ବିସ୍ମୟ ! ଏହି ମହିଳାଙ୍କର ମନେ ଅଛି ଜୀବନର ସବୁ ଦିନର ସବୁ ଘଟଣା, କିଛି ବି ସେ ଭୁଲି ପାରୁ ନାହାନ୍ତି

ବ୍ରିସବେନ୍: ପୃଥିବୀରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ନିଜ ଜୀବନର ପୁରୁଣା ଘଟଣାଗୁଡିକ ସେପରି ଭାବେ ଟିକିନିଖି ମନେ ଅଛି ଯେପରି ଭାବେ ସେଗୁଡିକ ଘଟିଥିଲା । ଏପରି ସଠିକ୍ ଭାବେ ଘଟଣା ଗୁଡିକୁ ମନେ ରଖିବାର ଲକ୍ଷଣକୁ ‘ହାୟର ସୁପିରିୟର ଅଟୋବାୟୋଗ୍ରାଫିକାଲ୍ ମେମୋରି’ ବା ‘ହାଇପରଥଇମେସିଆ’ କୁହା ଯାଇଥାଏ।

ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଷ୍ଟ୍ରେଲିଆର ବ୍ରିସବେନରେ ରହୁଥିବା ୩୧ ବର୍ଷୀୟ ରେବେକା ଶାରାକ । ରେବେକାଙ୍କୁ ଜାନୁଆରି ୨୦୦୪ ପରଠାରୁ ଆଜି ପର୍ଯ୍ୟନ୍ତ ସବୁ ଦିନର ଘଟଣା ଟିକିନିଖି ମନେ ଅଛି । ତାଙ୍କ ଦିନଚର୍ଯ୍ୟାର ପ୍ରତ୍ୟେକ କଥା ଯେପରିକି ସେ ଏକ ନିର୍ଦ୍ଦିଷ୍ଟ ଦିନରେ କଣ ଖାଇଥିଲେ, କେଉଁଠିକି ଯାଇଥିଲେ, କେଉଁ ପୋଷାକ ପିନ୍ଧିଥିଲେ ଏହି ସମସ୍ତ କଥା ତାଙ୍କର ମନେ ଅଛି । ତେବେ ରେବେକା ଏହାକୁ ଆଶୀର୍ବାଦ ନୁହେଁ ଅଭିଶାପ ମାନନ୍ତି । ସେ କହିଛନ୍ତି ସେ ବି ଅନ୍ୟ ଲୋକମାନଙ୍କ ପରି ଘଟଣାଗୁଡିକୁ ଭୁଲିଯିବାକୁ ଚାହୁଁଛନ୍ତି ।

ରେବେକାଙ୍କୁ ତାଙ୍କର ଏହି ମନେପଡିବାର ଅନନ୍ୟ କଥା ବିଷୟରେ ୨୦୧୧ ମସିହାରେ ଜଣା ପଡିଥିଲା ଯେତେବେଳେ ସେ ମାତାପିତାଙ୍କ ସହ ଏକ ଟିଭି ସୋ ଦେଖୁଥିଲେ । ଏହି ସୋ ଏପରି ଲୋକଙ୍କ ବିଷୟରେ ଥିଲା ଯେଉଁମାନଙ୍କୁ ବର୍ଷ ବର୍ଷ ଧରି ତାଙ୍କର ପ୍ରତ୍ୟେକ କଥା ମନେ ରହେ । ସେତେବେଳେ ରେବେକାଙ୍କୁ ଜଣା ପଡିଥିଲା ଯେ ତାଙ୍କ ସ୍ମୃତିଶକ୍ତି ମଧ୍ୟ ସେଭଳି ।

ପୃଥିବୀସାରା ‘ହାଇପରଥଇମେସିଆ ସିଣ୍ଡ୍ରୋମ’ର ମାତ୍ର ୬୦ ଜଣ ଲୋକ ଅଛନ୍ତି ବୋଲି ଜଣା ପଡିଛି । କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟର ପ୍ରଫେସର କ୍ରେଗ୍ ଷ୍ଟାର୍କ କହିଛନ୍ତି, ‘ହାଇପରଥଇମେସିଆ’ ଥିବା ଲୋକଙ୍କ ସ୍ମରଣଶକ୍ତିକୁ ‘ଏପିସୋଡିକ ମେମୋରି‘ କୁହାଯାଇଥାଏ ଅର୍ଥାତ୍ ଏହି ଲୋକମାନଙ୍କୁ ଅନ୍ୟ ଲୋକଙ୍କ ଅପେକ୍ଷା ଅଧିକ ସମୟ ପର୍ଯ୍ୟନ୍ତ ଘଟଣାଗୁଡିକ ମନେ ରହିଥାଏ ।

ତେବେ ଏହି ଲୋକମାନଙ୍କର ଅଧିକ ‘ଆଇକ୍ୟୁ‘ ଥିବା ଲୋକଙ୍କ ଭଳି କୌଣସି ବିଷୟରେ ବୈଜ୍ଞାନିକ ଅଥବା ତାର୍କିକ ସ୍ମରଣଶକ୍ତି ନଥାଏ । ରେବେକା କହିଛନ୍ତି, ମୁଁ ଯେତେବେଳେ କୌଣସି ଘଟଣାକୁ ମନେ ପକାଇ ଥାଏ, ମୋତେ ସମ୍ପୂର୍ଣ୍ଣ ଦିନର ସମ୍ପୂର୍ଣ୍ଣ ଦିନଚର୍ଯ୍ୟା ମନେ ପଡି ଯାଇଥାଏ । ଲୋକେ ଏହାକୁ ପ୍ରକୃତିର ବରଦାନ କହି ପାରନ୍ତି କିନ୍ତୁ ଏହା ମୋ ପାଇଁ କୌଣସି ଅଭିଶାପରୁ କମ ନୁହେଁ । ରେବେକା କହିଛନ୍ତି ମୁଁ ମଧ୍ୟ ଭୁଲିଯିବାକୁ ଚାହେଁ । ରେବେକା ପୁଣି କହିଛନ୍ତି ରାତିରେ ଶୋଇବା ସମୟରେ ତାଙ୍କୁ ଅଧିକ ଶବ୍ଦ ଓ ଅଧିକ ଆଲୋକର ଆବଶ୍ୟକତା ପଡିଥାଏ । ଶାନ୍ତ ବାତାବରଣରେ ତାଙ୍କୁ ନିଦ ଆସେ ନାହିଁ । ରେବେକାଙ୍କୁ ମାନସିକ ଅବସାଦ ମଧ୍ୟ ଅଛି ।

ସମ୍ବନ୍ଧିତ ଖବର