବାଳ, ଗୋମେଦ, ବୈଦୁର୍ଯ୍ୟ ପ୍ରଭୃତି ଖଞ୍ଜା ପାରମ୍ପରିକ ଗହଣାର ସମ୍ଭାର ଦେଖିଲେ ଆଖି ଲାଖିରହେ। ମୁଣ୍ଡକଣ୍ଟା, ନାକଗୁଣାଠୁ ନେଇ ପାଉଁଜି, ଗୋଡ଼ମୁଦି ସବୁଠି ଥାଏ କାରିଗରଙ୍କ କୁଶଳୀ ହାତର ଛୁଆଁ। ପିଢ଼ି ପରେ ପିଢ଼ି ମାଆଠୁ ଝିଅ, ଶାଶୁଠୁ ବୋହୂକୁ ଦିଆ ଗହଣା ଭିତରେ ଥାଏ ଭଲପାଇବା ସହ ଆମ ପରମ୍ପରା। ଏବେ ଆଧୁନିକା ବୃତ୍ତିଜୀବୀ ନାରୀମାନେ ଖୋଜୁଛନ୍ତି ହାଲୁକା ଗହଣା। ରୋଜ୍ଗୋଲ୍ଡ, ପ୍ଲାଟିନମ୍, ହୀରାବସା ମୁଦି, କାନର ଷ୍ଟଡ୍ ଓ ଛୋଟିଆ ଲକେଟ୍ ଥବା ସରୁ ଚେନ୍। ଏବେ ଅନ୍ଲାଇନ୍ରେ ଗହଣା କାରବାର ବେଶ୍ ଲୋକପ୍ରିୟ ହେଲାଣି। ଅନେକ ନାମୀଦାମୀ ବ୍ରାଣ୍ଡ୍ ସେଠି ସେମାନଙ୍କର ବିପଣି ଖୋଲିଲେଣି। ବିଭିନ୍ନ ପର୍ବପର୍ବାଣି ଅବସରରେ ସ୍ବତନ୍ତ୍ର ଡିଜାଇନ୍ର ଗହଣା ବଜାର ପ୍ରବେଶ କରୁଛି। ଆଗକାଳରେ ଘରେ କେଇଭରି ସୁନା ରହିଲେ ତାହା ଆପଦବିପଦରେ କାମରେ ଆସୁଥିଲା। ଏବେ ସୁନାରେ ଅର୍ଥନିବେଶ କରିବାକୁ ଏକ ସ୍ମାର୍ଟ ଉପାୟ ଭାବରେ ଗ୍ରହଣ କରାଯାଉଛି। ଆଭୂଷଣପ୍ରିୟ ନାରୀମାନଙ୍କ ପାଇଁ ଏଥର ‘ଗହଣାର ଗହନକଥା’...
ଏମିତି ଜଣେ ମହିଳା ଯିଏ ଏକ ନିଆରା କଳାରେ ସିଦ୍ଧହସ୍ତ। ସେ ମା’ କ୍ଷୀରରୁ ତିଆରି କରୁଛନ୍ତି ବିଭିନ୍ନ ପ୍ରକାର ଅଳଙ୍କାର। ପ୍ରତ୍ୟେକ ବାପାମା’ ନିଜ ପିଲାମାନଙ୍କର ପିଲାଦିନର ଜିନିଷ ସାଇତି ରଖନ୍ତି। ପୂର୍ବରୁ ବାପାମାଆମାନେ ସେମାନଙ୍କ ପିଲାମାନଙ୍କ ପିଲାଦିନର ପୋଷାକ ଏବଂ ଖେଳନାକୁ ଅତି ଯତ୍ନର ସହିତ ରଖୁଥିଲେ। ଏହାପରେ ଡିଜିଟାଲ୍ ଫଟୋ ଏବଂ ଭିଡିଓ ସାହାଯ୍ୟରେ ପିଲାମାନଙ୍କର ଫଟୋଫ୍ରେମ୍ ତିଆରି କରି ରଖିଲେ। ତେବେ ବୃତ୍ତିରେ ଜଣେ ଦନ୍ତଚିକିତ୍ସକ ଥିବା