ଓଡ଼ିଆ ପ୍ରାଣର ଠାକୁର ରାଜା କାଳିଆ ସାଆନ୍ତେ ଅଣସର ଘରୁ ବାହାରି ବର୍ଷକରେ ଥରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ବଡ଼ଭାଇ ବଳଭଦ୍ର, ଭଗିନୀ ସୁଭଦ୍ରା ଓ ଆୟୁଧ ସୁଦର୍ଶନଙ୍କୁ ସାଥିରେ ଧରି ବାହାରି ପଡ଼ନ୍ତି। ସେ ହଲି ଦୋହଲି ତିନିଟି ସୁସଜ୍ଜିତ ରଥରେ ଭବ୍ୟ ବର୍ଣ୍ଣାଢ଼୍ୟ ବେଶରେ ରାଜକୀୟ ଠାଣିରେ ଶ୍ରୀମନ୍ଦିରର ରତ୍ନବେଦୀରୁ ଜନ୍ମସ୍ଥାନ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ଲକ୍ଷ ଲକ୍ଷ ଭକ୍ତଙ୍କ ହରିବୋଲି, ହୁଳହୁଳି, ଭଜନ କୀର୍ତ୍ତନ ନୃତ୍ୟ ସହ ତାଳ ଦେଇ ରଥ ଘର୍ଘର ନାଦରେ ବଡ଼ଦାଣ୍ଡରେ ଗଡ଼ିଚାଲେ। ଏହି ଘୋଷ ଯାତ୍ରା ଆବାଳ ବୃଦ୍ଧବନୀତାଙ୍କ ପାଇଁ ଆକାଂକ୍ଷିତ ଇପ୍‌ସିତ ମୁହୂର୍ତ୍ତ। କେଡ଼େ ମନ ଲୋଭା କାଳିଆ ଠାକୁରଙ୍କ ରଥାରୂଢ଼ ବେଶ। ଏ ବେଶ ଦେଖି ଭକ୍ତ ସାଲବେଗ ଗାଇ ଉଠିଥିଲେ-
‘‘ରଥ ଚାରିପାଖେ ଲମ୍ବେ ମୁକୁତାର ଝରା
ଝଲମଲ ଦିଶୁଥାଇ ପ୍ରଭୁ ଚକାଡ଼ୋଳା’’

Advertisment

ଲକ୍ଷ ଲକ୍ଷ ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଲେ ଶ୍ରୀଜଗନ୍ନାଥ। ସେ ଲୋକ ଦେବତା ଭାବରେ ଓଡ଼ିଆ ପ୍ରାଣରେ ବାସ କରନ୍ତି। ଇଚ୍ଛାମୟଙ୍କ ଇଚ୍ଛାରେ ହିଁ ସଂସାର ଚାଲେ। ଓଡ଼ିଆ ପ୍ରାଣଟିଏ ଯେଉଁଠି ବି ଥାଉନା କାହିଁକି ସେ ବଡ ଦେଉଳର ବଡ଼ ଠାକୁରଙ୍କୁ ସ୍ମରଣ କରି ଆନନ୍ଦରେ ଛଳ ଛଳ ହୋଇଯାଏ। ବଡ଼ଦାଣ୍ଡରେ ଠିଆ ହେଲେ ହାତ ଉପରକୁ ଆପେ ଆପେ ଟେକି ହୋଇଯାଏ। ଓଡ଼ିଆ ଜାତିର ଗେହ୍ଲାପୁଅ କାଳିଆ ଭାବରେ ସେ ଆପଣାର ଘରୋଇ ମଣିଷ ପାଲଟି ଯାଇଛନ୍ତି। ଜନ୍ମ ଠାରୁ ଅନ୍ତିମ ଯାତ୍ରା ପର୍ଯ୍ୟନ୍ତ ସମସ୍ତ ସମ୍ପର୍କରେ ଠାକୁରେ ଜଡ଼ିତ ହୋଇଛନ୍ତି। ଜନ୍ମ, ନିର୍ବନ୍ଧ, ବିବାହ, ବ୍ରତ, ଗୃହ ପ୍ରତିଷ୍ଠା, ଦେବତା ପ୍ରତିଷ୍ଠା ଓ ଶେଷରେ ଅନ୍ତିମ ସଂସ୍କାରର କାର୍ଯ୍ୟ ତାଙ୍କୁ ବାଦ୍‌ ଦେଇ କରି ହୁଏନା। ସେ ଓଡ଼ିଆ ଜାତିର ପ୍ରାଣର ପ୍ରାଣ।

