ଚାକିରି, ଅଭିନୟ ଓ ସଂସାରରେ ସମାନ୍ତରାଳ ଭାବେ ଚାଲିବାକୁ ବହୁବାର ମିଛ କହିବାକୁ ପଡ଼ିଛି: ଶ୍ୟାମଳେନ୍ଦୁ

‘ଦନେଇ ଦାସ କହେରେ ଭାଇ କଥାଟି ବଡ଼ ସଚ୍ଚା..’, ‘ଆସ କିଏ ଖାଇବ ହୋ ଆମ ରଜାବାବୁର ଖାନା…’, ‘ଟିକ୍ ଟିକ୍ ଟିକ୍ ଟିକ୍ ଘଣ୍ଟା ଚାଲେ…’ ପରି ଲୋକପ୍ରିୟ ଓଡ଼ିଆ ସିନେଗୀତର ନାୟକ ସେ। ଅଭିନେତ୍ରୀରୁ ଯାଯାବର, ଅକ୍ଷିତୃତୀୟା, ଶ୍ରୀଜଗନ୍ନାଥ, ସ୍ତ୍ରୀ, ଲାଲ୍‌ ପାନ ବିବି, ଜୋର୍‌ ଯା’ର ମୁଲକ ତା’ର ଓ କାଳୀଶଙ୍କର ପରି ତିରିଶରୁ ଅଧିକ ଦର୍ଶକାଦୃତ ସିନେମାରେ ଦେଖିବାକୁ ମିଳିଛି ତାଙ୍କ ଚମତ୍କାର ଅଭିନୟ। ଓଡ଼ିଆ ଚଳଚ୍ଚିତ୍ରରେ ହାସ୍ୟାଭିନୟ ପରମ୍ପରାର ଅନ୍ୟତମ କର୍ଣ୍ଣଧାର ବର୍ଷୀୟାନ୍ ଅଭିନେତା ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ। ବୟସର ଅପରାହ୍ଣରେ ଉପନୀତ ହୋଇଥିଲେ ବି ପୁରୁଣା ଦିନର ସ୍ମୃତି ସାଉଁଟିବା ‌ବେଳେ ଫେରିପାଆନ୍ତି ଯୁବସୁଲଭ ଚପଳତା।

କୁହାଯାଏ, ଯଦି ସିନେମାରେ ଶ୍ୟାମଳେନ୍ଦୁ ଅଛନ୍ତି ତେବେ ତାଙ୍କ ସହ ଜଣେ ନାୟିକା ନିଶ୍ଚୟ ଥିବେ। ଏପରି କାହିଁକି?
କାରଣ, ମୁଁ ଅଭିନୟ ସହ ଭଲ ନୃତ୍ୟ କରିପାରେ। ପୁଣି ନୃତ୍ୟ ନିର୍ଦ୍ଦେଶନା ବି ଦେଇଥାଏ। ଚଳଚ୍ଚିତ୍ର ଯାଯାବର, ସ୍ତ୍ରୀ, ତଅପୋଇ, ମନ ମନ୍ଦିର, ଅଭିମାନ, ଉଲ୍‌କା ଆଦିରେ ମୁଁ ଅଭିନୟ ସହିତ ନୃତ୍ୟ ନିର୍ଦ୍ଦେଶନା ମଧ୍ୟ ଦେଇଛି। ନୃତ୍ୟରେ ଦଖଲ ଥିବାରୁ ବୋଧହୁଏ କାହାଣୀକାର ଓ ନିର୍ଦ୍ଦେଶକ ମୋ ସହିତ ଜଣେ ନାୟିକାଙ୍କୁ ଯୋଡ଼ିଦିଅନ୍ତି। ‘ଦନେଇ ଦାସ..’ ଗୀତରେ ପ୍ରୀତି ପଟ୍ଟନାୟକ, ‘ଆସ କିଏ ଖାଇବ ହୋ…’ ଓ ‘ଟିକ୍ ଟିକ୍ ଟିକ୍ ଟିକ୍ ଘଣ୍ଟା ଚାଲେ…’ ଗୀତରେ ନମ୍ରତା ଦାସ, ‘ଧଡ଼ଧଡ଼ିଆ ବଡ଼ବଡ଼ିଆ…’ ଗୀତରେ ମାମିନା, ଚଳଚ୍ଚିତ୍ର ‘ଅନୁତାପ’ରେ ଜୟା ଗୋସ୍ୱାମୀ, ‘ଝିଲିମିଲି’ରେ ଲୁନା ମହାପାତ୍ର ପ୍ରମୁଖ ମୋ ବିପକ୍ଷର ନାୟିକା ସାଜିଛନ୍ତି।

