ସୁପ୍ରିମ୍କୋର୍ଟରେ ଅବସ୍ଥାପିତ ନବନିର୍ମିତ ନ୍ୟାୟଦେବୀ (ଲେଡି ଜଷ୍ଟିସ୍) ପ୍ରତିମୂର୍ତ୍ତିକୁ ନେଇ ଆରମ୍ଭ ହୋଇଛି ବିବାଦ। କିଛିଦିନ ତଳେ ଭାରତର ମୁଖ୍ୟ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ସୁପ୍ରିମ୍କୋର୍ଟ ପରିସରରେ ଥିବା ବିଚାରପତିମାନଙ୍କ ଲାଇବ୍ରେରିରେ ଲେଡି ଜଷ୍ଟିସ୍ ପ୍ରତିମୂର୍ତ୍ତି ଅନାବରଣ କରିବା ପରେ ଏହି ବିବାଦ ମୁଣ୍ଡ ଟେକିଛି। ଆଉ ପ୍ରତିମୂର୍ତ୍ତିର ପରିବର୍ତ୍ତିତ ରୂପ ବିବାଦର କେନ୍ଦ୍ରବିନ୍ଦୁ ସାଜିଛି। ନୂତନ ନ୍ୟାୟଦେବୀ ପ୍ରତିମାର ଆଖିରୁ ଅନ୍ଧପୁଟୁଳି ହଟାଇ ଦିଆଯାଇଥିବା ବେଳେ ହାତରୁ ତରବାରି ଅପସାରିତ କରି ଧରାଇଦିଆଯାଇଛି ଭାରତୀୟ ସମ୍ବିଧାନ। ଏହି ଆଙ୍ଗିକ ପରିବର୍ତ୍ତନ ଜରିଆରେ ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଇଛି କି ଭାରତୀୟ ନ୍ୟାୟପାଳିକା ଅନ୍ଧ ନୁହେଁ, ସମସ୍ତଙ୍କୁ ସମଭାବେ ଦେଖେ। ପୁଣି ତରବାରି ଦ୍ବାରା ଏହା ଦୋଷୀକୁ ଦଣ୍ଡିତ କରେନାହିଁ, ବରଂ ସାମ୍ବିଧାନିକ ବିଧିଅନୁସାରେ ନ୍ୟାୟ କରେ। ଉପସ୍ଥାପନା: ରବିବାର ବ୍ୟୁରୋ
ଯେବେ କୌଣସି ପ୍ରଚଳିତ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଏ, ସେତେବେଳେ ଏହାକୁ ନେଇ ବିବାଦ, ବିତର୍କ ଓ ବିଭାଜନ ସୃଷ୍ଟି ହୋଇଥାଏ। ଏହା ଏକ ସ୍ବାଭାବିକ ପ୍ରକ୍ରିୟା। ଆଉ ଗଣତନ୍ତ୍ରରେ ଯେତେ ମଣିଷ ସେତେ ମତ ଏବଂ ପ୍ରତି ମତକୁ ସମ୍ମାନ ଦେବା ଗାଣତାନ୍ତ୍ରିକ ବିଚାରଧାରାର ସୌନ୍ଦର୍ଯ୍ୟ। ଏହି କ୍ରମରେ ନିକଟରେ ସୁପ୍ରିମ୍ କୋର୍ଟ ପରିସରରେ ଅବସ୍ଥାପିତ ନ୍ୟାୟଦେବୀ (ଲେଡି ଜଷ୍ଟିସ୍) ପ୍ରତିମୂର୍ତ୍ତିରେ ହୋଇଥିବା ପରିବର୍ତ୍ତନକୁ ନେଇ ବିବାଦ, ବିତର୍କ ଓ ମତଭେଦ ଦେଖାଦେଇଛି। ଚଳଚ୍ଚିତ୍ର କିମ୍ବା ଟେଲିଭିଜନ୍ରେ ପ୍ରସାରିତ ସିନେମା ଓ ଧାରାବାହିକରେ ଅଦାଲତ ଭିତରର ଦୃଶ୍ୟ ଉପସ୍ଥାପନ ହେଲାବେଳେ ହାତରେ ନିକିତି ଧରିଥିବା ଏବଂ ଆଖିରେ କଳାଫିତା ବନ୍ଧା ହୋଇଥିବା ଶ୍ବେତବସ୍ତ୍ର ପରିହିତା ନାରୀମୂର୍ତ୍ତି ପ୍ରଦର୍ଶିତ ହେଉଥିବା ଆମେ ଦେଖୁ। ଏହି ମୂର୍ତ୍ତି ଆମ ନ୍ୟାୟିକ ବ୍ୟବସ୍ଥାର ଏକ ପ୍ରତୀକ ହୋଇ ରହିଆସିଛି କହିଲେ ଅତ୍ୟୁକ୍ତି ହେବନାହିଁ। ନ୍ୟାୟିକ ଭାଷାରେ ଇଂରାଜୀରେ ଏହି ପ୍ରତିମାକୁ ‘ଲେଡି ଜଷ୍ଟିସ୍’ କୁହାଯାଉଥିବା ବେଳେ ଭାରତୀୟ ଭାଷାରେ ନ୍ୟାୟଦେବୀ ଭାବେ ଅବତାରଣା କରାଯାଇଛି।
ନୂତନ ନ୍ୟାୟଦେବୀ ପ୍ରତିମୂର୍ତ୍ତିରେ ତିନିଟି ପରିବର୍ତ୍ତନ କରାଯାଇଛି। ବ୍ରିଟିସ୍ ଶାସନ ସମୟରେ ଅଦାଲତରେ ଅବସ୍ଥାପିତ ଲେଡି ଜଷ୍ଟିସ୍ ପ୍ରତିମାର ଗୋଟିଏ ହାତରେ ନିକିତି ଓ ଅନ୍ୟ ହାତରେ ଖଣ୍ଡା ଥିବାବେଳେ ଆଖିରେ ଅନ୍ଧପୁଟୁଳି ବନ୍ଧା ହୋଇଥାଏ। ସୁପ୍ରିମ୍କୋର୍ଟ ପରିସରସ୍ଥ ନ୍ୟାୟଦେବୀ ପ୍ରତିମାରେ ଆଖିରୁ ଅନ୍ଧପୁଟୁଳି ହଟାଇ ଦିଆଯିବା ସହ ଖଣ୍ଡା ବଦଳରେ ଧରାଇ ଦିଆଯାଇଛି ଭାରତୀୟ ସମ୍ବିଧାନ ପୁସ୍ତିକା। କେବଳ ଏତିକି ନୁହେଁ, ପ୍ରତିମାର ପରିଧାନରେ ମଧ୍ୟ ପରିବର୍ତ୍ତନ କରାଯାଇ ଶାଢ଼ି ପିନ୍ଧାଯାଇଛି। ମୋଟାମୋଟି ପାଶ୍ଚାତ୍ୟ ପରିକଳ୍ପନାରେ ପ୍ରସ୍ତୁତ ଲେଡି ଜଷ୍ଟିସ୍ର ଏକ ଭାରତୀୟ ପରିଭାଷା ଉପସ୍ଥାପନ କରାଯାଇଛି।
