ସ୍ବାମୀଙ୍କ ସହିତ ଯୁଗ୍ମ ରେକର୍ଡ କଲେ ବିଶ୍ବ ପ୍ରସିଦ୍ଧ ଗାୟିକା ବିୟନ୍‌ସେ

ବିଶ୍ବ ପ୍ରସିଦ୍ଧ ଗାୟିକା ବିୟନ୍‌ସେ ଅନ୍ୟତମ ଶ୍ରେଷ୍ଠ ସଂଗୀତ ପୁରସ୍କାର ‘ଗ୍ରାମି’ର ଶୀର୍ଷ ସ୍ଥାନରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ମଙ୍ଗଳବାର ଦିନ ‘ଗ୍ରାମି’ ପକ୍ଷରୁ ବିଭିନ୍ନ ବିଭାଗରେ ପୁରସ୍କାର ପାଇଁ ମନୋନୟନ ତାଲିକା ପ୍ରକାଶ ପାଇଛି। ଏଥିରେ ଉକ୍ତ ପୁରସ୍କାର ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ସଂଗୀତଜ୍ଞ ଭାବେ ବିୟନ୍‌ସେ ଏକକାଳୀନ ନଅଟି ବିଭାଗର ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ରୋଚକ କଥା ହେଉଛି ଏହି ତାରକା ଜଣଙ୍କର ସ୍ବାମୀ ଜେ-ଜି ପୂର୍ବରୁ ସମାନ ସଂଖ୍ୟକ ଗ୍ରାମି ପୁରସ୍କାର ମନୋନୟନ ତାଲିକାରେ ସ୍ଥାନ ପାଇ ରେକର୍ଡ ସୃଷ୍ଟି କରିଥିଲେ। ଏ ବର୍ଷ ବିୟନ୍‌ସେ ସ୍ବାମୀଙ୍କ ରେକର୍ଡର ସମକକ୍ଷ ହୋଇ ଯୁଗ୍ମ ରେକର୍ଡଧାରୀ ପାଲଟିଛନ୍ତି।

ଜେ-ଜି ଏଥର ପାଞ୍ଚଟି ବିଭାଗର ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିୟନ୍‌ସେ ଗ୍ରାମି ଇତିହାସର ଜଣେ ଅବିସ୍ମରଣୀୟ ମହିଳା ଯିଏ ଏଯାବତ୍‌ ୨୮ଟି ଗ୍ରାମି ଜିଣିସାରିଛନ୍ତି। ଏ ବର୍ଷ ସେ ଚାରିଟି ପୁରସ୍କାର ଜିଣିପାରିଲେ ସର୍ବାଧିକ ୩୧ଟି ଗ୍ରାମି ଜିଣିଥିବା ସଂଗୀତଜ୍ଞ ଜର୍ଜ ସୋଲ୍‌ଟିଙ୍କ ରେକର୍ଡ ଭାଙ୍ଗିପାରିବେ। ଗ୍ରାମି ପୁରସ୍କାର ପ୍ରଦାନ କରୁଥିବା ‘ରେକର୍ଡସ୍‌ ଏକାଡେମି’ ପକ୍ଷରୁ ଦାବି କରାଯାଇଛି ଯେ ଏ ବର୍ଷ ପ୍ରମୁଖ ବିଭାଗମାନଙ୍କରେ ପୁରସ୍କାର ଦୌଡ଼ରେ ଥିବା ଅର୍ଦ୍ଧାଧିକ କଳାକାର ହେଉଛନ୍ତି ମହିଳା। ସେହିପରି ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଅଣ-ଶ୍ବେତକାୟ ବୋଲି ପ୍ରକାଶ ପାଇଛି। ଆସନ୍ତା ବର୍ଷ ଫେବ୍ରୁଆରି ୫ ତାରିଖରେ ଏହି ବର୍ଣ୍ଣାଢ଼୍ୟ ପୁରସ୍କାର ଉତ୍ସବ ଆୟୋଜିତ ହେବ।

ସମ୍ବନ୍ଧିତ ଖବର