ଝାଡଖଣ୍ଡ: ଚାକିରି ଛାଡ଼ି ଚାରି ବନ୍ଧୁ କଲେ ଦୁଗ୍ଧ ବ୍ୟବସାୟ

ଝାଡ଼ଖଣ୍ଡରେ ରହିଛି ଏକ ଦୁଗ୍‌ଧ କମ୍ପାନି ଓସାମ ଡାଇରି। ତେବେ ଏହା ଏବେ ଆଉ କେବଳ ଝାଡ଼ଖଣ୍ଡ ଭିତରେ ସୀମିତ ନୁହେଁ, ଦେଶର ଅନେକ ସ୍ଥାନରେ ଏବଂ ବିଦେଶରେ ମଧ୍ୟ ଏହା ତା’ର ବ୍ୟବସାୟ ପାଇଁ ପ୍ରୟାସ ଜାରି ରଖିଛି। ତେବେ ଏହି କମ୍ପାନି ଗଢ଼ିବା ଏବଂ ତାକୁ ସଫଳତା ଆଣିଦେବାରେ ଚାରି ବନ୍ଧୁଙ୍କର ଅକ୍ଳାନ୍ତ ପରିଶ୍ରମ ଥିବା କୁହାଯାଏ। ଚାକିରି ଛାଡ଼ି ଏହି ଚାରି ବନ୍ଧୁ ଦୁଗ୍‌ଧ ବେପାର ଆରମ୍ଭ କରିଥିଲେ। କେବେ ଆଉ କେମିତି ସେମାନେ ଆରମ୍ଭ କଲେ ଏହି ଡାଇରି କମ୍ପାନି ଏବେ ଜାଣନ୍ତୁ।

ଅଭିଷେକ ରାଜ, ଅଭିନବ ଶାହ, ହର୍ଷ ଠକ୍କର ଏବଂ ରାକେଶ ଶର୍ମା ନାମକ ଚାରିଜଣ ବନ୍ଧୁ ମିଶି ୨୦୧୨ରେ ଏହି ଦୁଗ୍‌ଧ ବ୍ୟବସାୟ ଆରମ୍ଭ କରିଥିଲେ। କର୍ପୋରେଟ ସେକ୍ଟରରେ ବେଶ୍‌ ଭଲ ଦରମାରେ ଚାକିରି କରୁଥିଲେ ବି ଏମାନେ ଚାକିରି ଛାଡ଼ି ଦେଇଥିଲେ। ସେମାନେ ନିଜର ସଞ୍ଚିତ ଅର୍ଥକୁ ଏକାଠି କଲେ ଏବଂ ଗାଈ କିଣିଲେ। ପ୍ରଥମେ ସେମାନେ ଚାଳିଶଟି ଗାଈ କିଣିଥିଲେ। ତେବେ ସେମାନଙ୍କର ଦୁର୍ଭାଗ୍ୟ ଥିଲା ଯେ ସଂକ୍ରମଣ କାରଣରୁ ଛବିଶଟି ଗାଈ ମୃତ୍ୟୁବରଣ କରିଥିଲେ। ଏହା ସେମାନଙ୍କ ବ୍ୟବସାୟ ପ୍ରତି ଏକ ବଡ଼ ଧକ୍କା ଥିଲା। ତେବେ ବି ସେମାନେ ଧୈର୍ଯ୍ୟ ହରାଇ ନ ଥିଲେ। ସେମାନେ ପୁଣି କିଛି ପୁଞ୍ଜି ନିଜର ଏହି ବ୍ୟବସାୟରେ ନିବେଶ କରିଥିଲେ। ଧୀରେ ଧୀରେ ସେମାନଙ୍କ ବ୍ୟବସାୟ ବଢ଼ିବାକୁ ଆରମ୍ଭ କରିଥିଲା।

