ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ର ସାରଥି ‘ଅର୍ଜୁନ’

ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ରଥର ସାରଥି ହେଉଛନ୍ତି ‘ଅର୍ଜୁନ’। ଦର୍ପଦଳନର ଅନ୍ୟ ନାମ ‘ଦେବଦଳନ’। ଏହାର ରଥ ଆବରଣ କୃଷ୍ଣ-ଲୋହିତ। ଏଥିରେ କୃଷ୍ଣ ହେଉଛି କଳାରଙ୍ଗ। ଏଣୁ ଦେବୀ ସୁଭଦ୍ରାଙ୍କ ରଥର ରଙ୍ଗ କଳା ଓ ଲାଲ। ଲାଲ ସବୁ ରଥର ସାଧାରଣ ରଙ୍ଗ। ଏଣୁ ଏହି ରଥରେ କଳା ହିଁ ମୁଖ୍ୟ ରଙ୍ଗ। ସେଥିପାଇଁ ‘ଦର୍ପଦଳନ’ ରଥର ସାରଥି ‘ଅର୍ଜୁନ’ କଳା ରଙ୍ଗର ପୋଷାକ ପରିଧାନ କରିଥାନ୍ତି।

ଅର୍ଜୁନ ଏକ ପ୍ରସିଦ୍ଧ ପୌରାଣିକ ଚରିତ୍ର। ‘ମହାଭାରତ’ରେ ମଧ୍ୟମପାଣ୍ଡବ ଭାବରେ ସେ ସୁଖ୍ୟାତ। କିନ୍ତୁ ଅର୍ଜୁନ କାହିଁକି ଶ୍ରୀଗୁଣ୍ଡିଚା ରଥଯାତ୍ରାରେ ସୁଭଦ୍ରାଙ୍କ ରଥର ସାରଥି ହୋଇଛନ୍ତି, ସେ ସଂପର୍କରେ ବିଶେଷ ପୌରାଣିକ ଉଲ୍ଲେଖ ମିଳେ ନାହିଁ। ସଂପର୍କରେ ଅର୍ଜୁନ ହେଉଛନ୍ତି ଶ୍ରୀକୃଷ୍ଣଙ୍କର ଭଗ୍ନୀପତି। କାରଣ ‘ମହାଭାରତ’ ଅନୁସାରେ, ରୈବତକ ପର୍ବତକୁ ଗୌରୀପୂଜା କରିବାପାଇଁ ସୁଭଦ୍ରା ଯାଇଥିବା ବେଳେ ଅର୍ଜୁନ ତାଙ୍କୁ ଅପହରଣ କରିନେଇ ବିବାହ କରିଥିଲେ। ନିଜ ଭଉଣୀର ଏ ଅପହରଣ ପଛରେ ଶ୍ରୀକୃଷ୍ଣଙ୍କର ସମ୍ମତି ଥିଲା। ଅର୍ଜୁନ ଶ୍ରୀଗୁଣ୍ଡିଚା ଯାତ୍ରାରେ ସୁଭଦ୍ରାଙ୍କ ରଥର ସାରଥି ହେବାର ସୂତ୍ର ଏ ଉପାଖ୍ୟାନ ସହ ସଂପର୍କିତ ବୋଲି ଅନୁମିତ ହୁଏ। ସୁଭଦ୍ରା ଗୌରୀପୂଜା କରିବାପାଇଁ ରୈବତକ ପର୍ବତକୁ ଯାଇଥିଲେ ଶ୍ରୀକୃଷ୍ଣଙ୍କ ରଥରେ। ତାହାର ସାରଥି ଥିଲେ ଦାରୁକ। ସେ ଥିଲେ ଅତ୍ୟନ୍ତ କୃଷ୍ଣ ଭକ୍ତ। ତେଣୁ ସୁଭଦ୍ରା ହରଣକୁ ସେ ସମର୍ଥନ କରି ପାରି ନଥିଲେ। ରଥ ଚଳାଇବାକୁ ମନା କରିଦେଇଥିଲେ। ଅର୍ଜୁନଙ୍କୁ ସେ କହିଥିଲେ- ମୁଁ ଯାଦବଙ୍କ ବିରୋଧରେ ରଥଚାଳନା କରିବି ନାହିଁ। ମୋତେ ପ୍ରଥମେ ବନ୍ଧନ କରନ୍ତୁ ଏବଂ ତା’ପରେ ଆପଣଙ୍କର ଯାହା ଇଚ୍ଛା କରନ୍ତୁ।

ସେହି ଅପହରଣ ସମୟରେ ରଥର ତଥା ସୁଭଦ୍ରାଙ୍କର ସୁରକ୍ଷାପାଇଁ ଆସିଥିବା ଯାଦବସେନାଙ୍କ ସହିତ ଅର୍ଜୁନଙ୍କର ଯୁଦ୍ଧ ହୋଇଥିଲା। ତେଣୁ ସେତେବେଳେ ସୁଭଦ୍ରା ହିଁ ସାରଥି ଭାବରେ ରଥ ଚଳାଇ ଅର୍ଜୁନଙ୍କୁ ସେଥିରେ ସହଯୋଗ କରିଥିଲେ। ଏଣୁ ମନେହୁଏ, କଳିଯୁଗରେ ଦେବୀ ସୁଭଦ୍ରାଙ୍କ ରଥର ସାରଥି ହୋଇ ଅର୍ଜୁନ ଦ୍ୱାପର ଯୁଗର ସେହି ଋଣ ସତେଯେପରି ପରିଶୋଧ କରୁଛନ୍ତି।

ସମ୍ବନ୍ଧିତ ଖବର