ଆଜି ଶଙ୍ଖ କ୍ଷେତ୍ର ଜନସମୁଦ୍ର। ଜୟ ଜୟ ଜଗନ୍ନାଥ ଧ୍ୱନୀରେ ବଡ଼ଦାଣ୍ଡ ପ୍ରକମ୍ପିତ। ଅନ୍ତର୍ମୁଖୀ ଭକ୍ତି, ଶ୍ରଦ୍ଧା, ପ୍ରେମ ଓ ଅନୁରାଗରେ ହିଁ ସେ ପାଲଟି ଯାଇଛନ୍ତି ଭକ୍ତର ଭଗବାନ। ଏ ଭଲ ପାଇବା ଆଜିର ନୁହେଁ। ଓଡ଼ିଆଙ୍କ ହୃଦୟରେ ଶ୍ରୀ ଜଗନ୍ନାଥଙ୍କ ନିମିତ୍ତ ଏ ଭକ୍ତିଭରା ଭଲ ପାଇବା କାହିଁ କେଉଁ କାଳରୁ ଅଛି। ଶ୍ରୀ ଜଗନ୍ନାଥଙ୍କ ସ୍ମରଣ, ମନନ, ଦର୍ଶନ ଓ ଭଜନରେ ବିତାଇ ପରିଶେଷରେ ତାଙ୍କରି ନିର୍ମାଲ୍ୟ କଣିକାକୁ ଆଶ୍ରା କରି ଏ ଜୀବ ଯାଉ ବୋଲି ଓଡ଼ିଆ ଇଚ୍ଛା କରେ। ତେଣୁ ସେ ହିଁ ଏ ଜୀବନର କେନ୍ଦ୍ରବିନ୍ଦୁ ଓ ପ୍ରାଣର ପ୍ରାଣମୟ ଦେବତା। ସକଳ ଦୁଃଖ, ଯନ୍ତ୍ରଣା, ଭୋଗ ଓ ଐଶ୍ୱର୍ଯ୍ୟର ସେ ସାହା ଭରସା। ବଡଦାଣ୍ଡରେ ଠିଆ ହୋଇ ଅନନ୍ତ ଆକାଶରେ ନୀଳଚକ୍ର ଉପରୁ ଫର ଫର ହୋଇ ଉଡ଼ୁଥିବା ପତିତପାବନ ବାନାର ଦୃଶ୍ୟ ଦେଖିଲେ ସ୍ୱତଃ ଚକ୍ଷୁ ଯୁଗଳ ମୁଦି ହୋଇଯାଏ ଆଉ ପ୍ରାଣ ଭିତରେ ଠାକୁରେ ଆବିର୍ଭୁତ ହୋଇଯାଆନ୍ତି। ଦେହ ଧାଇଁଯାଏ ଗରୁଡ଼ ଖମ୍ବ ଆଡ଼କୁ, ବାହୁ ପ୍ରସାରି କୁଣ୍ଢାଇ ଧରେ। ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖ ଦର୍ଶନ କରେ। ବାଇଶି ପାହାଚରେ ଗଡ଼ି ଗଡ଼ି ମୁକ୍ତିର ପଥ ଖୋଜେ। ଭକ୍ତି, ପ୍ରଣତି, ଅଳି, ମାନ, ଅଭିମାନ ସବୁକୁ ଅତି ଆପଣାର ଲୋକପରି ତାଙ୍କ ପାଖରେ ବଖାଣି ବସେ।

