କାବୁଲ ହେବ ପ୍ରଥମ ଜଳଶୂନ୍ୟ ରାଜଧାନୀ!

ଆଫଗାନିସ୍ତାନ୍‌ର କାବୁଲ ସହର ପ୍ରଥମ ଜଳଶୂନ୍ୟ ଆଧୁନିକ ରାଜଧାନୀ ହେବାର ଅପକୀର୍ତ୍ତି ମୁଣ୍ଡାଇପାରେ ବୋଲି ଏକ ରିପୋର୍ଟରୁ ଜଣାଯାଇଛି। ଜଳବାୟୁ ପରିବର୍ତ୍ତନ, ଦୁର୍ବଳ ଜଳ ସମ୍ପଦ ପରିଚାଳନା, ଦ୍ରୁତ ସହରୀକରଣ ଓ ପ୍ରାୟ ୫ରୁ ୬ ନିୟୁତ ଜନସଂଖ୍ୟା ବୃଦ୍ଧି ସମେତ ବିଭିନ୍ନ କାରଣ...

New Project (18)

ଆଫଗାନିସ୍ତାନ୍‌ର କାବୁଲ ସହର ପ୍ରଥମ ଜଳଶୂନ୍ୟ ଆଧୁନିକ ରାଜଧାନୀ ହେବାର ଅପକୀର୍ତ୍ତି ମୁଣ୍ଡାଇପାରେ ବୋଲି ଏକ ରିପୋର୍ଟରୁ ଜଣାଯାଇଛି। ଜଳବାୟୁ ପରିବର୍ତ୍ତନ, ଦୁର୍ବଳ ଜଳ ସମ୍ପଦ ପରିଚାଳନା, ଦ୍ରୁତ ସହରୀକରଣ ଓ ପ୍ରାୟ ୫ରୁ ୬ ନିୟୁତ ଜନସଂଖ୍ୟା ବୃଦ୍ଧି ସମେତ ବିଭିନ୍ନ କାରଣ ଯୋଗୁଁ କାବୁଲ ସହରରେ ଜଳଉତ୍ସ ହ୍ରାସ ଜାରି ରହିଛି। ମାନବବାଦୀ ସ୍ବେଚ୍ଛାସେବୀ ସଂଗଠନ ‘ମର୍ସି କର୍ପସ’ ଦ୍ବାରା ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, କାବୁଲର ଜଳଭଣ୍ଡାରଗୁଡ଼ିକ ଦ୍ରୁତ ଗତିରେ ଶୁଖିଯାଉଛି। ଏଥି ସହିତ ସେଠାରେ ଜଳ ଉପଲବ୍‌ଧତା, ପ୍ରଦୂଷଣ ଓ ଭିତ୍ତିଭୂମି ସମସ୍ୟା ମଧ୍ୟ ରହିଛି। ସେଠାରେ ଭୂତଳ ଜଳର ମାନ କମୁଥିବାରୁ ଭଲ ଗୁଣବତ୍ତାର କୂଅ ପାଣି ମିଳୁନାହିଁ।

କହିବା ବାହୁଲ୍ୟ, କାବୁଲର ପାଣି ସମସ୍ୟା ନୂଆ ନୁହେଁ ଏବଂ କ୍ରମାଗତ ଭାବରେ ଏହା ଖରାପ ହେଉଥିବା ରିପୋର୍ଟ ଆସୁଛି। ଦେଶରୁ ଆମେରିକା ଓ ସହଯୋଗୀ ସେନା ପ୍ରତ୍ୟାହାର ସାଙ୍ଗକୁ ତାଲିବାନ୍‌ କ୍ଷମତାକୁ ଫେରିବା ପରେ ୨୦୨୧ ଅଗଷ୍ଟ ପରଠାରୁ ଆଫଗାନିସ୍ତାନ ପାଇଁ ପାଣ୍ଠି ଯୋଗାଣ ହ୍ରାସ ତୀବ୍ର ହେବା ସହ ଜଳ ସମସ୍ୟା ମଧ୍ୟ ଚରମ ହୋଇଛି। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସେଠାରେ ପ୍ରତିବର୍ଷ ଜଳ ଉତ୍ତୋଳନ ପରିମାଣ ୧୫୦ କୋଟି ଘନଫୁଟ (୪୪ ନିୟୁତ ଘନ ମିଟର) ଅତିକ୍ରମ କରିଛି। ଗତ ଦଶନ୍ଧି ମଧ୍ୟରେ କାବୁଲର ଜଳଭଣ୍ଡାର ସ୍ତର ପ୍ରାୟ ୧୦୦ ଫୁଟ (୩୦ ମିଟର) ହ୍ରାସ ପାଇଛି ଏବଂ କିଛି ପରିବାର କେବଳ ପାଣି ପାଇଁ ସେମାନଙ୍କ ଆୟର ୩୦% ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି। ୨୦୩୦ ସୁଦ୍ଧା କାବୁଲର ଭୂତଳ ଜଳ ଶେଷ ହେବାର ଆଶଙ୍କା ରହିଛି। 

କାବୁଲ ପ୍ରଥମ ପ୍ରମୁଖ ସହର ନୁହେଁ, ଯେଉଁଠାରେ ଏପରି ବିପଦ ଦେଖାଦେଇଛି। ୨୦୧୮ରେ ଦକ୍ଷିଣ ଆଫ୍ରିକାର କେପ୍‌ଟାଉନ୍ ସହର ମରୁଡ଼ି ଯୋଗୁଁ ପ୍ରାୟ ଜଳଶୂନ୍ୟ ହୋଇଯାଇଥିଲା। ତେବେ କଠୋର କଟକଣା ଓ ଜଳ ସଞ୍ଚୟ ଅଭିଯାନ ଯୋଗୁଁ ଅଳ୍ପକେ ରକ୍ଷା ପାଇଯାଇଥିଲା। ସେହିପରି ୨୦୧୯ରେ ଭାରତର ଚେନ୍ନାଇ ସହରର ସମସ୍ତ ଚାରିଟି ପ୍ରମୁଖ ଜଳଭଣ୍ଡାର ଶୁଖିଯାଇଥିଲା। ଏପରି ଜଳାଭାବ କୃଷିକାର୍ଯ୍ୟ ଓ ଖାଦ୍ୟ ସୁରକ୍ଷାକୁ ପ୍ରଭାବିତ କରେ, ଜୀବନଯାପନ ଖର୍ଚ୍ଚ ବଢ଼ାଏ ଏବଂ ଚରମ କ୍ଷେତ୍ରରେ ଲୋକଙ୍କର ସ୍ଥାନାନ୍ତରଣ ଓ ବିସ୍ଥାପନ ଘଟାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe