ଜନ୍ମଦିନରେ ମନେପଡ଼ନ୍ତି କାଲାମ! ତାଙ୍କର ଏହି ସବୁ ଗୁଣ ହିଁ ତାଙ୍କୁ କରିଥିଲା ଅନ୍ୟଙ୍କଠାରୁ ଭିନ୍ନ

ନୂଆଦିଲ୍ଲୀ: ଆଜି ଭାରତର ମିସାଇଲ୍‌ ମ୍ୟାନ୍‌ ଅବ୍‌ଦୁଲ୍‌ କାଲାମଙ୍କ ଜନ୍ମଦିନ। ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଖ୍ୟାତ ବୈଜ୍ଞାନିକ ଡକ୍ଟର ଏ.ପି.ଜେ ଅବଦୁଲ କଲାମପୂରା ଦେଶର ଲୋକଙ୍କ ପାଇଁ ଆଦର୍ଶ। ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ତାମିଲନାଡୁର ରାମେଶ୍ୱରମରେ ଅବଦୁଲ କଲାମଙ୍କ ଜନ୍ମ। ଏକ ଗରିବ ମୁସଲିମ ପରିବାରରେ ଜନ୍ମଗ୍ରହଣ କରିଥିବା କଲାମଙ୍କୁ ନେଇ ପୂରା ଦେଶ ଗର୍ବିତ ହେବ ତାହା କେହି କଳ୍ପନା କରିନଥିଲେ। ସଂଘର୍ଷମୟ ଜୀବନକୁ ପଛରେ ପକାଇ ପିଲାବେଳୁ ସେ ସଫଳତା ପରେ ସଫଳତା ହାସଲ କରି ଚାଲିଥିଲେ। କେହି ସୁଦ୍ଧା ଭାବିନଥିଲେ ଦିନେ ଭାରତୀୟ ବିଜ୍ଞାନ ଜଗତର ମହାନାୟକ ଭାବେ ଉଭା ହେବେ କଲାମ । ସବୁବେଳେ କିଛି ନୂଆ ଶିଖିବାର ଇଚ୍ଛା ତାଙ୍କୁ ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର କରୁଥିଲା। କଲାମ ମିସାଇଲ ମ୍ୟାନ ଭାବେ ପୂରା ଦେଶରେ ଜଣାଶୁଣା ଥିଲେ। ଭାରତୀୟ ମହାକାଶ ବିଜ୍ଞାନକୁ ତାଙ୍କ ଦାନ ଅତୁଳନୀୟ। ଭାରତରେ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ସଫଳତାର ଶିଖରରେ ପହଞ୍ଚାଇଥିବା ବ୍ୟକ୍ତି ହେଉଛନ୍ତି କଲାମ। ଏପରିକି ଭାରତକୁ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର କରିବାରେ କଲାମଙ୍କ ପ୍ରମୁଖ ଭୂମିକା ରହିଥିଲା। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ଭାରତର ରାଷ୍ଟ୍ରପତି ଥିଲେ। ରାଷ୍ଟ୍ରପତି ହେବା ପରେ ମଧ୍ୟ ସେହିଭଳି ସାଧାରଣ ଜୀବନଯାପନ କରୁଥିଲେ କଲାମ। ୨୭ ଜୁଲାଇ ୨୦୧୫ ମେଘାଳୟ ଶିଲଂରେ ହୃଦଘାତ ଯୋଗୁଁ କାଲାମଙ୍କ ନିଧନ ହୋଇଥିଲା। ଯେଉଁ ସମୟରେ ଏହି ଅଘଟଣ ଘଟିଥିଲା, ସେ ଆଇଆଇଏମରେ ପିଲାଙ୍କୁ ପାଠ ପାଉଥିଲେ ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସେ ନିଜର ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ବାଣ୍ଟି ଚାଲିଥିଲେ। କିନ୍ତୁ କେବେ ମଧ୍ୟ ଥକି ପଡିନଥିଲେ। ୮୩ ବର୍ଷ ବୟସରେ ସେ ଆରପାରିକୁ ଚାଲିଯାଇଥିଲେ। କିନ୍ତୁ ଏବେ ବି ପ୍ରତ୍ୟେକ ଭାରତୀୟଙ୍କ ମନରେ ବଞ୍ଚି ରହିଛନ୍ତି ମହାମାନବ କାଲାମ।

୨୦୦୨ ମସିହାରେ ରାଷ୍ଟ୍ରପତି ହେବା ପରେ କାଲାମ କେରଳ ଯାଇଥିବା ବେଳେ ଦୁଇଜଣ ସ୍ୱତନ୍ତ୍ର ଅତିଥିଙ୍କୁ ରାଜଭବନକୁ ନିମନ୍ତ୍ରଣ କରିଥିଲେ। ଜଣେ ଥିଲେ ଜୋତା ମରାମତି କରୁଥିବା ମୋଚି ଏବଂ ଅନ୍ୟଜଣେ ଢାବା ମାଲିକ। ଏହା ହିଁ ତାଙ୍କ ସରଳ ଜୀବନ ଜାପନ ଶୈଳୀକୁ ଦର୍ଶାଇଥିଲା।

