କଥାରେ କୁହାଯାଏ- କେହି କିଛି ନୁହନ୍ତି, ସେଇ ଜଗତସାଇଁ ହିଁ ସବୁକିଛି। ଗୋଟିଏ ଲୋକପ୍ରିୟ ଓଡ଼ିଆ ସିନେମା ଗୀତରେ ମଧ୍ୟ ଏ କଥାଟି କୁହାଯାଇଛି। ଗୀତଟିର ଗୋଟିଏ ଅଂଶ ହେଉଛି- “କେତେ, ମଜା ଏ ଦୁନିଆ ଭାଇ / କେତେ ମଜା ଏ ଦୁନିଆ / ...ରଥ କହେ ମୁଁ ଦେବତା / ପଥ କହେ ସେ ଦେବତା / ରଥ ପଥ କିଛି ନାହିଁ / ସବୁ ସେ ଜଗତସାଇଁ...।”
କିନ୍ତୁ ଏ କଥାଟି ଏବର ନୁହେଁ। ଖ୍ରୀଷ୍ଟପୂର୍ବ ୧୦୦ରୁ ଖ୍ରୀଷ୍ଟୀୟ ୨୦୦ ମଧ୍ୟର କଥା। ସେହି ସମୟର ଗୋଟିଏ ପ୍ରସିଦ୍ଧ ବୌଦ୍ଧଗ୍ରନ୍ଥ ହେଉଛି ‘ମିଳିନ୍ଦ ପହ୍ନ’। ପାଲି ଭାଷାର ଏହି ନାମର ଅର୍ଥ- ‘ମିଳିନ୍ଦ ପ୍ରଶ୍ନ’।
ମିଳିନ୍ଦ ସେ ସମୟର ଜଣେ ରାଜା। ତାଙ୍କ ରାଜତ୍ୱ କାଳରେ ଜଣେ ପ୍ରସିଦ୍ଧ ବୌଦ୍ଧଭିକ୍ଷୁ ଥିଲେ ନାଗସେନ। ସେ ଥିଲେ ଅତ୍ୟନ୍ତ ବିଦ୍ୱାନ। ମିଳିନ୍ଦ ଓ ନାଗସେନଙ୍କ କଥୋପକଥନ ମଧ୍ୟରେ ଅଛି ରଥତତ୍ତ୍ୱର ଏକ ସୁନ୍ଦର ବ୍ୟାଖ୍ୟା।
ଦିନେ ନାଗସେନଙ୍କ ନିକଟକୁ ଆସି ରାଜା ପଚାରିଲେ- ନାଗସେନ କିଏ? ନାଗସେନ କହିଲେ- ନାଗସେନ କେବଳ ଗୋଟିଏ ଧ୍ୱନି ବା ଶବ୍ଦ। କେବଳ ଗୋଟିଏ ନାମ।
ତା’ ପରେ ନାଗସେନ ପଚାରିଲେ- ଆପଣ ଏଠାକୁ କିପରି ଆସିଲେ? ରାଜା ଉତ୍ତର ଦେଲେ- ରଥରେ। ସେଇଠୁ ନାଗସେନ ପଚାରିଲେ- ରଥ କ’ଣ? ରଥର ଚକ କ’ଣ ରଥ? ରଥର ଅଖ କ’ଣ ରଥ? ରଥର ଲଗାମ କ’ଣ ରଥ? ରଥର ଆସନ କ’ଣ ରଥ? ରଥର ଧ୍ୱଜଦଣ୍ଡ କ’ଣ ରଥ? ଅଲଗା ଅଲଗା ଭାବରେ ଏସବୁ କ’ଣ ରଥ; ନା ଏ ସବୁକୁ ଏକାଠି କଲେ ଯାହା ହୁଏ, ତାହା ରଥ?
ରାଜା ଏଥର ବୁଝିଗଲେ, ଯେ- ଏହି ଭିନ୍ନ ଭିନ୍ନ ଅଙ୍ଗ ଉପରେ ରଥ ନିର୍ଭର କରେ; କିନ୍ତୁ ଏସବୁ ରଥ ନୁହେଁ। ରଥ କେବଳ ଗୋଟିଏ ନାମ। ଗୋଟିଏ ଭାବଧାରା।
ସେଇଠୁ ନାଗସେନ ତାଙ୍କର ଶେଷ କଥାଟି କହିଲେ- ରଥ ଯେମିତି, ନାଗସେନ ବା ମିଳିନ୍ଦ ମଧ୍ୟ ସେମିତି! କେବଳ ଗୋଟିଏ ଗୋଟିଏ ନାମ। ଗୋଟିଏ ଗୋଟିଏ ଭାବଧାରା। ସେମିତି ସବୁ ମନୁଷ୍ୟ ବା ପ୍ରାଣୀ। ସେମାନେ ପଞ୍ଚ ସ୍କନ୍ଧ (ପଞ୍ଚ ମହାଭୂତ)ରେ ଗଢ଼ା। କିନ୍ତୁ ପଞ୍ଚ ମହାଭୂତ ପୃଥକ୍ପୃଥକ୍ ଭାବରେ ସେହି ପ୍ରାଣୀ ନୁହନ୍ତି।
ସେଇଥିପାଇଁ କୁହାଯାଇଛି- ରଥ ପଥ କିଛି ନାହିଁ। ଆମେ କେବଳ ନାମ ମାତ୍ର। ସେଇ ଜଗତସାଇଁ ଶ୍ରୀଜଗନ୍ନାଥ ହିଁ ସବୁକିଛି।
ଜୀବନ-ମନ୍ତ୍ର: ରଥ ପଥ କିଛି ନାହିଁ, ସେଇ ଜଗତସାଇଁ ଶ୍ରୀଜଗନ୍ନାଥ ହିଁ ସବୁକିଛି
/sambad/media/post_attachments/wp-content/uploads/2022/06/dghsdgggggggggggggggggggggggg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)