ଗଣମାଧ୍ୟମ ଜରିଆରେ ଏହି ପ୍ରସଙ୍ଗ ଚର୍ଚ୍ଚାର ପରିସରକୁ ଆସିବା ପରେ ଏହାକୁ ନେଇ ବିବାଦର ଝଡ଼ ଉଠିଛି। ସୁପ୍ରିମ୍କୋର୍ଟ ବାର୍ ଆସୋସିଏସନ୍ ଏହି ପରିବର୍ତ୍ତନକୁ ବିରୋଧ କରିଛି। ଆସୋସିଏସନ୍ର କାର୍ଯ୍ୟନିର୍ବାହୀ ସମିତି ଏକ ସଂକଳ୍ପ ପାରିତ କରି ଏହି ପରିବର୍ତ୍ତନ ନିଷ୍ପତ୍ତି ପୂର୍ବରୁ କାହିଁକି ସେମାନଙ୍କ ମତ ନିଆଯାଇନାହିଁ ବୋଲି ପ୍ରଶ୍ନ ଉଠାଇଛି। ଅନ୍ୟପକ୍ଷରେ ରାଜନୈତିକ ଦଳମାନେ ମଧ୍ୟ ଏହାର ସମାଲୋଚନା କରି କେନ୍ଦ୍ର ସରକାର ନ୍ୟାୟପାଳିକାକୁ ସଂଘ ଏଜେଣ୍ଡାରେ ଚଳାଉଛନ୍ତି ବୋଲି କଟାକ୍ଷ କରିଛନ୍ତି। ମୋଟାମୋଟି ଭାବେ ପାଶ୍ଚାତ୍ୟ ଧାରାରେ ପରିକଳ୍ପିତ ନ୍ୟାୟଦେବୀଙ୍କୁ ଭାରତୀୟ ଦୃଷ୍ଟିଭଙ୍ଗୀରେ ସଜ୍ଜିତ କରାଯାଇଛି। ତେବେ ପୂର୍ବ ପ୍ରଚଳିତ ଚିନ୍ତାଧାରା ଅନୁଯାୟୀ, ପୁରାତନ ନ୍ୟାୟଦେବୀଙ୍କ ଆଖିର ଅନ୍ଧପୁଟୁଳି ନ୍ୟାୟର ପକ୍ଷପାତହୀନତାକୁ ଦର୍ଶାଉଥିଲା। ତେବେ ନୂତନ ନ୍ୟାୟଦେବୀ ପ୍ରତିମୂର୍ତ୍ତିର ଅନାବରଣ ପରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଡି. ୱାଇ.ଚନ୍ଦ୍ରଚୂଡ଼ଙ୍କ ବକ୍ତବ୍ୟ ଏହି ପରିପ୍ରେକ୍ଷୀରେ ବେଶ୍ ଗୁରୁତ୍ବ ରଖେ। ସେ କହିଥିଲେ, ଅନ୍ଧପୁଟୁଳି ବାନ୍ଧି ନ ଥିବା ନୂତନ ପ୍ରତିମୂର୍ତ୍ତି ଏକଥା ଦର୍ଶାଇବା ପାଇଁ ଉଦ୍ଦିଷ୍ଟ ଯେ ଆଇନ ଅନ୍ଧ ନୁହେଁ, ଏହା ସମସ୍ତଙ୍କୁ ସମାନ ଭାବରେ ଦେଖେ।
ଇତିମଧ୍ୟରେ ଭାରତରେ ଶହ ଶହ ବର୍ଷ ଧରି ପ୍ରଚଳିତ ବ୍ରିଟିସ୍ ଅମଳର ଅାପରାଧିକ ଆଇନକୁ ବଦଳାଇ ୨୦୨୩ରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ପ୍ରଣୀତ ହୋଇଛି ଏବଂ ନିକଟରେ ଏହା କାର୍ଯ୍ୟକାରୀ କରାଯାଇଛି। ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ଥିବା ଔପନିବେଶବାଦୀ ତତ୍ତ୍ବକୁ ପରିବର୍ତ୍ତିତ କରି ନିଜସ୍ବ ମୌଳିକ ବ୍ୟବସ୍ଥା ବିକଶିତ କରିବା ପ୍ରକ୍ରିୟା କ୍ରମରେ ନ୍ୟାୟଦେବୀ ପ୍ରତିମାକୁ ସ୍ବକୀୟ ଶୈଳୀରେ ଉପସ୍ଥାପିତ କରାଯାଇଛି। ଏହି ଚିନ୍ତାଧାରାକୁ ଖୁବ୍ ସୁନ୍ଦର ଭାବେ ନିଜ ଭାସ୍କର୍ଯ୍ୟରେ ପ୍ରତିପାଦିତ କରିଛନ୍ତି ବିନୋଦ ଗୋସ୍ବାମୀ। ଦିଲ୍ଲୀ ବିଶ୍ବବିଦ୍ୟାଳୟର କଲେଜ୍ ଅଫ୍ ଆର୍ଟସ୍ରେ ଅଧ୍ୟାପନା କରୁଥିବା ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ସ୍ଥପତି ବିନୋଦ ଗୋସ୍ବାମୀ ୬ ଫୁଟ୍ ଉଚ୍ଚତାବିଶିଷ୍ଟ ନୂତନ ନ୍ୟାୟଦେବୀ ପ୍ରତିମୂର୍ତ୍ତିଟିକୁ ନିର୍ମାଣ କରିଛନ୍ତି। ଏହି ପଦେକ୍ଷପକୁ ସମର୍ଥନ କରୁଥିବା କେତେକ ଆଇନଜୀବୀ ଓ ନ୍ୟାୟିକ ବିଶେଷଜ୍ଞଙ୍କ ମତ ହେଲା, ପୁରାତନ ନ୍ୟାୟଦେବୀଙ୍କ ପ୍ରତିମୂର୍ତ୍ତିରେ ‘ଅସାମ୍ବିଧାନିକ ଓ ଅନ୍ଧନ୍ୟାୟ’ର ପ୍ରତୀକ ଥିବା ଆଖିର ଅନ୍ଧପୁଟୁଳିକୁ ହଟାଇ ଦିଆଯାଇଛି। ଆଇନ ଅନ୍ଧ ନୁହେଁ ଏବଂ ଆଇନ ସବୁକିଛି ଦେଖି, ବୁଝି, ବିଚାର କରି ନ୍ୟାୟ ପ୍ରଦାନ କରେ ତଥା ଏହି ନୂତନ ପ୍ରତିମୂର୍ତ୍ତି ହେଉଛି ଅନ୍ୟାୟ ଉପରେ ନ୍ୟାୟର ବିଜୟର ପ୍ରତୀକ। ଭାରତର ନ୍ୟାୟିକ ବ୍ୟବସ୍ଥା ସହିତ ଦୀର୍ଘ ବର୍ଷ ଧରି ଜଡ଼ିତ ବ୍ୟକ୍ତିବିଶେଷ, ଅନୁଷ୍ଠାନ ଓ ଗଣମାଧ୍ୟମ ପୁରାତନ ଢାଞ୍ଚାରେ ପରିବର୍ତ୍ତନକୁ ଉପନିବେଶବାଦୀ ଅତୀତରୁ ବାହାରି ଆସିବାର ଏକ ପ୍ରୟାସ ବୋଲି ବର୍ଣ୍ଣନା କରୁଛନ୍ତି।
କିନ୍ତୁ, ବିପକ୍ଷବାଦୀମାନେ ଏହାକୁ ବାସ୍ତବତା ନୁହେଁ ବୋଲି କହୁଛନ୍ତି। ସମାଲୋଚକମାନଙ୍କ ମତ ହେଲା, ନୂତନ ନ୍ୟାୟଦେବୀଙ୍କ ହାତରେ ଖଣ୍ଡା ବଦଳରେ ସଂବିଧାନ ଧରାଇ ଦିଆଯିବା ମଧ୍ୟ ଉଚିତ ପଦକ୍ଷେପ ନୁହେଁ। ପ୍ରତ୍ୟେକ ଭାରତୀୟ ଦେବଦେବୀ ହାତରେ ବା ଶରୀରରେ ଅସ୍ତ୍ରଟିଏ ଧାରଣ କରିଥିବାର ଦେଖାଯାଏ, ଯାହା ପାପଶକ୍ତିକୁ ଅସ୍ତ୍ରବଳରେ ବିନାଶ କରିବା ସକାଶେ ଉଦ୍ଦିଷ୍ଟ। ବାସ୍ତବରେ, ବଳ ପ୍ରୟୋଗ ଦ୍ବାରା ନ୍ୟାୟାଳୟ ରାୟକୁ କାର୍ଯ୍ୟକାରୀ କରିବା ସକାଶେ ଉପଯୁକ୍ତ ବ୍ୟବସ୍ଥା ନଥିଲେ ନ୍ୟାୟ ପ୍ରଦାନ କରାଯାଇପାରିବ ନାହିଁ। ସୁପ୍ରିମ୍କୋର୍ଟ ବାର୍ ଆସୋସିଏସନ୍ କାର୍ଯ୍ୟକାରୀ କମିଟି କହିଛି, “ସୁପ୍ରିମ୍କୋର୍ଟ ନ୍ୟାୟଦେବୀଙ୍କ ପ୍ରତିମୂର୍ତ୍ତିରେ ଯେଉଁ ମୌଳିକ ପରିବର୍ତ୍ତନ ଆଣିଛନ୍ତି ଏବଂ ଏହା କରାଯିବା ପୂର୍ବରୁ ବାର୍ ଆସୋସିଏସନ୍ ସହ କୌଣସି ବିଚାରବିମର୍ଶ କରିନାହାନ୍ତି। ନ୍ୟାୟ ପ୍ରଦାନ କ୍ଷେତ୍ରରେ ଆମେମାନେ ମଧ୍ୟ ସମାନ ପକ୍ଷଧର। କିନ୍ତୁ, ଉପରୋକ୍ତ ପରିବର୍ତ୍ତନ ଆଣିବା ସକାଶେ ପ୍ରସ୍ତାବମାନ ଦିଆଯିବା ପୂର୍ବରୁ ଏହା ଆମ ଦୃଷ୍ଟିକୁ ଅଣାଯାଇ ନାହିଁ। କେଉଁ ଯୁକ୍ତି ଓ ବିଚାର ଆଧାରରେ ଏହିସବୁ ପରିବର୍ତ୍ତନ କରାଯାଇଛି ସେ ସଂପର୍କରେ ଆମ ପାଖରେ କୌଣସି ସୂଚନା ନାହିଁ।’’
ଇତିହାସ ଆଇନାରେ ନ୍ୟାୟଦେବୀ
ନ୍ୟାୟଦେବୀ ଏହି ଚିତ୍ରକଳ୍ପର କେଉଁଠୁ ଆରମ୍ଭ ହେଲା? କ’ଣ ଏହାର ଇତିହାସ ଏବଂ ବିଶ୍ୱବ୍ୟାପୀ ଆଇନ ବ୍ୟବସ୍ଥାରେ ଏହି ପ୍ରତିମୂର୍ତ୍ତିର ଗୁରୁତ୍ୱ ସଂପର୍କରେ ଅବତାରଣା କରାଯିବାର ଆବଶ୍ୟକତା ସୃଷ୍ଟି ହୋଇଛି। ଏହି ଲେଡି ଜଷ୍ଟିସ୍ ପ୍ରତିମୂର୍ତ୍ତିର ବିବର୍ତ୍ତନ କାହାଣୀ ପଛରେ ରହିଛି ଶହ ଶହ ଇତିହାସ। ନ୍ୟାୟଦେବୀଙ୍କ ସର୍ବପୁରାତନ ରୂପ ହେଉଛନ୍ତି ଇଜିପ୍ଟର ଦେବୀ ମା’ତ୍ । ଖ୍ରୀଷ୍ଟପୂର୍ବ ୨୩୦୦ରୁ ମା’ତ୍ଙ୍କ ସଂପର୍କରେ ଉଲ୍ଲେଖ ରହିଛି। ତାଙ୍କ ମୁଣ୍ଡରେ ଏକ ଓଟପକ୍ଷୀ ପର ଖୋସାଯାଇଥିବା ଦେଖିବାକୁ ମିଳେ। ତେବେ ଇଜିପ୍ଟର ନ୍ୟାୟଦେବୀ ମା’ତ୍ଙ୍କୁ ନେଇ ଅଧିକ କିଛି ବର୍ଣ୍ଣନା ନାହିଁ ।
