ଭୀମ, ଅର୍ଜୁନ, ନକୁଳ, ସହଦେବଙ୍କୁ ମୃତ ଅବସ୍ଥାରେ ପଡ଼ିଥିବାର ଦେଖି କାହିଁକି କେବଳ ନକୁଳଙ୍କ ଜୀବନ ଭିକ୍ଷା ମାଗିଥିଲେ ଯୁଧିଷ୍ଠିର?

ମହାଭାରତ ପଢ଼ିଥିଲେ କି ଦେଖିଥିଲେ ଯକ୍ଷ ଓ ଯୁଧିଷ୍ଠିରଙ୍କ କଥା ଆପଣଙ୍କର ମନେ ଥିବ ନିଶ୍ଚୟ। ଥରେ ଜଙ୍ଗଲ ମଧ୍ୟରେ ଜ୍ୟେଷ୍ଠ ଭ୍ରାତା ଯୁଧିଷ୍ଠିର ଟିକେ ପଛରେ ରହି ଯାଇଥିଲେ। ଆଗକୁ ଆସି ଦେଖନ୍ତି ତ ଏକ ସରୋବର ନିକଟରେ ତାଙ୍କର ୪ ଜଣ କନିଷ୍ଠ ଭ୍ରାତା ଭୀମ, ଅର୍ଜୁନ, ନକୁଳ ଓ ସହଦେବ ମୃତ ଅବସ୍ଥାରେ ପଡ଼ି ରହିଛନ୍ତି। ସରୋବରଟି ଥିଲା ଯକ୍ଷଙ୍କର। ଯେତେବେଳେ ଯୁଧିଷ୍ଠିରଙ୍କ ୪ ସାନ ଭାଇ ଆସି ସେଠାରୁ ପାଣି ପିଇବାକୁ କହିଥିଲେ ଯକ୍ଷ ତାଙ୍କୁ ବାରଣ କରିଥିଲେ। ଯିଏ ଯକ୍ଷଙ୍କ ପ୍ରଶ୍ନର ଉତ୍ତର ଦେଇପାରିବ ସିଏ ହିଁ ପାଣି ପିଇପାରିବ ବୋଲି ଯକ୍ଷ ସର୍ତ୍ତ ରଖିଥିଲେ। ମାତ୍ର ତାଙ୍କ କଥା କେହି ନ ମାନି ଜୋର୍‌ଜବରଦସ୍ତ ପାଣି ପିଇବାରୁ ସେମାନଙ୍କର ମୃତ୍ୟୁ ଘଟିଥିଲା।

ଏକଥା ଯୁଧିଷ୍ଠିର ଜାଣିବା ପରେ ଯକ୍ଷଙ୍କୁ ତାଙ୍କ ଭାଇମାନଙ୍କ ଜୀବନ  ଭିକ୍ଷା ମାଗିଥିଲେ। ଯକ୍ଷ ପ୍ରତିବଦଳରେ କେତୋଟି ପ୍ରଶ୍ନର ଉତ୍ତର ଦେବାକୁ କହିଥିଲେ। ଯକ୍ଷଙ୍କର ଗୋଟାଏ ପରେ ଗୋଟାଏ ପ୍ରଶ୍ନର ନିର୍ଭୁଲ ଉତ୍ତର ଦେଇଥିଲେ ଯୁଧିଷ୍ଠିର। ଖୁସି ହୋଇ ଯକ୍ଷ କହିଲେ କି ମୁଁ ତୁମର ସମସ୍ତ ଭାଇଙ୍କ ଜୀବନ ତ ବଞ୍ଚାଇ ପାରିବି ନାହିଁ, ମାତ୍ର ତୁମେ ତୁମର ଯେକୌଣସି ଜଣେ ଭାଇଙ୍କୁ ଜୀବିତ ଦେଖିପାରିବ। ତୁମେ ଯାହାଙ୍କ ନାମ ନେବ ମୁଁ ତାଙ୍କୁ ବଞ୍ଚାଇ ଦେବି ବୋଲି ଯକ୍ଷ କହିଥିଲେ।

ଯକ୍ଷ ପ୍ରଶ୍ନ କଲେ, ‘କୁହ ଯୁଧିଷ୍ଠିର କିଏ ଏମାନଙ୍କ ମଧ୍ୟରୁ ତୁମର ପ୍ରିୟ ଭାଇ? ତୁମେ କାହା ଜୀବନ ଚାହଁ।’ ଯୁଧିଷ୍ଠିର ଅତି ବିନମ୍ରତାର ସହ ଉତ୍ତର ଦେଲେ, ‘ମୋର ସମସ୍ତ ଭାଇ ପ୍ରିୟ ଅଟନ୍ତି। ମୁଁ ଜଣକ ନାମ ନେଇ ଅନ୍ୟ ୩ ଜଣଙ୍କୁ ଅସମ୍ମାନ କରିପାରିବି ନାହିଁ। ମାତ୍ର ଯଦି ଜୀବନର କଥା ହୁଏ ତେବେ ମୁଁ ନକୁଳଙ୍କ ଜୀବନ ଚାହେଁ।’ ଯକ୍ଷ ଆଶ୍ଚର୍ଯ୍ୟ ହୋଇ କାହିଁକି ବୋଲି ପ୍ରଶ୍ନ କରିବାରୁ ଯୁଧିଷ୍ଠିର କହିଥିଲେ, ‘ମାଆ କୁନ୍ତୀଙ୍କର ଆମେ ୩ ପୁତ୍ର ଯୁଧିଷ୍ଠିର, ଭୀମ ଓ ଅର୍ଜୁନ। ମାତ୍ର ମାଆ ମାଦ୍ରିଙ୍କର ୨ ପୁତ୍ର ନକୁଳ ଓ ସହଦେବ। ମୁଁ ଜୀବିତ ଅଛି ଯେହେତୁ ମାଆ କୁନ୍ତୀଙ୍କ କୋଳ ଖାଲି ହେବ ନାହିଁ। ମୁଁ ଭୀମ କିମ୍ବା ଅର୍ଜୁନଙ୍କୁ ବଞ୍ଚାଇବାକୁ ଚାହିଁଲେ ମାଆ ମାଦ୍ରିଙ୍କ ପ୍ରତି ଅନ୍ୟାୟ ହେବ। ତାଙ୍କ କୋଳ ଖାଲି ନହେବା ପାଇଁ ତାଙ୍କର ଜ୍ୟୋଷ୍ଠ ପୁତ୍ର ନକୁଳର ଜୀବନ ଦାନ ଦିଅନ୍ତୁ।’ ଯୁଧିଷ୍ଠିରଙ୍କ କଥାରେ ଖୁସି ହୋଇ ଯକ୍ଷ ସମସ୍ତଙ୍କ ଜୀବନ ଫେରାଇ ଦେଇଥିଲେ।

ସମ୍ବନ୍ଧିତ ଖବର