ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି ଗ୍ରୀଷ୍ମ ପ୍ରଭାବ। ପ୍ରବଳ ତାତିରେ ସିଝୁଛନ୍ତି ଦେଶବାସୀ। ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଜନସାଧାରଣଙ୍କୁ କଲବଲ କଲାଣି। ପଦାକୁ ବାହାରିବା କ୍ଷଣି ଦେହରେ ଛୁଞ୍ଚି ଫୋଡ଼ି ହେଲା ଭଳି ଅନୁଭବ ହେଉଛି। ଏଭଳି ପରିସ୍ଥିତିରେ ଲୋକମାନେ ନିଜକୁ ଥଣ୍ଡା ରଖିବା ପାଇଁ ଏୟାର କଣ୍ଡିସନର(ଏସି) ଏବଂ ଏୟାର କୁଲର ବ୍ୟବହାର କରୁଛନ୍ତି । କିନ୍ତୁ ଯେଉଁମାନେ କୁଲର୍ ବା ଏସି କିଣି ପାରୁନାହାଁନ୍ତି, ସେମାନେ କଲବଲ ହେବା ସହ ନିଜକୁ ଗରମରୁ ରକ୍ଷା କରିବାକୁ ବିଭିନ୍ନ ପ୍ରକାରର ଉପାୟ ଆପଣାଉ ଥିବା ଦେଖିବାକୁ ମିଳୁଛି। ଯେପରିକି ଥଣ୍ଡା ଟିକିଏ ପାଇବାକୁ ଝରକା ଓ ଦ୍ଵାରରେ କିଛି ଲୋକ ବେଣାଚେର ଓ ସିପାଳରେ ତିଆରି ମସିଣା ଟାଣୁଥିବାର ଦେଖିବାକୁ ମିଳୁଛି। ଏହି କ୍ରମରେ ସୋସିଆଲ ମିଡିଆରେ ଏପରି ଅନେକ ‘ଦେଶୀ ଜୁଗାଡ’ର ଖବର ଭାଇରାଲ ହେଉଛି।
ତେବେ, ଆଜି ଆମେ ଆପଣଙ୍କୁ ଏଭଳି ଏକ କୌଶଳ ବିଷୟରେ କହୁଛୁ, ଯାହାକୁ ଦେଖି ଆପଣ ବି ବିନା ଖର୍ଚ୍ଚରେ କିଛି ଅଦରକାରୀ ଜିନିଷକୁ ନେଇ ସହଜରେ କୁଲର୍ ତିଆରି କରିପାରିବେ। ବାସ୍ତବରେ, ଜଣେ ବ୍ୟକ୍ତି ଟେବୁଲ୍ ଫ୍ୟାନ୍ ଓ ଟୁଲ୍ ବ୍ୟବହାର କରି କୁଲର୍ କରିଛନ୍ତି । ଏଥିରେ ସେ ଏକ ପ୍ଲାଷ୍ଟିକ୍ ବୋତଲ ଏବଂ ଝୋଟ ଅଖା ଓ ସାଲାଇନ୍ ପାଇପର ବ୍ୟବହାର କରିଛନ୍ତି। ଏହି ଫଟୋ ଦେଖି ଆପଣ ବୁଝିପାରିବେ ଏହା କିପରି ତିଆରି ହୋଇଛି।
କଥାରେ ଅଛି, ଇଚ୍ଛାଥିଲେ ଉପାୟ ବଳେ ବଳେ ଆସେ । ଭାରତୀୟମାନଙ୍କ ଲାଗି ଏପରି ‘ଦେଶୀ ଯୁଗାଡ଼’ ଉପାୟ କୌଣସି ନୂଆ କଥା ନୁହେଁ । ବର୍ତ୍ତମାନ ଏହି ଫଟୋଟି ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି, ଯାହାକି ୧୯ ହଜାରରୁ ଅଧିକ ଲୋକଙ୍କ କମେଣ୍ଟ ମିଳିଥିବା ବେଳେ, ୨ ହଜାରରୁ ଅଧିକ ଲୋକ ଏହାକୁ ସେୟାର କରିଛନ୍ତି। କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି - ପ୍ରଥମ ଥର ପାଇଁ ଏପରି ଏକ ଯୁଗାଡ ଦେଖିଲେ, ଅନ୍ୟଜଣେ ତାତିରେ ଥଣ୍ଡା ହେବାର ଏକ ଚମତ୍କାର ଉପାୟ ବୋଲି ଲେଖିଛନ୍ତି । ଅନ୍ୟପକ୍ଷରେ, ଜଣେ ଲେଖିଛନ୍ତି ଯେ ଯୁଗାଡଟା ବହୁତ ଭଲ, କେବଳ ପାଣି ଟାଙ୍କିର କ୍ଷମତା ବୃଦ୍ଧି କର । ଜଣେ ଉପଭୋକ୍ତା ଏହାକୁ ଏକ ଛୋଟ କୁଲର ବୋଲି କହିଥିବାବେଳେ ଅନ୍ୟ ଜଣକ କହିଛନ୍ତି ଯେ ଏହାକୁ ତିଆରି କରିଥିବା ବ୍ୟକ୍ତିଙ୍କ ହାତକୁ ଚୁମ୍ବନ ଦେବାକୁ ଇଚ୍ଛା ହେଉଛି !