ଜୀବନ-ମନ୍ତ୍ର: ଭାଗବତ-ରଥର ସ୍ୱରୂପ

ଶ୍ରୀକ୍ଷେତ୍ର ପୁରୀର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରିପ୍ରେକ୍ଷୀରେ ସ୍ମରଣକୁ ଆସେ ଭାଗବତରେ ବର୍ଣ୍ଣିତ ରଥ। ‘ଶ୍ରୀମଦ୍‌ଭାଗବତ’, ଦ୍ୱାଦଶ ସ୍କନ୍ଧର ବର୍ଣ୍ଣନା ଅନୁସାରେ- ସୂର୍ଯ୍ୟଦେବ ହେଉଛନ୍ତି କାଳରୂପୀ ଭଗବାନ। ବାରମାସରେ ତାଙ୍କର ନାମ ଭିନ୍ନ ଭିନ୍ନ। ସେ ଅଲଗା ଅଲଗା ମାସରେ ସେହି ମାସର ନାମ ଅନୁସାରେ, ଋଷି, ଗନ୍ଧର୍ବ, ନାଗ, ଅପସରା, ଯକ୍ଷ ଓ ରାକ୍ଷସଙ୍କ ସହିତ ରଥରେ ବସି ଭ୍ରମଣ କରନ୍ତି। ଉଦାହରଣ ସ୍ୱରୂପ- ‘ଧାତା’ ନାମରେ ସୂର୍ଯ୍ୟଦେବ ‘କୃତସ୍ଥଳା’ ନାମକ ଅପ୍‌ସରା, ‘ହେତି’ ନାମକ ରାକ୍ଷସ, ‘ବାସୁକୀ’ ନାମକ ନାଗ, ‘ରଥକୃତ୍‌’ ନାମକ ଯକ୍ଷ, ‘ପୁଲସ୍ତ୍ୟ’ ନାମକ ଋଷି ଓ ‘ତୁମ୍ବୁରୁ’ ନାମକ ଗନ୍ଧର୍ବଙ୍କ ସହିତ ବିଚରଣ କରିଥାନ୍ତି। ଏହି ବିଚରଣ ମାଧ୍ୟମରେ ସେ ଇହଲୋକ ଓ ପରଲୋକରେ ବିବେକ-ବୁଦ୍ଧିର ବିସ୍ତାର କରନ୍ତି।

‘ଭାଗବତ’ରେ ଏ ସଂପର୍କରେ ଅଧିକ ବର୍ଣ୍ଣନା କରାଯାଇ ଏହି ସପ୍ତଗଣଙ୍କର କାର୍ଯ୍ୟ କ’ଣ ତାହା କୁହାଯାଇଛି। ସୂର୍ଯ୍ୟଦେବଙ୍କର ବା ସେହି ମାସରେ ଯେ ତାଙ୍କର ବିଭୂତି, ତାଙ୍କର କାର୍ଯ୍ୟ ହେଉଛି- ତେଜ ପ୍ରକାଶ କରିବା। ସେହି ମାସରେ ସେ ତାଙ୍କ ରଥର ରଥୀ। ସେହି ମାସର ଜ୍ୟୋତିଷଚକ୍ର ଅନୁସାରେ, ସେ ବିଭିନ୍ନ ରାଶିରେ ବିଚରଣ କରନ୍ତି। ଋଷିମାନେ ତାଙ୍କୁ ଋକ୍‌, ଯଜୁଃ ଓ ସାମ ମନ୍ତ୍ରରେ ସ୍ତବ କରନ୍ତି। ଗନ୍ଧର୍ବମାନଙ୍କର କାମ ହେଉଛି ସଂଗୀତଗାନ। ଅପ୍‌ସରାମାନଙ୍କର କାର୍ଯ୍ୟ ହେଉଛି- ନୃତ୍ୟ ସହିତ ଗମନ। ନାଗମାନେ ତାଙ୍କର ରଥକୁ ଉତ୍ତମ ରୂପେ ବନ୍ଧନ କରନ୍ତି। ଯକ୍ଷମାନେ ରଥର ସାଜସଜ୍ଜା କରନ୍ତି ଏବଂ ବଳବାନ ରାକ୍ଷସମାନେ ରଥର ପୃଷ୍ଠଭାଗର ସୁରକ୍ଷା କରନ୍ତି। ଏହି ରଥର ଅଶ୍ୱ ଓ ସାରଥି ମଧ୍ୟ ରହିଥାନ୍ତି।

ଶ୍ରୀକ୍ଷେତ୍ରରେ ହେଉଥିବା ତ୍ରିରଥର ଯକ୍ଷ, ଗନ୍ଧର୍ବ, ଋଷି, ରଜ୍ଜୁ ଓ ଅପ୍‌ସରା ଆଦିଙ୍କୁ ଲକ୍ଷ୍ୟ କଲେ ମନେହୁଏ- ଭାଗବତ ବର୍ଣ୍ଣିତ ରଥର ଏହି ସ୍ୱରୂପ ହିଁ ସତେ ଯେପରି ପୁରୀ ରଥଯାତ୍ରାରେ ସ୍ୱତନ୍ତ୍ର ରୂପ ପାଇଛି। ସେହି ଅନୁସାରେ ପୁରୀର ରଥରେ ଅଶ୍ୱ ଓ ସାରଥି ମଧ୍ୟ ରହିଥାନ୍ତି।

ସମ୍ବନ୍ଧିତ ଖବର