ବ୍ରହ୍ମାସ୍ତ୍ର, ବୈଷ୍ଣବାସ୍ତ୍ର, ନାରାୟଣାସ୍ତ୍ର ଆଦି ଯେଉଁ ଛଅଟି ମନ୍ତ୍ରମୁକ୍ତ ଅସ୍ତ୍ରର କଥା ପୁରାଣରେ ବର୍ଣ୍ଣିତ ଅଛି, ସେମାନଙ୍କ ମଧ୍ୟରୁ ପାଶୁପତ ଅନ୍ୟତମ। ଏହା ଏକ ସଶକ୍ତ, ବିଧ୍ୱଂସକ ଓ ଅପ୍ରତିଦ୍ୱନ୍ଦ୍ୱୀ ଅସ୍ତ୍ର। ଏହାକୁ ପ୍ରତିହତ କରିବାର ଶକ୍ତି କୌଣସି ଅସ୍ତ୍ରର ନାହିଁ। ଏହାକୁ ମସ୍ତିଷ୍କ, ଚକ୍ଷୁ, ବାକ୍ୟ ଓ ଧନୁ ଦ୍ୱାରା ପ୍ରୟୋଗ କରାଯାଇଥାଏ। ଏଣୁ ଏହାର ପ୍ରୟୋଗ ଓ ନିବାରଣ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ।
ଏହି ଅସ୍ତ୍ରକୁ ଶିବ ତ୍ରିପୁରାସୁରକୁ ବଧ କରିବା ନିମିତ୍ତ ବ୍ୟବହାର କରିଥିଲେ। ଏଥିପାଇଁ ଶିବଙ୍କ ଅନୁରୋଧରେ ଦେବତା ଓ ମୁନିଋଷିମାନେ ମିଶି ଏକ ଦିବ୍ୟ ରଥ ନିର୍ମାଣ କରିଥିଲେ। ଦେବଦେବ ମହାଦେବ ତ୍ରିପୁର ଦହନ କରିବା ନିମିତ୍ତ ଯେଉଁ ଦିବ୍ୟ ଧନୁ ଧାରଣ କରିଥିଲେ, ସେହି ଧନୁ ହୋଇଥିଲେ ମେରୁ ପର୍ବତ। ବାସୁକୀ ନାଗ ତାହାର ଜ୍ୟା ହେବା ସହିତ, ସ୍ୱୟଂ ପରଂବ୍ରହ୍ମ ଶ୍ରୀବିଷ୍ଣୁ ହୋଇଥିଲେ ସେହି ଧନୁର ଶର। ତାହା ପାଶୁପତ ନାମରେ ବିଖ୍ୟାତ। ଏହି ଧନୁର୍ବାଣକୁ ଶିବ ସର୍ବଦା ନିଜ ପାଖରେ ରଖିଥାନ୍ତି। ଏହାର ଥରେ ମାତ୍ର ପ୍ରୟୋଗରେ ତ୍ରିପୁରାସୁରର ତିନିପୁର ଧ୍ୱଂସ ହୋଇଥିଲା। ଖାଣ୍ଡବ ବନ ଦହନରେ ସନ୍ତୁଷ୍ଟ ଅଗ୍ନି ଅର୍ଜୁନଙ୍କୁ ବିବିଧ ଅସ୍ତ୍ର ଶସ୍ତ୍ର ପ୍ରଦାନ କଲାବେଳେ, ଆବଶ୍ୟକ ପଡ଼ିଲେ ସେ ଅର୍ଜ୍ଜୁନଙ୍କୁ ସମସ୍ତ ଦିବ୍ୟାସ୍ତ୍ର ପ୍ରଦାନ କରିବେ ବୋଲି ଦେବରାଜ ଇନ୍ଦ୍ର ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତୀ କାଳରେ କୌରବମାନଙ୍କ ସହିତ ଯୁଦ୍ଧ ଅବଶ୍ୟମ୍ଭାବୀ ଜାଣି ଇନ୍ଦ୍ରଙ୍କଠାରୁ ଦିବ୍ୟାସ୍ତ୍ର