ସୁରତର ଅଦିତି ମା’ କ୍ଷୀରରୁ ଅଳଙ୍କାର ତିଆରି କରି ଏହାକୁ ଏକ ନିଆରା ସ୍ମୃତିରେ ପରିଣତ କରୁଛନ୍ତି। ଅଦିତି ପିଲାମାନଙ୍କ କେଶ ଓ ଜନ୍ମବେଳର ନାହିନାଡ଼ ବ୍ୟବହାର କରି ସୁନାରୁପାର ବ୍ରେସଲେଟ୍ ସହ ପଦକ ଏବଂ ଅନ୍ୟାନ୍ୟ ଅଳଙ୍କାର ଡିଜାଇନ୍ କରନ୍ତି। ସେଗୁଡ଼ିକ ତିଆରି କରିବା ପାଇଁ ସେ ମା’ର କ୍ଷୀର ସଂରକ୍ଷଣ କରି ରଖନ୍ତି ଏବଂ ଏହାକୁ ପଥରରେ ପରିଣତ କରନ୍ତି। ଏମିତି କରି ସେଥିରୁ ଅଳଙ୍କାର ଡିଜାଇନ୍ କରନ୍ତି। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ କରିବାକୁ ପ୍ରାୟ ୧୫ ଦିନ ଲାଗେ। ଅଦିତିଙ୍କ କହିବା କଥା, କ୍ଷୀରରୁ ନିର୍ମିତ ଏହି ଅଳଙ୍କାରର କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ବହୁତ ଚାହିଦା ରହିଛି ଏବଂ ସେ ବିଦେଶରୁ ମଧ୍ୟ ଅର୍ଡର ପାଉଛନ୍ତି। ମା’ କ୍ଷୀର ତାଙ୍କୁ ବିଦେଶରୁ କୋରିୟର୍ ମାଧ୍ୟମରେ ପଠାଯାଇଥାଏ ଏବଂ ସେ ଏଥିରୁ ସୁନ୍ଦର ଅଳଙ୍କାର ଡିଜାଇନ୍ କରନ୍ତି। କାନାଡାର ଏକ ଦମ୍ପତିଙ୍କ ପାଇଁ ଏକ ଅଳଙ୍କାର ଡିଜାଇନ୍ କରିଥିଲେ। ଏଥିରେ ଶିଶୁର କେଶ ବ୍ୟବହାର କରି ପିଲାର ନାଁ ଏସ୍ ଆକାର ଦିଆଯାଇଥିଲା। ତାଙ୍କ ପାଇଁ ୭ ଏକ ଭାଗ୍ୟଶାଳୀ ସଂଖ୍ୟା ହୋଇଥିବାରୁ ସେ ଏହି ଜୁଏଲାରୀ ତିଆରି କରିବା ପାଇଁ ସାତଟି ହୀରା ବ୍ୟବହାର କରିଥିଲେ।
ଫୁଲ ଅଳଙ୍କାର
ଆଜିକାଲି ବିବାହ ଉତ୍ସବରେ କନ୍ୟା ପାଇଁ ମେହେନ୍ଦୀ ଓ ସଙ୍ଗୀତ୍ ଆଦି କାର୍ଯ୍ୟକ୍ରମ ହେଉଛି। ଶାଢ଼ି ହେଉ କିମ୍ବା ଲେହେଙ୍ଗା ସେଥିରେ ମ୍ୟାଚ୍ କରି ବିଭିନ୍ନ ରକମର ଫୁଲକୁ ଗହଣା କରି ମହିଳାମାନେ ପିନ୍ଧିଥାନ୍ତି। ରଙ୍ଗବେରଙ୍ଗର ସତସତିକା ଫୁଲ ହେଉ କିମ୍ବା ପ୍ଲାଷ୍ଟିକ୍ ଫୁଲ, ସାଙ୍ଗସାଥୀଙ୍କ ସହିତ ମିଶି ନାଚଗୀତ ବେଳେ ସୁଲଭ ମୂଲ୍ୟରେ ସହଜଲଭ୍ୟ ଏହି ଅଳଙ୍କାର ସମସ୍ତଙ୍କୁ ବେଶ୍ ପସନ୍ଦ ଆସୁଛି। ଏସବୁ ଆଜିକାଲି ଅନ୍ଲାନ୍ରେ ମଧ୍ୟ ମିଳିଲାଣି।
