ପୁଣ୍ୟପ୍ରଦ କୁରୁକ୍ଷେତ୍ରର ପଶ୍ଚିମ ଦିଗରେ ରହିଛି ଏକ ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ର, ଯାହାର ନାମ ଜ୍ୟୋତିସାର ସରୋବର। ଏହି ସରୋବରର ତଟଦେଶରେ ରହିଛି ଏକ ବଟବୃକ୍ଷ। କୁହାଯାଏ, ଏହି ବଟବୃକ୍ଷ କୁରୁକ୍ଷେତ୍ର ସମୟର; ଅର୍ଥାତ୍ ଏହାର ଆୟୁ ପ୍ରାୟ ପାଞ୍ଚହଜାର ବର୍ଷ। ଜ୍ୟୋତି ଅର୍ଥାତ୍ ଆଲୋକ, ସାର ଅର୍ଥାତ୍ ଶ୍ରେଷ୍ଠତତ୍ତ୍ୱ। ଆଦିଗୁରୁ ଶଙ୍କରାଚାର୍ଯ୍ୟ ଅଷ୍ଟମ ଶତାବ୍ଦୀରେ ଘୋଷଣା କରିଥିଲେ- ଜ୍ୟୋତିସାର ହେଉଛି ‘ଶ୍ରୀମଦ୍ଭଗବଦ୍ଗୀତା’ର ଜନ୍ମପୀଠ। କୁରୁକ୍ଷେତ୍ରର ପରିସୀମା ଷୋହଳଯୋଜନ ପର୍ଯ୍ୟନ୍ତ ପରିବ୍ୟାପ୍ତ। ଯେତେବେଳେ ଯୁଦ୍ଧନିମିତ୍ତ ପାଣ୍ଡବ ଓ କୌରବ ସେନା କୁରୁକ୍ଷେତ୍ରରେ ଏକତ୍ର ହେଲେ, କୃଷ୍ଣ ଅର୍ଜୁନଙ୍କ ରଥକୁ ନେଇ ଯୁଦ୍ଧର ମଧ୍ୟସ୍ଥଳରେ ସ୍ଥାପନ କଲେ। ସେଠାରେ ସମବେତ ହୋଇଥିବା ପାଣ୍ଡବ ଓ କୌରବ ସେନାଙ୍କୁ ଦେଖି ଅର୍ଜୁନ ଅତ୍ୟନ୍ତ ବିଷାଦଗ୍ରସ୍ତ ହୋଇପଡ଼ିଲେ। ଯୁଦ୍ଧ ଅର୍ଥ, ଏଠାରେ ଉପସ୍ଥିତ ଉଭୟପକ୍ଷର ସେନାମାନଙ୍କର ମୃତ୍ୟୁ। ସେ ମଧ୍ୟରେ ରହିଛନ୍ତି ଅସଂଖ୍ୟ ଆତ୍ମୀୟସ୍ୱଜନ, ଭାଇ, ବନ୍ଧୁ, କୁଟୁମ୍ବ, ଗୁରୁ, ପୂଜ୍ୟଜନ ଆଦି। ସାମାନ୍ୟ ରାଜ୍ୟପାଇଁ ଏମାନଙ୍କର ବଧ କ’ଣ ନିହାତି ଆବଶ୍ୟକ? ଅର୍ଜୁନଙ୍କର ଚକ୍ଷୁରୁ ଲୋତକ ବର୍ଷିବାକୁ ଆରମ୍ଭ କଲା। କଣ୍ଠ ରୁଦ୍ଧ ହୋଇଗଲା। ହାତରୁ ଗାଣ୍ଡିବ ଖସିପଡ଼ିଲା। ଅର୍ଜୁନଙ୍କର ଅବସ୍ଥା ଦେଖି ଶ୍ରୀକୃଷ୍ଣ ଆଶ୍ଚର୍ଯ୍ୟ ହେବା ସହିତ ସେହି ବିଷାଦରୁ ତାଙ୍କୁ ମୁକ୍ତ କରିବା ନିମିତ୍ତ ବେଦର ସାରଜ୍ଞାନ ବର୍ଣ୍ଣନା କରିବାକୁ ଆରମ୍ଭ କଲେ। ଧର୍ମ-ଅର୍ଥ-କାମ-ମୋକ୍ଷର ସମସ୍ତ ଯୁକ୍ତିଯୁକ୍ତ ଜ୍ଞାନ ପ୍ରଦାନ କରି ଶ୍ରୀକୃଷ୍ଣ ଶେଷରେ ଅର୍ଜୁନଙ୍କୁ ତାଙ୍କର ବିଶ୍ୱରୂପ ପ୍ରଦର୍ଶନ କରାଇଥିଲେ। ଅର୍ଜୁନଙ୍କ ମନରୁ ସଂଶୟ ଦୂର ହେଲା ଏବଂ ସେ ଯୁଦ୍ଧ କରିବାରେ ପ୍ରବୃତ୍ତ ହେଲେ।
