ଓଡ଼ିଆରେ ‘କଳି ଭାଗବତ’ ନାମରେ ଏକ କ୍ଷୁଦ୍ର ଗ୍ରନ୍ଥ ଅଛି। ଏହାର ରଚୟିତା ଶିଶୁ ଦାସ। ଓଡ଼ିଆ ସାହିତ୍ୟରେ ‘ପଞ୍ଚସଖା’ଙ୍କର ଅନ୍ତର୍ଗତ ଶିଶୁଅନନ୍ତ ଦାସଙ୍କଠାରୁ ଏ ଶିଶୁ ଦାସ ଭିନ୍ନ। ସେହିପରି, ‘ଦେଉଳତୋଳା’ ଓ ‘ଦାରୁବ୍ରହ୍ମଗୀତା’ର ରଚୟିତା ଶିଶୁ ଦାମ ଦାସଙ୍କଠାରୁ ମଧ୍ୟ ଏ ଭିନ୍ନ ବୋଲି ଜଣାଯାଏ। ତେବେ, କଳିଯୁଗରେ ଶୂଦ୍ର ଘରେ ସେ ଜାତ ବୋଲି ‘କଳି ଭାଗବତ’ରେ କହିଛନ୍ତି।
ଋକ୍ମିଣୀ ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ କଥାବାର୍ତ୍ତା ଆଧାରରେ, ନବାକ୍ଷରୀରେ ‘କଳି ଭାଗବତ’ ରଚିତ। ତେବେ ସଂସ୍କୃତ ‘ସ୍କନ୍ଦପୁରାଣ’ ଓ ସାରଳା ଦାସଙ୍କ ‘ମହାଭାରତ’ର ‘ବନପର୍ବ’ ଓ ‘ମୂଷଳୀପର୍ବ’ର କାହାଣୀ ସହିତ ଏହାର ଅନେକ ସାମ୍ୟ ରହିଛି। ଶ୍ରୀଭଗବାନ ବା ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ କହିଛନ୍ତି- “ଯୁଗ ହୋଇଲା ଆସି ଶେଷ। / ଏ ରୂପ ତେଜିବା ଅବଶ୍ୟ।” ସେହି ଅନୁସାରେ, ସେ “ନୀଳମାଧବ ରୂପେ ଅଙ୍ଗ। / ତହିଁ ଉତ୍ତାରେ ଦାରୁ ଯୋଗ।” ହୋଇଛନ୍ତି।
୧୮ଟି ଅଧ୍ୟାୟରେ ଏହି ‘କଳି ଭାଗବତ’ ବର୍ଣ୍ଣିତ। ଶେଷ ଅଧ୍ୟାୟରେ ଅଛି କଳିଯୁଗରେ ଧର୍ମର ସ୍ଥିତିର କଥା। ଶ୍ରୀଭଗବାନ କହିଛନ୍ତି- କଳିଯୁଗରେ ଧର୍ମ ଗୁପ୍ତ ହୋଇ ରହିବ। ଯେ ଅଧର୍ମ କରୁଥିବ, ଲକ୍ଷ୍ମୀ ତା’ ସାଙ୍ଗରେ ଅଛନ୍ତି ବୋଲି ପ୍ରତୀୟମାନ ହେବ। ଲକ୍ଷ୍ମୀ ମୋ ସାଙ୍ଗରେ ଅଛନ୍ତି, ଏଣୁ ମୁଁ ଅକର୍ମ କରିବି ବୋଲି ଲୋକେ ମନେକରିବେ। କିନ୍ତୁ ଏହା ଲକ୍ଷ୍ମୀଙ୍କର ମାୟା। ଏହି ମାୟାରେ କିଛି କାଳ ରହିବା ପରେ, ସେମାନେ ସେହି ମାୟାରେ ଭ୍ରମି ନାଶ ଯିବେ।
ଅପରପକ୍ଷେ, ଯେଉଁମାନେ ଧର୍ମ ଆଚରଣ କରିବେ, ସେମାନେ ସୁଖରେ ରହିବେ। କିନ୍ତୁ ତାଙ୍କର ସେ ସୁଖ ଗୁପ୍ତ ରହିବ। ସେହି ଧର୍ମାଚାରୀ, ସେହି ଭକ୍ତ ହିଁ ମୋ ପାଇଁ ବଡ଼। କଳିଯୁଗରେ ସେହି ଭକ୍ତ ହିଁ ନାରାୟଣ। ଏହା ମୋର ଦୃଢ଼ ବଚନ।
ଶ୍ରୀ ଭଗବାନଙ୍କଠାରୁ ଏହା ଶୁଣି, ପରିଶେଷରେ ଋକ୍ମିଣୀ ପଚାରିଛନ୍ତି- ଏ ଯୁଗରେ ଦୁଷ୍ଟ କିପରି ନାଶ ଯିବେ?
ଏହାର ଉତ୍ତରରେ ଭଗବାନ କହିଛନ୍ତି- ଦେବତା ଓ ଭକ୍ତଙ୍କ ଆକୁଳ ପ୍ରାର୍ଥନାରେ ସେ ଦୁଷ୍ଟଙ୍କୁ ନିପାତ କରିବା ପାଇଁ ଆଜ୍ଞା ଦେବେ ଏବଂ ମାତାଙ୍କ ସମେତ ସାତ ଜଣ ଦୁଷ୍ଟଙ୍କର ସଂହାର କରିବେ। ତା’ ପରେ ଦୁଃଖୀ, ଦରିଦ୍ରମାନେ ସୁଖୀ ହେବେ ଏବଂ ଧର୍ମ ପୁଣି ପ୍ରତିଷ୍ଠିତ ହେବ।