ଜୀବନ-ମନ୍ତ୍ର: କାଳକାଳ ଚାରମାଳ

କଥିତ ଅଛି, “ଫଳେଷୁ ତାଳୋ ନଳୀନୀଷୁ ପମ୍ପା”। ସରୋବରମାନଙ୍କ ମଧ୍ୟରେ ପମ୍ପା ସରୋବର ଶ୍ରେଷ୍ଠ ଭାବରେ ବିବେଚିତ ହେଲାବେଳେ, ବୃକ୍ଷମାନଙ୍କ ମଧ୍ୟରେ ରସାଳ ଫଳଧାରୀ ତାଳ ଶ୍ରେଷ୍ଠ। ଏହି ବୃକ୍ଷର ପ୍ରତ୍ୟେକ ଅଂଶ ମନୁଷ୍ୟର କାର୍ଯ୍ୟରେ ବ୍ୟବହୃତ ହେଉଥିବାରୁ ଏହାକୁ ବିଶେଷ ମର୍ଯ୍ୟାଦା ଦିଆଯାଇଥାଏ। ଏହି ବୃକ୍ଷ ଯେପରି ଦୀର୍ଘଜୀବୀ ସେହିପରି ଏହାର ପ୍ରତ୍ୟେକ ଅଂଶ ଦୀର୍ଘଦିନ ଦମ୍ଭ ରହୁଥିବାରୁ ବହୁ ବ୍ୟବହାର୍ଯ୍ୟ ସାମଗ୍ରୀପାଇଁ ଏହା ବିନିଯୋଗ କରାଯାଇଥାଏ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାରେ ମଧ୍ୟ ତାଳଗଛର ବ୍ୟବହାର ସର୍ବାଧିକ। ତାଳ ବରଡ଼ାର ଦାରୁଗୃହଠାରୁ ଆରମ୍ଭ କରି ତାଳପତ୍ର ଭୋଗେଇ ପର୍ଯ୍ୟନ୍ତ। ଏସବୁ ଭିତରେ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ ମହାପ୍ରଭୁଙ୍କର ଚାରମାଳ। ସ୍ନାନ ଓ ରଥଯାତ୍ରା ଅବସରରେ ମହାପ୍ରଭୁ ରତ୍ନସିଂହାସନରେ ବା ରଥରେ ଆରୋହଣ ବା ଅବରୋହଣ କରିବା ନିମିତ୍ତ ଏକ ଶିଡ଼ି ବା ଗଡ଼ା ବା ଖସଡ଼ାର ଆବଶ୍ୟକତା ପଡ଼ିଥାଏ। ଶ୍ରୀମନ୍ଦିର ଭାଷାରେ ଏହାକୁ ‘ଚାରମାଳ’ କୁହାଯାଏ। ଊର୍ଦ୍ଧ୍ୱଭୂମି ସହିତ ନିମ୍ନଭୂମିକୁ ଏହା ସଂଯୋଗ କରିଥାଏ। ‘ଚାର’ର ଅର୍ଥ ହେଉଛି ଦୂତ, ମଧ୍ୟସ୍ଥି ବା ସଂଯୋଜକ। ଏଗୁଡ଼ିକ ଧାଡ଼ିଧାଡ଼ି ହୋଇ ବନ୍ଧା ହୋଇଥିବାରୁ, ଏହାକୁ ଚାରମାଳ କୁହାଯାଏ। ଏଥିରେ ତାଳଗଛର ମୋଟା ଗଡ଼ ସହିତ ତାଳ ବତାଗୁଡ଼ିକ ଧାଡ଼ିଧାଡ଼ି ହୋଇ ବନ୍ଧା ହୋଇଥାଏ।

ତିନିରଥ ପାଇଁ ତିନୋଟି ଚାରମାଳ ପ୍ରସ୍ତୁତ ହୁଏ। ନନ୍ଦିଘୋଷ ନିମିତ୍ତ ୧୬ ହାତର, ତାଳଧ୍ୱଜ ନିମିତ୍ତ ୧୪ ହାତର ଓ ଦେବୀ ସୁଭଦ୍ରାଙ୍କ ରଥ ନିମିତ୍ତ ୧୨ହାତ ଲମ୍ବର ଚାରମାଳ ନିର୍ମିତ ହୋଇଥାଏ। ଏହାର ଓସାର ପ୍ରାୟ ଆଠଫୁଟ ହୋଇଥାଏ। ଚାରିଟି ଗୋଟାଳିଆ କାଠଗଣ୍ଡି କର୍ଣ୍ଣ ଆକାରରେ ଥାଏ, ଯାହାକୁ ମାଲ କୁହାଯାଏ। ତା’ଉପରେ ତାଳ ବତାଗୁଡ଼ିକ ନଡ଼ିଆକତା ଦଉଡ଼ିରେ ବନ୍ଧାଯାଇଥାଏ। ଏହା ଉପର ଦେଇ ପ୍ରଭୁ ଆରୋହଣ ଓ ଅବରୋହଣ କରନ୍ତି। ସିଂହାସନରୁ ଅବରୋହଣ ଓ ସିଂହାସନକୁ ଆରୋହଣ ନିମିତ୍ତ ଯେଉଁ ଚାରମାଳ ବନ୍ଧାଯାଏ, ତାକୁ କୋଠସୁଆଁସିଆ ସେବକମାନେ ବାନ୍ଧୁଥିବାବେଳେ, ବାହାର ରଥର ଚାରମାଳ ଭୋଇ ସେବକମାନେ ବାନ୍ଧିଥାନ୍ତି।
ଏହି ଚାରମାଳର ବିଶେଷତ୍ୱ ହେଉଛି- ତାଳବତାଗୁଡ଼ିକ ମହାପ୍ରଭୁଙ୍କର ନବକଳେବର ବେଳେ ନିର୍ମିତ ହୋଇଥାଏ ଏବଂ ପରବର୍ତ୍ତୀ ନବକଳେବର ପର୍ଯ୍ୟନ୍ତ ସାଇତା ହୋଇ ରହେ। ଯେପରି ଭାବରେ ରଥର ଦେବଦେବୀମାନେ ନବକଳେବର ବେଳେ ନୂତନ ଭାବରେ ନିର୍ମିତ ହୋଇଥାନ୍ତି, ସେହିପରି, ଚାରମାଳ ମଧ୍ୟ ନୂତନ ଭାବରେ ନିର୍ମିତ ହୋଇଥାଏ। ଏହାହିଁ ଏହାର ବିଶେଷତ୍ୱ। ରଥର ଊର୍ଦ୍ଧ୍ୱଭୂମି ଓ ରଥଦାଣ୍ଡର ନିମ୍ନଭୂମି ମଧ୍ୟରେ ସଂଯୋଗସେତୁ ହେଉଛି ମହାପ୍ରଭୁଙ୍କର ଏହି ପବିତ୍ର ଚାର।
– ଡକ୍ଟର ତୁଳସୀ ଓଝା

‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :-
[email protected]

ସମ୍ବନ୍ଧିତ ଖବର