ଝାରସୁଗୁଡ଼ା ପୌରପରିଷଦ ଅଧ୍ୟକ୍ଷ ନିର୍ବାଚନ ସିଧାସଳଖ ଜନତା ଦଳ ଓ କଂଗ୍ରେମ ମଧ୍ୟରେ ହୋଇଥିଲା। ଏଥିରେ କିଶୋର ମହାନ୍ତି ଜନତା ଦଳରୁ ପ୍ରାର୍ଥୀ ହୋଇଥିବା ବେଳେ ବୀରେନ ପାଣ୍ଡେ କଂଗ୍ରେସର ପ୍ରାର୍ଥୀ ହୋଇଥିଲେ। ତୀବ୍ର ପ୍ରତିଦ୍ବନ୍ଦ୍ବିତା ମଧ୍ୟରେ କିଶୋର ବିଜୟୀ ହୋଇଥିଲେ। ସତେବେଳର ସ୍ମୃତିକୁ ମନେ ପକାଇ ଶ୍ରୀ ମହାନ୍ତି କହିଛନ୍ତି , ବିଜୁ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜନତା ଦଳ ତରଫରୁ ସେତେବେଳେ ଆମେ ଦୁଇ ଜଣ ବିଧାୟକ ମୁଁ ଓ ବିଜୟ ରଂଜନ ସିଂହବରିହା ନଗରପାଳ ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିଲୁ। ମୁଁ ଝାରସୁଗୁଡ଼ା ପୌର ପରିଷଦରେ ପୂର୍ବତନ ବିଧାୟକ ବିରେନ ପାଣ୍ଡେଙ୍କ ସହିତ ଲଢ଼େଇ କରି ପ୍ରାୟ ୩ ହଜାର ଭୋଟରେ ବିଜୟୀ ହୋଇଥିଲି। ବିଧାୟକ ଥାଇ ନଗରପାଳ ଭାବରେ ପ୍ରତିଦ୍ବନ୍ଦ୍ବିତା କରିବା ଓ ବିଜୟୀ ହେବା ଏକ ବଡ଼ ଉପଲବ୍ଧି। ସିଧାସଳଖ ନଗରପାଳ ହୋଇ ଲୋକଙ୍କ ପାଇଁ କାମ କରିବା ଓ ତାଙ୍କଠାରୁ ଶ୍ରଦ୍ଧା ପାଇବା ଏକ ବଡ଼ ଅନୁଭୂତି ଥିଲା।’
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ବରିହା ବରଗଡ଼ ଜିଲ୍ଲା ପଦ୍ମପୁର ପୌରପାଳିକାରୁ ସିଧାସଳଖ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।
ତାଳଚେର ମ୍ୟୁନିସିପାଲିଟି: ପୌର ନିର୍ବାଚନରେ ହାରିଥିଲେ ସାଂସଦ
ରାଜନୀତିର ଖଡ଼ି ଛୁଇଁଥିଲେ ପୌର ନିର୍ବାଚନରୁ। କାଉନସିଲର ଭାବେ ଜିତି ତୃଣମୂଳ ସ୍ତରରୁ ଲୋକଙ୍କ ସହ ଯୋଡ଼ି ହୋଇଥିଲେ। ଆଉ ଏହା ହିଁ ରାଜନୀତିରେ ଆଗକୁ ବାଟ କଢାଇନେଲା। ସଫଳତାର ଶିଡ଼ି ସାଜିଲା ଏହି ପୌର ରାଜନୀତି। ଫଳରେ ରାଜନୀତିରେ ସଫଳ ହୋଇପାରିଲେ ମହେଶ ସାହୁ।
ଏବେ ଢେଙ୍କାନାଳ ସାଂସଦ ଥିବା ମହେଶ ସାହୁଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା ପୌର ନିର୍ବାଚନରୁ। ୧୯୯୨ ରେ ସେ ସିଧାସଳଖ ତାଳଚେର ମୁନିସିପାଲିଟି ପୌରାଧ୍ୟକ୍ଷ ନିର୍ବାଚନରେ ବିଜେପି ପକ୍ଷରୁ ପ୍ରତିନ୍ଦ୍ବନ୍ଦ୍ବିତା କରିଥିଲେ ମଧ୍ୟ ସଫଳ ହୋଇ ପାରି ନ ଥିଲେ। କିନ୍ତୁ ପଛକୁ ନ ଫେରିବାର ଇଚ୍ଛାଶକ୍ତି ପାଇଁ ସେ ୧୯୯୫ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରେ ପ୍ରାର୍ଥୀ ହୋଇଥିଲେ। ଆଉ ପ୍ରଥମ ଥର ପାଇଁ ବିଧାୟକ ହୋଇ ବିଧାନସଭାକୁ ଯାଇଥିଲେ ମହେଶ। କାଉନସିଲ ପଦବି ତାଙ୍କୁ ସଂସଦ ପର୍ଯ୍ୟନ୍ତ ବାଟ କଢାଇ ନେଇଥିଲାବେଳେ ସେ ମଧ୍ୟ ଏହାକୁ ସ୍ବୀକାର କରିଛନ୍ତି। କାଉନସିଲର ଭାବେ ଜିତିବା ପରେ ଲୋକଙ୍କ ସହ ସିଧା ସଂପର୍କରେ ଆସିବାର ସୁଯୋଗ ମିଳିଥିଲା। ଲୋକଙ୍କ ଦୁଃଖସୁଖରେ ସାମିଲ ହେବାର ଏହି ଅଭ୍ୟାସ ତାଙ୍କୁ ରାଜନୀତିରେ ସଫଳ କରିଥିବା ମହେଶ ସାହୁ କହିଛନ୍ତି।
କଟକ ମ୍ୟୁନିସିପାଲିଟି: ୪ ହଜାର ଭୋଟରେ ଜିତିଥିଲେ ତ୍ରିଲୋଚନ
୧୯୯୨ରେ ହୋଇଥିବା ଏହି ସିଧାସଳଖ ନିର୍ବାଚନରେ ଜନତାଦଳର ପ୍ରାର୍ଥୀ ଭାବେ ତ୍ରିଲୋଚନ କାନୁନେଗା ବିଜୟୀ ହୋଇ ୧୯୯୫ ପର୍ଯ୍ୟନ୍ତ ନଗରପାଳ ଭାବେ କାର୍ଯ୍ୟ କରିଥିଲେ। ଶ୍ରୀ କାନୁନଗୋ ବିରୋଧରେ ନିର୍ବାଚନରେ କଂଗ୍ରେସରୁ ସୁରେଶ ମହାପାତ୍ର, ବିଜେପିରୁ ଜିଷ୍ଣୁ ରାୟ, କମ୍ୟୁନିଷ୍ଟ ପାର୍ଟିରୁ ଜନାର୍ଦ୍ଦନ ପତି ପ୍ରତିଦ୍ବନ୍ଦ୍ବିତା କରିଥିଲେ। ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ସୁରେଶ ମହାପାତ୍ରଙ୍କୁ ଶ୍ରୀ କାନୁନଗୋ ପାଖାପାଖି ୪ ହଜାର ଭୋଟରେ ପରାସ୍ତ କରିଥିଲେ।