ବ୍ରହ୍ମରୂପୀ ଅଗ୍ନିରେ ଯଜ୍ଞଦ୍ୱାରା ଯଜ୍ଞର ଆହୁତି। ଏହା ହେଉଛି ଗୀତାବର୍ଣ୍ଣିତ ଆଉ ଏକ ପ୍ରକାର ଯଜ୍ଞ। ଏହା କୌଣସି ବାହ୍ୟ କର୍ମ ନୁହେଁ। ଏହା ଏକ ଧ୍ୟାନଲବ୍‌ଧ ଅନ୍ତଃକର୍ମ। ସର୍ବବ୍ୟାପକ ପାର୍ଥକ୍ୟହୀନ ବ୍ୟାପ୍ତି ହେଉଛି ବ୍ରହ୍ମ। ‘ଅଗ୍‌’ ଧାତୁରୁ ଗଠିତ ଅଗ୍ନି ଶବ୍ଦର ଅର୍ଥ ହେଉଛି ଗତି କରିବା। ତେଣୁ ବ୍ରହ୍ମରୂପୀ ଅଗ୍ନି ହେଉଛି ସେହି ଅନୁଭବ- ଯାହା ମାଧ୍ୟମରେ, ପିଣ୍ଡବ୍ରହ୍ମାଣ୍ଡ ସାଧକ ବ୍ରାହ୍ମୀସ୍ଥିତି ଆଡ଼କୁ ଗତି କରନ୍ତି। ତେଣୁ ଗୀତା ବର୍ଣ୍ଣିତ ଏହି ଯଜ୍ଞ ହେଉଛି ଏକ ଧ୍ୟାନାବସ୍ଥା। ଏହି ଯଜ୍ଞରେ ଯଜ୍ଞ ଦ୍ୱାରା ଯଜ୍ଞର ପ୍ରକ୍ରିୟାକୁ ଆହୁତି ଦିଆଯାଏ।

Advertisment

‘ଯଜ୍‌’ ଧାତୁରୁ ଆସିଥିବା ଯଜ୍ଞ ଶବ୍ଦର ଅର୍ଥ, ପ୍ରଦାନ କରିବା ବା ସଙ୍ଗ କରିବା। ଏହି ଯଜ୍ଞର ଲକ୍ଷ୍ୟ ହେଉଛି ବ୍ରାହ୍ମୀସ୍ଥିତି ଅନୁଭବ କରିବା ପ୍ରକ୍ରିୟା ସହ ନିଜ ଚେତନାକୁ ନିମଜ୍ଜିତ କରିବା।ପିଣ୍ଡବ୍ରହ୍ମାଣ୍ଡ ସିଦ୍ଧମାନଙ୍କ ମତରେ, ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ବର୍ଣ୍ଣିତ ଏହିଯଜ୍ଞ ମାଧ୍ୟମରେ ପ୍ରକୃତ ଚରମ ବ୍ରାହ୍ମୀସ୍ଥିତି ପ୍ରାପ୍ତିର ଗୂଢ଼ ରହସ୍ୟକୁ ଖୁବ୍ କମ୍ ଶବ୍ଦରେ ପରିପ୍ରକାଶ କରାଯାଇଛି। ଧ୍ୟାନର ଉଚ୍ଚତର ଅବସ୍ଥାରେ ପ୍ରତ୍ୟେକ ପିଣ୍ଡବ୍ରହ୍ମାଣ୍ଡ ସାଧକ ଚିରନ୍ତନ ସର୍ବବ୍ୟାପକ ସତ୍ତା ବା ବ୍ରହ୍ମର ଆଭାସ ପାଏ। କିନ୍ତୁ ସାଧକ ବ୍ରାହ୍ମୀସ୍ଥିତି ବା ନିର୍ବିକଳ୍ପ ସମାଧି ଅଥବା ନିର୍ବାଣଠାରୁ ତଥାପି ବି ଦୂରରେ ରହିବାକୁ ବାଧ୍ୟହୁଏ। ଏହାର କାରଣ ହେଉଛି, ପାର୍ଥକ୍ୟର ଅନୁଭୂତି। ସର୍ବବ୍ୟାପକ ବ୍ରାହ୍ମୀସ୍ଥିତିର କିଞ୍ଚିତ ଆଭାସ ପାଇବାପାଇଁ ସାଧକଙ୍କୁ ଯେଉଁ ସାଧନା ପ୍ରକ୍ରିୟା ବା ଯଜ୍ଞ କରିବାକୁ ହୁଏ, ତାହାର ମହତ୍ତ୍ୱ ସାଧକଙ୍କ ମନରେ ବଢ଼ିଚାଲେ। ସାଧକ ଗୋଟିଏ ସମୟରେ ବ୍ରାହ୍ମୀସ୍ଥିତିର ଦ୍ରଷ୍ଟା, ବ୍ରହ୍ମରୂପୀ ଦୃଶ୍ୟ ଓ ଏହି ସ୍ଥିତି ପ୍ରାପ୍ତିର ପ୍ରକ୍ରିୟାକୁ ଅନୁଭବ କରନ୍ତି। ଏହି ତ୍ରିବିଧ ଦର୍ଶନ ମଧ୍ୟ ପାର୍ଥକ୍ୟରୂପୀ। ପିଣ୍ଡବ୍ରହ୍ମାଣ୍ଡ ସାଧକ କିପରି ଏହି ମାୟାର ତ୍ରିଶୂଳରୁ ମୁକ୍ତି ପାଇବ ତାହାର ଉପାୟ ବତାଇଛନ୍ତି ଭଗବାନ ଶ୍ରୀକୃଷ୍ଣ।

ଏଥିପାଇଁ ସାଧକଙ୍କୁ ସେ କରୁଥିବା ସାଧନା ବା ଧ୍ୟାନକୁ ମଧ୍ୟ ସର୍ବବ୍ୟାପକ ବ୍ରହ୍ମର ଏକପ୍ରକାର ପରିପ୍ରକାଶ ଭାବେ ଅନୁଭବ କରିବାକୁ ପଡ଼ିବ। ନିଜର ଦ୍ରଷ୍ଟା ଭାବକୁ, ସାଧନା ପ୍ରକ୍ରିୟାକୁ ଓ ବ୍ରହ୍ମର ଆଭାସକୁ ସର୍ବବ୍ୟାପକ ଚିରନ୍ତନ ସତ୍ତାର ପରିପ୍ରକାଶ ଭାବେ ଦର୍ଶନ କରିବା ହେଉଛି ଏହି ଯଜ୍ଞର ଆହୁତି। ଏହା ଦ୍ୱାରା ବ୍ରହ୍ମରୂପୀ ଧ୍ୟାନାଗ୍ନିରେ ସମସ୍ତ ଦ୍ୱୈତଭାବ ଭସ୍ମୀଭୂତ ହୁଏ। ଏହା ପରେ, କେବଳ ବାକି ରହେ ନିରାକାର, ସର୍ବାକାର, ସର୍ବବ୍ୟାପକ ବ୍ରହ୍ମାନୁଭୂତି।