ରସମୟ ପୁର, ନାରୀ ରସମୟ ଭାବ ଗିର।
କରିଲେ ପ୍ରଚାର ଆନନ୍ଦ ସାଗର ପଲ୍ଲବି ରହିବ ମର୍ତ୍ତ୍ୟପୁର।
-ଉକ୍ତି ପ୍ରତ୍ୟୁକ୍ତି ବଚନିକା, ବିହାରୀ ଦାସ
ବିଂଶ ଶତାବ୍ଦୀର ଆଦ୍ୟପାଦରେ ସମ୍ବଲପୁରର ଗୋପାଳଜି ମଠର ମହନ୍ତ ଥିଲେ ବିହାରୀ ଦାସ। ସେ ରଚନା କରିଥିଲେ ‘ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଓ ଲକ୍ଷ୍ମୀଙ୍କର ବାହୁଡ଼ାବିଜୟ ଉକ୍ତି ପ୍ରତ୍ୟୁକ୍ତି ବଚନିକା’। ୧୯୦୭ରେ ମୁଦ୍ରିତ ତାହାର ମୁଖବନ୍ଧରେ ସେ ଲେଖିଛନ୍ତି- ଆଷାଢ଼ ଶୁକ୍ଳ ଦ୍ୱିତୀୟାର ବିଜୟ ଯାତ୍ରା ଓ ଆଷାଢ଼ ଶୁକ୍ଳ ଦଶମୀର ବାହୁଡ଼ା ବିଜୟ ପରେ, ନୀଳାଚଳକୁ ଯେତେବେଳେ ତାଙ୍କର ବିଜୟ ହୁଏ- ସେତେବେଳେ ଆଷାଢ଼ ଶୁକ୍ଳ ରାଗରେ ଲକ୍ଷ୍ମୀ-ଜଗନ୍ନାଥଙ୍କ ମଧ୍ୟରେ ହେଉଥିବା ଉକ୍ତି-ପ୍ରତ୍ୟୁକ୍ତି ସେ ଶୁଣିଥିଲେ। ସେଥିରେ କିଛି ପଦର ଅଭାବ ଥିବା ଲକ୍ଷ୍ୟକରି, କିଛି ପଦ ଯୋଡ଼ି ସେ ପାଠକ ଓ ଭକ୍ତମାନଙ୍କର ସନ୍ତୋଷ ବିଧାନ ପାଇଁ ଅର୍ପଣ କରିଛନ୍ତି।
ସେହି ପୁସ୍ତକରେ ପ୍ରଥମେ ‘ଶ୍ରୀଲକ୍ଷ୍ମୀଙ୍କର ଭିତର ବିଜେ ଜଣାଣ’ ଏବଂ ପରେ ଲକ୍ଷ୍ମୀ ଓ ଜଗନ୍ନାଥଙ୍କର ଉକ୍ତି-ପ୍ରତ୍ୟୁକ୍ତି ରହିଛି।
ନୀଳାଦ୍ରିବିଜେରେ ଶ୍ରୀମନ୍ଦିର ଗମନ ପାଇଁ ଜଗନ୍ନାଥ ଆସି ମନ୍ଦିର ଦ୍ୱାରରେ ଉପସ୍ଥିତ ହୋଇଛନ୍ତି ଏବଂ କବାଟ ପଡ଼ିଥିବା ଦେଖି ତାହା ଫିଟାଇବା ପାଇଁ ଲକ୍ଷ୍ମୀଙ୍କ ସଖୀମାନଙ୍କୁ କହିଛନ୍ତି। ଲକ୍ଷ୍ମୀଙ୍କ ପକ୍ଷରୁ ସଖୀମାନଙ୍କର ଓ ଜଗନ୍ନାଥଙ୍କର ଉକ୍ତି-ପ୍ରତ୍ୟୁକ୍ତି ହୋଇଛି। ପରିଶେଷରେ ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସଖୀମାନେ କବାଟ ଫିଟାଇ ଦେଇଛନ୍ତି। ସେହି ପ୍ରସଙ୍ଗରେ, ଜଗନ୍ନାଥଙ୍କ ମୁଖରେ ଏହି ସୁଭାଷିତଟି କୁହାଯାଇଛି।
ଜଗନ୍ନାଥ ମନେମନେ ଭାବିଛନ୍ତି- ଯଦି ଏଠାରେ ମୁଁ ରସ ପ୍ରେମ ଛବି ନ ଦେଖାଇବି, ତେବେ ମନୁଷ୍ୟମାନେ ସେ ରସ ପ୍ରେମ ଛବିର ସ୍ୱରୂପ କିପରି ବା ଭାବି ପାରିବେ? ଏ ଗୃହ ହେଉଛି ରସମୟ ପୁର। ନାରୀର ରସମୟ ଭାବ ତାହାର କଥାରେ ପ୍ରକାଶପାଏ। ସେହି ରସର ପ୍ରଚାର ଦ୍ୱାରା ହିଁ ଏହି ମର୍ତ୍ତ୍ୟପୁରରେ ଆନନ୍ଦର ସାଗର କଲ୍ଲୋଳିତ ହୁଏ।
ଏହା ସୂଚାଏ, ଯେ ଶ୍ରୀମନ୍ଦିରରେ ନୀଳାଦ୍ରିବିଜେ ଅବସରରେ ହେଉଥିବା ଲକ୍ଷ୍ମୀ-ଜଗନ୍ନାଥ ଉକ୍ତି-ପ୍ରତ୍ୟୁକ୍ତି, ଘରକୁ ରସମୟ ଓ ମର୍ତ୍ତ୍ୟପୁରକୁ ଆନନ୍ଦସାଗର କରିବାପାଇଁ ହିଁ ଉଦ୍ଦିଷ୍ଟ।