ଖ୍ରୀଷ୍ଟ ଜନ୍ମର ୭୦୦ ବର୍ଷ ପୂର୍ବେ ଗ୍ରୀକ୍ କବି ହେସିଓଡ୍ଙ୍କ କାବ୍ୟକୃତିରେ ଥେମିସ୍ଙ୍କ ଉଲ୍ଲେଖ ରହିଛି। ନ୍ୟାୟ ଓ ଜ୍ଞାନର ଦେବୀ ରୂପେ ପରିଚିତ ଥିଲେ ଥେମିସ୍ ଗୋଟିଏ ହାତରେ ନିକିତି ଏବଂ ଅନ୍ୟ ହାତରେ ଗୋଟିଏ ଖଣ୍ଡା ଧରିଥିଲେ। କେତେକ ପ୍ରତିମୂର୍ତ୍ତିରେ ଥେମିସ୍ ନିକିତି ଏବଂ ଫୁଲଫଳ ସୁଶୋଭିତ ପ୍ରାଚୁର୍ଯ୍ୟସୂଚକ ପଶୁଶିଙ୍ଗ ମଧ୍ୟ ଧାରଣ କରିଥିବା ଦେଖାଯାଏ। କିନ୍ତୁ ଗ୍ରୀକ୍ ନ୍ୟାୟଦେବୀ ଥେମିସ୍ଙ୍କ ଆଖିରେ ଅନ୍ଧପୁଟୁଳି ନଥିଲା। ସେହିପରି ରୋମ୍ର ପ୍ରଥମ ସମ୍ରାଟ ଅଗଷ୍ଟସ୍ (ଖ୍ରୀ.ପୂ. ୨୭ରୁ ଖ୍ରୀ.ଅ. ୧୪) ଜଷ୍ଟିସିଆ ନାମରେ ପରିଚିତ ଦେବୀଙ୍କୁ ନ୍ୟାୟର ଦେବୀରୂପେ ସର୍ବପ୍ରଥମେ ପୂଜା ଆରମ୍ଭ କରିଥିଲେ। ଥେମିସ୍ଙ୍କ ଭଳି ଜଷ୍ଟିସିଆଙ୍କ ଆଖିରେ ମଧ୍ୟ ଅନ୍ଧପୁଟୁଳି ନଥିଲା। ଥେମିସ୍ ଓ ଜଷ୍ଟିସିଆଙ୍କ ପ୍ରତିମୂର୍ତ୍ତିରେ ଅନେକ ସାମଞ୍ଜସ୍ୟ ରହିଥିଲା।
ନ୍ୟାୟଦେବୀଙ୍କ ଅନ୍ଧପୁଟୁଳି
ନ୍ୟାୟର ଦେବୀଙ୍କୁ ନେଇ ଗବେଷଣା କରିଥିବା ଅଷ୍ଟ୍ରେଲୀୟ ଜାତୀୟ ବିଶ୍ବବିଦ୍ୟାଳୟର ଗବେଷକ ହେସ୍ମଣ୍ଡ୍ ମାଣ୍ଡେର୍ସନ୍ ୨୦୨୦ରେ ପ୍ରକାଶିତ ଏକ ସନ୍ଦର୍ଭରେ ଲେଖିଛନ୍ତି, ‘‘ଆଖିରେ ଅନ୍ଧପୁଟୁଳି ବାନ୍ଧିଥିବା ନ୍ୟାୟର ଦେବୀଙ୍କର ପ୍ରଥମ ପରିପ୍ରକାଶ ହୋଇଥିଲା ‘ସିପ୍ ଅଫ୍ ଫୁଲ୍’ ପୁସ୍ତକରେ। ଦେବୀଙ୍କର ଏହି ଚିତ୍ର ପଞ୍ଚଦଶ ଶତାବ୍ଦୀର ଆଇନଜୀବୀ ସେବାଷ୍ଟିଆନ୍ ବ୍ରାଣ୍ଟ୍ଙ୍କର ବ୍ୟଙ୍ଗାତ୍ମକ କବିତା ସଂଗ୍ରହରେ ପ୍ରକାଶିତ ହୋଇଥିଲା।’’ ସେ ପୁଣି ଲେଖିଛନ୍ତି, “୧୪୯୪ ମସିହାରେ ପ୍ରକାଶିତ ଏହି ଚିତ୍ରରେ ‘ଅନ୍ଧ’ ନ୍ୟାୟକୁ ପରିପ୍ରକାଶିତ କରାଯାଇ ନଥିଲା, ବରଂ ଏହା ଥିଲା ନ୍ୟାୟର ଏକ ସମାଲୋଚନା ବା ବ୍ୟଙ୍ଗଚିତ୍ର। ଜର୍ମାନୀରେ ନବଜାଗରଣ ଯୁଗର ଶିଳ୍ପୀ ଆଲ୍ବେକ୍ଥ୍ ଡ୍ୟୁରର୍ଙ୍କ ‘ଦ ଫୁଲ୍ ବ୍ଲାଇଣ୍ଡ୍ ଫୋଲ୍ଡିଙ୍ଗ୍ ଜଷ୍ଟିସ୍’ ଶୀର୍ଷକ କାଠ ଖୋଦେଇ କୃତିରୁ ଏହା ଅଣାଯାଇଥିବା କୁହାଯାଏ। ‘ଦ ଫୁଲ୍ ବ୍ଲାଇଣ୍ଡ୍ ଫୋଲ୍ଡିଙ୍ଗ ଜଷ୍ଟିସ୍’ ନ୍ୟାୟର ଦେବୀଙ୍କୁ ଜଣେ ନିର୍ବୋଧ ମହିଳାଙ୍କ ଭଳି ଚିତ୍ରିତ କରିବାକୁ ଅନ୍ଧପୁଟୁଳି ବାନ୍ଧି ଦେଇଥିବା କଥା କୁହାଯାଇଥିଲା।” ମାଣ୍ଡେର୍ସନ୍ ଆହୁରି ମଧ୍ୟ ଦର୍ଶାଇଛନ୍ତି, “ସପ୍ତଦଶ ଶତାବ୍ଦୀ ବେଳକୁ ଏହି ଚିତ୍ରର ବ୍ୟଙ୍ଗାତ୍ମକ ଦିଗଟି ସଂପୂର୍ଣ୍ଣ ପାସୋରି ହୋଇଗଲା ଏବଂ ଅନ୍ଧପୁଟୁଳି ବନ୍ଧା ମହିଳା ହିଁ ନ୍ୟାୟଦେବୀଙ୍କ ପ୍ରକୃତ ସ୍ବରୂପ ପାଲଟିଗଲା।”
ଭାରତରେ ନ୍ୟାୟଦେବୀ
ଭାରତରେ ନ୍ୟାୟିକ ବ୍ୟବସ୍ଥା ବ୍ରିଟିସ୍ ରାଜରେ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଚାଲୁଥିଲା। ବ୍ରିଟିସ୍ ସରକାରଙ୍କ ଅମଳରେ ହିଁ ଆଖିରେ ଅନ୍ଧପୁଟୁଳି ବନ୍ଧା ନ୍ୟାୟଦେବୀ ପ୍ରତିମୂର୍ତ୍ତି ପ୍ରଚଳନ କରାଯାଇଥିଲା। ଦେଶର ବିଭିନ୍ନ ନ୍ୟାୟାଳୟଗୁଡ଼ିକରେ ଏହି ପ୍ରତିମୂର୍ତ୍ତି ଏଯାଏ ଦେଖିବାକୁ ମିଳିଥାଏ। ପ୍ରଥମେ ୧୮୭୧ ମସିହାରେ କଲିକତା ହାଇକୋର୍ଟର କୋଠା ନିର୍ମାଣ କରାଗଲା। କୋଠାଟିର ଖମ୍ବଗୁଡ଼ିକରେ ନ୍ୟାୟଦେବୀଙ୍କର ଚିତ୍ର ସ୍ଥାନୀତ ହୋଇଥିଲା। ଏହି ପ୍ରତିମୂର୍ତ୍ତିଗୁଡ଼ିକ ମଧ୍ୟରୁ କେତେକରେ ନ୍ୟାୟଦେବୀଙ୍କର ଆଖିରେ ଅନ୍ଧପୁଟୁଳି ବନ୍ଧା ଯାଇଥିବା ବେଳେ ଅନ୍ୟ କେତେକ ପ୍ରତିମାରେ ତାଙ୍କର ଆଖି ଖୋଲା ରଖାଯାଇଥିଲା। ବମ୍ବେ ହାଇକୋର୍ଟର ଗୋଟିଏ କୋଠା ଉପରେ ସ୍ଥାନୀତ ନ୍ୟାୟଦେବୀ ମୂର୍ତ୍ତିଙ୍କ ଆଖିରେ ଅନ୍ଧପୁଟୁଳି ନାହିଁ।