ଚଳଚ୍ଚିତ୍ରରେ ଅଭିନୟର ପ୍ରଥମ ସୁଯୋଗ କିପରି ପାଇଥିଲେ? ମନେଅଛି?
ବାବୁଲାଲ୍‌ ଦୋଶୀଙ୍କ ପ୍ରଯୋଜନାରେ ତିଆରି ହେଉଥାଏ ‘ଅଭିନେତ୍ରୀ’। ନିର୍ଦ୍ଦେଶନା ଭାର ନେଇଥାନ୍ତି ଅମିତ ମୈତ୍ର। ଗୋପାଳ ଘୋଷଙ୍କ ଘରେ ଚାଲିଥାଏ ଅଡିସନ୍। ମୋ କାନରେ ଏ ଖବର ବାଜିଲା। ମୁଁ ଗୋପାଳ ଦା’ଙ୍କ ଘରେ ପହଞ୍ଚିଗଲି। ତାଙ୍କୁ ଦେଖାକରି କହିଲି- ଦାଦା ମୋତେ କିଛି ରୋଲ୍ ମିଳିବନି! ସେ ହସିଲେ ଆଉ ତତ୍‌କ୍ଷଣାତ୍‌ କଣ୍ଟ୍ରାକ୍ଟ ପେପର ବଢ଼େଇ ମୋତେ କହିଲେ- ତୁ ଏଥିରେ ଜଲ୍‌ଦି ସାଇନ୍ କର। ଏଥିରେ ମୁଖ୍ୟ ହାସ୍ୟାଭିନେତା ଥିଲେ ସାଗର ଦାସ, ତାଙ୍କ ସାଙ୍ଗରେ ମୋତେ ଯୋଡ଼ିଦିଆଗଲା। ପରଦାରେ ଆମ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଏହା ଥିଲା ଚଳଚ୍ଚିତ୍ରରେ ମୋ ପାଇଁ ପ୍ରଥମ ସୁଯୋଗ।
ଏହା ପରେ ମତେ ସୁଯୋଗ ମିଳିଲା ଯାଯାବରରେ। ଏଇ ଚଳଚ୍ଚିତ୍ରରେ ଶ୍ୟାମଳେନ୍ଦୁ ଭଲ ହାସ୍ୟାଭିନେତା ବୋଲି ଲୋକେ ଜାଣିଲେ। ଏଥିରେ ଥିବା ‘ଦନେଇ ଦାସ କହେରେ ଭାଇ କଥାଟି ବଡ଼ ସଚ୍ଚା, ଏ ଦୁନିଆରେ କେହି ନା କେହି କାହାର ତ ଚାମ୍‌ଚା..’ ଗୀତ ଦୃଶ୍ୟଟି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେଇଥିଲା। ଏହାପରେ ମୋତେ ‘ଅନୁତାପ’ ଚିତ୍ରରେ ସୁଯୋଗ ମିଳିଲା। ତା’ପରଠୁ ଚାଲିଛି।

ସିନେମାରେ ପ୍ରାୟତଃ ଏକାଧିକ ହାସ୍ୟାଭିନେତା ଥାଆନ୍ତି। କାହା ସହ ଆପଣଙ୍କ ଯୋଡ଼ି ଦର୍ଶକଙ୍କୁ ହସେଇବାରେ ଅଧିକ ଖୋରାକ୍ ଦିଏ?
ନରି। ତା’ର ଢିମା ଢିମା ଆଖି। ସେ ଆଖି ଦି’ଟା ଦର୍ଶକଙ୍କୁ ତ ହସେଇ ହସେଇ ବେଦମ୍ କରିଦିଏ। ତା’ଛଡ଼ା ମୁଁ ତା’ର ସହ-କଳାକାର ହିସାବରେ ହସିବାର ଖୋରାକ୍ ପାଇଯାଏ। ତା’ର ମୋର କିଛି ଚଳଚ୍ଚିତ୍ରରେ ଏକାଠି ଅଭିନୟ କରି ଦର୍ଶକଙ୍କୁ ଢେର୍‌ ହସ ବାଣ୍ଟିଛୁ।