ଆଣିବାପାଇଁ ଅର୍ଜୁନ ଇନ୍ଦ୍ରକୀଳ ପର୍ବତକୁ ଗମନ କଲେ। ସେଠାରେ ଇନ୍ଦ୍ର ତାଙ୍କୁ କହିଲେ, ଯଦି ସେ ମହାଦେବଙ୍କୁ ତପସ୍ୟାରେ ସନ୍ତୁଷ୍ଟ କରି ପାଶୁପତ ଅସ୍ତ୍ର ଲାଭ କରି ପାରିବେ, ତେବେ ସେ ତାଙ୍କୁ ଦିବ୍ୟାସ୍ତ୍ର ପ୍ରଦାନ କରିବେ।
ଏଇଠି ପ୍ରଶ୍ନ ଉଠେ, ପୃଥିବୀର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ପାଶୁପତ। ଏହା ତ ସମଗ୍ର କୁରୁସେନାକୁ ଧ୍ୱଂସ କରିବା ନିମିତ୍ତ ଯଥେଷ୍ଟ; ଏହା ପରେ ଦିବ୍ୟାସ୍ତ୍ରର ଆଉ ଆବଶ୍ୟକତା କ’ଣ? ଏହାର ଉତ୍ତର ହେଉଛି, ପାଶୁପତ ଅସ୍ତ୍ର ଶିବ ଓ ବିଷ୍ଣୁଙ୍କର ମିଳିତ ଅଜୟ ଶକ୍ତି। ଏହି ଶକ୍ତି ଯଦି ଜଣେ ପ୍ରାପ୍ତହୋଇ ପାରିବ, ତେବେ ଯାଇ ସେ ଯଥାର୍ଥରେ ଅଜେୟ ହୋଇପାରିବ। ଶିବ ମହାଯୋଗୀ, ମହାତ୍ୟାଗୀ। ସଂସାରର ସମସ୍ତଙ୍କୁ ସବୁ ସୁଖ ଓ ବୈଭବ ପ୍ରଦାନ କଲେ ମଧ୍ୟ, ସେ ସ୍ୱୟଂ ଶ୍ମଶାନବାସୀ। କିନ୍ତୁ ସେହି ନିସ୍ପୃହ ଶିବ ହିଁ ସଂସାରରେ ପ୍ରଳୟ କରନ୍ତି। ଅତଏବ ଦିବ୍ୟାସ୍ତ୍ରର ଅଧିକାରୀ ମନୁଷ୍ୟ ସବୁଠାରୁ ଅଧିକ ସଂଯତ, ଅଧିକ ବିଚାରଶୀଳ, ତଥା ଅସ୍ତ୍ର ପ୍ରୟୋଗ କାଳରେ ମଧ୍ୟ ନିର୍ବିକାର ଓ କ୍ରୋଧରହିତ ହେବା ଆବଶ୍ୟକ। ଶିବଙ୍କୁ ସନ୍ତୁଷ୍ଟ କରି ଅର୍ଜୁନ ତାଙ୍କଠାରୁ ପାଶୁପତ ଅସ୍ତ୍ର ଏବଂ ଇନ୍ଦ୍ରଙ୍କଠାରୁ ଦିବ୍ୟାସ୍ତ୍ର ଲାଭ କରିଥିଲେ ମଧ୍ୟ, ‘ଉଦ୍ୟୋଗ ପର୍ବ’ରେ ସେ କହିଥିଲେ- ମୋ ପାଖରେ ଦିବ୍ୟାସ୍ତ୍ର ଅଛି, ପାଶୁପତ ମଧ୍ୟ ଅଛି; କିନ୍ତୁ ଯୁଦ୍ଧରେ ସାଧାରଣ ମନୁଷ୍ୟଙ୍କୁ ଦିବ୍ୟାସ୍ତ୍ର ଦ୍ୱାରା ବଧ କରିବା କ୍ଷତ୍ରିୟର ଧର୍ମ ନୁହେଁ। ଏହା ସେ ଯୁଦ୍ଧରେ କରି ଦେଖାଇ ଥିଲେ।
ଅତଏବ ଶିବ ହିଁ ପାଶୁପତର ଏକମାତ୍ର ପ୍ରୟୋଗକର୍ତ୍ତା।
-ଡକ୍ଟର ତୁଳସୀ ଓଝା