ଜୀବନ-ମନ୍ତ୍ର: ଶ୍ରୀକୃଷ୍ଣଙ୍କର ତିନି ବର୍ଣ୍ଣ

ଶ୍ରୀକୃଷ୍ଣଙ୍କର ବର୍ଣ୍ଣ କ’ଣ? ଏ ପ୍ରଶ୍ନର ଉତ୍ତର ସମସ୍ତଙ୍କୁ ଜଣା। ତାହା ହେଉଛି- ତାଙ୍କର ବର୍ଣ୍ଣ କୃଷ୍ଣ। ସେଥିପାଇଁ ତାଙ୍କର ନାଆଁ ଶ୍ରୀକୃଷ୍ଣ। ଭାଦ୍ରବ କୃଷ୍ଣ ଅଷ୍ଟମୀ ଶ୍ରୀକୃଷ୍ଣଙ୍କର ଜନ୍ମତିଥି। ତେଣୁ ତାହାର ନାମ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ। ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ ମଥୁରାରେ, ରାଜା କଂସର ବନ୍ଦୀଶାଳାରେ। ବ୍ୟାସଦେବକୃତ ସଂସ୍କୃତ ‘ଶ୍ରୀମଦ୍‌ଭାଗବତ’ର ଦଶମ ସ୍କନ୍ଧ, ତୃତୀୟ ଅଧ୍ୟାୟରେ ତାଙ୍କର ଜନ୍ମବୃତ୍ତାନ୍ତ ବର୍ଣ୍ଣିତ ଅଛି। ଶ୍ରୀକୃଷ୍ଣ ହେଉଛନ୍ତି ଭଗବାନ ବିଷ୍ଣୁ। ତେଣୁ ସେଥିରେ କୁହାଯାଇଛି- ପୂର୍ବଦିଗରେ ପୂର୍ଣ୍ଣଚନ୍ଦ୍ରର ଉଦୟ ହେବା ପରି, ଦେବୀରୂପିଣୀ ଦେବକୀଙ୍କ ଗର୍ଭରୁ ସମସ୍ତ ପ୍ରାଣୀଙ୍କର ଆଶ୍ରୟ ସ୍ୱରୂପ ଭଗବାନ ବିଷ୍ଣୁ ଆବିର୍ଭୂତ ହେଲେ। ବସୁଦେବ ସେହି ଅଦ୍ଭୁତ ବାଳକଙ୍କୁ ଦର୍ଶନ କଲେ। ପଦ୍ମ ପରି ସୁନ୍ଦର ଚକ୍ଷୁ; ଚତୁର୍ଭୁଜରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ; ବକ୍ଷସ୍ଥଳରେ ଶ୍ରୀବତ୍ସ ଚିହ୍ନ; ଗଳାରେ କୌସ୍ତୁଭ ମଣି; ପୀତାମ୍ବର; ସଜଳ ଜଳଦ ମୂର୍ତ୍ତି; ମହାର୍ଘ ବୈଦୁର୍ଯ୍ୟମଣି ଶୋଭିତ କିରୀଟ ଓ କୁଣ୍ଡଳ; କୁଞ୍ଚିତ କେଶରାଜି; ଉଜ୍ଜ୍ୱଳ କଟିବସ୍ତ୍ର; ବାଜୁବନ୍ଧ ଓ କଙ୍କଣ- ଏହି ସମସ୍ତ ଅଳଙ୍କାରରେ ଶୋଭମାନ ଥିଲେ ସେହି ତେଜୋମୟ ଶିଶୁ।

‘ଶ୍ରୀମଦ୍‌ଭାଗବତ’ର ଏହି ବର୍ଣ୍ଣନାରେ, ଶ୍ରୀକୃଷ୍ଣଙ୍କର ବର୍ଣ୍ଣକୁ ‘ସଜଳ-ଜଳଦ-ମୂର୍ତ୍ତି’ ବା ଜଳଭରା ମେଘ ପରି କୃଷ୍ଣବର୍ଣ୍ଣ ବୋଲି କୁହାଯାଇଛି। କିନ୍ତୁ ସେହି ଅଧ୍ୟାୟରେ ହିଁ, ଶ୍ରୀକୃଷ୍ଣ ବା ଭଗବାନ ବିଷ୍ଣୁଙ୍କର ଅନ୍ୟ ମୂର୍ତ୍ତିର ବର୍ଣ୍ଣନା ଅଛି। ଦେବକୀଙ୍କ ଗର୍ଭରୁ ଜାତ ସେହି ସଦ୍ୟଜାତ ପୁତ୍ରଙ୍କୁ ଦେଖି, ବସୁଦେବ ଜାଣି ଯାଇଥିଲେ, ଯେ ସ୍ୱୟଂ ଶ୍ରୀହରି ତାଙ୍କର ପୁତ୍ରରୂପେ ଆବିର୍ଭୂତ ହୋଇଛନ୍ତି। ତେଣୁ ସେ ତାଙ୍କୁ ପରମପୁରୁଷ ପରମାତ୍ମା ରୂପେ ସ୍ତୁତି କରିଥିଲେ। ସେହି ସ୍ତୁତିରେ ସେ କହିଥିଲେ- ବେଦଜ୍ଞମାନଙ୍କ ମତରେ, ଆପଣଙ୍କଠାରୁ ଜଗତ୍‌ର ସୃଷ୍ଟି, ସ୍ଥିତି ଓ ଲୟ ହୋଇଥାଏ। ଆପଣ ତ୍ରିଲୋକର ପାଳନ ପାଇଁ ନିଜର ମାୟାରେ ଶୁଦ୍ଧ ସତ୍ତ୍ୱମୟ ଶ୍ରୀବିଷ୍ଣୁ ରୂପ, ଅର୍ଥାତ୍ ଶୁକ୍ଳବର୍ଣ୍ଣ ଧାରଣ କରନ୍ତି। ବିଶ୍ୱର ସୃଷ୍ଟିପାଇଁ ଆପଣ ରଜୋଗୁଣ ଯୁକ୍ତ ବ୍ରହ୍ମାଙ୍କର ରୂପ, ଅର୍ଥାତ୍ ରକ୍ତବର୍ଣ୍ଣ ଧାରଣ କରନ୍ତି। ଏବଂ ମହାପ୍ରଳୟ ବେଳେ, ଆପଣ ତମୋଗୁଣଯୁକ୍ତ ରୁଦ୍ରରୂପ, ଅର୍ଥାତ୍ କୃଷ୍ଣବର୍ଣ୍ଣ ଧାରଣ କରନ୍ତି। ହେ ପ୍ରଭୁ! ହେ ଅଖିଳ ଜଗତର ଈଶ୍ୱର! ଏହି ସଂସାରର ରକ୍ଷାପାଇଁ ଆପଣ ମୋ ଘରେ ଜନ୍ମଗ୍ରହଣ କରିଛନ୍ତି। ଏହା ଶ୍ରୀକୃଷ୍ଣ ବା ଭଗବାନ ବିଷ୍ଣୁଙ୍କର ତିନି ବର୍ଣ୍ଣ ଓ ତାହାର ବିଶେଷତ୍ୱ ବ୍ୟାଖ୍ୟାନ କରେ। ଏହି ତିନି ବର୍ଣ୍ଣରେ ଶ୍ରୀମନ୍ଦିରର ରତ୍ନସିଂହାସନରେ ମଧ୍ୟ- ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ତ୍ରିମୂର୍ତ୍ତି ରୂପେ ବିରାଜମାନ କରିଛନ୍ତି।

‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :-
[email protected]

ସମ୍ବନ୍ଧିତ ଖବର