ମହାମାନବ ଏ.ପି.ଜେ ଅବଦୁଲ କଲାମ ରାଷ୍ଟ୍ରପତି ହେବା ପରେ ମିଳୁଥିବା ସମସ୍ତ ଦରମା ଏକ ଟ୍ରଷ୍ଟ ନାଁ ରେ କରି ଦେଇଥିଲେ । ଏପରିକି ରାଷ୍ଟ୍ରପତି ହେବା ପୂର୍ବରୁ ଏକ କଲେଜରେ ତାଙ୍କୁ ମୁଖ୍ୟଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା କିନ୍ତୁ କିଭଳି ଭାବେ କାର୍ଯ୍ୟକ୍ରମର ପ୍ରସ୍ତୁତି ଚାଲିଛି ତାହା ଜାଣିବା ପାଇଁ ଗୋଟିଏ ଦିନ ପୂର୍ବରୁ ସୁରକ୍ଷାକର୍ମୀଙ୍କ ବିନା ସେ ଜିପରେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେତେବେଳେ କଲାମଙ୍କ ଏହି କାର୍ଯ୍ୟ ପାଇଁ ଜୋର ଚର୍ଚ୍ଚା ହୋଇଥିଲା।

ଆଇଆଇଏମ ଅହମ୍ମଦାବାଦକୁ ଯାଇଥିବା ବେଳେ କିଛି ଛାତ୍ରଛାତ୍ରୀ ତାଙ୍କ ସହ ଫଟୋ ଉଠାଇବାକୁ ନିବଦେନ କରିଥିଲେ। ଏଥିରେ ଟିକିଏ ବି କୁଣ୍ଠାବୋଧ କରିନଥିଲେ କଲାମ ବରଂ ସମସ୍ତଙ୍କ ସହ ଫଟୋ ଉଠାଇଥିଲେ। ତାଙ୍କ ଫଟୋ ଉଠା ପାଇଁ କାର୍ଯ୍ୟକ୍ରମରେ ବିଳମ୍ବ ହେଉଥିବାରୁ ଛାତ୍ରଙ୍କୁ ଫଟୋ ନେବାକୁ ମନା କରିଥିଲେ। ଏଥିରେ କିଛି ଛାତ୍ରଙ୍କ ମନ ଦୁଃଖ ହୋଇଥିଲା। ତେଣୁ ସେ କହିଥିଲେ, କାର୍ଯ୍ୟକ୍ରମ ସରିବା ପରେ ସେତେବେଳ ପର୍ଯ୍ୟନ୍ତ ସେ ଯିବେ ନାହିଁ ଯେତେବେଳ ପଯ୍ୟନ୍ତ ସମସ୍ତେ ଫଟୋ ନ ଉଠାଇଛନ୍ତି।’ ଏପରିକି ସେହି ଫଟୋ ଉଠା ପାଇଁ କାଲାମ ତାଙ୍କ ଫ୍ଲାଇଟ୍‌ ବି ମିସ୍‌ କରିଥିଲେ।

ଯେତେବେଳେ ରାଷ୍ଟ୍ରପତି ଭାବେ କଲାମ ରାଷ୍ଟ୍ରପତି ଭବନ ଯାଇଥିଲେ ସେତେବେଳେ ସାଙ୍ଗରେ ମାତ୍ର ଦୁଇଟି ସୁଟକେସ ନେଇକି ଯାଇଥିଲେ ଆଉ କାଯ୍ୟକାଳ ସରିବା ପରେ ରାଷ୍ଟ୍ରପତି ଭବନରୁ ସେହି ଦୁଇଟି ସୁଟକେସ ନେଇକି ଫେରିଥିଲେ।

ସମୟ ତାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା। ଥରେ ସେ କହିଥିଲେ ମୋ ମରିଯିବା ପରେ କେହି ଦୁଃଖ କରିବନି କି ସରକାରୀ ଛୁଟି ଘୋଷଣା କରିବନି। ଯଦି ପାରିବ ସେହିଦିନ ଆଉ ଦୁଇଘଣ୍ଟା ଅଧିକ ପରିଶ୍ରମ କରିବ।

ମନୋନୟନ ପତ୍ର ଦାଖଲର ତାରିଖ ପାଖେଇ ଆସିଲା। ବିଜେପି ନେତା ତଥା ତତକାଳୀନ କେନ୍ଦ୍ର ମନ୍ତ୍ରୀ ପ୍ରମୋଦ ମହାଜନ ଡ. କଲାମଙ୍କର ର୍ନିବାଚନ ତଦାରଖ ଦାୟିତ୍ୱରେ ରହିଲେ। ସେ ଡ.କଲାମଙ୍କୁ ପଚାରିଲେ, ସାର୍‌ ଆପଣଙ୍କର ଶୁଭ ଦିନ ଓ ଶୁଭ ବେଳା ସଂପର୍କରେ କୁହନ୍ତୁ। ସେହି ସମୟରେ ଆମେ ମନୋନୟନ ପତ୍ର ଦାଖଲ କରିବୁ ଡ.କଲାମ କହିଲେ, ଶୁଭ ବେଳା ଗୋଟେ କଣ ? ଏ ପୃଥିବୀ ମାତା ସବୁବେଳେ ସୂର୍ଯ୍ୟ ଚାରି ପଟେ ଓ ନିଜ ଚାରିପଟେ ଘୂରୁଛି। କେବେ ବି ବିଶ୍ରାମ ନେଉନି। ସେ ଘୂରୁଛି ବୋଲି ଜୀବ ଜଗତ ତିଷ୍ଠିଛି। ତାର ଘୂରିବା ବନ୍ଦ ହୋଇଗଲେ ଏ ଜୀବ ଜଗତ ନଥିବ। ପୃଥିବୀ ଘୂରୁଥିବା ଯାଏ ପ୍ରତିଟି ମୁହୂର୍ତ୍ତ ଶୁଭ। ତେଣୁ ପ୍ରତିଦିନ ଓ ପ୍ରତି ମୁହୂର୍ତ୍ତ ମୋ ପାଇଁ ଶୁଭ।

ସମ୍ବନ୍ଧିତ ଖବର