ଜୀବନ-ମନ୍ତ୍ର: ରମ୍ଭା ଓ ରମ୍ଭାତୃତୀୟା ବ୍ରତ କଥା

ଅପ୍‌ସରା ଶବ୍ଦଟି ଉଚ୍ଚାରଣ କରିବା ମାତ୍ରେ ଆଖି ଆଗରେ ନାଚି ଉଠେ ଏକ ଲାବଣ୍ୟମୟୀ ପ୍ରତିମା; ସ୍ୱର୍ଗ ରାଜ୍ୟର ଅଧିବାସିନୀ। ଗାନ୍ଧର୍ବକଳାରେ ନିପୁଣା ବୋଲି ସେମାନେ ଯେତିକି ସମ୍ମାନନୀୟା, କାମକଳାର କୁଶଳତାରେ ଦେବତାମାନଙ୍କର ଅଙ୍କଶାୟିନୀ ହୋଇ ଦେବଗଣିକା ଭାବେ ସେତିକି ଅପଖ୍ୟାତା। ତଥାପି ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଦିବ୍ୟଜନ୍ମ ଓ ନିଷ୍ଠାପର ତପସ୍ୟା ସେମାନଙ୍କୁ ଚିରବନ୍ଦନୀୟା କରିଛି। ସେମିତି ଜଣେ ଅପ୍‌ସରା- ରମ୍ଭା। ସମୁଦ୍ର ମନ୍ଥନରୁ ଜାତ ଚଉଦରତ୍ନଙ୍କ ମଧ୍ୟରୁ ଜଣେ ଥିଲେ ଦେବୀ ରମ୍ଭା। ସ୍ୱର୍ଗ ରାଜ୍ୟର ଶ୍ରେଷ୍ଠ ଅପ୍‌ସରା। ଅପ୍‌ସରାମାନେ ସାଧାରଣତଃ ଦେବରାଜ ଇନ୍ଦ୍ରଙ୍କ ହସ୍ତର କ୍ରୀଡ଼ାପୁତ୍ତଳିକା। ଇନ୍ଦ୍ରଙ୍କ ପ୍ରରୋଚନାରେ ସେମାନେ ବାରମ୍ବାର ମର୍ତ୍ତ୍ୟଲୋକକୁ ଆସି ମୁନିମାନଙ୍କର ତପସ୍ୟା ଭଙ୍ଗ କରନ୍ତି ଏବଂ ମୁନିମାନଙ୍କ ଦ୍ୱାରା ଅଭିଶପ୍ତ ହୋଇ କଷଣ ଭୋଗ କରନ୍ତି। ରମ୍ଭା ମଧ୍ୟ ସେହିପରି ମୁନି ବିଶ୍ୱାମିତ୍ରଙ୍କ ଦ୍ୱାରା ଅଭିଶପ୍ତ ହୋଇ ହଜାରେ ବର୍ଷ ପର୍ଯ୍ୟନ୍ତ ଶିଳାରେ ପରିଣତ ହୋଇଥିଲେ।

କିନ୍ତୁ ରମ୍ଭା ଥିଲେ ଅନନ୍ୟା। ସେହି ଶରୀର ନେଇ ସେ ଶିବ ଆରାଧନାରେ ମଗ୍ନ ରହିଲେ। ତାର ଫଳସ୍ୱରୂପ ଶ୍ୱେତମୁନିଙ୍କ କୃପାରୁ ବାୟବାସ୍ତ୍ରରେ ସଂଯୁକ୍ତ ହୋଇ କପିତୀର୍ଥରେ ପଡ଼ି ନିଜ ସ୍ୱରୂପ ଫେରିପାଇଲେ ଏବଂ ପୌଲସ୍ତ୍ୟ କୁବେରଙ୍କର ଅନୁକମ୍ପା ଲାଭ କରି କୁବେରଙ୍କର ଅଳକାପୁରୀରେ ବାସକଲେ। ଏକଦା କୁବେରପୁତ୍ର ନଳକୁବେରଙ୍କର ନିମନ୍ତ୍ରଣରେ ତାଙ୍କ ପୁରକୁ ଯାତ୍ରା କଲାବେଳେ ଦୁରାଚାରୀ ରାବଣଦ୍ୱାରା ସେ ଲୁଣ୍ଠିତା ହେଲେ। ସେଥିରେ ରମ୍ଭା ଅତ୍ୟନ୍ତ ମର୍ମାହତ ହୋଇ ନଳକୁବେରଙ୍କୁ ଜଣାଇବାରୁ, ନଳକୁବେର ରାବଣକୁ ଅଭିଶାପ ଦେଲେ, “କାମପୀଡ଼ିତ ହୋଇ ସେ ଯଦି କୌଣସି ସ୍ତ୍ରୀକୁ ତାର ଇଚ୍ଛା ବିରୋଧରେ ରମଣ କରେ, ତେବେ ତାର ମସ୍ତକ ସାତଖଣ୍ଡରେ ବିଭକ୍ତ ହୋଇଯିବ।” ଏହି ଅଭିଶାପ ପାଇଥିବାରୁ ରାବଣ ତାହା ପରେ କୌଣସି ନାରୀ ଉପରେ ଅତ୍ୟାଚାର କରି ନଥିଲା ଏବଂ ସେହି ହେତୁ ସୀତାଙ୍କୁ ସ୍ପର୍ଶ କରିବାକୁ ସାହସ ମଧ୍ୟ କରିନଥିଲା।

ଏଣୁ ରମ୍ଭା ଦେବଗଣିକା ହେଲେ ମଧ୍ୟ, ନିଜର ସତ୍ୟବାଦିତା, ବିନମ୍ରତା ଓ ସାଧୁତା ହେତୁ ଚିରବନ୍ଦ୍ୟା ହେଲେ। ସମଗ୍ର ନାରୀ ସମାଜର ଆଦର୍ଶ ଓ ରକ୍ଷାକାରିଣୀ ଭାବରେ ତ୍ରେତୟାରେ ସେ ଯେଉଁ ସମ୍ମାନର ଅଧିକାରିଣୀ ଥିଲେ- ଆଜି ମଧ୍ୟ ବିବାହିତାମାନେ ନିଜର ପତିପାଇଁ ଓ ଅବିବାହିତାମାନେ ନିଜର ଭାବୀପତି ପାଇଁ ରମ୍ଭାତୃତୀୟା ତିଥିରେ ତାଙ୍କୁ ପୂଜା କରି, ବ୍ରତ ରଖି, ଆଶୀର୍ବାଦ ଭିକ୍ଷା କରିଥାନ୍ତି। କେତେକ ସ୍ଥାନରେ ପବିତ୍ର ରମ୍ଭା (କଦଳୀ) ବୃକ୍ଷକୁ ଫୁଲଚନ୍ଦନ ଓ ଧୂପଦୀପ ଦେଇ ବନ୍ଦାପନା କରିବାର ବିଧି ମଧ୍ୟ ପ୍ରଚଳିତ। ଏକପତ୍ନୀ ଓ ଏକପତି ବ୍ରତର ପ୍ରତୀକ ଭାବରେ ରମ୍ଭାବୃକ୍ଷ ଗୃହୀତ। ଏହି ବୃକ୍ଷ ଥରେ ମାତ୍ର ସନ୍ତାନ ପ୍ରସବ କରିଥାଏ। ରମ୍ଭା ତୃତୀୟା ତିଥିରେ ବ୍ରତଚାରିଣୀମାନଙ୍କ ପରି, ତାନ୍ତ୍ରିକମାନେ ମଧ୍ୟ ସମ୍ମୋହନ ବିଦ୍ୟାପାଇଁ ରମ୍ଭାଙ୍କୁ ପ୍ରାର୍ଥନା କରିଥାନ୍ତି।
-ଡକ୍ଟର ତୁଳସୀ ଓଝା

‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :-
[email protected]

ସମ୍ବନ୍ଧିତ ଖବର