ଦଶ ମହାବିଦ୍ୟା ହେଉଛନ୍ତି ଦେବୀଙ୍କର ଦଶବିଧ ରୂପ। ଏହା ଦେବୀଙ୍କର ଦଶ ମୂର୍ତ୍ତି। ଦଶ ମହାଶକ୍ତି। ଏହା ପଛରେ ରହିଛି ନିର୍ଦ୍ଦିଷ୍ଟ ପୌରାଣିକ ଉପାଖ୍ୟାନ। ଦକ୍ଷ ପ୍ରଜାପତିଙ୍କ ଯଜ୍ଞ ଆୟୋଜନ ସମୟର କଥା। ପୂର୍ବେ ଥରେ ତାଙ୍କୁ ଉପଯୁକ୍ତ ସମ୍ମାନ ଦେଖାଇ ନଥିବାରୁ, ସେହି ଯଜ୍ଞକୁ ଦକ୍ଷ ପ୍ରଜାପତି ନିଜର ଜାମାତା ଶିବଙ୍କୁ ନିମନ୍ତ୍ରଣ କରି ନଥିଲେ। ତାହା ସତ୍ତ୍ୱେ ସତୀ ପିତାଙ୍କ ଯଜ୍ଞକୁ ଯିବାକୁ ଚାହିଁଲେ। କିନ୍ତୁ ଶିବ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଲେ। ସତୀ ଯୁକ୍ତି କଲେ, ବିନା ନିମନ୍ତ୍ରଣରେ ଶଶୁର ଘରକୁ ଜ୍ୱାଇଁ ଯିବା ହୁଏତ ଠିକ୍ ନୁହେଁ; କିନ୍ତୁ ପିତାଙ୍କ ଘରକୁ ଝିଅ ଯିବାରେ ଅସୁବିଧା କେଉଁଠି? ଶିବ ତଥାପି ତାଙ୍କୁ ମନା କରିବାରୁ ସେ କୁପିତା ହେଲେ। ଭାବିଲେ, ପତ୍ନୀ ହେଲେ ମଧ୍ୟ ସେ ଅଣାକାର ବ୍ରହ୍ମମୟୀ ମହାପ୍ରକୃତି। ଶିବ ସ୍ୱାମୀ ହେଲେ ବୋଲି କ’ଣ ତାଙ୍କୁ ଏପରି ସୀମିତ ଓ ନିୟନ୍ତ୍ରିତ କରିବେ? ତାଙ୍କର ଏ ଦାମ୍ଭିକତା ଚୂର୍ଣ୍ଣ କରିବାକୁ ପଡ଼ିବ।
ଫଳରେ, କ୍ଷଣକ ମଧ୍ୟରେ ସତୀଙ୍କର କମନୀୟ କାନ୍ତି ଅପସରି ଗଲା। ସେ ପରିଣତ ହେଲେ ଉଗ୍ରମୂର୍ତ୍ତି କାଳୀରେ। ତାଙ୍କର ସେହି ରୂପ ଦେଖି ଶିବ ଭୟଭୀତ ହେଲେ। ଆତ୍ମରକ୍ଷା କରି ସେଠାରୁ ପଳାଇଯିବାକୁ ଉଦ୍ୟମ କରିବାରୁ, ଦେବୀ ଭିନ୍ନ ଭିନ୍ନ ରୂପ ଧରି ଦଶଦିଗକୁ ଆଚ୍ଛନ୍ନ କରି ରଖିଲେ। ଫଳରେ ଅନ୍ୟ ଉପାୟ ନପାଇ ଶିବ ଗୋଟିଏ ସ୍ଥାନରେ ସମର୍ପଣ ମୁଦ୍ରାରେ ବସି ରହିଲେ। ତାହା ଦେଖି ଏକ ଜ୍ୟୋତିର୍ମୟୀ ଦିବ୍ୟ ନୀଳମୂର୍ତ୍ତିରେ ସତୀ ତାଙ୍କ ସମ୍ମୁଖରେ ଆବିର୍ଭୂତା ହେଲେ। ତାଙ୍କୁ ସେହି ରୂପରେ ଚିହ୍ନି ନପାରି ଶିବ ପ୍ରଶ୍ନ କଲେ- ହେ ଦେବି! ତୁମେ କିଏ? ଦେବୀ କହିଲେ- ଭୟ କରନାହିଁ; ମୁଁ ତୁମର ପତ୍ନୀ ସତୀ।
ଏହିପରି ଭାବରେ, ଶିବଙ୍କର ପଥରୋଧ କରିବା ପାଇଁ ଦେବୀ ଯେଉଁ ଦଶରୂପ ଧାରଣ କରିଥିଲେ, ସେହି ଦଶ ରୂପ ହେଉଛନ୍ତି ଦଶମହାବିଦ୍ୟା। କାଳୀ ସେମାନଙ୍କ ମଧ୍ୟରେ ପ୍ରଥମା। ସେ ପ୍ରକଟ ହୋଇଥିଲେ ଉତ୍ତର ଦିଗରେ। ସେହିପରି, ଊର୍ଦ୍ଧ୍ୱରେ ତାରା, ପୂର୍ବରେ ଛିନ୍ନମସ୍ତା, ପଶ୍ଚିମରେ ଭୁବନେଶ୍ୱରୀ, ଦକ୍ଷିଣରେ ବିମଳା, ଅଗ୍ନିକୋଣରେ ଧୂମାବତୀ, ନୈଋତ କୋଣରେ ଷୋଡ଼ଶୀ, ବାୟୁ କୋଣରେ ମାତଙ୍ଗୀ, ଐଶାନ୍ୟକୋଣରେ କମଳା ଏବଂ ଅଧୋଦେଶରେ ଭୈରବୀ ରୂପରେ ସେ ଆବିର୍ଭୂତା ହୋଇଥିଲେ।
ଏଣୁ ଏହା ଦେବୀଙ୍କର ଦଶଟି ଭିନ୍ନଭିନ୍ନ ମୂର୍ତ୍ତି ହେଲେ ମଧ୍ୟ, ସେ ମୂଳତଃ ଏକ।