ଭାରତୀୟ-ଆମେରିକୀୟ ବୈଜ୍ଞାନିକ ସ୍ବାତୀ ବାର୍ଷ୍ଣେୟ ଏକ ବିଶ୍ବ ରେକର୍ଡ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ସେ ବିଶ୍ବର ପ୍ରଥମ ମହିଳା ସ୍କାଇଡାଇଭର ଭାବେ ଷ୍ଟ୍ରାଟୋସ୍ଫିଅର୍‌ (ଭୂପୃଷ୍ଠରୁ ଉପରକୁ ଗଲେ ବାୟୁମଣ୍ଡଳର ଦ୍ବିତୀୟ ସ୍ତର)ରୁ ଲମ୍ଫ ମାରି ଏହି କୀର୍ତ୍ତିମାନ ସ୍ଥାପନ କରିବେ। ମାସାଚ୍ୟୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ପିଏଚ୍‌ଡି କରୁଥିବା ସ୍ବାତୀଙ୍କର ସ୍କାଇଡାଇଭିଂ ପ୍ରତି ରୁଚି ରହି ଆସିଛି। ସେ ପୂର୍ବରୁ ଭର୍ଟିକାଲ୍‌ ଫ୍ରିଫଲ୍‌ରେ ୧,୨୦୦ ଥର ଲମ୍ଫ ମାରି ସାରିଛନ୍ତି। ମାତ୍ର ଷ୍ଟ୍ରାଟୋସ୍ଫିଅର ପରି ଏତେ ଉଚ୍ଚରୁ ଲମ୍ଫ ମାରିବାର ଅନୁଭୂତି ତାଙ୍କ ପାଇଁ ନୂଆ। ତେବେ ଯୁବତୀଙ୍କୁ ବିଜ୍ଞାନ, ଟେକ୍‌ଲନୋଲୋଜି, ଇଂଜିନିଅରିଂ, କ​ଳା ଓ ଗଣିତ ପଢ଼ିବାକୁ ଉତ୍ସାହିତ କରୁଥିବା ଆମେରିକାର ‘ରାଇଜିଂ ୟୁନାଇଟେଡ୍‌’ ସ୍ବେଚ୍ଛାସେବୀ ସଂସ୍ଥା ମହିଳା ସମାନତାକୁ ପ୍ରୋତ୍ସାହନ ଦେବା ଲାଗି ‘ହେରା ରାଇଜିଂ’ ନାମକ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏହାର ଅଂଶବିଶେଷ ଷ୍ଟ୍ରାଟୋସ୍ଫିଅର ଲମ୍ଫ ପାଇଁ ସ୍ବାତୀଙ୍କ ସମେତ କଲମ୍ବିଆ ବଂଶୋଦ୍ଭବ ଏଲିନା ରୋଡ୍ରିକ୍ବେଜ୍‌ ଓ କୋଷ୍ଟା ରିକ ବଂଶୋଦ୍ଭବ ଡାଏନା ଭ୍ୟାଲେରିନ୍‌ ଜିମେନେଜ୍‌ଙ୍କୁ ବଛାଯାଇଛି। ସେମାନେ ଭୂପୃଷ୍ଠରୁ ୪୨.୫ କି.ମି. ଉଚ୍ଚରୁ ଲମ୍ଫ ମାରିବା ପାଇଁ ଏକ ଅଠରମାସିଆ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି।

Advertisment

ଏହି ତିନି ଅଭିଯାତ୍ରୀମାନଙ୍କ ଭିତରୁ କେବଳ ଜଣେ ଲମ୍ଫ ମାରିବେ, ଅନ୍ୟ ଦୁଇଜଣ ତାଙ୍କୁ ସହାୟତା ଓ ବୈଷୟିକ ଜ୍ଞାନ ଯୋଗାଇବେ। ସୂଚନାଯୋଗ୍ୟ, ଭୂପୃଷ୍ଠରୁ ୧୨ କି.ମି. ଉଚ୍ଚରୁ ୫୦ କି.ମି. ଯାଏ ବ୍ୟାପିଥିବା ଷ୍ଟ୍ରାଟୋସ୍ଫିଅରର ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୮୦ ଡିଗ୍ରି ସେଲସିଅସ୍‌ ପହଞ୍ଚିଯାଇଥାଏ। ତେଣୁ ଏଭଳି ନିମ୍ନ ତାପମାତ୍ରାରେ ସୁରକ୍ଷିତ ଭାବେ ଲମ୍ଫ ମାରିବା କଷ୍ଟକର। ତେବେ ଏକ ଅନନ୍ୟ ଅନୁଭୂତି ଓ ରେକର୍ଡ ସୃଷ୍ଟି ପାଇଁ ସ୍ବାତୀ ବେଶ୍‌ ଉତ୍ସାହିତ ଅଛନ୍ତି। ୨୦୨୫ରେ ସେ ଏହି ରେକର୍ଡ ସ୍ଥାପନ କରିବାର ଲକ୍ଷ୍ୟ ରଖିଛନ୍ତି।