ଭାରତୀୟ କଣ୍ଠଶିଳ୍ପୀ କନିକା କପୁର ଏ ବର୍ଷର ମର୍ଯ୍ୟାଦାଜନକ ଗ୍ରାମି ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ୬୮ତମ ଗ୍ରାମି ପୁରସ୍କାରର ଶ୍ରେଷ୍ଠ ବିଶ୍ବସ୍ତରୀୟ ସଂଗୀତ ଆଲ୍‌ବମ୍ ବିଭାଗରେ ‘ସାଉଣ୍ଡ୍‌ସ ଅଫ୍‌ କୁମ୍ଭ’କୁ ତାଲିକାଭୁକ୍ତ କରାଯାଇଛି, ଯାହାର ଟାଇଟଲ୍‌ ଗୀତ ‘ମହାକୁମ୍ଭ’ରେ କନିକା ସ୍ବର ଦେଇଛନ୍ତି। ବିଶ୍ବପ୍ରସିଦ୍ଧ ମହାକୁମ୍ଭ ମେଳାର ଭକ୍ତିଭାବ ଓ ଆଧ୍ୟାତ୍ମିକ ଉର୍ଜାକୁ ଏହି ଗୀତରେ ଖୁବ୍ ସୁନ୍ଦର ଭାବେ ସନ୍ନିବେଶ କରାଯାଇଛି।

Advertisment

ଗ୍ରାମି ଦୌଡ଼ରେ ତାଙ୍କ ଗୀତ ସାମିଲ ହୋଇଥିବା ପ୍ରତିକ୍ରିୟାରେ କନିକା କହିଛନ୍ତି ଯେ ସେ ‘ସାଉଣ୍ଡ୍‌ସ ଅଫ କୁମ୍ଭ’ ଆଲବମ୍‌ର ଅଂଶ ହୋଇଥିବାରୁ ନିଜକୁ ଭାଗ୍ୟବାନ୍‌ ମନେ କରୁଛନ୍ତି। ‘ଗ୍ରାମି ନୋମିନେସନ୍‌ କେବଳ ମୋ ପାଇଁ ନୁହେଁ ଏହି ସ୍ବତନ୍ତ୍ର ଆଲ୍‌ବମ୍‌ ପ୍ରସ୍ତୁତି ସହ ଜଡ଼ିତ ସମସ୍ତଙ୍କ ପାଇଁ ଗର୍ବର କ୍ଷଣ।’ ଲକ୍ଷ୍ନୌରେ ଜନ୍ମିତ କନିକା ବଲିଉଡ୍‌ରେ ଗୀତ ଗାଇବା ସ୍ବପ୍ନ ନେଇ ୨୦୧୨ରେ ମୁମ୍ବାଇ ଚାଲିଆସିଥିଲେ। ୨୦୧୪ରେ ‘ରାଗିନି ଏମ୍‌ଏମ୍‌ଏସ୍‌ ୨’ର ‘ବେବି ଡଲ୍‌’ ଗୀତଟି ଗାଇବା ପରେ ସେ ରାତାରାତି ଲୋକପ୍ରିୟ ହୋଇଯାଇଥିଲେ ଏବଂ ସେହି ଗୀତଟି ପାଇଁ ତାଙ୍କୁ ଫିଲ୍ମଫେଆର୍‌ ପୁରସ୍କାର ମିଳିଥିଲା।