ନୃତ୍ୟ ନିର୍ଦ୍ଦେଶନା ଓ ସହ-ନିର୍ଦ୍ଦେଶନା ଦେଇଛନ୍ତି। କେବେ ନିର୍ଦ୍ଦେଶକ ହେବାର ସୁଯୋଗ ମିଳିନି?
ସଙ୍ଗ୍ ଆଣ୍ଡ୍ ଡ୍ରାମା ଡିଭିଜନ୍ ଦ୍ୱାରା ପ୍ରସ୍ତୁତ ଓ ପରିବେଷିତ ଗୋଟିଏ ହାସ୍ୟରସାତ୍ମକ ନାଟକ ‘ଆଗନ୍ତୁକ’ର ମୁଁ ଥିଲି ଲେଖକ। ଏହା ରାଜ୍ୟ ତଥା ଜାତୀୟସ୍ତରରେ ବେଶ୍ ଆଦୃତ ହେଇଥିଲା। ଏହି ନାଟକଟି ଟେଲିଫିଲ୍ମରେ ରୂପାନ୍ତରିତ ହେଇ ଦୂରଦର୍ଶନରେ ପ୍ରସାରିତ ହେଇଥିଲା। ମୁଁ ଏହାର ପ୍ରଯୋଜନା ଓ ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳି ଥିଲି। ବ୍ୟାବସାୟିକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେବାର ଆକାଙ୍‌କ୍ଷା ଥିଲେ ମଧ୍ୟ ମୋତେ କେହି ପ୍ରଯୋଜକ ମିଳି ନ ଥିଲେ। ଏଇଟା ମୋର ଅବସୋସ।

ଅଭିନୟରେ ଆପଣଙ୍କ ଗୁରୁ କିଏ? ଆପଣ ଅଭିନୟ ପାଇଁ କିଛି ବିଧିବଦ୍ଧ ଶିକ୍ଷା ନେଇଥିଲେ?
ନା। ହଉ ହଉ ଅଭିନେତା ହେଇଗଲି। କଟକ ଚାନ୍ଦିନୀଚୌକର ମେହେନ୍ଦୀପୁରରେ ମୋର ଜନ୍ମ। ସେତେବେଳେ ସହରରେ କୋଉଠି ନା କୋଉଠି ନାଟକ ଚାଲିଥାଏ। ମୁଁ ଘରୁ ଲୁଚିକି ଯାଇ ନାଟକ ଦେଖେ। ଦେଖୁ ଦେଖୁ ଶିଖିଗଲି। ଅଭିନୟ ପାଇଁ ପଇସା ମିଳେନି, ନିର୍ଦ୍ଦେଶକମାନେ ବରା, ଗୁଲୁଗୁଲା ଖୁଏଇକି ମୋତେ କେତେ ନାଟକରେ ଅଭିନୟ କରେଇଛନ୍ତି। ଏହାପରେ ଅନ୍ନପୂର୍ଣ୍ଣା ବି ଗ୍ରୁପର ମୁଁ ନିୟମିତ କଳାକାର ଭାବେ ଅଭିନୟ କରି ଦି’ପଇସା ପାଇଲି।

ଶିକ୍ଷାଗତ ଯୋଗ୍ୟତା ନ ଥାଇ କେନ୍ଦ୍ର ସରକାରଙ୍କ ‘ସଙ୍ଗ୍ ଆଣ୍ଡ୍ ଡ୍ରାମା ଡିଭିଜନ୍’ରେ ଚାକିରି ପାଇଗଲେ?
ଅଭିନୟ ବିଭାଗ ପାଇଁ ଅଭିନେତା ଦରକାର ଥିଲା। ମୁଁ ଇଣ୍ଟର୍‌ଭ୍ୟୁ ଦେବାକୁ ଗଲି। ସିଲେକ୍ସନ୍‌ କମିଟିରେ ଓଡ଼ିଆ ଚଳଚ୍ଚିତ୍ର ‘ଅମଡ଼ା ବାଟ’ର ନିର୍ଦ୍ଦେଶକ ଅମର ଗାଙ୍ଗୁଲି ଥିଲେ। ସେ ମୋ ଅଭିନୟର ଅଭିଜ୍ଞତା ଶୁଣି ବିସ୍ମିତ ହେଇଥିଲେ ଏବଂ ମୋତେ ମନୋନୀତ କଲେ। ଆଗେ ମୁଁ ସିନେମାରେ ଚରିତ୍ରଟିଏ ପାଇବା ପାଇଁ ବିକଳ ହେଇ ଏଠି ସେଠି ବୁଲୁଥିଲି। କିନ୍ତୁ, ଚାକିରି ହେବା ପରେ ମୋତେ ଲଗାତାର ସୁଯୋଗ ମିଳିଲା।