ସ୍ଥାନୀୟ ଗଣମାଧ୍ୟମର ଏକ ରିପୋର୍ଟ ମୁତାବକ ଓସାମ ଡାଏରିର ଟର୍ନଓଭର ପାଞ୍ଚବର୍ଷ ମଧ୍ୟରେ ୧୦୦ କୋଟିରେ ପହଞ୍ଚି ସାରିଛି। ଏହା ଏବେ ଝାଡ଼ଖଣ୍ଡର ଊଣେଇଶଟି ଜିଲ୍ଲାରେ ନିଜର ବ୍ୟବସାୟ ଜାରି ରଖିଛି। ଏଥିପାଇଁ ୧୪୦ ଡିଷ୍ଟିବ୍ୟୁଟର୍ସ କାମ କରୁଛନ୍ତି। ଏହାବାଦ୍‌ ତିନି ହଜାରରୁ ଅଧିକ ରିଟେଲର୍ସ କମ୍ପାନି ସହ ଜଡ଼ିତ। ମାତ୍ର ଚାରିଜଣ ସାଙ୍ଗ ମିଶି ଆରମ୍ଭ କରିଥିବା ଏହି କମ୍ପାନିରେ ଏବେ ୨୭୦ କର୍ମଚାରୀ କାମ କରୁଛନ୍ତି। କମ୍ପାନି ଏବେ ଯଥେଷ୍ଟ ଆଗକୁ ଆସି ପାରିଛି। ରିପୋର୍ଟ ମୁତାବକ ଅଭିଷେକ ପ୍ରଥମେ ଏଭଳି ଏକ ବ୍ୟବସାୟ ସମ୍ପର୍କରେ ନିଜର ସାଙ୍ଗମାନଙ୍କ ସହ କଥା ହେଇଥିଲେ। ଏମାନେ ସମସ୍ତେ ଭିନ୍ନ ଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନିରେ ଭଲ ଦରମାରେ ଚାକିରି କରୁଥିଲେ ବି ଚାକିରି ଛାଡ଼ିଦେଲେ ଏବଂ ଏହି ବ୍ୟବସାୟରେ ଧ୍ୟାନ ଦେଲେ। ଅଭିନବ, ଅଭିଷେକ ଏବଂ ରାକେଶଙ୍କର ୨୦୦୧ ମସିହାରୁ ପରସ୍ପର ସହ ପରିଚୟ ଥିଲା। ସେମାନେ ରାଞ୍ଚିର ଏକ ଟ୍ୟୁଟୋରିଆଲ୍‌ କ୍ଲାସ୍‌ରେ ପ୍ରଥମ ଥର ପାଇଁ ଭେଟ ହୋଇଥିଲେ। ତେବେ ହର୍ଷ ଆଉ ରାକେଶ ପୁରୁଣା ବନ୍ଧୁ ଥିଲେ। ୧୯୯୭ରେ ସେମାନେ ସ୍ନାତକ ଛାତ୍ର ଥିବା ବେଳେ ଉଭୟଙ୍କର ବନ୍ଧୁତା ଆରମ୍ଭ ହୋଇଥିଲା। ଅଭିନବ ଏକ ଭଲ ପ୍ୟାକେଜ୍‌ରେ ଆର୍ନେଷ୍ଟ୍‌ ଏଣ୍ଡ୍‌ ୟଙ୍ଗ୍‌ କମ୍ପାନିରେ ଚାକିରି ଆରମ୍ଭ କରିଥିଲେ। ସେ ୨୦୧୨ରେ ମ୍ୟାନେଜର୍‌ ଭାବେ ଚାକିରି ଛାଡ଼ିବା ବେଳକୁ ବାର୍ଷିକ ପ୍ରାୟ ୩୨ ଲକ୍ଷ ଟଙ୍କା ପାଉଥିଲେ। ରାକେଶ ଅନ୍ୟ ଏକ କମ୍ପାନିରେ ଚାକିରି କରୁଥିଲେ। ସେ ଏଜିଏମ୍‌ ଭାବେ ଚାକିରି ଛାଡ଼ିବା ବେଳକୁ ବାର୍ଷିକ ପାଉଥିଲେ ପ୍ରାୟ ୧୪ ଲକ୍ଷ। ଅଭିଷେକ ଅନ୍ୟଏକ କମ୍ପାନିରେ ମ୍ୟାନେଜର ଭାବେ ବାର୍ଷିକ ପ୍ରାୟ ୪୦ ଲକ୍ଷ ଟଙ୍କା ପାଉଥିଲେ। ଅବଶ୍ୟ ହର୍ଷ ଠକ୍କର କୌଣସି ଚାକିରି କରି ନ ଥିଲେ। ସେ ନିଜ ବାପାଙ୍କର ବ୍ୟବସାୟ ଦେଖାଶୁଣା କରୁଥିଲେ।

ବ୍ୟବସାୟ ଆରମ୍ଭରେ ପ୍ରତ୍ୟେକ ସାଙ୍ଗ ନିଜର ସଞ୍ଚିତ ଅର୍ଥକୁ ଏକାଠି କଲେ। ପ୍ରଥମେ ଏକ ଏକର ଜମି କିଣିଲେ। ସେଠାରେ ଡାଇରି ଫାର୍ମ ନିର୍ମାଣରେ ତିରିଶ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ବ୍ୟବସାୟ ପାଇଁ କେବଳ ପଇସା ଖର୍ଚ୍ଚ କରିଦେଲେ ଯଥେଷ୍ଟ ହେବ ନାହିଁ, ଏଥିପାଇଁ ପ୍ରଥମେ ସେମାନେ ଉପଯୁକ୍ତ ତାଲିମ ଗ୍ରହଣ କରିଥିଲେ। ଅଭିନବ ଶାହ ଡାଇରି ଫାର୍ମିଂ କୋର୍ସ କରିବାକୁ ଗୋଟେ ମାସ ପାଇଁ କାନପୁର ଯାଇଥିଲେ। ସେଠାରେ ସେ ପାଳିତ ପଶୁଙ୍କ ପରିଚ୍ଛନ୍ନତା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଜ୍ଞାନ ହାସଲ କରିଥିଲେ। ୨୦୨୨ ସୁଦ୍ଧା ବ୍ୟବସାୟକୁ ୫୦୦ କୋଟିରେ ପହଞ୍ଚାଇବା ପାଇଁ କମ୍ପାନି ଲକ୍ଷ୍ୟ ରଖିଛି।
ସତରେ, ଦୃଢ଼ ନିଷ୍ପତ୍ତି, କଠୋର ପରିଶ୍ରମ ଆଉ ପ୍ରତିକୂଳ ପରିସ୍ଥିତିରେ ଧୈର୍ଯ୍ୟ ନ ହରାଇବା ଏଇ ଚାରି ବନ୍ଧୁଙ୍କୁ ଯେପରି ସଫଳତା ଆଣି ଦେଇଛି ତାହା ଉଦାହରଣଯୋଗ୍ୟ ନୁହେଁ କି!

ସମ୍ବନ୍ଧିତ ଖବର