ଜୀବନ-ମନ୍ତ୍ର: ଏକ ଲକ୍ଷ୍ମୀ, ଅନେକ ନାମ

ଲକ୍ଷ୍ମୀ, ମହାଲକ୍ଷ୍ମୀ ବା ପରମଲକ୍ଷ୍ମୀଙ୍କର ଅନେକ ନାମ। ‘ଅଷ୍ଟଲକ୍ଷ୍ମୀ’ ଭାବରେ ତାଙ୍କର ନାମ ଓ ସ୍ୱରୂପ ଆଠ। କିନ୍ତୁ ବିଭିନ୍ନ ଶାସ୍ତ୍ର, ଗ୍ରନ୍ଥରେ ଏବଂ ଓଷା, ବ୍ରତକଥା ଆଦିରେ ତାଙ୍କର ଅନେକ ନାମ। ‘ସୁଦଶାବ୍ରତ’ର ବ୍ରତସୂତ୍ରରେ ଲକ୍ଷ୍ମୀଙ୍କର ଦଶନାମରେ ଦଶଟି ଗଣ୍ଠି ପକାଯାଏ। କିନ୍ତୁ ‘ଗୁରୁପଞ୍ଚମୀ ବ୍ରତ’ କଥା ଅନୁସାରେ, ତାଙ୍କର ଷୋଡ଼ଶ ନାମ। ସେହିସବୁ ନାମ ତାଙ୍କୁ ବିଭିନ୍ନ ଦେବତା ଦେଇଥିଲେ।

ଓଡ଼ିଆ ବ୍ରତ ସାହିତ୍ୟରେ ଦୁଇଟି ‘ଗୁରୁପଞ୍ଚମୀ ବ୍ରତକଥା’ ମିଳେ। ସେଥିରୁ ଗୋଟିଏରେ କୁହାଯାଇଛି- ଦେବତାଙ୍କ ସଭାରେ ମହାଲକ୍ଷ୍ମୀ ବିଷ୍ଣୁଙ୍କୁ ପତି ରୂପେ ବରଣ କଲେ। ସେ କ୍ଷୀରସାଗର ମନ୍ଥନରୁ ଜାତ ହୋଇଥିଲେ। ତେଣୁ ସାଗରରାଜ ବରୁଣ ତାଙ୍କର ପିତା। ବିଷ୍ଣୁଙ୍କୁ ପତି ରୂପେ ବରଣ କରିବା ପରେ, ବରୁଣଦେବ ତାଙ୍କୁ କୋଳାଗ୍ରତ କରି ନେଇ ବିଷ୍ଣୁଙ୍କୁ କୋଳରେ ଦେଲେ।

ସେହି ବ୍ରତକଥା ଅନୁସାରେ, ସମୁଦ୍ର ମନ୍ଥନରୁ ଜାତ ହେବା ପରେ, ଲକ୍ଷ୍ମୀ ଅମୃତ ବାଣ୍ଟି ଦେବତାଙ୍କୁ ‘ଅମର’ କରିଥିଲେ। ତେଣୁ ଦେବତାମାନେ ତାଙ୍କୁ ବର ମାଗିବାକୁ କହିଥିଲେ। ମହାଲକ୍ଷ୍ମୀ କହିଲେ- ହେ ଦେବଗଣ! ତୁମ୍ଭେ ଶୁକ୍ଳ ପଞ୍ଚମୀ ଗୁରୁବାର ଦିନ ମୋହର ବ୍ରତ କରିବ। ଏହିଦିନ ମୁଁ ନାରାୟଣଙ୍କୁ ବର ରୂପେ ପାଇଲି। ଏହି ବ୍ରତ ଯେ ଯଥାବିଧି କରିବ, ମୁଁ ତାଙ୍କୁ ଅଭୟ, ଅତୁଟ ଯଶଶ୍ରୀ ଦେବି। ଯେ ସଂକଳ୍ପ କରି ଏ ବ୍ରତ ନ କରିବ, ମୁଁ ତାହାର ଶ୍ରୀ ହରଣ କରିନେବି।

ଏହା ଶୁଣି ଦେବତାମାନେ ହରଷ ହେଲେ। ବ୍ରହ୍ମା ତାଙ୍କୁ କମଳ ଆସନରେ ବସାଇ ‘କମଳା’ ନାମ ଦେଲେ। ବିଷ୍ଣୁ କହିଲେ, ତୁମର ଆଦ୍ୟ ନାମ ‘ମହାଲକ୍ଷ୍ମୀ’। ଏବେ ତୁମ୍ଭେ ମୋତେ ମୋହିଲ; ଏଣୁ କରି ତୁମର ନାମ ହେଲା ‘ବିଷ୍ଣୁବଲ୍ଲଭୀ’। ଶିବ ତାଙ୍କୁ ପୂଜା କରି କହିଲେ, ତୁମର ନାମ ହେଉ ‘ମେଧା’। ଇନ୍ଦ୍ର ପୂଜା କରି ତାଙ୍କର ନାମ ‘ସୀତା’ ଦେଲେ। ପିତା ବରୁଣ ତାଙ୍କର ନାମ ଦେଲେ ‘ଶ୍ରୀୟା’। ଅଗ୍ନି ତାଙ୍କୁ ପୂଜା କରି ‘ପାପନାଶିନୀ’ ନାମ ଦେଲେ। ପବନ ପୂଜା କରି ଦେଲେ ‘କମଳାଳୟା’ ନାମ। ପୃଥିବୀ ପୂଜା କରି ତାଙ୍କର ନାମ ଦେଲେ ‘ସିନ୍ଧୁକୁମାରୀ’। ସେହିପରି ଚନ୍ଦ୍ର ପୂଜା କରି ଉଚ୍ଚୈଶ୍ରବା ଅଶ୍ୱ ଦେବା ସହ ତାଙ୍କୁ ‘ଚଞ୍ଚଳା’ ନାମ ଦେଲେ ଏବଂ ଆଦିତ୍ୟ ପଦ୍ମାସନରେ ବସାଇ ପୂଜା କରି ତାଙ୍କର ନାମ ଦେଲେ ‘ପଦ୍ମାଳୟା’। ଦିକ୍‌ପାଳମାନେ ଦିବ୍ୟ ଗଜାସନରେ ବସାଇ ତାଙ୍କର ନାମ ‘ଗଜବାହିନୀ’ ଦେଲେ।

ଏହିପରି ଭାବରେ, ଏସବୁକୁ ମିଶାଇ ଲକ୍ଷ୍ମୀଙ୍କର ଷୋଡ଼ଶ ନାମ ହେଲା। ଦେବତାମାନେ କହିଲେ- ହେ ଦେବୀ, ଯେ ତ୍ରିସନ୍ଧ୍ୟାରେ ତୁମର ଷୋଡ଼ଶ ନାମ ପାଠକରି ପ୍ରଣାମ କରିବ, ତୁମେ ତାହାର କାନ୍ଧରେ ଥିବ।
ସେ ସମଗ୍ର ରାଜ୍ୟରେ
ପୂଜ୍ୟ ହେବ।

ସମ୍ବନ୍ଧିତ ଖବର