ଜୀବନ-ମନ୍ତ୍ର: ଲକ୍ଷ୍ମୀଙ୍କ ଜନ୍ମ ଓ ଜନ୍ମମାସ

ଦେବୀ ଲକ୍ଷ୍ମୀ ସାଗର ଦୁଲଣୀ। କାରଣ, ସମୁଦ୍ର ମନ୍ଥନରୁ ସେ ଜାତ ହୋଇଥିଲେ। କିନ୍ତୁ ତାହା କ’ଣ ତାଙ୍କର ଏକମାତ୍ର ଜନ୍ମ?
ଏ ପ୍ରଶ୍ନର ଗୋଟିଏ ଉତ୍ତର ଆମେ ପାଉ ପୀତାମ୍ବର ଦାଶ ବିରଚିତ ‘ନୃସିଂହ ପୁରାଣ’ରୁ। ସେଥିରେ ଶୁକମୁନି ପରୀକ୍ଷିତ ରାଜାଙ୍କୁ ଲକ୍ଷ୍ମୀଙ୍କର ପ୍ରଥମ ଜନ୍ମ ଓ ଜନ୍ମମାସ ସଂପର୍କରେ କହିଛନ୍ତି।
ତାହା ଅନୁସାରେ- ଶ୍ରୀ ବା ଲକ୍ଷ୍ମୀ ଦେବୀ ପ୍ରଥମେ ଭୃଗୁଙ୍କଠାରୁ ଜାତ ହୋଇଥିଲେ। ବ୍ରହ୍ମାଙ୍କ ନିର୍ଦ୍ଦେଶରେ କଶ୍ୟପ ପ୍ରଜାପତି ଯେଉଁ ସୃଷ୍ଟି କଲେ, ସେହି ସୃଷ୍ଟିର ଜୀବକୁଳଙ୍କ ପାଇଁ ଅନ୍ନର ବ୍ୟବସ୍ଥା କରିବା ପାଇଁ ହିଁ ତାଙ୍କର ଆବିର୍ଭାବ ଘଟିଥିଲା।
ଭୃଗୁ ହେଉଛନ୍ତି ବ୍ରହ୍ମାଙ୍କର ଏକ ମାନସ ପୁତ୍ର ଏବଂ ଅନ୍ୟତମ ପ୍ରଜାପତି। ବାଲ୍ୟକାଳରୁ ଜ୍ଞାନସାଧନା ତାଙ୍କର ଥିଲା। ତାଙ୍କର ଚିନ୍ତା ଥିଲା- ଜୀବକୁଳ ତ ସୃଷ୍ଟି ହୋଇଗଲେ; ତାଙ୍କ ପାଇଁ ଅନ୍ନର ବ୍ୟବସ୍ଥା କିପରି ହେବ? ଏଥିପାଇଁ ସେ ପରଂବ୍ରହ୍ମଙ୍କୁ ଧ୍ୟାନ କଲେ। ସେହି ଧ୍ୟାନରେ ତାଙ୍କୁ ଏକ ଜ୍ୟୋତିପୁଞ୍ଜ ଦେଖାଗଲା। ସେ ତାଙ୍କୁ ସ୍ତ୍ରୀ ଓ ପୁରୁଷ ଦୁଇରୂପ ଧାରଣ କରିବାକୁ ଅନୁରୋଧ କଲେ ଏବଂ ସ୍ତ୍ରୀ ରୂପରେ ଲକ୍ଷ୍ମୀ ଜାତ ହେଲେ। ‘ନୃସିଂହ ପୁରାଣ’ ଅନୁସାରେ, ସେ କହିଲେ-
“ଏହି ଶରୀର ମଧ୍ୟରୁ ଶିରୀ ଜାତ କର
ବ୍ରହ୍ମାଣ୍ଡ ଯାକରେ ମିଳୁ ପ୍ରାଣୀଙ୍କୁ ଆହାର।”
ଫଳରେ ଶ୍ରୀ ବା ଲକ୍ଷ୍ମୀ ଜନ୍ମ ହେଲେ। ଲକ୍ଷ୍ମୀଙ୍କର ସେହି ଜନ୍ମ ମାସ ହେଉଛି- ବିଛା ମାସ ବା ମାର୍ଗଶିର। ସେହି ମାସର ଶୁକ୍ଳ ଦଶମୀ ତିଥି, ଗୁରୁବାର, ସୁଦଶାବ୍ରତ ଦିନ ସେ ଜନ୍ମଗ୍ରହଣ କରିଥିଲେ। ‘ନୃସିଂହ ପୁରାଣ’ରେ ଏ ସଂପର୍କରେ ଉଲ୍ଲେଖ ଅଛି-
“ଶୁକଳ ଦଶମୀ ବିଛା ମାସ ଗୁରୁବାରେ
ଉପୁଜିଲେ ମହାଲକ୍ଷ୍ମୀ ସୁଦଶା ବ୍ରତରେ।”
ଜନ୍ମ ହେବା ପରେ, ସେ ଯାଇ ଭୃଗୁଙ୍କ କୋଳରେ ବସିଲେ। ତାହାଙ୍କ ଫଳରେ ସମସ୍ତ ପ୍ରାଣୀ ଶ୍ରୀ ଭୋଗ କଲେ। ବ୍ରହ୍ମା ଭୂମିରେ ଯେତେ ଫଳର ସର୍ଜନା କରିଥିଲେ, ମହାଲକ୍ଷ୍ମୀ ସେମାନଙ୍କୁ ଚାହିଁ ଦେବାରୁ, ସେଥିରୁ ଅମୃତତୁଲ୍ୟ ରସ ଝରିଲା। ଅନେକ ଧନର ଉତ୍ପତ୍ତି ହେଲା। କେବଳ ଏତିକି ନୁହେଁ, ଦେବୀ ଲକ୍ଷ୍ମୀଙ୍କ ସେହି ସୁଦୃଷ୍ଟିରୁ ସମସ୍ତ ଖାଦ୍ୟ ଦ୍ରବ୍ୟ ମଧ୍ୟ ସୃଷ୍ଟିହେଲା।
ଏ ସଂପର୍କରେ ‘ନୃସିଂହପୁରାଣ’ରେ କୁହାଯାଇଛି-
“ସମସ୍ତେ ଭୁଞ୍ଜିଲେ ଠାବେ ଠାବେ କୃଷି କରି।
ସର୍ବଦା ସଞ୍ଚିଲେ ଜୀବ ପାଇଁ ଏହି ଶିରୀ।ା
‘ନୃସିଂହ ପୁରାଣ’ରେ ମଧ୍ୟ
ଏ ସଂପର୍କରେ ଉଲ୍ଲେଖ ଅଛି-
“ବ୍ରହ୍ମୁ କୀଟ ପରିଯନ୍ତେ ଖାଇ ହେଲେ ତୋଷ।”

ସମ୍ବନ୍ଧିତ ଖବର