ଅଲୱାର୍: ଆଜିକାଲି ଲୋକେ ନିଜ ବାପାମାଆଙ୍କୁ ବି ପାଖରେ ରଖିବାକୁ ଭାବୁଥିବା ବେଳେ ଏକ ବିରାଟ ଯୁଗ୍ମ ପରିବାର ବିଷୟରେ ଶୁଣିଲେ ଆପଣ ଚକିତ ହେବେ ନିଶ୍ଚୟ। ଆଜି ଆମେ ରାଜସ୍ଥାନର ଏକ ଏପରି ପରିବାର ବିଷୟରେ କହିବୁ ଯେଉଁଠି ଜଣେ-ଦୁଇ ଜଣ କି ୧୦-୧୨ ଜଣ ନୁହଁ ୧୮୪ ଜଣ ରୁହନ୍ତି। ତେବେ ଗ୍ରାମବାସୀମାନେ ମଜାରେ ମଜାରେ କହନ୍ତି କି ଏହି ପରିବାର ପାଇଁ ଏକ ନୂଆ ତହସିଲ୍ ହେବା ଆବଶ୍ୟକ। ଏତେ ଲୋକ ଏକତ୍ର ରହି ପୂରା ଦୁନିଆ ପାଇଁ ଏକ ଉଦାହରଣ ସୃଷ୍ଟି କରି ପାରିଛନ୍ତି।
ଅଜମେର୍ ଜିଲ୍ଲାର ରାମସର୍ର ସୁଲତାନ ମାଲୀଙ୍କ ପରିବାରରେ ୧୮୪ ଜଣ ଲୋକ ମିଶିକରି ରହନ୍ତି। ପରିବାରର ବୟସ୍କ ବ୍ୟକ୍ତି ବିରଦିଚନ୍ଦ କହନ୍ତି କି ତାଙ୍କ ବାପା ସୁଲ୍ତାନଙ୍କର ୬ ପୁଅ ଥିଲେ। ସେହି ୬ ପୁଅଙ୍କ ପରିବାର ଲଗାତର ବୃଦ୍ଧି ପାଇବାକୁ ଲାଗିଲା ଓ ଆଜି ତାଙ୍କ ପରିବାରରେ ସମୁଦାୟ ୧୮୪ ଜଣ ସଦସ୍ୟ ହୋଇ ସାରିଲେଣି।
ପରିବାରର ସବୁଠାରୁ ଛୋଟ ପିଲାର ଜନ୍ମ ଗତ ୫ ମାସ ତଳେ ହୋଇଛି। ତେବେ ସୁଲ୍ତାନ ତାଙ୍କ ମୃତ୍ୟୁ ପୂର୍ବରୁ ସମସ୍ତ ପୁଅଙ୍କୁ ସାଥୀ ହୋଇ ରହିବାକୁ ପରାମର୍ଶ ଦେଇଥିଲେ। ବାପାଙ୍କୁ ଦେଇଥିବା କଥାକୁ ରଖିବା ପାଇଁ କେହି ବି ହେଲେ ପରିବାରଠାରୁ ଅଲଗା ହେବାକୁ କେବେ ଚେଷ୍ଟା କରିନାହାନ୍ତି।
ପରିବାରର ମୁଖିଆ ନିରକ୍ଷର ହୋଇଥିଲେ ବି ସେ ତାଙ୍କର ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିବାରେ ହେଳା କରିନାହାନ୍ତି। ଏହି ବିରାଟ ଯୁଗ୍ମ ପରିବାରରେ ୨ ଜଣ ଶିକ୍ଷକ, ୨ ଜଣ କମ୍ପାଉଣ୍ଡର୍ ଅଛନ୍ତି। ଏହା ସହିତ କିଛି ସଦସ୍ୟ ବେସରକାରୀ ଚାକିରି ବି କରନ୍ତି। ତେବେ ଏହି ପରିବାର ଜଣେ ବୋହୂ ସରପଞ୍ଚ ବନିଛନ୍ତି।
ତେବେ ଏହି ଘରର ରୋଷେଇ ରାତି ୪ଟାରୁ ଆରମ୍ଭ ହୁଏ। ଦିନକୁ ୨୫ କିଲୋ ଅଟାରେ ରୁଟି ହେଉଥିବା ବେଳେ ୨୫ କିଲୋ ପରିବାରେ ତରକାରୀ ହୋଇଥାଏ।