ସଫେଇ କାମ ପାଇଁ କର୍ମଚାରୀଙ୍କୁ ମିଳୁଛି ମାସକୁ ୮ ଲକ୍ଷ ଟଙ୍କା, ଘଣ୍ଟା ହିସାବରେ ମିଳୁଛି ଦରମା

ନୂଆଦିଲ୍ଳୀ: ଅଷ୍ଟ୍ରେଲିଆରେ ଏବେ ସଫେଇ କର୍ମଚାରୀଙ୍କୁ ବମ୍ପର୍‌ ଦରମା ମିଳୁଛି। ଏହା ପଛର କାରଣର ବି ଏକଦମ୍‌ ଖାସ୍‌। ଦେଶରେ ସଫେଇ କର୍ମଚାରୀଙ୍କ ଅଭାବ ପଡ଼ିବାରୁ ସେମାନଙ୍କ ଦରମା ଆକାଶଛୁଆଁ ହୋଇଛି । କିଛି କମ୍ପାନି ଏପରି ଏକ ସମସ୍ୟାର ସମାଧାନ ପାଇଁ କର୍ମଚାରୀମାନଙ୍କ ଦରମା ଘଣ୍ଟା ହିସାବରେ ବୃଦ୍ଧି କରିଛନ୍ତି।

ନୂଆ ଦରମା ମୁତାବକ, ଯେଉଁମାନେ ବିନା ଅଭିଜ୍ଞତାରେ କାମ ଆରମ୍ଭ କରିବେ ସେମାନେ ଦିନକୁ ୮ ଘଣ୍ଟା ଲେଖାଏ ସପ୍ତାହକୁ ୫ ଦିନ କାମ କରି ବର୍ଷକୁ ୭୧ ଲକ୍ଷ ଟଙ୍କା ରୋଜଗାର କରିପାରିବେ। ସେହିପରି ଅଭିଜ୍ଞତାକୁ ବୃଦ୍ଧି କରି ଦରମା ବଢ଼ିପାରେ ଓ ସଫେଇ କର୍ମୀଙ୍କ ଦରମା ବର୍ଷକୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ବି ହୋଇପାରେ।

‘ଡେଲିଟେଲିଗ୍ରାଫ୍‌’ର  ରିପୋର୍ଟ ମୁତାବକ, ସିଡ୍‌ନିରେ ଥିବା ସଫେଇ କମ୍ପାନି ‘ଆବ୍‌ସଲ୍ୟୁଟ୍‌ ଡୋମେଷ୍ଟିକ୍‌’ର ପରିଚାଳନା ନିର୍ଦ୍ଦେଶକ ଜୋଏ ବେସ୍‌ କହିଛନ୍ତି କି ‘କର୍ମଚାରୀ ମିଳୁ ନଥିବା କାରଣରୁ ହିଁ ସଫେଇ କର୍ମୀମାନଙ୍କ ଦରମା ବଢ଼ାଇବାକୁ ପଡ଼ିଲା। ସଫେଇ କର୍ମଚାରୀଙ୍କ ଦରମା ବୃଦ୍ଧି କରାଯାଇ ଘଣ୍ଟାକୁ ୩୬୦୦ ଟଙ୍କା କରି ଦିଆଯାଇଛି।’

ସେ ଆହୁରି ବି କହିଛନ୍ତି ଯେ ୨୦୨୧ ଅଧାରୁ ଖୁବ୍ କଷ୍ଟରେ ସଫେଇ କର୍ମଚାରୀ ମିଳୁଛନ୍ତି। ୯ ମାସ ତଳେ ଘଣ୍ଟାକ ପାଇଁ ସଫେଇ କର୍ମୀଙ୍କୁ ୨୭୦୦ ଟଙ୍କା ଦିଆ ଯାଉଥିଲା। ଗତ ୩ ସପ୍ତାହରୁ ୩୬୦୦ ଟଙ୍କା କରି ଦିଆଯାଇଛି। ଦରମା ବଢ଼ାଇବା ପରେ ବି ସଫେଇ କର୍ମଚାରୀ ମିଳିବା ମୁସ୍‌କିଲ୍‌ ବୋଲି ଜୋଏ ବେସ୍‌ କହିଛନ୍ତି।

ସମ୍ବନ୍ଧିତ ଖବର