ହିନ୍ଦୁ ଧର୍ମରେ ଗାଈକୁ ଗୋମାତା ଭାବରେ ପୂଜା କରାଯାଏ । ଭାରତୀୟ ସଂସ୍କୃତିରେ ଯୁଗ ଯୁଗରୁ ଗୋମାତାଙ୍କୁ ପୂଜନୀୟା ବୋଳି ବିବେଚନା କରାଯାଏ । କୁହାଯାଏ କି କାମଧେନୁ ଗାଈ ପାଖରେ ଦୈବୀ ଶକ୍ତି ଥିଲା, ଯାହା ଦ୍ୱାରା ସେ ଭକ୍ତର ମନସ୍କାମନା ପୂରଣ କରୁଥିଲେ ।
କାମଧେନୁ ଯାହା ପାଖରେ ଥିଲା, ତାକୁ ସବୁ ପ୍ରକାରର ଚମତ୍କାରିତା ଲାଭ ହେଉଥିଲା । କାମଧେନୁ ଗାଈର କ୍ଷୀର ମଧ୍ୟ ଅମୃତତୁଲ୍ୟ ଥିଲା ଏବଂ ଚମତ୍କାରୀ ଶକ୍ତିରେ ଭରପୂର ଥିଲା । ଏକ ପୌରାଣିକ କଥା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଦେବତା ଓ ଦୈତ୍ୟଙ୍କୁ ସମୁଦ୍ରରୁ ବହୁ ଦ୍ରବ୍ୟ ପ୍ରାପ୍ତ ହୋଇଥିଲା । ସେଥିମଧ୍ୟରୁ କ୍ଷୀର ସାଗରରୁ କାମଧେନୁଙ୍କର ଉତ୍ପତ୍ତି ହୋଇଥିଲା । ପୁରାଣରେ କାମଧେନୁ ଗାଈକୁ ନନ୍ଦା, ସୁନନ୍ଦା, ସୁରଭୀ, ସୁଶୀଳା ଓ ସୁମନ କୁହାଯାଉଥିଲା । କାମଧେନୁଙ୍କ ସହିତ ଏକ ପୌରାଣିକ କାହାଣୀ ଜଡ଼ିତ ଅଛି। କାହାଣୀ ଅନୁସାରେ ଥରେ ରାଜା ସହସ୍ରାର୍ଜୁନ ନିଜର ସେନାମାନଙ୍କ ସହିତ ଜଙ୍ଗଲ ଅତିକ୍ରମ କରୁଥିବା ସମୟରେ ମହର୍ଷି ଜମଦଗ୍ନି ( ଭଗବାନ ପରଶୁରାମଙ୍କ ପିତା)ଙ୍କ ଆଶ୍ରମକୁ ବିଶ୍ରାମ କରିବାକୁ ଗଲେ । ମହର୍ଷି ମଧ୍ୟ ଅତିଥି ହିସାବରେ ତାଙ୍କୁ ଆଶ୍ରୟ ଦେଇଥିଲେ । ଏହା ସେହି ସମୟର କଥା। ଋଷି ଜମଦଗ୍ନିଙ୍କ ପାଖରେ ଦେବରାଜ ଇନ୍ଦ୍ରଙ୍କଠାରୁ ପ୍ରାପ୍ତ କାମଧେନୁ ଗାଈ ଥିଲା । ରାଜା ସହସ୍ରାର୍ଜୁନ କିନ୍ତୁ ଏହି ବିଷୟରେ ଜାଣି ନଥିଲେ । କିଛି ସମୟ ପରେ ଯେତେବେଳେ ସେ କାମଧେନୁଙ୍କ ଚମତ୍କାର ଦେଖିଲେ, ଆଶ୍ଚର୍ଯ୍ୟ ହୋଇଗଲେ । ମହର୍ଷି କାମଧେନୁଙ୍କଠାରୁ ପ୍ରାପ୍ତ ଦ୍ରବ୍ୟାଦିରେ ରାଜ ଏବଂ ତାଙ୍କ ସୈନିକଙ୍କ ପାଇଁ ଭୋଜନର ବ୍ୟବସ୍ଥା କରାଇଥିଲେ । ଏହା ଦେଖି ସହସ୍ରାର୍ଜୁନଙ୍କ ମନରେ ମହର୍ଷିଙ୍କ ପ୍ରତି ଇର୍ଷା ଉତ୍ପନ୍ନ ହେଲା ଏବଂ କାମଧେନୁଙ୍କୁ ନେବା ପାଇଁ ମଧ୍ୟ ଚେଷ୍ଟା କଲେ ।
/sambad/media/post_attachments/wp-content/uploads/2018/02/parshuram-patrika.com_-1-300x193.jpg)
ରାଜା ମହର୍ଷିଙ୍କୁ କାମଧେନୁଙ୍କୁ ମାଗିଲେ ,କିନ୍ତୁ ଋଷି କହିଲେ କି ଏହି ଗାଈ ଜରିଆରେ ସେ ଭରଣ ପୋଷଣ କରୁଛନ୍ତି । ଫଳରେ ରାଜା କ୍ରୋଧିତ ହୋଇ ଋଷିଙ୍କ ଆଶ୍ରମ ଭାଙ୍ଗି ଦେଲେ ଏବଂ କାମଧେନୁଙ୍କୁ ବଳପୂର୍ବକ ନେବା ପାଇଁ ଗଲେ । କାମଧେନୁ ତାଙ୍କ ହାତରୁ ଖସି ସ୍ୱର୍ଗକୁ ଚାଲିଗଲେ । ମହର୍ଷି ଜମଦଗ୍ନ କାମଧେନୁଙ୍କୁ ହରାଇଲେ ଏବଂ ତାଙ୍କ ଆଶ୍ରମ ବି ନଷ୍ଟ ହେଲା । କିଛି ସମୟ ପରେ ତାଙ୍କ ପୁତ୍ର ଭଗବାନ ପର୍ଶୁରାମ ଆଶ୍ରମକୁ ଆସିଲେ ଏବଂ ଘଟଣା ସଂପର୍କରେ ଜାଣି ଆଶ୍ଚର୍ଯ୍ୟ ହୋଇଗଲେ । ପର୍ଶୁରାମଙ୍କ ମାତା ତାଙ୍କୁ ସବୁ କଥା କହିଲେ। ଏହା ଶୁଣି ପର୍ଶୁରାମ କ୍ରୋଧିତ ହୋଇ ରାଜାଏବଂ ତାଙ୍କ ସେନାଙ୍କୁ ଧ୍ୱଂସ କରିବାକୁ ମହିଷ୍ମତିପୁରି ପହଞ୍ଚିଲେ । ଉଭୟଙ୍କ ଭିତରେ ଯୁଦ୍ଧ ହେଲା । ସେ ରାଜାଙ୍କୁ ବଧ କଲେ । ତା’ପରେ ପିତାଙ୍କ ନିର୍ଦ୍ଦେଶ ଅନୁସାରେ ପର୍ଶୁରାମ ତୀର୍ଥ କରିବାକୁ ଗଲେ ।