କେତେକ ଆଇନ ବିଶାରଦ ବିଶ୍ବାସ କରୁଛନ୍ତି ଯେ, ସୁପ୍ରିମ୍କୋର୍ଟର ଏକ ଗ୍ୟାଲେରିର କାନ୍ଥରେ ଥିବା ଏକ ଭିତ୍ତିଚିତ୍ର ମୁଖ୍ୟ ବିଚାରପତିଙ୍କୁ ଭାରତୀୟ ନ୍ୟାୟ ବ୍ୟବସ୍ଥାର କ୍ରମବିବର୍ତ୍ତନ ଏବଂ ନ୍ୟାୟ ଦେବୀଙ୍କର ଭାରତୀୟକରଣ ସକାଶେ ପ୍ରେରଣା ଯୋଗାଇଥିଲା। ସୁପ୍ରିମ୍ କୋର୍ଟ ପରିସରରେ ଥିବା ଅନ୍ୟ ଏକ କଳାକୃତି ବିଚାରପତିମାନଙ୍କର ପ୍ରବେଶ ପଥ ନିକଟରେ ରହିଛି। ଏହି କଳାକୃତିରେ ଏକ ଚକ୍ରର ଗୋଟିଏ ପଟେ ମହାତ୍ମା ଗାନ୍ଧୀ ଏବଂ ଅନ୍ୟ ପଟେ ନ୍ୟାୟଦେବୀଙ୍କ ସ୍ଥାପତ୍ୟ ରହିଛି। ଗ୍ୟାଲେରିର କାନ୍ଥରେ ଥିବା ଭିତ୍ତିଚିତ୍ର ନ୍ୟାୟର ଦେବୀଙ୍କୁ ଜଣେ ଭାରତୀୟ ଦେବୀଙ୍କ ପରିଧାନରେ ଦର୍ଶାଇଛି। ଦେବୀଙ୍କର ଆଖି ଖୋଲା ଏବଂ ଆଖିରେ ଅନ୍ଧପୁଟୁଳି ନାହିଁ। ପାରମ୍ପରିକ ଖଣ୍ଡା ବଦଳରେ ତାଙ୍କ ହାତରେ ଗୋଟିଏ ପୁସ୍ତକ ଶୋଭା ପାଉଛି। ଏହି ପୁସ୍ତକଟି ଭାରତର ସମ୍ବିଧାନ ବୋଲି ମନେ କରାଯାଉଛି। ନ୍ୟାୟେଦବୀଙ୍କୁ ନେଇ ଭାରତୀୟ ଧର୍ମ ଓ ଦର୍ଶନରେ ବିଶ୍ବାସ କରୁଥିବା ବ୍ୟକ୍ତିଙ୍କ ମତ ସଂପୂର୍ଣ୍ଣ ଅଲଗା। ସେମାନଙ୍କ ଯୁକ୍ତି ହେଲା, ଭାରତୀୟ ପୁରାଣ ମୁତାବକ ନ୍ୟାୟର ଦେବତା ହେଲେ ପୁରୁଷ-ଜୀବିତ ବ୍ୟକ୍ତିମାନଙ୍କ ପାଇଁ ନ୍ୟାୟ ପ୍ରଦାନ କରନ୍ତି ଶନିଦେବ ଏବଂ ଜଣଙ୍କର ମୃତ୍ୟୁ ପରେ ନ୍ୟାୟ ପ୍ରଦାନ କରିଥାନ୍ତି ଯମରାଜ। ବୈଚାରିକ ଭାବେ, ନ୍ୟାୟର ଅବଧାରଣାର ଭାରତୀୟକରଣ ସକାଶେ ନ୍ୟାୟଦେବୀଙ୍କ ପ୍ରତିମୂର୍ତ୍ତି ବଦଳରେ ଭାରତୀୟ ନ୍ୟାୟର ଦେବତାଙ୍କ ପ୍ରତିମୂର୍ତ୍ତି ବସାଯିବା ଉଚିତ ଥିଲା। ଏଣୁ ବର୍ତ୍ତମାନର ନ୍ୟାୟଦେବୀ ପ୍ରତିମୂର୍ତ୍ତିକୁ ସଂପୂର୍ଣ୍ଣ ଭାରତୀୟ କହିହେବ ନାହିଁ। କାରଣ ଏହାର ମୂଳ ଚିନ୍ତାଧାରା ପାଶ୍ଚାତ୍ୟରୁ ହିଁ ଆସିଛି।