ପକେଟ୍ ଫ୍ରେଣ୍ଡ୍ଲି ଗହଣା
ଗହଣା ବିନା ମହିଳାଙ୍କ ବେଶପୋଷାକ ଅଧୁରା। ସେ ଗୃହିଣୀ ହୁଅନ୍ତୁ କିମ୍ବା କର୍ମଜୀବୀ ମହିଳା ଭିନ୍ନଭିନ୍ନ ଡିଜାଇନ୍ର ଗହଣା ପିନ୍ଧି ସଜେଇ ହେବାକୁ ଭଲପାଏ ନାରୀ। ମୁଖ୍ୟତଃ ଗୃହିଣୀଙ୍କ ପସନ୍ଦରେ ପାରମ୍ପରିକ ସୁନା, ହୀରା ଗହଣା ରହୁଥିବା ବେଳେ କର୍ମଜୀବୀ ମହିଳାଙ୍କ କ୍ଷେତ୍ରରେ ଛୋଟ ତଥା ନୂତନ ଡିଜାଇନ୍ର ଗହଣା ବେଶି ପସନ୍ଦ। ବିଶେଷତଃ ପୋଷାକକୁ ମ୍ୟାଚ୍ କରି ଗହଣା ପିନ୍ଧିବା ଗୋଟେ ଟ୍ରେଣ୍ଡ୍ରେ ପରିଣତ ହୋଇଛି। କର୍ମଜୀବୀ ମହିଳାଙ୍କ ପାଇଁ ଅଫିସ୍ ପୋଷାକଠାରୁ ଆରମ୍ଭ କରି ଜୋତା, ହେୟାର୍ ଷ୍ଟାଇଲ୍, ବ୍ୟାଗ୍, ଗହଣା ଆଦି ଆକର୍ଷଣୀୟ ତଥା ଅତ୍ୟାଧୁନିକ ଡିଜାଇନ୍ ହେବା ଏବେ ପ୍ରଥମ ପସନ୍ଦ। ଠିକ୍ ଢଙ୍ଗରେ ଏବଂ ସ୍ବତନ୍ତ୍ର ଡିଜାଇନ୍ର ଗହଣା ପିନ୍ଧିଲେ ନିଜକୁ ଅନ୍ୟମାନଙ୍କଠାରୁ ଅନନ୍ୟ କରିବା ସହ ନିଜ ଭିତରେ ଆତ୍ମବିଶ୍ବାସ ମଧ୍ୟ ସୃଷ୍ଟି କରିଥାଏ। କର୍ମକ୍ଷେତ୍ରରେ ପିନ୍ଧୁଥିବା ଅଳଙ୍କାର ଛୋଟ ତଥା ସୁଦୃଶ୍ୟ ହେବା ଜରୁରୀ। କାନରେ ଛୋଟ କାନଫୁଲ ସାଙ୍ଗକୁ ହାତରେ ହାଲୁକା ବ୍ରେସ୍ଲେଟ ଏବଂ ସରୁ ରିଙ୍ଗ୍ ଓ ସରୁ ଚେନ୍ର ଟ୍ରେଣ୍ଡ୍ ଚାଲିଛି। ବର୍ତ୍ତମାନ ସୁନା, ରୁପା, ହୀରା, ମୋତି, ଅକ୍ସିଡାଇଜ୍ଡ ଅଳଙ୍କାର, ପ୍ଲାଟିନମ୍ ସାଙ୍ଗକୁ ବିଭିନ୍ନ ପ୍ରକାର କାଠ, ଟେରାକୋଟା, ପର, ବାଉଁଶ, ଡୋକ୍ରା ଆଦିର ଭଳିକି