ସ୍ବପ୍ନ ସାକାର କରିବାକୁ ଲୋକେ ବହୁ ପ୍ରକାରର କଷ୍ଟ କରିଥା’ନ୍ତି। ଚାରି ଚକିଆ ଯାନ ଚଳାଇ କାମ କରିବାକୁ ସ୍ବପ୍ନ ରଖିଥିବା ଜଣେ ଭିନ୍ନକ୍ଷମ ୬ ବର୍ଷର ପରିଶ୍ରମ ପରେ କିଛି ମାସ ପୂର୍ବରୁ ସ୍ବପ୍ନ ସାକାର କରିବାରେ ସଫଳ ହୋଇଛନ୍ତି। କେରଳର ୩୨ ବର୍ଷୀୟା ଜୁଲିମୋଲ୍‌ ମାରିଏଟ୍‌ ଥୋମାସ୍‌ଙ୍କ ଜନ୍ମରୁ ହାତ ନ ଥିବାବେଳେ ସେ ପ୍ରଥମ ଏସୀୟ ମହିଳା ଭାବେ ଡ୍ରାଇଭିଂ ଲାଇସେନ୍ସ ହାସଲ କରିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟାନ୍‌ ନିଜେ ଜୁଲିମୋଲ୍‌ଙ୍କୁ ବ୍ୟକ୍ତିଗତ ଭାବେ ଲାଇସେନ୍ସ ପ୍ରଦାନ କରିଛନ୍ତି। ଇଡୁକି ଜିଲ୍ଲାର ଜୁଲିମୋଲ୍‌ କୋଚିର ଏକ ଅଗ୍ରଣୀ କଳା ପ୍ରକାଶନ ଗୃହରେ ଗ୍ରାଫିକ୍‌ ଡିଜାଇନର୍‌ ଭାବେ କାର୍ଯ୍ୟ କରନ୍ତି। ସେ ୬ ବର୍ଷ ଧରି ଅପେକ୍ଷା କରିବା ପରେ ତାଙ୍କ ଡ୍ରାଇଭିଂ ସ୍କୁଲ ଏବଂ ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ଆୟୋଗ ଏବଂ କୋଚିରେ ଥିବା ଏକ ଘରୋଇ ସଂସ୍ଥା ସହାୟତାରେ ଲାଇସେନ୍ସପ୍ରାପ୍ତ ଡ୍ରାଇଭର ହେବାର ସ୍ବପ୍ନ ପୂରଣ କରିପାରିଛନ୍ତି।

Advertisment

ସୂଚନା ମୁତାବକ, ଜୁଲିମୋଲ୍‌ ସର୍ବଦା ଏକ କାର୍‌ ଚଳାଇବାକୁ ସ୍ବପ୍ନ ଦେଖୁଥିଲେ। ବିଶେଷ କରି ସେ ତାଙ୍କ ବାପାଙ୍କୁ ହରାଇବା ପରେ ନିଜେ ସ୍ବାଧୀନ ହେବା ସହ ପରିବାରର ଦାୟିତ୍ୱ ମଧ୍ୟ ନେଇଥିଲେ। ସେ ଭଦୁଥାଲାର ମାରିଆ ଡ୍ରାଇଭିଂ ସ୍କୁଲରେ କାର୍‌ ଚଳାଇବା ଶିଖିଥିଲେ। ପରେ ଲାଇସେନ୍ସ ପାଇଁ ଇଡୁକି ଜିଲ୍ଲାର ଥୋଡୁପୁଜ୍‌ହା ଆର୍‌ଟିଓରେ ଆବେଦନ କରିଥିଲେ। ସେଠାକାର ଆର୍‌ଟିଓରେ ଜୁଲିମୋଲ୍‌ଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ତା’ପରେ ସେ କେରଳ ହାଇକୋର୍ଟକୁ ଯାଇଥିଲେ। କୋର୍ଟର ହସ୍ତକ୍ଷେପ ପରେ ଜୁଲିମୋଲ୍‌ ମୋଟର୍‌ ଭେଇକିଲ୍‌ ଡିପାର୍ଟମେଣ୍ଟ୍‌ (ଏମ୍‌ଭିଡି) ଅଫିସରଙ୍କ ସମ୍ମୁଖରେ ତାଙ୍କ କାର୍‌ ଚାଳନାର ଏକ ପରୀକ୍ଷା ଦେଇଥିଲେ। ତେବେ ସେତେବେଳେ ମଧ୍ୟ ଅଧିକାରୀ ତାଙ୍କୁ ଲାଇସେନ୍ସ ଦେବାକୁ ମନା କରିଦେଇଥିଲେ। ଜୁଲିମୋଲ୍‌ ଶେଷରେ ଦିବ୍ୟାଙ୍ଗଙ୍କ ପାଇଁ ଥିବା ରାଜ୍ୟ ଆୟୋଗଙ୍କ ନିକଟକୁ ଯାଇଥିଲେ। ତେବେ ଯାଇ ସେ ଲାଇସେନ୍ସ ପାଇବାକୁ ସକ୍ଷମ ହୋଇଥିଲେ।