ଧର୍ମ-ଅର୍ଥ-କାମ-ମୋକ୍ଷର ସମସ୍ତ ଯୁକ୍ତିଯୁକ୍ତ ଜ୍ଞାନ ପ୍ରଦାନ କରି ଶେଷରେ ଅର୍ଜୁନଙ୍କୁ ତାଙ୍କର ବିଶ୍ୱରୂପ ପ୍ରଦର୍ଶନ କରାଇଥିଲେ। ଅର୍ଜୁନଙ୍କ ମନରୁ ସଂଶୟ ଦୂର ହେଲା ଏବଂ ସେ ଯୁଦ୍ଧ କରିବାରେ ପ୍ରବୃତ୍ତ ହେଲେ।
ଯେଉଁ ସ୍ଥାନରେ ସେହି ଘଟଣା ଘଟିଥିଲା, ସେ ସ୍ଥାନଥିଲା ଏହି ଜ୍ୟୋତିସାର ତୀର୍ଥ। ଏହିଠାରୁ ଗୀତାଜ୍ଞାନର ଆଲୋକ ସମଗ୍ର ସଂସାରରେ ପରିବ୍ୟାପ୍ତ ହୋଇଥିଲା। ତେଣୁ ତାହାର ମହତ୍ତ୍ୱ ଅସାମାନ୍ୟ। ଏହି ସ୍ମୃତିକୁ ସର୍ବଗ୍ରାହ୍ୟ କରିବା ନିମିତ୍ତ ୧୮୫୦ ମସିହାରେ କାଶୀରାଜ ଏଠାରେ ଏକ ଶିବମନ୍ଦିର ନିର୍ମାଣ କରିଥିଲେ। ଯେଉଁ ପବିତ୍ର ବଟଦ୍ରୁମ ଗୀତାବାଣୀର ସାକ୍ଷୀ, ୧୯୨୪ ମସିହାରେ ଦରଭଙ୍ଗାର ରାଜା ସେହି ପବିତ୍ର ବଟବୃକ୍ଷ ଚତୁଃପାର୍ଶ୍ବରେ ଏକ ଚାନ୍ଦିନି ନିର୍ମାଣ କଲେ। ୧୯୬୭ ମସିହାରେ କାଞ୍ଚିକାମକୋଟିର ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀ ସେଠାରେ ରଥାରୂଢ଼ କୃଷ୍ଣ-ଅର୍ଜୁନଙ୍କର ଏକ ମୂର୍ତ୍ତି ନିର୍ମାଣ କରିଥିଲେ। ୧୯୨୧ ମସିହାରେ ସେଠାରେ ଶ୍ରୀକୃଷ୍ଣଙ୍କର ଅଷ୍ଟଧାତୁରେ ନିର୍ମିତ ଚାଳିଶ ଫୁଟ ଉଚ୍ଚର ଏକ ବିଶ୍ୱରୂପ ମୂର୍ତ୍ତି ପ୍ରତିଷ୍ଠା ହୋଇଛି। କୃଷ୍ଣଦର୍ଶନ ପରିକ୍ରମା କ୍ଷେତ୍ର ମଧ୍ୟରେ ବୃନ୍ଦାବନ, ବର୍ସାନା, ଗୋବର୍ଦ୍ଧନ, ମଥୁରା, ଦ୍ୱାରକା ଓ ଭାଲକ ସହିତ ଜ୍ୟୋତିସାରକୁ ମିଶାଇ ସାତଟି ସ୍ଥାନ ଚିହ୍ନିତ ହୋଇଛି। ଏହି ସରୋବରର ତୀରଦେଶରେ ପ୍ରତିବର୍ଷ ଗୀତାଜୟନ୍ତୀ ମହାସମାରୋହରେ ପାଳିତ ହୁଏ। ବ୍ରହ୍ମସରୋବର ସନ୍ନିହିତ ସରୋବର ସଦୃଶ, ସେଠାରେ ମଧ୍ୟ ହଜାର ହଜାର ଦୀପ ପ୍ରଜ୍ୱଳିତ ହୋଇ ‘ଗୀତା ଦୀପୋତ୍ସବ’ ପାଳିତ ହୋଇଥାଏ।