ଭଳି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ କାନଫୁଲ, ନେକ୍ଲେସ, ବ୍ରେସ୍ଲେଟ ଆଦି ବଜାରରେ ଉପଲବ୍ଧ। ତେବେ ସବୁବର୍ଗର ଲୋକଙ୍କ ପକେଟକୁ ସୁହାଇଲା ଭଳି ଦାମ୍ରେ ଅତି ସହଜରେ ଏସବୁ ମିଳିଯାଉଛି। ଖାଲି ଯୁବପିଢ଼ି ନୁହନ୍ତି ପ୍ରାପ୍ତବୟସ୍କ ତଥା ସବୁବର୍ଗର ମହିଳାଙ୍କ ଗହଣାବାକ୍ସରେ ଏବେ ନିଜସ୍ଥାନ ଦଖଲ କଲାଣି ଏହି ଗହଣା। ବର୍ତ୍ତମାନ ଲୋକମାନେ ସେୟାର୍ ମାର୍କେଟ୍ରେ ନିବେଶ କରିବା ଜାଗାରେ ସୁନା ବିସ୍କୁଟ୍ ତଥା ସୁନାମୁଦ୍ରା ନିବେଶ କରି ଲାଭବାନ୍ ହେବାର ନୂଆ ଉପାୟ ଖୋଜି ପାଇଲେଣି। ବିଭିନ୍ନ ବ୍ୟାଙ୍କ ଏବେ କମ୍ ସୁଧରେ ସୁନାଋଣ ପ୍ରଦାନ କରୁଛନ୍ତି। ସୁନା ଦୋକାନୀ ମଧ୍ୟ ପୂଜାପର୍ବାଣିରେ ଲୋକଙ୍କୁ ମନୋଲୋଭା ଅଫର୍ ସାଙ୍ଗକୁ ଗଢ଼ାମଜୁରି ଉପରେ ଛାଡ଼ ଏବଂ ଆକର୍ଷଣୀୟ ରିହାତି ଗ୍ରାହକଙ୍କୁ ଭେଟି ଦେଉଛନ୍ତି। ଖାଲି ସେତିକି ନୁହେଁ, ଲାଲ୍ଚାନ୍ଦ, ତନିସ୍କ, ମାଲାବାର୍ ପରି ବଡ଼ବଡ଼ ସୁନା ଦୋକାନ ଲୋକଙ୍କ ଜନ୍ମଦିନ, ବିବାହବାର୍ଷିକୀ ପରି ସ୍ବତନ୍ତ୍ର ଦିନଗୁଡ଼ିକୁ ପାଳନ କରିବା ପାଇଁ କେକ୍ କାଟିବା ସହ ଲୋଭନୀୟ ଅଫର ସାଥୀରେ ଗ୍ରାହକଙ୍କୁ ସୁନା କିଣିବା ପାଇଁ ଆକୃଷ୍ଟ କରୁଛନ୍ତି।
ଆଦିବାସୀଙ୍କ ଆଭୂଷଣ
ଡେଟିସିକଲାଙ୍ଗ ଏକ ପ୍ରକାର କମରବନ୍ଧ, ଯାହାକୁ ଦେଶିଆ କନ୍ଧମାନେ ପିନ୍ଧିଥାନ୍ତି। ତେବେ ଏହି କମରବନ୍ଧ ସୁଦୃଢ଼ ଆର୍ଥିକ ସ୍ଥିତିର ପ୍ରତୀକ ଭାବେ ଦର୍ଶାଇଥାଏ।
କୋରାପୁଟର ସିରିବେଡ଼ାରେ ବାସ କରୁଥିବା ଧଉରା ଆଦିବାସୀ ସମ୍ପ୍ରଦାୟର ମହିଳାମାନେ ସିଡ୍ ନେକ୍ଲେସ ପିନ୍ଧିଥାନ୍ତି। ଏହି ପାରମ୍ପରିକ ଗହଣାକୁ ମହିଳାମାନେ ଗଛର ବିଭିନ୍ନ ପ୍ରକାର ମଞ୍ଜିରେ ନିଜେ ତିଆରି କରିଥାନ୍ତି। ଶୁଖିଲା ଶିଆଳି ମଞ୍ଜିକୁ ସୂତାରେ ଗୁନ୍ଥି ତିଆରି କରିଥାନ୍ତି।