ଶ୍ରୀଜଗନ୍ନାଥ ପରା ଆମ ଓଡ଼ିଆଙ୍କର ପରିଚୟ। ସ୍ନେହରେ ବଡ଼ ଠାକୁରଙ୍କୁ ରଥ ଉପରେ ବିଜେ କଲା ବେଳେ ବାମନ, ଦୋଳି ଝୁଲଣରେ ଝୁଲିଲା ବେଳେ ଦୋଳଗୋବିନ୍ଦ ଆଉ ଚାପ ଖେଳିଲା ବେଳେ ମଧୁସୂଦନ ବୋଲି ନାମ ଦିଆଯାଇ ପୂଜା କରାଯାଏ। ଏହି ତିନି ରୂପରେ ଭକ୍ତମାନେ ନିଜ କାଳିଆ ଗୋସାଇଁଙ୍କୁ ଦର୍ଶନ କଲେ ମୁକ୍ତି ମିଳେ ବୋଲି ପ୍ରବାଦ ଅଛି। ଗୀତରେ ଏକଥା ସୁସ୍ପଷ୍ଟ-
‘‘ରଥରେ ବାମନ ଦୋଳରେ ଗୋବିନ୍ଦ ଚାପରେ ମଧୁସୂଦନ, ଏହି ତିନି ରୂପ ଦରଶନ କରି ବୈକୁଣ୍ଠ କର ଗମନ’’।

ବ୍ରହ୍ମ ବିଚାରରେ ଶ୍ରୀ ଜଗନ୍ନାଥ ଅବ୍ୟକ୍ତ, ଶୂନ୍ୟଦେହୀ ଓ ରହସ୍ୟମୟ। ମାତ୍ର ଓଡ଼ିଆ କେଉଁ ବୁଝେ। ତା’ ପାଇଁ ସେ ଜଣେ ରକ୍ତ ମାଂସଧାରୀ ସାଧାରଣ ମଣିଷ। ଚଳନ୍ତି ଠାକୁର। ସେ ଓଡ଼ିଆଙ୍କ ପରି ଜୀବନ ବିତାନ୍ତି, ଧୂଳି ଧୂସରିତ ହୁଅନ୍ତି, ଯାତ୍ରା କରନ୍ତି। ପୁରି, କ୍ଷୀରି, ମିଠା, ପିଠା, ପୋଡ଼ପିଠା, ଏପରିକି ପଖାଳ ମଧ୍ୟ ଖାଆନ୍ତି। ବାହା ହୁଅନ୍ତି। ଝୁଲଣରେ ଝୁଲନ୍ତି। ଘରଣୀ ଲକ୍ଷ୍ମୀ ଠାକୁରାଣୀଙ୍କ ସହ କଳିକଜିଆ ଲାଗନ୍ତି। ଗରମ ହେଲେ ଗାଧାନ୍ତି, ଜର ହେଲେ ଅଣସର ଘରେ ଶୁଅନ୍ତି। ଔଷଧ ସେବନ କରନ୍ତି, ବୁଲି ବାହାରନ୍ତି, ପାନମସଲା, ଅଧରପଣା ଆଦିରେ ଭାରି ରୁଚି ରଖନ୍ତି। ଶୀତ ହେଲେ ଘୋଡେଇ ହୁଅନ୍ତି। ଦନ୍ତ ମର୍ଜନ, ସ୍ନାନ ଓ ପୋଷାକ ପରିଧାନ କରନ୍ତି। ମନୋରଞ୍ଜନ ପାଇଁ ଦେବଦାସୀଙ୍କ ନୃତ୍ୟ ଉପଭୋଗ କରନ୍ତି, ରାତିରେ ଗୀତ ଗୋବିନ୍ଦ ଶୁଣି ଶୁଅନ୍ତି। ଏମିତି ଠାକୁର ସତରେ କଣ ଆଉ କେଉଁଠି ମିଳନ୍ତି।

