କରନାଲ: କୋଚିଂ ବା ଟିଉସନ ବିନା କମାଲ କଲେ ଛାତ୍ରୀ। ଘରର ଆର୍ଥିକ ପରିସ୍ଥିତି ଭଲ ନଥିଲେ ବି ନିଜ ଦକ୍ଷତା ପ୍ରମାଣ କଲେ ହରିୟାଣାର ଜ୍ୟୋତି। ହରିୟାଣା ଶିକ୍ଷା ବୋର୍ଡର ଦଶମ ପରୀକ୍ଷାରେ ଜ୍ୟୋତି ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି। ଜ୍ୟୋତି ୫୦୦ରୁ ୪୯୬ ମାର୍କ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଜ୍ୟୋତିଙ୍କ ବାପା ଜଣେ ଦିନ ମଜୁରିଆ ହୋଇଥିବା ବେଳେ ସ୍ୱଳ୍ପ ଆୟ ଏବଂ ସୀମିତ ସମ୍ବଳରେ ନିଜ ପରିବାର ଚଳାନ୍ତି। ଏବେ ଭଲ ମାର୍କ ରଖି ପାସ୍ କରିବା ପରେ ଜ୍ୟୋତି ଆଇପିଏସ୍ ହୋଇ ଦେଶର ସେବା କରିବାକୁ ଚାହୁଥିବା କହିଛନ୍ତି।
ସ୍ୱପ୍ନ ପୂରଣ କରିବା ପାଇଁ ଏକ ଧନୀ ପରିବାରରେ ଜନ୍ମ ହେବା ବା ଭଲ ଘରେ ରହିବା ଜରୁରୀ ନୁହେଁ। ସେଥିପାଇଁ କଠିନ ପରିଶ୍ରମ ଏବଂ ନିଷ୍ଠା ଆବଶ୍ୟକ, ତାହା ପ୍ରମାଣ କରିଛନ୍ତି ଜ୍ୟୋତି। ତେବେ ଭଲ ମାର୍କ ରଖିବା ପାଇଁ ଟିଉସନ ଜରୁରୀ କି ନାହିଁ ବୋଲି ପଚରାଯିବା ପରେ ଜ୍ୟୋତି କହିଛନ୍ତି, ବୋଧହୁଏ ଦରକାର ନାହିଁ। କିନ୍ତୁ ଟିଉସନ ବିନା ଭଲ ମାର୍କ ଆଣିବା ପାଇଁ ଅନୁଶାସନ ଜରୁରୀ। ଯଦି ଜଣକ ମଧ୍ୟରେ ଅନୁଶାସନ ରହିଛି ଏବଂ ସବୁକିଛି ଠିକ୍ ସମୟରେ କରିବାକୁ ଇଚ୍ଛା ଅଛି, ତେବେ ଟ୍ୟୁସନ ଦରକାର ନାହିଁ। ମୁଁ ପରୀକ୍ଷା ପାଇଁ ୧୨-୧୩ ଘଣ୍ଟା ପାଠ ପଢ଼ୁଥିଲି। ତେଣୁ ନିଷ୍ଠାର ସହ ପାଠ ପଢ଼ିଲେ ହିଁ ଟିଉସନର ଆବଶ୍ୟକତା ପଡ଼ିବ ନାହିଁ। ଏବେ ମୋତେ ଏହି ସଫଳତା ମିଳିବା ପରେ ଆଗକୁ ମୁଁ ଜଣେ ଭଲ ଆଇପିଏସ ଅଫିସର ହେବାକୁ ଚେଷ୍ଟା କରିବି।