ଚାରାଗଣ୍ଟି ନେକ୍ଲେସ ଏକ ଭିନ୍ନ ପ୍ରକାରର ନେକ୍ଲେସ, ଯାହାକୁ ନୂଆପଡ଼ାରେ ବସବାସ କରୁଥିବା ଭୁଞ୍ଜିଆ ଆଦିବାସୀ ଲୋକମାନେ ପିନ୍ଧିଥାନ୍ତି। ଏହା ଉଭୟ ପ୍ଲାଷ୍ଟିକ୍ ମାଳି ଓ ମଞ୍ଜିରେ ତିଆରି କରାଯାଏ।
ଲୁବେଡିଆ ନେକ୍ଲେସ ଏକ ପ୍ରକାର ରଙ୍ଗିନ ନେକ୍ଲେସ, ଯାହା ଆଦିବାସୀ ମହିଳାଙ୍କ ସୁନ୍ଦରତାକୁ ଆହୁରି ବଢାଇ ଦେଇଥାଏ। ବିଶେଷ କରି ମାଲକାନଗିରିରେ ଥିବା ବଣ୍ଡାଜାତିର ଆଦିବାସୀମାନେ ମାଳିରେ ବିଭିନ୍ନ ପ୍ରକାର ପ୍ରାକୃତିକ ରଙ୍ଗ ଦେଇ ତିଆରି କରିଥାନ୍ତି। ସେହିପରି କେବଳ ମଞ୍ଜିରେ ତିଆରି ଲୁବେଡିଆ ନେକ୍ଲେସକୁ ବଣ୍ଡା ମହିଳାମାନେ ତାଙ୍କ ଶରୀର ଉପରିଭାଗକୁ ଢାଙ୍କିବା ପାଇଁ ପିନ୍ଧିଥାନ୍ତି ।
ତିନିଥାକିଆ ସସକା ନେକଲେସ୍ କନ୍ଧମାଳରେ କୁଟିଆ କନ୍ଧଜାତିର ଆଦିବାସୀମାନେ ଅଧିକ ପିନ୍ଧିବାକୁ ପସନ୍ଦ କରିଥାନ୍ତି । ତେବେ ଖାସ୍ କଥା ହେଉଛି ଏହାକୁ ନୀଳ ଓ ଧଳା ରଙ୍ଗର ମାଳି ସହ ମଞ୍ଜିରେ ତିଆରି କରାଯାଏ।
ସାଧାରଣ ମହିଳାମାନେ ମଥାରେ ସିନ୍ଥି ପିନ୍ଧିବାକୁ ପସନ୍ଦ କରୁଥିବା ବେଳେ ଗଣ୍ଡିଆ ସମ୍ପ୍ରଦାୟର ଆଦିବାସୀ ମହିଳାମାନେ ମଥାର ସୁନ୍ଦରତା ବଢ଼ାଇବା ପାଇଁ ମଥା କଉଡ଼ିମାଳ ପିନ୍ଧିଥାନ୍ତି।
ଦେଶର ତୃତୀୟ ବୃହତ୍ ଆଦିବାସୀ ସାନ୍ତାଳମାନେ ବିଭିନ୍ନ ପ୍ରକାର ଅଳଙ୍କାର ପିନ୍ଧିଥାନ୍ତି। ସେମାନଙ୍କ ଗହଣା ମଧ୍ୟ ଅନ୍ୟମାନଙ୍କଠୁ ଭିନ୍ନ। ସେଥିମଧ୍ୟରୁ ଶଙ୍ଖଚୁଡ଼ି ଅନ୍ୟତମ। ଖାସ୍ କରି ବିବାହରେ ସେମାନେ ଏହାକୁ ପିନ୍ଧିଥାନ୍ତି।