ଏସବୁ ସତ୍ତ୍ୱେ ସେ ଭଗବାନ ଓ ଭକ୍ତର ଏକାତ୍ମତାକୁ ଘୋଷଯାତ୍ରା ମାଧ୍ୟମରେ ପ୍ରଚାର କରନ୍ତି। ଅଣସର ଘରୁ ବାହାରି ଶ୍ରୀଅଙ୍ଗ ରକ୍ଷକ ଦଇତା ପତି ସେବକମାନଙ୍କ ଭୁଜ ସହ ଭୁଜ ମିଶେଇ ମତ୍ତଗଜ ପ୍ରାୟେ ଝୁଲି ଝୁଲି ସାଆନ୍ତେ ସର୍ବଧର୍ବର ମନ୍ତ୍ର ଉଚ୍ଚାରନ୍ତି। ଏମିତି ବେଶ ଦେଖି ଭକ୍ତ ସାଲବେଗ ଗାଇ ଉଠିଥିଲେ-
‘ଅଣସର ଘରେ ଥିଲ ଆଜ ବାହାର ହେଲ
ତି ଭଙ୍ଗୀ ଭଙ୍ଗ କରି ଚାହିଁଛ
ଶ୍ରୀଭୁଜେ ଭୁଜ ପେଲି ମତ୍ତଗଜ ପ୍ରାୟେ ଝୁଲି
ମହାପାତଙ୍କ ମାନଙ୍କୁ ଦହୁଛ..।’

ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର ତାଙ୍କୁ ବିଶ୍ୱ ଦରବାରରେ ସାର୍ବଭୌମତ୍ୱର ଅଖଣ୍ଡ ବାର୍ତ୍ତାବାହକ ଭାବେ ଉପସ୍ଥାପିତ କରିଛି। ତାଙ୍କରି ଏ ଶ୍ରୀଗୁଣ୍ଡିଚା ଯାତ୍ରା ବିଶ୍ୱର ବିଭିନ୍ନ ସ୍ଥାନରେ ଖୁବ୍‌ ଭକ୍ତି ଓ ଉଲ୍ଲାସରେ ପାଳିତ ହେଉଛି। ଆଜି ଶ୍ରୀମନ୍ଦିରର ବଡ଼ ଠାକୁର ବିଶ୍ୱ ବନ୍ଦିତ। ବର୍ତ୍ତମାନ ସୁଦ୍ଧା ୯୦ଟି ଦେଶରେ ଏହା ପାଳିତ ହେଉଛି। ମୋକ୍ଷ ପ୍ରାପ୍ତିର ପରମତୃପ୍ତି ଭିତରେ କାଠଦିଅଁଙ୍କ ଯାତ୍ରା ଭିଡ଼ରେ ଭକ୍ତ ଗାଇ ଉଠୁଛି ‘ରଥସ୍ଥଂ ବାମନଂ ଦୃଷ୍ଟ୍ଵା ପୁର୍ନଜନ୍ମ ନ ଲଭୋତେ।’

ଆହା କେଡ଼େ ମନଲୋଭା ସେ ଦୃଶ୍ୟ। ସେଠି ଜାତି ନାହିଁ, ଧର୍ମ ନାହିଁ, ବର୍ଣ୍ଣ ନାହିଁ ବରଂ କୁହାଯାଇ ପାରେ, ସେଠି ମାନବ ଜାତିର ଲହଡ଼ି ଢ଼େଉ ପିଟୁଛି। ଭଗବାନ କେବଳ ଭକ୍ତର। ଗୋସେଇଁଙ୍କର ଶ୍ରୀମୁଖ ଦର୍ଶନ ଓ ପାଦ ନ ଥିବା ପାଦତଳେ ଦର୍ଶନାଭିଳାଷୀ ଭକ୍ତ ହରିବୋଲ ମାଧ୍ୟମରେ ଗାଇ ଉଠୁଛି-
‘ଧନ୍ୟ ସେ ରଥ, ଭରେ ନୟନ ପଥ
ଶୋଭାବରେ ଦରଶନ୍ତେ ଜନେ କୃତାର୍ଥ...।’

ଅଧ୍ୟକ୍ଷା
ଏସସିବି ଡିଗ୍ରୀ ମହାବିଦ୍ୟାଳୟ, ରାଗଧା ମୟୂରଭଞ୍ଜ
ମୋ-୯୪୩୭୩୮୦୭୭୦