ଜୀବନ-ମନ୍ତ୍ର: ବଡ଼ଦିଅଁଙ୍କ ବିଡ଼ିଆ ପ୍ରୀତି

ଶ୍ରୀମଦନମୋହନଙ୍କ କନ୍ଦର୍ପ ରଥ ବେଶ ଓ ବିଡ଼ିଆ ଲାଗି

ରାଜାଧିରାଜ ମହାପ୍ରଭୁ ଶ୍ରୀଜଗନ୍ନାଥ। ସେ ଷାଠିଏ ପଉଟି ବ୍ୟଞ୍ଜନ ଗ୍ରହଣ କରନ୍ତି। ତଥାପି ବ୍ୟଞ୍ଜନ ସମର୍ପଣ ପରେ ଯଦି ହଡ଼ପ ନାୟକଙ୍କ ହାତ ତିଆରି ଲବଙ୍ଗ, କର୍ପୂର, ଗୁଆ ଓ ଜାଇଫଳ ପଡ଼ିଥିବା ବିଡ଼ିଆ ଖିଲିପାନ ଖଣ୍ଡେ ତାଙ୍କୁ ସମର୍ପଣ କରା ନଯାଏ, ସେ ପ୍ରସନ୍ନ ହୁଅନ୍ତି ନାହିଁ। ପ୍ରଭୁଙ୍କର ଏହି ନାଗବଲ୍ଲୀ ସେବା ଅତ୍ୟନ୍ତ ପ୍ରୀତିଦାୟକ। ‘ନୀଳାଦ୍ରି ମହୋଦୟ’ରେ ତାହାର ଦୀର୍ଘ ବର୍ଣ୍ଣନା ମିଳେ। ‘ତାମ୍ବୁଳ’, ‘ପାନ’ ଓ ‘ନାଗବଲ୍ଲୀ’ ଭାବରେ ପରିଚିତ ଏହି ଲତିକାଟିର ପ୍ରଶସ୍ତି ଚରକଙ୍କ ଚିକିତ୍ସାଶାସ୍ତ୍ରଠାରୁ ଆରମ୍ଭ କରି ବରାହ ମିହିରଙ୍କ ‘ବୃହତ୍ ସଂହିତା’ ପର୍ଯ୍ୟନ୍ତ ଅନେକ ଶାସ୍ତ୍ରରେ ଦେଖାଯାଏ। ‘ବୃହତ୍ ସଂହିତା’ର ବର୍ଣ୍ଣନା ଅନୁଯାୟୀ, ତାମ୍ବୁଳ ସେବନ ମନୁଷ୍ୟ ମଧ୍ୟରେ ପ୍ରେମଭାବ ଜାଗ୍ରତ କରେ। ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି କରେ। ବ୍ୟକ୍ତିତ୍ୱକୁ ଆକର୍ଷଣୀୟ ଓ ମୁଖଗହ୍ୱରକୁ ସୁବାସିତ କରେ ଏବଂ ଶରୀରକୁ ଊର୍ଜ୍ଜା ବା ଶକ୍ତି ପ୍ରଦାନ କରି ନିରୋଗ ରଖେ। ଖଡ଼ିଗଛରେ ସର୍ପ ସଦୃଶ ଗୁଡ଼େଇ ହୋଇ ଏହି ଲତା ମାଡ଼ୁଥିବାରୁ ଏହାକୁ ନାଗବଲ୍ଲୀ କହନ୍ତି।

ଭାରତର ବିଭିନ୍ନ ପ୍ରାନ୍ତରେ ଏହି ଲତାର ପତ୍ର ମାଙ୍ଗଳିକ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ। କୁହାଯାଏ- ଏଥିରେ ଦେବତା ପ୍ରସନ୍ନ ହୁଅନ୍ତି ଏବଂ କର୍ମଫଳ ସିଦ୍ଧ ହୁଏ। ଏହାର ମଙ୍ଗଳମୟତା ଓ ପବିତ୍ରତା ସଂପର୍କରେ ‘ଶିବପୁରାଣ’ରେ ବିସ୍ତୃତ ବର୍ଣ୍ଣନା ରହିଛି। ଏକଦା ଏହି ଲତା ସ୍ୱର୍ଗ ରାଜ୍ୟରେ ରହି ଦେବତାମାନଙ୍କୁ ପ୍ରୀତି ପ୍ରଦାନ କରୁଥିଲା। ଶିବ ଏହାକୁ ମର୍ତ୍ତ୍ୟକୁ ଆଣିବାକୁ ଇଚ୍ଛା ପ୍ରକାଶ କରିବାରୁ, ଏହି ଦେବଭୋଗ୍ୟା ବଲ୍ଲୀ ମର୍ତ୍ତ୍ୟଲୋକକୁ ଆସି ଯେଉଁ ଦୁରବସ୍ଥା ଭୋଗ କରିବ ତାହା ଜଣାଇବାରୁ, ଶିବ ତାକୁ ବର ପ୍ରଦାନ କରିଥିଲେ, ଯେ “ମର୍ତ୍ତ୍ୟକୁ ଗଲେ ସୁଦ୍ଧା ତୁମେ ସର୍ବଦା ବରେଣ୍ୟ ହୋଇ ରହିବ।” ଏ ପର୍ଯ୍ୟନ୍ତ ଏହା ଅକ୍ଷୁଣ୍ଣ ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରାତ୍ୟହିକ ନୀତିରେ ତାମ୍ବୁଳ ସେବା ଅନ୍ତର୍ଭୁକ୍ତ। ଏପରିକି ଚନ୍ଦନଯାତ୍ରାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନଙ୍କ ସହିତ ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚ ମହାଦେବଙ୍କର ମନ ପ୍ରସନ୍ନ ନିମିତ୍ତ ସେଠାରେ ଅଶିଖଣ୍ଡ ବିଡ଼ିଆ ପ୍ରସ୍ତୁତ ହୋଇ ରହିଥାଏ। ଠାକୁର ଚାପ ଖେଳି ସାରି ଆସି ଦିବ୍ୟ ମଣୋହି ଭୋଗର ସ୍ୱାଦ ନେବା ପରେ ଲାଗିହୁଏ ଏହି ବିଡ଼ିଆ ପାନ। ଠାକୁରଙ୍କର ଏହି ବିଡ଼ିଆ ପ୍ରୀତି ଦେଖି କବି ଶ୍ରୀଚନ୍ଦନ ଲେଖିଛନ୍ତି-
ହଡ଼ପ ନାୟକ ରହି ବିଡ଼ିଆ ପତ୍ରକୁ ବହି
କରାଇ ମଣୋହି ତହିଁ କମ୍ବୁଚକ୍ର ପାଣିଙ୍କି
ଡାକଇ ଖୁଣ୍ଟିଆ ଦ୍ୱିଜ ମଣିମା ହୋ ଦେବରାଜ
ଅଖିଳବ୍ରହ୍ମାଣ୍ଡନାଥ ପ୍ରଭୁ ମନ ଜାଣିକି।ା
– ଡକ୍ଟର ତୁଳସୀ ଓଝା

‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :-
[email protected]

ସମ୍ବନ୍ଧିତ ଖବର