ସମସ୍ତେ ବେକରେ ହାର ପିନ୍ଧିବାକୁ ପସନ୍ଦ କରୁଥିବା ବେଳେ ବଣ୍ଡା ପରି ଅନେକ ଆଦିବାସୀ ମହିଳା ବେକରେ ବେକପଟି ପିନ୍ଧିବାକୁ ପସନ୍ଦ କରିଥାନ୍ତି। ଏହା ସାଧାରଣତଃ ପିତ୍ତଳ ଓ ରୁପାରେ ତିଆରି କରାଯାଏ। ବେକପଟି ଭାବେ ଜଣା ଏହି ଗହଣାର ନିସାଙ୍ଗୁ, କଗଡଙ୍ଗ, କାଗୁଡିକା ଆଦି ବିଭିନ୍ନ ନାମ ରହିଛି।
ହାଲକା ଓଡ଼ିଆଣୀ ପାଉଁଜିଠାରୁ ଆଦିବାସୀଙ୍କର ପାଉଁଜି ବହୁତ ଭାରି ହୋଇଥାଏ। ଲାଞ୍ଜିଆ ସୌରାରେ ଅଣ୍ଡୁଡୁକା, କନ୍ଧ ପିନ୍ଧୁଥିବା ପାଉଁଜିକୁ ଗଗଲ୍, ଅଣ୍ଡୁ ଓ କାଦବାନି, ହୋଲଭା ଆଦିବାସୀମାନେ ପଇଁରି ଏବଂ କୋୟାମାନେ ପାଉଁଜିକୁ ପଇରି କୁହନ୍ତି।
ଭିନ୍ନ ଭିନ୍ନ ଆଦିବାସୀ ସମ୍ପ୍ରଦାୟରେ ଚାରେଣି ମାଳ ବହୁତ ହିଁ ଲୋକପ୍ରିୟ। ସେମାନେ ପ୍ରତି ଉତ୍ସବରେ କିମ୍ବା ପ୍ରତିଦିନ ଏହି ମାଳ ପିନ୍ଧିଥାନ୍ତି।
ବଡ଼ ବଡ଼ ଗୋଲେଇ ଆକାରର କାନଫୁଲ ପିନ୍ଧିବାକୁ ଆଦିବାସୀ ମହିଳାମାନେ ବେଶ୍ ପସନ୍ଦ କରିଥାନ୍ତି। ପିତ୍ତଳ ଓ ରୁପାରେ ତିଆରି କରାଯାଇଥାଏ। ବଡ଼ ଆକାରର କାନଫୁଲକୁ ମୁର୍ମି, ଛୋଟ ଆକାରର କାନଫୁଲକୁ ପିରିପିରିଆ ଏବଂ ଝୁଲା ଆକାରର କାନଫୁଲକୁ ଖାପ୍ କୁହାଯାଏ।
ସେହିପରି ହାତର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାରର ହାତମୁଦି ପିନ୍ଧିଥାନ୍ତି। ଏପରିକି କେବଳ ସୁନ୍ଦରତା ପାଇଁ ନୁହେଁ ନକରାତ୍ମକ ଶକ୍ତିକୁ ଦୂରରେ ରଖିବା ପାଇଁ ମୁଦି ପିନ୍ଧିଥାନ୍ତି। ଡଙ୍ଗରିଆ କନ୍ଧମାନେ ପିନ୍ଧୁଥିବା ମୁଦିକୁ ଡ୍ବାରା ଓ କେନ୍ଦୁକାଲି କହିଥାନ୍ତି।
କିସାନ ସମ୍ପ୍ରଦାୟର ଆଦିବାସୀ ଜନଜାତି ମହିଳାମାନେ ବାହୁରେ ପିନ୍ଧୁଥିବା ଗହଣାକୁ ବାଜୁ ବନ୍ଧନ କୁହନ୍ତି। ସେମାନଙ୍କ ଭାଷାରେ ଏହାକୁ ‘ତାଡା’ କୁହନ୍ତି।