ଚାକିରି, ଅଭିନୟ ଓ ସଂସାର- ଏ ତିନି କ୍ଷେତ୍ରରେ କେମିତି ଆପଣ ଭାରସାମ୍ୟ ରଖୁଥିଲେ?
ଏପାଖେ ସଂସାର, ସେପାଖେ ଚାକିରି, ପୁଣି ମଝିରେ ଅଭିନୟ। ସତରେ ଅଭିନୟ ପାଇଁ ମିଛୁଆ ହେବାକୁ ପଡୁଥିଲା। ଅଫିସ୍‌ରୁ ଛୁଟି ନେଇ ନେଇ ସରିଯିବା ପରେ ମୋତେ କେବଳ ମିଛର ଆଶ୍ରୟ ନେବାକୁ ପଡୁଥିଲା। ଆଜି ମା’ ତ କାଲି ବାପା, ନ ହେଲେ ସ୍ତ୍ରୀ ଓ ଛୁଆପିଲାଙ୍କ ଦେହ ଅସୁସ୍ଥତାର ବାହାନା କରି ମୁଁ ସୁଟିଂ ପାଇଁ ପଳାଉଥିଲି। ଥରେ କୋଲ୍‌କାତା, କଟକ ଓ ଭୁବନେଶ୍ୱର ତିନିଟି ସ୍ଥାନରେ ତିନିଟି ପୃଥକ୍ ଚଳଚ୍ଚିତ୍ର ସୁଟିଂ ହେଉଥିଲା। ଗୋଟିଏ ସେଟ୍‌ରେ ଦୁଇଦିନ ଅଭିନୟ କରି ମିଛ କହି ଅନ୍ୟ ସେଟ୍‌ରେ ପହଞ୍ଚୁଥିଲି। ଅଭିନୟ ପାଇଁ କେବଳ ଚାକିରିରେ କାହିଁକି ଘରେ ମଧ୍ୟ ମିଛ କହିଛି। ଚାକିରି, ଅଭିନୟ ଓ ସଂସାର; ଏ ତିନି କ୍ଷେତ୍ରରେ ସମାନ୍ତରାଳ ଭାବେ ଚାଲିବାକୁ ଜୀବନରେ ବହୁବାର ମିଛ କହିବାକୁ ପଡ଼ିଛି ।

ଅଭିନୟ ଜୀବନର କିଛି ଅଭୁଲା ସ୍ମୃତି…
ବାରିପଦା ନିକଟସ୍ଥ ଏକ ପାହାଡ଼ ଉପରେ ଅକ୍ଷିତୃତୀୟା ଚଳଚ୍ଚିତ୍ରର ସୁଟିଂ ଚାଲିଥାଏ। ମୋର ପାହାଡ଼ ଉପରୁ ତଳକୁ ଡେଇଁବାର ଦୃଶ୍ୟଟିଏ ଥାଏ। ଯଦିଓ ନିର୍ଦ୍ଦେଶକ ଏଥିପାଇଁ ମୁମ୍ବାଇରୁ ଜଣେ ଡମି ଆର୍ଟିଷ୍ଟ୍‌ ଆଣିଥିଲେ। ହେଲେ ମୁଁ ଜିଦି ଧରିଥିଲି ଯେ ନିଜେ ପାହାଡ଼ ଉପରୁ ତଳକୁ ଡେଇଁବି । ତାହା ହିଁ ହେଲା, କିନ୍ତୁ ମୁଁ ତଳେ ପଡ଼ିବା ବେଳକୁ ମୋ ଗୋଡ଼ ଭାଙ୍ଗିଗଲା। ଛ’ମାସ କାଳ ମୋ ଗୋଡ଼ ପ୍ଲାଷ୍ଟର୍‌ ହୋଇ ରହିଲା। ସେତେବେଳକୁ ମୋ ଭୂମିକାର ଷାଠିଏ ପ୍ରତିଶତ ସୁଟିଂ ସରିଥାଏ। ଚଳଚ୍ଚିତ୍ର ମୁକ୍ତିଲାଭ କଲା, ମାତ୍ର ମୋର ଅବଶିଷ୍ଟ ରୋଲ୍‌କୁ କାହାଣୀରୁ ଉଡ଼େଇ ଦିଆଯାଇଥିଲା। ତେବେ ବି ଚିତ୍ରଟିରେ ମୋର ସେତିକି ଅଭିନୟ ଦର୍ଶକଙ୍କୁ ବାୟା କରିଦେଇଥିଲା।

ସମ୍ବନ୍ଧିତ ଖବର