ଜୀବନ-ମନ୍ତ୍ର: ନକ୍ଷତ୍ରଦେବୀ ତାରା

ଆଶ୍ୱିନ ମାସ ଆପାତତଃ ଦେବୀଙ୍କର ଧରାବତରଣର ମାସ। ତେଣୁ ଆଶ୍ୱିନ ମାସ ଆସିଲେ ଦେବୀଙ୍କ ଆରାଧନା ନିମିତ୍ତ ସମସ୍ତେ ଚଳଚଞ୍ଚଳ ହୋଇ ଉଠନ୍ତି ଏବଂ ଦେବୀଙ୍କର ବହୁବିଧ ରୂପ- ଯଥା, ନବଦୁର୍ଗା, ଦଶମହାବିଦ୍ୟା, ସପ୍ତମାତୃକା ଆଦି ବିଭିନ୍ନ ରୂପର ପୂଜାରେ ସଂସାର ମାତିଉଠେ। କିନ୍ତୁ ଏ ସମସ୍ତର ଆଢ଼ୁଆଳରେ ଜଣେ ଦେବୀ ରହିଯାଆନ୍ତି- ଯାହାଙ୍କର ନାମ ତାରା। ସେ ଦଶମହାବିଦ୍ୟାର ତାରା ନୁହଁନ୍ତି; ଅଥଚ ମନୁଷ୍ୟ ଜୀବନରେ ତାଙ୍କର ପ୍ରଭାବ ଅତୁଳନୀୟ। ସାଧାରଣ ଭାବରେ, ମନୁଷ୍ୟ ଜୀବନରେ ଜ୍ୟୋତିର୍ବିଜ୍ଞାନର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଆକାଶରେ ଚିକ୍‌ମିକ୍ କରୁଥିବା ନକ୍ଷତ୍ରମାନଙ୍କର ସଂଯୋଗରେ ଅନେକ ଆକାର ଜ୍ୟୋତିର୍ବିଦ୍‌ମାନେ କଳ୍ପନା କରିଛନ୍ତି; ଯଥା- କାଳପୁରୁଷମଣ୍ଡଳ, ସପ୍ତର୍ଷି, ଭଲ୍ଲୁକ, ଧ୍ରୁବ ଇତ୍ୟାଦି। ସେ ସବୁ ମଧ୍ୟରୁ ଏକ ଆକାର ହେଉଛି ନକ୍ଷତ୍ରମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ତାରାଙ୍କର। ନକ୍ଷତ୍ରମଣ୍ଡଳର କେତେକ ନିର୍ଦ୍ଦିଷ୍ଟ ନକ୍ଷତ୍ରଙ୍କୁ ନକ୍‌ସା ଆକାର ଦେଇ ଯୋଡ଼ି ଦେଲେ, ତାରାଦେବୀଙ୍କର ରୂପ ପ୍ରସ୍ତୁତ ହୋଇଯାଏ। ପ୍ରତ୍ୟେକ ମଣିଷର ଜନ୍ମକୁଣ୍ଡଳୀରେ ତାରାଦେବୀଙ୍କର ଅଙ୍ଗୀଭୂତ କୌଣସି ନା କୌଣସି ନକ୍ଷତ୍ରର ଅଧିବାସ ହୋଇଥାଏ। ଏବଂ ଏହି ନକ୍ଷତ୍ରମାନେ ପ୍ରାୟ ସମସ୍ତେ ସ୍ତ୍ରୀଲିଙ୍ଗଧାରିଣୀ ଅଟନ୍ତି।

ଯଥା- ମୂଳା, ରୋହିଣୀ, ଅଶ୍ୱିନୀ, ପୂର୍ବାଫାଲଗୁନି, ଉତ୍ତରାଫାଲଗୁନି, କୃତ୍ତିକା, ପୂର୍ବଆଷାଢ଼ା, ଭାଦ୍ରପଦ, ରେବତୀ, ଅନୁରାଧା, ଧନିଷ୍ଠା, ବିଶାଖା, ହସ୍ତା, ପୁନର୍ବସୁ, ଅଶ୍ଳେଷା, ଜ୍ୟେଷ୍ଠା, ଶ୍ରବଣା, ପୁଷ୍ୟା, ଶତଭିଷା, ମଘା, ମୃଗଶିରା, ଚିତ୍ରା, ଭରଣୀ, ଆର୍ଦ୍ରା ଇତ୍ୟାଦି। ଏହି ନକ୍ଷତ୍ରମାନେ ତାରାଦେବୀଙ୍କର ବିଭିନ୍ନ ଅଂଗରେ ନିବାସ କରନ୍ତି। ଯଥା: ମୂଳାନକ୍ଷତ୍ର ପାଦ, ରୋହିଣୀ ଜଂଘା, ଅଶ୍ୱିନୀ ଜାନୁ, ଆଷାଢ଼ା ଗୁହ୍ୟ, ପୂର୍ବ ଓ ଉତ୍ତରା ଫାଲଗୁନି ନିତମ୍ବଦ୍ୱୟ, କୃତ୍ତିକା କଟିଦେଶ, ଭାଦ୍ରପଦ ଦୁଇପାର୍ଶ୍ବ, ରେବତୀ ଉଦର, ଅନୁରାଧା ସ୍ତନ, ଧନିଷ୍ଠା ପୃଷ୍ଠ, ବିଶାଖା ବାହୁ, ହସ୍ତା ହସ୍ତ, ପୁନର୍ବସୁ ଅଙ୍ଗୁଷ୍ଠ, ଅଶ୍ଳେଷା ନଖ, ଜ୍ୟୋଷ୍ଠା ଗ୍ରୀବା, ଶ୍ରବଣା କର୍ଣ୍ଣ, ପୁଷ୍ୟା ମୁଖଗହ୍ୱର, ସ୍ୱାତୀ ଦନ୍ତ, ଶତଭିଷା ହାସ୍ୟ, ମଘା ନାସିକା, ମୃଗଶିରା ନେତ୍ର, ଚିତ୍ରା କପାଳ, ଭରଣୀ ମସ୍ତକ ଓ ଆର୍ଦ୍ରା କେଶଦାମ। ଏହିପରି ଭାବରେ ତାରାଦେବୀଙ୍କର ଶରୀରର ପରିକଳ୍ପନା। ପୁରାଣ ବର୍ଣ୍ଣନା ଅନୁସାରେ, ଏହି ଦେବୀଙ୍କର ପୂଜନ ଦ୍ୱାରା ପୁରୁଷ ପୌରୁଷଦୀପ୍ତ ଏବଂ ନାରୀ ସମସ୍ତ ସୌନ୍ଦର୍ଯ୍ୟର ଅଧିକାରିଣୀ ହୁଅନ୍ତି। ଏହି ନକ୍ଷତ୍ରମାନଙ୍କ ମଧ୍ୟରୁ କେତେକଙ୍କ ନାମାନୁସାରେ ମାସମାନେ ନାମାଙ୍କିତ ହୋଇଥାନ୍ତି ଏବଂ ସେହି ଅନୁସାରେ ଭଗବାନ ବିଷ୍ଣୁ ଭିନ୍ନଭିନ୍ନ ନାମରେ ପୂଜିତ ହୁଅନ୍ତି।
-ଡକ୍ଟର ତୁଳସୀ ଓଝା

‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :-
[email protected]

ସମ୍ବନ୍ଧିତ ଖବର